Unknown

 

 

 

 

 

 

 

 

 

 

 

ପ୍ରଣୟ ପଳାଶ

ଶ୍ରୀ ନିତ୍ୟାନନ୍ଦ ଷଡ଼ଙ୍ଗୀ

 

ମୋ କଥା

 

ଜୀବନର ଅସରନ୍ତି ଚଲାପଥରେ ବହୁ ଅନୁଭୂତି, ବହୁ ସ୍ୱପ୍ନ ଓ ବହୁ ରୂପ । ଗଳ୍ପକାରର ପରଶପଥର-ସ୍ପର୍ଶରେ ସେମାନେ ଜୀବନ୍ୟାସ ଲାଭ କରନ୍ତି, ହସନ୍ତି ଓ ହସାନ୍ତି, କାନ୍ଦନ୍ତି ଓ କନ୍ଦାନ୍ତି । ଜୀବନବେଳାର ବହୁ ଫାଲ୍‌ଗୁନ ଓ ଆଶ୍ୱିନର ଛପିଲା ଜହ୍ନର ଛାଇ-ଆଲୁଅର ଲୁଚକାଳିଖେଳରେ ବେଳେବେଳେ ବେସୁରା ବଂଶୀର ମୂର୍ଚ୍ଛନା ସୃଷ୍ଟି କରି ସେମାନେ ଅଭିଭୂତ ହୁଅନ୍ତି ଓ ଅଭିଭୂତ କରାନ୍ତି । ମନର ସାତସମୁଦ୍ରର ସାତତାଳ ପାଣିତଳେ ଲୁଚିରହିଥିବା ମିଳନ-ବିଚ୍ଛେଦ, ବ୍ୟଥା-ବେଦନା, ହସ-କାନ୍ଦ, ଆବେଗ-ଅନୁଭୂତି, ପ୍ରେମ-ପ୍ରତ୍ୟୟ ଓ ପ୍ରୀତି-ପ୍ରଣୟର ଯେଉଁ ଅସୁମାରି ସ୍ମୃତି-ତରଙ୍ଗର ଘାତ-ପ୍ରତିଘାତରେ ଜୀବନତଟ ନିତ୍ୟ ମୁଖରିତ, ଗଳ୍ପକାରର ଲେଖନୀସ୍ପର୍ଶରେ ସେମାନେ ରକ୍ତ-ମାଂସର ରୂପ ପରିଗ୍ରହ କରି ଜୀବନ-ଯୌବନର ଜୈତ୍ରଗୀତି ଗାନ କରନ୍ତି ।

 

କ୍ଷୁଦ୍ରଗଳ୍ପ ସମ୍ଭବତଃ ଲେଖକର ଖିଆଲୀ ପ୍ରାଣର ମାନବ ଜୀବନ–ଅଧ୍ୟୟନର ଏକ ବ୍ୟର୍ଥ ପ୍ରୟାସ ବା ଜୀବନସମ୍ବନ୍ଧୀୟ ବ୍ୟକ୍ତିଗତ ଦୃଷ୍ଟିକୋଣର ଏକ ଛାୟାଛବିଳ ପ୍ରତିଚ୍ଛବି ଅଥବା ତା’ର ଆବେଗଉଦ୍ଦୀପିତ ଅନ୍ତରର ସାମୟିକ ସ୍ୱପ୍ନିଳ ଉଚ୍ଛ୍ୱାସସକଳର ଏକ ଭାଷାୟନ । ବିଂଶ ଶତାବ୍ଦୀର ଯୁଗଯାତ୍ରୀର ଆଶଙ୍କା ଅବସାଦଗ୍ରସ୍ତ, ତ୍ରସ୍ତଚକିତ ଜୀବନସାଗରବେଳାର ଦିକ୍‌ଚକ୍ରରେ ଟିକିଏ କଳ୍ପନାପ୍ରବଣତାର ରକ୍ତରାଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ।

 

‘ପ୍ରଣୟ-ପଳାଶ’ର ଗଳ୍ପସକଳ ଏହି ଭାବଧାରା ଉପରେ ଆଧାରିତ ହେଲେ ହେଁ ମାନବ–ହୃଦୟର ପ୍ରେମ-ପ୍ରଣୟର ଏକ ମନସ୍ତାତ୍ତ୍ୱିକ ବିଶ୍ଳେଷଣମାଧ୍ୟମରେ ବିକାଶୋନ୍ମୁଖ ମାନବ–ପ୍ରାଣର ସ୍ୱାଭାବିକ ମନୋବୃତ୍ତି ଉପରେ ଆଲୋକପାତ କରିବାନିମିତ୍ତ ଅଭିପ୍ରେତ ।

 

ପ୍ରେମ–ପ୍ରଣୟ–ପ୍ରୀତି–ପ୍ରଦୀପର ପ୍ରୋଜ୍ଜ୍ୱଳ ଶିଖା ମାନବ–ଜୀବନ–ପଥକୁ ଭାସ୍ୱର କରିଆସିଛି । ତା’ର ଜୀବନ–ଯମୁନାର କଳକଲ୍ଲୋଳକୁ ମନୋଜ୍ଞ ମଞ୍ଜୁଳ କରିଛି; କିନ୍ତୁ ସେହି ପ୍ରୀତି-ପ୍ରତ୍ୟୟର ଅନ୍ତରାଳରେ ତା’ର ଅପରିଣତ ତଥା ଅବିକଶିତ ମନର ବିକୃତିର ଯେଉଁ ଅବଚ୍ଛାୟା ଆତ୍ମଗୋପନ କରିଛି, ସେହି ସମ୍ପର୍କରେ ସଚେତନ କରିବାନିମିତ୍ତ ‘ପ୍ରଣୟ–ପଳାଶ’ର ଗଳ୍ପସମୂହ ପ୍ରଗଳ୍‌ଭ । ଯୌବନ-ଜାହ୍ନବୀର ଉତ୍କଳ ପ୍ରବାହନିକଟରେ ପ୍ରବୃତ୍ତି–ପଥଚାରୀ ସଂସାରୀ ତଥା ସଂସାରବିରାଗୀ ସନ୍ନ୍ୟାସୀ ସମସ୍ତେ ହିଁ ଅବନମିତ । ବ୍ରହ୍ମଚାରୀ ଜୈମିନିଙ୍କର ସଂଯମ-ସାଧନାର ଆସ୍ଫାଳନ ସେଠାରେ ବ୍ୟର୍ଥ ଓ ଦାର୍ଶନିକ ଆଚାର୍ଯ୍ୟ ଶଙ୍କରଙ୍କର ପାଷାଣ-ଦୃଢ଼ ବ୍ୟକ୍ତିତ୍ୱର ଗର୍ବ–ଗୌରବର ଜୟଗାନ ସେଠାରେ ସ୍ତବ୍‌ଧ; ବରଂ ମହାଭାରତକାର ସଂସାରୀ ବ୍ୟାସଙ୍କର ଜୀବନର ନିଗୂଢ଼ ସତ୍ୟର ପରିପ୍ରକାଶ ।

 

‘‘ମାତ୍ରା ସ୍ୱସ୍ରା ଦୁହିତ୍ରା ବା ନ ବିବିକ୍ତାସନୋ ଭବେତ୍‌ ।

ବଳବାନିନ୍ଦ୍ରିୟ–ଗ୍ରାମୋ ବିଦ୍ୱାଂସମପି କର୍ଷତି ।।’’

 

ସତ୍ୟର ଯଥାର୍ଥତା ଉପଲବ୍‌ଧି କରି ପାଠକ ଚମତ୍‌କୃତ ହୁଏ । ଏହା ହିଁ ବିକାଶଶୀଳ ମାନବ-ଜୀବନର ଏକ ନଗ୍ନ ସତ୍ୟ ଏବଂ ‘ପ୍ରଣୟ–ପଳାଶ’ର ପ୍ରତିପୃଷ୍ଠା ସେହି ସତ୍ୟର କ୍ଷୀଣ ପ୍ରତିଫଳନରେ ସମୁଦ୍ଭାସିତ ।

 

‘ପ୍ରଣୟ–ପଳାଶ’ର ସ୍ୱପ୍ନ ଓ ଦର୍ଶନ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କଳାକାର ଶ୍ରୀଯୁକ୍ତ ଅସିତ୍‌ ମୁଖାର୍ଜୀଙ୍କର କାଉଁରୀ ତୂଳୀର ଯାଦୁକରି ସ୍ପର୍ଶରେ ସଞ୍ଜୀବିତ ହୋଇଛି । ଲେଖକର କଳ୍ପନାକଲ୍ଲୋଳିନୀର ସୂକ୍ଷ୍ମାତିସୂକ୍ଷ୍ମରୂପକୁ ସ୍ୱୀୟ ମାନସପଟରେ ପ୍ରତିବିମ୍ବିତ କରି ତା’ର ସାର୍ଥକ ରୂପାୟନନିମିତ୍ତ ତାଙ୍କର ତୂଳୀ ଯେପରି ତତ୍ପର ହୋଇଉଠିଛି ସେଥିନିମିତ୍ତ ‘ଶିଳ୍ପରୂପମ୍‌’ର ସେହି ସରଳ, ସହୃଦୟ, ସଂବେଦନଶୀଳ ଶିଳ୍ପୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ନିବେଦନ କରୁଛି ।

 

ରାଷ୍ଟ୍ରଭାଷାର ସୁଦକ୍ଷ କର୍ମକର୍ତ୍ତା ଶ୍ରୀମାନ୍‌ ଯଦୁନାଥ ଓ ‘ସନ୍ତୋଷ ପବ୍ଲିକେଶନ୍‌ସ୍‌’ର ତରୁଣ ପ୍ରକାଶକ ଶ୍ରୀମାନ୍‌ ଉମେଶପ୍ରସାଦଙ୍କ ସହିତ ମୋର ସଂପର୍କ ସ୍ୱତନ୍ତ୍ର । ସେମାନଙ୍କର ଆନ୍ତରିକ ତଥା ସକ୍ରିୟ ସହଯୋଗଯୋଗୁ ‘ପ୍ରଣୟ-ପଳାଶ’ର ମୁଦ୍ରିତ ରୂପ ସମ୍ଭବ ହୋଇପାରିଥିବାରୁ ମୁଁ ସେମାନଙ୍କୁ ସସ୍ନେହ ଧନ୍ୟବାଦ ଅର୍ପଣ କରୁଛି । ‘ପ୍ରଣୟ–ପଳାଶ’ର କଳେବରକୁ ନିର୍ଭୁଲ କରିବାନିମିତ୍ତ ଶ୍ରୀମାନ୍‌ ଯଦୁନାଥଙ୍କର ଆନ୍ତରିକ ସହଯୋଗ ଓ ଉଦ୍ୟମକୁ ମୁଁ ଅଭିନନ୍ଦନ ଜଣାଉଛି । ଶ୍ରଦ୍ଧେୟ ପ୍ରକାଶକଙ୍କର ସୌନ୍ଦର୍ଯ୍ୟଜ୍ଞାନ ଓ ମାର୍ଜ୍ଜିତ ଅଭିରୁଚି ତାଙ୍କଦ୍ୱାରା ପ୍ରକାଶିତ ପୁସ୍ତକସମୂହରେ ସୁସ୍ପଷ୍ଟ । ତାଙ୍କର ଯାତ୍ରାପଥ ସୁଦୀର୍ଘ ଓ ସୁରଭିତ ହେଉ, ଏହା ହିଁ କାମନା ।

 

ମୋ କଥା ଏତିକି ।

 

ଆଉ ଯଦି ‘ପ୍ରଣୟ–ପଳାଶ’ର ରଙ୍ଗ, ଦୀପ୍ତି ଓ ସୌରଭ ପାଠକପାଠିକାଙ୍କର ପ୍ରାଣରେ ଟିକିଏ ସ୍ପନ୍ଦନ ସୃଷ୍ଟି କରିପାରିବ, ତାହା ହେଲେ ଗଳ୍ପକାରର ଉଦ୍ୟମ ସାର୍ଥକତାର ସ୍ପର୍ଶରେ ମହିମାନ୍ୱିତ ହେବ ।

 

ଅକ୍ଟୋବର–ପାଞ୍ଚ

 

କୁମାର ପୂର୍ଣ୍ଣିମା–୧୯୭୯

ନିତ୍ୟାନନ୍ଦ ଷଡ଼ଙ୍ଗୀ

☆☆☆

 

ସୂଚୀପତ୍ର

 

୧.

ପ୍ରଣୟ-ପଳାଶ

୨.

ମନ୍ତ୍ରୋପଦେଶ

୩.

ନୂପୁର-ନିକ୍ୱଣ

୪.

ସମ୍ରାଟ୍‌ ଓ ସଙ୍ଗୀତଜ୍ଞ

୫.

ସନ୍ନ୍ୟାସୀ ଓ ଶ୍ୟାମା

୬.

ପ୍ରଣୟ-ପ୍ରଦୀପ

୮.

ପ୍ରଣୟ-ସଂଳାପ

୯.

ପ୍ରଣୟ-ପ୍ରରୋହ

☆☆☆

 

ପ୍ରଣୟ-ପଳାଶ

 

ଜୈମିନିଙ୍କର ଚିରନମନୀୟ ପ୍ରାଣ ବିଦ୍ରୋହୀ ହୋଇଉଠୁଥିଲା ।

 

ନା,... ନା,... ଏପରି ଏକ ଅନୃତ ବାଣୀକୁ ଲିପିବଦ୍ଧ କରି ସେ ମାନବର ଜୀବନଧାରାକୁ କଳୁଷିତ କରିପାରିବେନି ।

 

ଅଦୂରସ୍ଥ ଆଶ୍ରମୋପକଣ୍ଠ ସ୍ରୋତସ୍ୱିନୀର ସ୍ୱଚ୍ଛ ନୀରସମ୍ପଦରେ ଧୀରେ–ଧୀରେ ପ୍ରସରିଯାଉଛି ନୀଳାକାଶର ଶୁଭ୍ର ସୁନ୍ଦର ମେଘମାଳାର ପ୍ରତିବିମ୍ବ ।

 

ଜୈମିନି ନିଜର ଜୃମ୍ଭିତ ଚକ୍ଷୁରେ ଥରେ ଚାହୁଁଥିଲେ ମହାଭାରତକାର ବ୍ୟାସଙ୍କୁ; ଆଉ ଥରେ ସମୁଚ୍ଚ ଶିଳାମଣ୍ଡପଉପରୁ ପରିଦୃଷ୍ଟ ହେଉଥିବା ଦିଗ୍‌ବଧୂର ଶ୍ୟାମାୟିତ କବରୀକୁ । ଚକ୍ଷୁରେ ତାଙ୍କର ଅଜସ୍ର ପ୍ରଶ୍ନବାଚୀ ଓ ପ୍ରାଣରେ ଅକଳ୍ପିତ ଚାଞ୍ଚଲ୍ୟ ।

 

ଆକାଶର ଅଙ୍ଗେ ଅଙ୍ଗେ ଅପରାହ୍‌ଣ ସୌନ୍ଦର୍ଯ୍ୟର ସ୍ୱପ୍ନ–ସମ୍ଭାର, ବସନ୍ତ–ଲାବଣ୍ୟସ୍ନାତ ଧରଣୀ–କନ୍ୟାର ମୁଖମଣ୍ଡଳରେ ସ୍ୱର୍ଣ୍ଣରେଣୁର ପ୍ରଲେପ ବୋଳିଦେଇଛି । ଦିଗ୍‌ବଧୂର କଟୀଦେଶରେ ଦୋଳାୟିତ ବିକ୍ଷିପ୍ତ ବଳାହକଖଣ୍ଡରୁ ଝରିପଡ଼ୁଛି ବସନ୍ତର ଫଗୁ–କନକ ମଦିରା ।

 

କିନ୍ତୁ ଜୈମିନିଙ୍କର ପ୍ରାଣକୁ ତାହା କିଛି ହେଲେ ସ୍ପର୍ଶ କରୁନି । ଧୀରେ-ଧୀରେ ସକଳ ଇନ୍ଦ୍ରିୟାନୁଭୂତିକୁ ଅନ୍ତର୍ମୁଖୀ କରି ସେ ଯେପରି କେଉଁ ଏକ ସମସ୍ୟାର ସୂକ୍ଷ୍ମ ସମୀକ୍ଷାରେ ଆତ୍ମନିୟୋଗ କରିଛନ୍ତି । ଆମ୍ରମୁକୁଳର ସୁରଭିତ ସ୍ପର୍ଶରେ ନିର୍ଝର–କିଶୋରୀର କଣ୍ଠରେ ଉତ୍ତାଳ ମର୍ମର ତାନ କେଉଁ ଏକ ଶାଶ୍ୱତ ଛନ୍ଦକୁ ନିଜର କଣ୍ଠରେ ରୂପାୟିତ କରିବାନିମିତ୍ତ ଯେପରି ଚଞ୍ଚଳ ହୋଇଉଠୁଛି । ନୀଡ଼ବାହୁଡ଼ା ବିହଙ୍ଗର ମାଦକତାମୟ କଳତାନ ଯେପରି ମର୍ମର ଧ୍ୱନିକୁ ଅଧିକତର ସମୁତ୍ସାହିତ କରୁଛି; କିନ୍ତୁ ଜୈମିନିଙ୍କୁ ଆଜି ତାହା ଭାବବିହ୍ୱଳ କରିପାରୁନି ।

 

ତାଙ୍କର ଯୌବନୋଦ୍ଦୀପିତ ସ୍ନିଗ୍‌ଧ–ସୁନ୍ଦର–କପାଳ କେବଳ କୁଞ୍ଚିତ ହୋଇଉଠୁଛି । ସେ ବାରମ୍ବାର ନିରୀକ୍ଷଣ କରୁଛନ୍ତି ବ୍ୟାସଙ୍କୁ; କିନ୍ତୁ ବ୍ୟାସଙ୍କର ଶ୍ମଶ୍ରୂ–ଆଚ୍ଛାଦିତ ମୁଖମଣ୍ଡଳ ସେହିପରି ଶାନ୍ତ ସୌମ୍ୟ ସୁନ୍ଦର ନିର୍ବିକାର ନିର୍ଲିପ୍ତ । କେଉଁ ଏକ ଅନାହତ ଧ୍ୱନିର ଶାଶ୍ୱତ ମୂର୍ଚ୍ଛନାଶ୍ରବଣରେ ସେ ଯେପରି ଆତ୍ମବିସ୍ମୃତ । ସେହି ଅନ୍ତର୍ମୁଖୀ ଆତ୍ମାର ପ୍ରଶାନ୍ତି ନିକଟରେ ଯେପରି ଏହି ବହିର୍ଜଗତ ସ୍ଥିତିହୀନ ।

 

ଆମ୍ରକୁଞ୍ଜର ଘନପଲ୍ଲବିତ ଶାଖାରେ ଆତ୍ମଗୋପନ କରିଥିବା ପ୍ରିୟ-ପ୍ରତୀକ୍ଷାରତ ପ୍ରଗଳ୍‌ଭ–ପିକକଣ୍ଠ ବେଦନାବିଧୂର ହୋଇଉଠିଲା ।

 

ନିଜର ଅଲକ୍ଷିତରେ ଜୈମିନିଙ୍କର କଣ୍ଠରେ ବି ସୂକ୍ଷ୍ମ ହେଲା କମ୍ପନ । ପ୍ରାଣର ଆବେଗରେ ସେ ଆହ୍ୱାନ କଲେ–‘‘ମହର୍ଷି !’’ ଯେପରି ସମଗ୍ର ବିଶ୍ୱବିରୁଦ୍ଧରେ ସେ ଉପସ୍ଥାପିତ କରୁଛନ୍ତି ତାଙ୍କର ଅୟୁତ ଅଭିଯୋଗ ।

 

ବ୍ୟାସଙ୍କର ନିମୀଳିତ ଚକ୍ଷୁ ଧୀରେ-ଧୀରେ ସମୁଜ୍ଜ୍ୱଳ ହୋଇଉଠିଲା । ଜୈମିନିଙ୍କର ବେଦନାହତ ମୁଖମଣ୍ଡଳ ଉପରେ ଧୀରେ ଧୀରେ ସେ ଦୃଷ୍ଟିପାତ କଲେ । ମମତା–ସ୍ନିଗ୍‌ଧ କଣ୍ଠରେ ତାଙ୍କୁ ସମ୍ବୋଧନ କରିବାର କାରଣ ସେ ଜୈମିନିଙ୍କୁ ଜିଜ୍ଞାସା କଲେ ।

 

ଜୈମିନିଙ୍କର କଣ୍ଠରେ ସେହି ବେଦନା-ବିଦଗ୍‌ଧ ବେପଥୁ–‘‘ମୁଁ ପାରିବିନି ମହର୍ଷି ! ଏହି ଅନୃତ ବାଣୀକୁ ମହାଭାରତର ପୃଷ୍ଠାଉପରେ ଲିପିବଦ୍ଧ କରି ମହାମହିମ ମହାଭାରତକାରଙ୍କର ସମୁଜ୍ଜ୍ୱଳ କବି ପ୍ରତିଭାର ଦୀପ୍ତିରେ ମୁଁ କଳଙ୍କ ଆରୋପ କରିପାରିବି ନାହିଁ ।’’

 

ବ୍ୟାସଙ୍କ ନିକଟରେ ତାହା ଯେପରି ଏକ ପ୍ରହେଳିକାସଦୃଶ ପ୍ରତୀତ ହେଉଥିଲା । ସେ ପୁନର୍ବାର ପ୍ରଶ୍ନ କଲେ–‘‘କି ଅନୃତ ବାଣୀ ଜୈମିନି ?’’

 

ଜୈମିନିଙ୍କର ଉଦାର କଣ୍ଠଧ୍ୱନି ନିକଟସ୍ଥ ଶିବାଳୟର ଅଙ୍ଗନରେ ପ୍ରତିଧ୍ୱନି ସୃଷ୍ଟି କଲା–

 

‘‘ମାତ୍ରା ସ୍ୱସ୍ରା ଦୁହିତ୍ରା ବା ନ ବିବିକ୍ତାସନୋ ଭବେତ୍‌ ।

ବଳବାନିନ୍ଦ୍ରିୟ–ଗ୍ରାମୋ ବିଦ୍ୱାଂସମପି କର୍ଷତି ।।’’

 

ବ୍ୟାସଙ୍କର ଶାନ୍ତ ଶୁଭ୍ର ମୁଖମଣ୍ଡଳରେ ସ୍ମିତହାସ୍ୟର ଏକ କ୍ଷୀଣ ରେଖା ସଞ୍ଚରିଗଲା । ସେ ପ୍ରଶ୍ନ କଲେ–‘‘ଏ କ’ଣ ଅନୃତ ଜୈମିନି ? ମାନବ–ଜୀବନର ଏକ ଶାଶ୍ୱତ ସତ୍ୟର ଏହା ତ ଏକ ପରିପ୍ରକାଶ ମାତ୍ର ।’’

 

ଜୈମିନିଙ୍କର ଯେପରି ଧୈର୍ଯ୍ୟଚ୍ୟୁତ ଘଟୁଥିଲା–‘‘ନା, ନା, ମହର୍ଷି ! ଏହା ସତ୍ୟର ଅପଳାପ ମାତ୍ର । ନିର୍ଜ୍ଜନରେ ନିଭୃତରେ ମିଳନ ସଂଘଟିତ ହେଲେ ନିଜର ରକ୍ତର ସମ୍ପର୍କକୁ ବିସ୍ମୃତ ହୋଇ ମାତା-ପୁତ୍ର, ସୁତା-ପିତା, ଭ୍ରାତା-ଭଗ୍ନୀ କି କେବେ ହେଲେ ଯୌନେନ୍ଦ୍ରିୟର ଆକର୍ଷଣ ନିକଟରେ ଆତ୍ମସମର୍ପଣ କରିପାରନ୍ତି ?’’

 

ଆକାଶରେ ଗୋଧୂଳି ଉତ୍ସବର ପ୍ରାରମ୍ଭିକ ଲଗ୍ନ ଅତିକ୍ରାନ୍ତ ହେଉଥିଲା ଓ ବ୍ୟାସଙ୍କର ତେଜୋଦୀପ୍ତ ଚକ୍ଷୁରେ ତାହା ଗାମ୍ଭୀର୍ଯ୍ୟର ଛାୟା ସୃଷ୍ଟି କରୁଥିଲା ।

 

ସହସା କଣ୍ଠରେ ଋଷିଜନୋଚିତ ଆବେଗ ରୂପ ଲାଭ କଲା–‘‘ଜୈମିନି ! ତୁମେ ତରୁଣ ତାପସ; ଆଉ ମୁଁ ସଂସାରୀ । ସଂସାରର ଶିଳାୟିତ ବକ୍ଷରେ ଜୀବନ–ଧାରାକୁ ବାରମ୍ବାର ପରୀକ୍ଷା କରି ମୁଁ ବୃଦ୍ଧ । ତେଣୁ ସତ୍ୟର ଅପଳାପ ନ କରି ଏହାର ସ୍ୱାଭାବିକତା ସମ୍ପର୍କରେ ମୁଁ ସଂସାରୀ ତଥା ସନ୍ନ୍ୟାସୀଙ୍କୁ ସଚେତନ କରିଛି ମାତ୍ର ।’’

 

ଜୈମିନିଙ୍କର କୁଞ୍ଚିତ ଭ୍ରୂଯୁଗଳରୁ ପ୍ରତୀତ ହେଉଥିଲା ସେ ଯେପରି ଏହା ସମର୍ଥନ କରୁ ନାହାନ୍ତି । ତପୋନିଷ୍ଠ ଜୀବନରେ ସାଧନାର ଉତ୍ତୁଙ୍ଗ ଶିଖରରେ ପଦାର୍ପଣ କରି ତରୁଣୀର ନିର୍ଜ୍ଜନ ସାନ୍ନିଧ୍ୟରେ ସଂସାରୀର ଇନ୍ଦ୍ରୟାନୁମୋଦିତ ରୂପ-ରସ-ଗନ୍ଧର ବିଭୂତି–ବିଳାସନିକଟରେ ସନ୍ନ୍ୟାସୀ କ’ଣ ପରାଜୟ ସ୍ୱୀକାର କରିପାରେ ? ବାସନା–ବିରାଗୀ ସନ୍ନ୍ୟାସୀ କାମନା–କଲ୍ଲୋଳନିକଟରେ ଜୀବନର ସତ୍ୟକୁ ଉଲ୍ଲଙ୍ଘନ କରି ପୁଣି କ’ଣ ପ୍ରବୃତ୍ତି ନିକଟରେ ଆତ୍ମସମର୍ପଣ କରେ ?

 

ଜୈମିନିଙ୍କର ମୁଖମଣ୍ଡଳର ଦ୍ୱିଧାକୁ ଲକ୍ଷ୍ୟ କରି ବ୍ୟାସ ପ୍ରଶ୍ନ କଲେ—‘‘ତାପସ–ଜୀବନର ତାରୁଣ୍ୟର ଚପଳତା ନେଇ ଅନନ୍ତ ସୃଷ୍ଟିର ବିଶାଳତା କ’ଣ ମାପିହୁଏ ଜୈମିନି ? ଅଗଣିତ ପ୍ରବୃତ୍ତି–ତରଙ୍ଗ–ବିଧୌତ ଜୀବନର ବିଚିତ୍ର ବେଳାଭୂମିରେ ତୁମେ କେବେ କାମନାର ଚିରନ୍ତନୀ ରାଗିଣୀର ମୂର୍ଚ୍ଛନାକୁ ଶ୍ରବଣ କରିଛ ତରୁଣ ? ପ୍ରାଣକୁ ତାହା କିପରି ପ୍ରଲୁବ୍‌ଧ କରେ ତାହା ଲକ୍ଷ୍ୟ କରିଛ ସନ୍ନ୍ୟାସୀ ? ଅନନ୍ତ ସମ୍ଭୋଗରେ ଯେଉଁ ଲାଳସାର ପରିତୃପ୍ତି ନାହିଁ, ଯାହା ଚିରନ୍ତନ ଉଚ୍ଛଳ, ଉତ୍କୂଳ ଓ ଉତ୍‌ଥଳ–ସାମାଜିକ ଜୀବନଧାରାରେ ଏପରି ଏକ ପ୍ରତିବନ୍ଧକ ସୃଷ୍ଟି କରି ତା’ର ଗତିକୁ ନିୟନ୍ତ୍ରଣ କରିବାପାଇଁ ଏହା ଏକ ନିର୍ଦ୍ଦେଶ ମାତ୍ର ।’’

 

ଜୈମିନିଙ୍କର ତାରକା-ଉଜ୍ଜ୍ୱଳ-ଚକ୍ଷୁର ଚତ୍ୱରରେ ଆଷାଢ଼ ଆକାଶର କୃଷ୍ଣ ମେଘମାଳାସଦୃଶ ପ୍ରତିବାଦର ସ୍ତର କେବଳ ସ୍ତୂପୀକୃତ ହେଉଥିଲା । ଅସ୍ତାୟମାନ ସୂର୍ଯ୍ୟର ଶେଷହାସ ସତେ କି ତାଙ୍କର ମୁଖମଣ୍ଡଳର ଗାମ୍ଭୀର୍ଯ୍ୟକୁ ବିଦ୍ରୂପ କଲା ।

 

ସାଧନାସିଦ୍ଧ ତରୁଣ ତାପସ–ଅନ୍ତରର ଅହମିକା ବ୍ୟାସଙ୍କୁ ଅବିଦିତ ରହିଲା ନାହିଁ ।

 

ସେ ନିବେଦନ କଲେ–‘‘ସନ୍ଧ୍ୟା ସମାଗତ । ମୁହୂର୍ତ୍ତକର ବ୍ୟବଧାନରେ ବକୁଳ–ତମାଳଘେରା ଆଶ୍ରମ କୌମୁଦୀସ୍ପର୍ଶରେ ବସନ୍ତର ରାସୋତ୍ସବନିମତ୍ତ ଉତ୍‌ଫୁଲ୍ଲ ହୋଇଉଠିବ । ତେଣୁ ସ୍ନାନ–ଦେବାର୍ଚ୍ଚନ ଶେଷ କରି ଜ୍ୟୋତ୍ସାସ୍ନାତ ଆକାଶର ବିଜନ ବକ୍ଷରେ ରିକ୍ତ ବ୍ରହ୍ମଚାରୀଜୀବନର ସ୍ୱଚ୍ଛ ପ୍ରତିବିମ୍ବକୁ ତୁମେ ସେହିଠାରେ ଅନୁଧ୍ୟାନ କର ସନ୍ନ୍ୟାସୀ !’’

 

ଜୈମିନି ଯେପରି ଚଞ୍ଚଳ ହୋଇଉଠୁଥିଲେ–‘‘କିନ୍ତୁ ଆଜି ଯଦି ଏହି ଉକ୍ତିର ସତ୍ୟତା ମୁଁ ଉପଲବ୍‌ଧି ନ କରେ, ତେବେ ମାତା-ପୁତ୍ର, ଭ୍ରାତା-ଭଗ୍ନୀ, ପିତା-ଦୁହିତାର ଏ ସ୍ୱର୍ଗୀୟ ସମ୍ବନ୍ଧକୁ ଆବିଳତାର ସ୍ପର୍ଶରେ କଳଙ୍କିତ କରି ମୁଁ ଏ ବାଣୀକୁ ମହାଭାରତର ସ୍ୱର୍ଣ୍ଣପୃଷ୍ଠାରେ ଲିପିବଦ୍ଧ କରିପାରିବିନି । ମୋର ଧୃଷ୍ଟତାକୁ କ୍ଷମା କରିବେ ମହର୍ଷି !’’

 

ବ୍ୟାସଙ୍କର ଓଷ୍ଠାଧାର ସ୍ମିତହାସ୍ୟର ଏକ ଅପୂର୍ବ ସ୍ପର୍ଶରେ ବିମଣ୍ଡିତ ହେଲା । ବ୍ରହ୍ମଚାରୀ ଜୈମିନିଙ୍କୁ ଏହା କେବଳ ପ୍ରହେଳିକା ସଦୃଶ ପ୍ରତୀତ ହେଉଥିଲା ।

 

X X X

 

ବକୁଳ-ତମାଳସମାଚ୍ଛନ୍ନ ବନର୍ବଥିମଧ୍ୟରେ ଆତ୍ମଗୋପନ କରିଛି କେତେଗୋଟି ପ୍ରସ୍ତରଗୁମ୍ପା । ଆଲୁଳାୟିତକେଶା, ବିପର୍ଯ୍ୟସ୍ତବସନା କିଶୋରୀର ଅବିନ୍ୟସ୍ତ ବେଶ-ବିନ୍ୟାସଭିତରେ ଦିବ୍ୟ ସୌନ୍ଦର୍ଯ୍ୟ ପ୍ରତିଭାତ ହେଲାପରି ଆଶ୍ରମର ବନବୀଥର ଅନୀହ ପର୍ଯ୍ୟାୟମଧ୍ୟରେ ଏକ ସ୍ୱର୍ଗୀୟ ଶ୍ରୀ ରୂପ ଲାଭ କରିଛି । ବସନ୍ତର କାଉଁରୀ ସ୍ପର୍ଶରେ ସବୁ କିଛି ଉଚ୍ଛଳ ଓ ଉତ୍‌ଫୁଲ୍ଲ ।

 

ଆଶ୍ରମର ସ୍ୱଚ୍ଛ ସରୋବରର ସୁନିର୍ମଳ ଊର୍ମିଚପଳ ଜଳରାଶିରେ ସ୍ନାନ ସମାପନ କରି ସନ୍ଧ୍ୟାସ୍ତୋତ୍ର ଆବୃତ୍ତି କରୁଥିଲେ ଜୈମିନି । ବସନ୍ତର ମଦିରାସ୍ନାତ ଚନ୍ଦ୍ରର ପ୍ରତିବିମ୍ବ ଊର୍ମିସ୍ପର୍ଶରେ ଥରି ଥରି ତରୁଣ ତାପସଙ୍କ ସନ୍ଧ୍ୟାବର୍ଣ୍ଣନାକୁ ଯେପରି ଉତ୍‌ଫୁଲ୍ଲ ଅନ୍ତରରେ ଶ୍ରବଣ କରୁଥିଲା । ବେଳେବେଳେ ତାଙ୍କର ଗୌରତନୁର ମସୃଣ କପାଳ ଓ ଖଣ୍ଡାଧାରସଦୃଶ ଉନ୍ନତ ନାସିକା ଜ୍ୟୋସ୍ନାର ସ୍ପର୍ଶରେ ଯେପରି ସମୁଜ୍ଜ୍ୱଳ ହୋଇଉଠୁଥିଲା ।

 

କାହାର ସଶବ୍ଦ ପଦକ୍ଷେପରେ ଆଶ୍ରମର ନୀରବ ବାୟୁମଣ୍ଡଳ ଶବ୍ଦାୟିତ ହୋଇଉଠିଲା-। ଶଙ୍କିତା ହରିଣୀ–ଗତିର ବ୍ୟଗ୍ରତା ନେଇ କିଏ ଯେପରି ଧାଇଁଆସୁଛି-। ଫେରିଚାହିଁଲେ ଜୈମିନି-

 

ଆଶ୍ରମ–ସରୋବରର ଶୀର୍ଷ ସ୍ଫଟିକସ୍ୱଚ୍ଛ ପାବଚ୍ଛରେ ଜୈମିନିଙ୍କୁ ଦେଖି କାହାର ଗତି ଯେପରି ମନ୍ଥର ହୋଇଆସିଲା ।

 

ସେ ନିରୀକ୍ଷଣ କଲେ, ସମ୍ମୁଖରେ ଅନିର୍ବଚନୀୟ ସୌନ୍ଦର୍ଯ୍ୟର ସମନ୍ୱିତ ପ୍ରତୀକସମ ଏକ ତନ୍ୱୀ ତରୁଣୀ । ତାଙ୍କର ହେମଗୌର ତନୁରେ ଲାବଣ୍ୟର ଲହରି । ଚନ୍ଦ୍ରିକାର ଚପଳ ସ୍ପର୍ଶ ତାଙ୍କର ସ୍ପୁରିତ ଗଣ୍ଡଦେଶ ଉପରେ ବିଚିତ୍ର ସୁଷମ ସୃଷ୍ଟି କରୁଛି । ଆରକ୍ତ ଓଷ୍ଠାଧାରରୁ ଝରିପଡ଼ୁଛି ରକ୍ତଗୋଲାପର ରକ୍ତିମା । ତାଙ୍କର ବହୁମୂଲ୍ୟ ପ୍ରସ୍ତରବିଖଚିତ କଣ୍ଠଭୂଷଣରୁ ନିର୍ଗତ ହେଉଥିବା ଜ୍ୟୋତି ତାଙ୍କର ସୁସମୁନ୍ନତ ବକ୍ଷୋଜକୁ ଯେପରି ଆବିଷ୍କାର କରୁଛି ।

 

ଗୋଟିଏ ମୁହୂର୍ତ୍ତର ବ୍ୟବଧାନପରେ ମୌନତା ଭଙ୍ଗ କରି ଜୈମିନି କ୍ଷୀଣ କଣ୍ଠରେ ପ୍ରଶ୍ନ କଲେ–‘‘କିଏ ତୁମେ ତରୁଣୀ ?’’

 

‘‘ମୁଁ ଶ୍ରୀବସ୍ତିର ରାଜକୁମାରୀ ତାପସ !’’–ସ୍ୱରରେ ତାଙ୍କର ଭୟାତୁରତା ସୁସ୍ପଷ୍ଟ ହୋଇଉଠୁଥିଲା ।

 

‘‘ଏଠାରେ କାହାକୁ ତୁମେ ସନ୍ଧାନ କରୁଛ ରାଜକୁମାରୀ ?’’ –ପ୍ରଶ୍ନ କଲେ ଜୈମିନି ।

 

ରାଜକୁମାରୀ କ୍ଷୀଣ ଅସ୍ପଷ୍ଟ ସ୍ୱରରେ ଉତ୍ତର ପ୍ରଦାନ କଲେ–‘‘ଜୈମିନିଙ୍କୁ ।’’

 

ଚମକିପଡ଼ିଲେ ଜୈମିନି । ଏକାକିନୀ ରୂପମୟୀ ରାଜକନ୍ୟା ସନ୍ଧାନ କରୁଛି ବ୍ରହ୍ମଚାରୀ ଜୈମିନିଙ୍କୁ ! କାହିଁକି ? କି ଉଦ୍ଦେଶ୍ୟ ନେଇ ?

 

ବିଚଳିତ ଜୈମିନି ନିଜର ଅଲକ୍ଷିତରେ ଆତ୍ମପରିଚୟ ପ୍ରଦାନ କଲେ–‘‘ମୁଁ ଜୈମିନି ରାଜକୁମାରୀ !’’

 

ଆତ୍ମସ୍ଥ ହେଲେ ରାଜକୁମାରୀ ।

 

ନିଜର କେଶବାସକୁ ସୁସଂଯତ କରି ନତଜାନୁ ହୋଇ ଭୂମିସ୍ପର୍ଶପୂର୍ବକ ସନ୍ନ୍ୟାନୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ସ୍ୱୀୟ ଆଶ୍ରମ–ଆଗମନର କାରଣ ବର୍ଣ୍ଣନା କରିବାକୁ ଯେପରି ଚଞ୍ଚଳ ହୋଇଉଠୁଥିଲେ ସେ ।

 

‘‘ସୈନ୍ୟମାନଙ୍କଦ୍ୱାରା ସୁରକ୍ଷିତ ହୋଇ ନିଜର ସଖୀମାନଙ୍କ ସହ ଦ୍ରୁତଗାମୀ ଅଶ୍ୱପୃଷ୍ଠରେ ବନ-ବିନୋଦନ କରୁ କରୁ ସହସା ମୁଁ ପଥଭ୍ରଷ୍ଟ ହେଲି । ଉପାୟାନ୍ତର ନ ପାଇ ଲୋକମୁଖରୁ ଆପଣଙ୍କର ଆଶ୍ରୟସମ୍ବନ୍ଧରେ ଜ୍ଞାତ ହୋଇ ମୁଁ ରାତ୍ରିଉଦ୍‌ଯାପନନିମିତ୍ତ ଏଠାରେ ଉପସ୍ଥିତ ହୋଇଛି । ବାରଣ ନ କରି ଆପଣ ସଦୟ ସମ୍ମତି ପ୍ରଦାନ କରନ୍ତୁ ମହାମନା !’’ –ଅତି ବିନୀତଭାବେ ଅନୁନୟ କଲେ ରାଜକୁମାରୀ ।

 

‘‘ଅତିଥିର ସମୁଚିତ ଅର୍ଚ୍ଚନା ତ ଆଶ୍ରମ–ଜୀବନର ଧର୍ମ । ବାରଣ କରିବି କାହିଁକି ? କିୟତ୍‌କ୍ଷଣ ସମ୍ମୁଖସ୍ଥ ଏହି ମଣ୍ଡପରେ ପ୍ରତୀକ୍ଷା କରନ୍ତୁ । ସନ୍ଧ୍ୟା ସମାପନ କରି ମୁଁ ଫେରିଆସୁଛି ।’’ କହି ଜୈମିନି ଅଗ୍ରସର ହେଲେ ।

 

X X X

 

ଫାଲ୍‌ଗୁନ ଆକାଶର ମେଘମାଳାର ଗତିରେ କିଏ ଯେପରି କି କ୍ଷିପ୍ତତା ସୃଷ୍ଟି କରୁଥିଲା-

 

ପ୍ରସ୍ତରଗୁମ୍ଫାପରେ ଗୁମ୍ଫା ଅତିକ୍ରମ କରିଚାଲିଛନ୍ତି ଜୈମିନି । ତାଙ୍କର ପଶ୍ଚାଦନୁସରଣ କରୁଛନ୍ତି ରାଜକୁମାରୀ । ଜଣେ ସଂସାର–ଉଦାସୀ ସତ୍ୟସନ୍ଧ ତରୁଣ; ଆଉ ଜଣେ ପ୍ରପଞ୍ଚପଥଚାରିଣୀ, ସଂସାରଅନୁରାଗିଣୀ ତରୁଣୀ । ଗୋଟିଏ ଗୁମ୍ଫାନିକଟରେ ଦଣ୍ଡାୟମାନ ହେଲେ ଜୈମିନି । ରାଜକୁମାରୀଙ୍କର ଗତି ଶିଥିଳ ହୋଇଆସିଲା । ନୀରବରେ ତପସ୍ୱୀଙ୍କର ନିର୍ଦ୍ଦେଶକୁ ସେ ପ୍ରତୀକ୍ଷା କଲେ ।

 

ଜୈମିନିଙ୍କର ସ୍ୱର ଆଦେଶବ୍ୟଞ୍ଜକ ।

 

‘‘ଏହି ଗୁମ୍ଫାମଧ୍ୟରେ ଆପଣ ରାତ୍ରିଉଦ୍‌ଯାପନ କରିବେ ରାଜକୁମାରୀ ! ଅଭ୍ୟନ୍ତରରୁ ଗୁମ୍ଫାର ଦ୍ୱାର ଅବରୁଦ୍ଧ କରିଦେବେ; କିନ୍ତୁ ଏ କଥା ସ୍ମରଣ ରଖନ୍ତି ଯେ ଯେ କେହି, ଏପରି କି ମୋରି କଣ୍ଠସ୍ୱର ଅନୁକରଣ କରି ଆହ୍ୱାନ କଲେ ମଧ୍ୟ ଆପଣ ଦ୍ୱାର ଉନ୍ମୋଚନ କରିବେ ନାହିଁ । ଉଷାର ରକ୍ତିମ ଆଭା ଗୁମ୍ଫାର ଏହି ଅୟନମଧ୍ୟଦେଇ ସୁସ୍ପଷ୍ଟ ହେବାପର୍ଯ୍ୟନ୍ତ ଆପଣ କେବେ ହେଲେ ଗୁମ୍ଫାର ବହିର୍ଦ୍ଦେଶକୁ ଆସିବେ ନାହିଁ ।’’

 

ବିନମ୍ର ସମ୍ମତିସୂଚକ ସଙ୍କେତ ପ୍ରଦାନ କଲେ ରାଜକୁମାରୀ । ଧୀରେ-ଧୀରେ ନିଜର ପାଦୁକାରେ ପ୍ରସ୍ତରବକ୍ଷରେ ଆଘାତ ସୃଷ୍ଟି କରି ଜୈମିନି ପ୍ରତ୍ୟାବର୍ତ୍ତନ କଲେ ଆଶ୍ରମର ସେହି ମଣ୍ଡପନିକଟକୁ ।

 

ମଣ୍ଡପର ପଶ୍ଚିମପାର୍ଶ୍ୱସ୍ଥ ଏକ ପ୍ରସ୍ତରଖଣ୍ଡ ରାଜକୁମାରୀଙ୍କର କବରୀସ୍ପର୍ଶରେ ତୈଳାକ୍ତ ହୋଇଉଠିଛି ଏବଂ ସେଠାରୁ ନିର୍ଗତ ହେଉଥିବା ଏକ ଅପୂର୍ବ ସୌରଭ ସଂଲଗ୍ନ ବନଭୂମିକୁ ଆମୋଦିତ କରୁଛି । ସେ ସୁରଭିତ ସ୍ପର୍ଶ ଅଲକ୍ଷ୍ୟରେ ଜୈମିନିଙ୍କୁ ମଧ୍ୟ ଆକର୍ଷଣ କଲା । ଧ୍ୟାନମଗ୍ନ ହେବାକୁ ଉଦ୍ୟମ କଲେ ସନ୍ନ୍ୟାସୀ ।

 

ଏ କ’ଣ ? କାହାନ୍ତି ସେ ଶ୍ୟାମ–ଦୂର୍ବାଦଳକାନ୍ତି–ବିନିନ୍ଦିତ ଶିଖିପୁଚ୍ଛଧାରୀ ବଂଶୀବାଦକ ଯଶୋଦାତନୟ ? କାହାକୁ ସମ୍ମୁଖରେ ଦର୍ଶନ କରୁଛନ୍ତି ସେ ?

 

କିଏ ଏହି ଚମ୍ପକବରଣା ନାରୀ ? କାହାର ଜବାଧରରୁ ଝରିପଡ଼ୁଛି ରକ୍ତ-ପଳାଶର ଦୀପ୍ତି-? କାହାର ଏ ମୁନିମନଲୋଭା ହାସ୍ୟାପ୍ଳୁତ ନୟନ–କଟାକ୍ଷ ?

 

ଅସ୍ଥିର ହୋଇଉଠୁଥିଲେ ଜୈମିନି ! ସମାଧିସ୍ଥ ହେବାକୁ ବାରମ୍ବାର ଉଦ୍ୟମ କଲେ ସେ; କିନ୍ତୁ ପ୍ରାଣରେ ଏ କି ଆଲୋଡ଼ନ, ଏ କି ଆବେଗ, ଏ କି ବିଚିତ୍ର ଅନୁଭୂତି ! ସମ୍ମୁଖରେ କାହାର ଆବେଗ–ଉଦ୍ଦୀପିତ–ଚକ୍ଷୁରୁ ଝରିପଡ଼ୁଛି କାମନାର ମଦିରା ? ଯୁଗ–ଯୁଗ ଧରି କିଏ ଯେପରି ବାସନାର ସ୍ନିଗ୍‌ଧ–ସୁନ୍ଦର ପ୍ରଦୀପ ଜାଳି ତାଙ୍କୁ ହିଁ ପ୍ରତୀକ୍ଷା କରିରହିଛି । କିଏ ? ...କିଏ ସେହି ନାରୀ ?

 

ଚକ୍ଷୁରୁନ୍ମୀଳନ କଲେ ତରୁଣ ତାପସ । କପାଳ ସ୍ୱେଦସିକ୍ତ ହୃତ୍‌ସ୍ପନ୍ଦନ ବୃଦ୍ଧି ଲାଭ କରୁଛି-। ପ୍ରସ୍ଫୁଟିତ ବକୁଳକଳିର ଗନ୍ଧକୁ ପରାଜିତ କରି ଭାସିବୁଲୁଛି କାହାର କବରୀନିଃସୃତ ସୌରଭ-! ଚିନ୍ତାକୁଳିତ ତରୁଣ ତାପସ ତାରଣ୍ୟର ପ୍ରଥମ ସ୍ପନ୍ଦନରେ ଅଧୀର ହୋଇଉଠିଲେ । ସେ ପୁନରାୟ ଗୁମ୍ଫାନିକଟକୁ ଯାଇ ରାଜକୁମାରୀଙ୍କର କୁଶଳ ଜିଜ୍ଞାସା କରିବେ ? ଦେଖିଆସିବେ ସେହି ଭୁବନବିମୋହିନୀ କିଶୋରୀର ତାରୁଣ୍ୟଚପଳ ତନୁଶ୍ରୀ ?

 

କିନ୍ତୁ କାହିଁକି ? ଯେତିକି ଆତ୍ମବିଶ୍ଳେଷଣ କରୁଥିଲେ ସନ୍ନ୍ୟାସୀ, ପ୍ରବୃତ୍ତିର ବିକୃତି ତାଙ୍କ ନିକଟରେ ସେତିକି ଲୋଭନୀୟ ହୋଇଉଠୁଥିଲା । ବାସନା–ବିରାଗୀର ମାନସପଟରେ କାମନା ଓ ଆବେଗର ସ୍ୱାକ୍ଷର ସେତିକି ସୁପରିସ୍ଫୁଟ ହୋଇଉଠୁଥିଲା ।

 

ଧୀରେ-ଧୀରେ ଶୟନରତା ରାଜକୁମାରୀଙ୍କର ଗୁମ୍ଫାନିକଟରେ ଉପସ୍ଥିତ ହେଲେ ସନ୍ନ୍ୟାସୀ । ଚିନ୍ତାର ଅବକାଶ ନାହିଁ । କାମନାସ୍ରୋତସ୍ୱିନୀର ଉତ୍କୂଳ ପ୍ରବାହନିକଟରେ ବିବେକର ତରୀ ଦୋଦୁଲ୍ୟମାନ । ଅତି ସନ୍ତର୍ପଣରେ ଆହ୍ୱାନ କଲେ ଜୈମିନି–

 

‘‘ରାଜକୁମାରୀ !’’

 

‘‘କିଏ ?’’

 

‘‘ଦ୍ୱାର ଉନ୍ମୋଚନ କର ରାଜକୁମାରୀ !’’–ଜୈମିନିଙ୍କର କଣ୍ଠ ସୁସ୍ପଷ୍ଟ ହୋଇଉଠୁଥିଲା ।

 

‘‘କିଏ ?’’ –ଗୁମ୍ଫାର ଅଭ୍ୟନ୍ତରରୁ ଭାସିଆସୁଥିଲା କିଶୋରୀକଣ୍ଠର ମମତାସ୍ନିଗ୍‌ଧ ସାବଲୀଳ କଣ୍ଠଧ୍ୱନି ।

 

‘‘ମୁଁ ଜୈମିନି, ରାଜକୁମାରୀ !’’–ଜୈମିନିଙ୍କର ସ୍ୱରରେ ଚାଞ୍ଚଲ୍ୟ ବୃଦ୍ଧି ଲାଭ କରୁଥିଲା ।

 

‘‘ଉଷାଲୋକର ପ୍ରଥମ ସ୍ପର୍ଶ ଗୁମ୍ଫାର ଅୟନମଧ୍ୟରେ ପ୍ରବେଶ କରିବାପୂର୍ବରୁ ଦ୍ୱାର ଉନ୍ମୋଚନ କରିବାକୁ ବାରଣ କରିଛନ୍ତି ସନ୍ନ୍ୟାସୀ ।’’

 

‘‘ମୁଁ ତ ନିଜେ ଜୈମିନି ରାଜକୁମାରୀ !’’–ଜୈମିନିଙ୍କର ସ୍ୱରରେ ବ୍ୟଗ୍ରତା ପରିଲକ୍ଷିତ ହେଉଥିଲା ।

 

‘‘ଜୈମିନିଙ୍କର କଣ୍ଠସ୍ୱର ଶ୍ରବଣ କରି ମଧ୍ୟ ଦ୍ୱାର ଉନ୍ମୋଚନ କରିବାକୁ ବାରଣ କରିଛନ୍ତି ସେ ।’’

 

ତାପସ–ଜୀବନର ସଂଯମ କାମନା–ଉନ୍ମତ୍ତ–ତାରୁଣ୍ୟ ନିକଟରେ ଉଚ୍ଛୃଙ୍ଖଳଭାବେ ଆତ୍ମସମର୍ପଣ କଲା ।

 

ପୁନର୍ବାର ପ୍ରଶ୍ନ କଲେ ଜୈମିନି–‘‘ଦ୍ୱାର ଉନ୍ମୋଚନ କରିବ ନାହିଁ ରାଜକୁମାରୀ ?’’

 

ରାଜକୁମାରୀଙ୍କ କଣ୍ଠସ୍ୱରରେ ଦୃଢ଼ତା ପରିଲକ୍ଷିତ ହେଉଥିଲା–‘‘ନା,...ନା,...ନା... ।’’

 

ଦ୍ରୁତପଦକ୍ଷେପରେ ଆଶ୍ରମରୁ ଖନନିକା ନେଇଆସି ଉପସ୍ଥିତ ହେଲେ ଜୈମିନି । କ୍ରୋଧ–କାମନା–ବିକ୍ଷୁବ୍‌ଧ ଚାଞ୍ଚଲ୍ୟରେ ଅଧୀର ହୋଇଉଠୁଛନ୍ତି ସେ ।

 

ପ୍ରସ୍ତରଗୁମ୍ଫାର ପାଷାଣବକ୍ଷ ଖନନିକାର ଆଘାତରେ ଶବ୍ଦାୟିତ ହୋଇଉଠିଲା । ମୁହୂର୍ତ୍ତପରେ ମୁହୂର୍ତ୍ତ, ପ୍ରହରପରେ ପ୍ରହର ଅତିକ୍ରାନ୍ତ ହୋଇଯାଉଛି । ଏକାଗ୍ରଚିତ୍ତରେ ପାଷାଣଦ୍ୱାରକୁ ବିଦୀର୍ଣ୍ଣ କରିବାର ଦୃଢ଼ ସଂକଳ୍ପ ନେଇ ଖନନିକାରେ ଆଘାତ କରୁଛନ୍ତି ଜୈମିନି । ପାଷାଣବକ୍ଷ ଯେତିକି ଆତ୍ମସମର୍ପଣ କରୁଛି, ବାସନାର ଉଦ୍‌ବେଳନରେ ସେତିକି ନିମଜ୍ଜିତ ହେଉଛନ୍ତି ସନ୍ନ୍ୟାସୀ ।

 

ବିରାମବିହୀନ ସାଧନା । ରାଜକୁମାରୀଙ୍କର ଲାବଣ୍ୟସ୍ନାନ ଶୁଭ୍ର ସୁନ୍ଦର ତନୁଶ୍ରୀ ରାଜହଂସୀର ସୌନ୍ଦର୍ଯ୍ୟ–ବୈଭବ ନେଇ ତାଙ୍କ ମାନସ–ସରୋବରରେ ସନ୍ତରଣ କରିଚାଲିଛି । କର୍ମଚଞ୍ଚଳ ହସ୍ତରେ କ୍ଲାନ୍ତିର ଅବଶତା ନାହିଁ ।

 

ତିମିରର କାଳିମା ଧୀରେ–ଧୀରେ ଅପସରିଯାଉଛି । ଭାସ୍ୱର ହୋଇଉଠୁଛି ପୂର୍ବାଶାର ମୁଖଶ୍ରୀ । ସମୁଜ୍ଜ୍ୱଳ ଚନ୍ଦ୍ରର ରୂପବିଭୂତିରେ ମ୍ଳାନତା ପରିସ୍ଫୁଟ ହେଉଛି; କିନ୍ତୁ ଏକନିଷ୍ଠ ଜୈମିନିଙ୍କ ନିକଟରେ ପରିବର୍ତ୍ତନଶୀଳ ବହିର୍ଜଗତ ସ୍ଥିତିହୀନ ।

 

ପାଷାଣଦ୍ୱାର ଅବଶେଷରେ ମୁନିହସ୍ତର ଆଘାତ ନିକଟରେ ହିଁ ଆତ୍ମସମର୍ପଣ କଲା । ଆନନ୍ଦରେ ଅଧୀର ହୋଇଉଠି ଗୁମ୍ଫାର ଗହ୍ୱର ମଧ୍ୟକୁ ସତେକି ଲମ୍ଫ ପ୍ରଦାନ କରୁଛନ୍ତି ଜୈମିନି । ପାବଚ୍ଛପରେ ପାବଚ୍ଛ ଅତିକ୍ରମ କରି ଗୋଟିଏ ଲକ୍ଷ୍ୟରେ ସେ ଧାଇଁଯାଉଛନ୍ତି ଗୁମ୍ଫାର ଗହ୍ୱରମଧ୍ୟକୁ-। ସେହି ଅନୁପମା ପ୍ରମଦାର ସାନ୍ନିଧ୍ୟ ଲାଭ କରି ସେ ପରିତୃପ୍ତ କରିବେ ଜୀବନର ଯୁଗ–ଯୁଗର ତୃଷ୍ଣା ।

 

କିନ୍ତୁ ଏ କ’ଣ ? କିଏ ଏ ? ସମ୍ମୁଖରେ କାହାକୁ ଦେଖୁଛନ୍ତି ସେ ? ରୂପ-ରସ-ଗନ୍ଧ-ଐଶ୍ୱର୍ଯ୍ୟ-ବିଳାସ-ବିଭୂତିର ପ୍ରତୀକ କାହିଁ ସେହି ତରୁଣୀଙ୍କର ପ୍ରଦୀପ୍ତ ରୂପଶିଖା ? କାହିଁ ତାଙ୍କର ପ୍ରସ୍ଫୁରିତ ଜବାଧର ?

 

ସମ୍ମୁଖରେ ଆବକ୍ଷ–ଶ୍ମଶ୍ରୁ ବିଲମ୍ବିତ ମହାଭାରତକାର ବ୍ୟାସ । ସେହିଭଳି ଶାନ୍ତ, ଉଦାର, ଉନ୍ମତ ଓ ଅବିଚଳିତ । ମୁଖମଣ୍ଡଳରେ ସେହି ପ୍ରହେଳିକାତ୍ମକ ସ୍ମିତହାସ୍ୟ । ବ୍ୟାସଙ୍କର ଗୋଟିଏ ପ୍ରଶ୍ନ–କେବଳ ଗୁମ୍ଫାର ଗହ୍ୱରରେ ନୁହେଁ, ଜୈମିନିଙ୍କର ହୃଦୟର ନିଭୃତ କୋଣରେ ନିନାଦିତ ହେଉଥିଲା–

 

‘‘ମାତ୍ରା ସ୍ୱସ୍ରା ଦୁହିତ୍ରା ବା ନ ବିବିକ୍ତାସନୋ ଭବେତ୍‌ ।

ବଳବାନିନ୍ଦ୍ରିୟ–ଗ୍ରାମୋ ବିଦ୍ୱାଂସମପି କର୍ଷତି ।।’’

 

ଜୈମିନିଙ୍କର ମୁଖମଣ୍ଡଳ ବାଳସୂର୍ଯ୍ୟର ସ୍ୱର୍ଣ୍ଣାଭ ଦୀପ୍ତିରେ ଆରକ୍ତ ହୋଇଉଠୁଥିଲା । ସେ ଉପଲବ୍‌ଧି କରୁଥିଲେ–ସେ ସ୍ଥାଣୁ, ସେ ଅଥର୍ବ, ସେ ଶକ୍ତିହୀନ । ବ୍ୟାସଙ୍କର ପକ୍ୱଶ୍ମଶ୍ରୁ–ଆଚ୍ଛାଦିତ ମୁଖମଣ୍ଡଳରେ ପ୍ରଥମ ଥରପାଇଁ ସେ ଆବିଷ୍କାର କରୁଥିଲେ ସଂସାରର ସନାତନ ସତ୍ୟ ।

 

ନବୋଦିତ ସୂର୍ଯ୍ୟର ପ୍ରଥମ କନକସ୍ପର୍ଶରେ ଆଶ୍ରମର ପଲ୍ଲବିତ ତମାଳଶାଖା ସ୍ୱପ୍ନବିହ୍ୱଳ-

☆☆☆

 

ମନ୍ତ୍ରୋପଦେଶ

 

ଏକ ବସନ୍ତ-ବିଭବ-ସମୃଦ୍ଧ ସ୍ୱର୍ଣ୍ଣାଭ ଅପରାହ୍‌ଣ–ଶ୍ରୀର ସ୍ପର୍ଶ ରାଜପୁରୀର ଚଳଚଞ୍ଚଳ ଜୀବନକୁ ମାଦକତାମୟ କରିଛି । ସମସ୍ତେ ପ୍ରତୀକ୍ଷାରତ । ସମସ୍ତେ ଉତ୍କଣ୍ଠିତ । ସମସ୍ତଙ୍କର ଚକ୍ଷୁରେ ଏକ ବିଚିତ୍ର କୌତୂହଳ ।

 

ଯାଗଲ୍‌ଭ ଆସିବେ......

 

ମହାମନା ଯାଗଲ୍‌ଭ ଆସିବେ ।

 

ବିକାର–ବର୍ଜିତ ବାସନ–ବିରହିତ ତପସ୍ୱୀ ଯାଗଲ୍‌ଭ ଆସିବେ ।

 

ଘନ–ଘନ ଶଂଖଧ୍ୱନିରେ ବିଧୂନିତ ହେଉଛି ସମ୍ରାଟ୍‌ କାର୍ତ୍ତବୀର୍ଯ୍ୟଙ୍କର ରାଜପ୍ରସାଦ । ରାଜମହିଷୀ, ରାଜକନ୍ୟା, ପାତ୍ରମନ୍ତ୍ରୀ, ଅମାତ୍ୟ, ରାଜପରିଷଦ ସମସ୍ତେ ହିଁ ସେହି ମହାମନା ଅତିଥିଙ୍କ ସମ୍ବର୍ଦ୍ଧନାନିମିତ୍ତ ଉଦ୍‌ବିଗ୍ନ–ଚଞ୍ଚଳ । ଶତ ଶତ ସ୍ୱର୍ଣ୍ଣାଚ୍ଛାଦିତ ମଣିମାଣିକ୍ୟବିଶୋଭିତ ମଣ୍ଡପର ସ୍ତମ୍ଭସମୂହକୁ ଆବେଷ୍ଟନ କରି ଓ ସହସ୍ର ସ୍ୱର୍ଣ୍ଣପ୍ରଦୀପ ସମୁଜ୍ଜ୍ୱଳ ଶିଖା ତୋଳି ତପସ୍ୱୀଙ୍କର ଅଭିନନ୍ଦନନିମିତ୍ତ ସତେ କି ଉଦ୍‌ବିଗ୍ନ ହୋଇଉଠୁଛି । ମର୍ମରପ୍ରସ୍ତରନିର୍ମିତ ସୁପ୍ରସାରିତ ମଣ୍ଡପ ଊର୍ଦ୍ଧ୍ୱସ୍ଥ ସ୍ୱର୍ଣ୍ଣପଦ୍ମ ବିଖଚିତ ନୀଳ ଚନ୍ଦ୍ରାତପର ପ୍ରତିବିମ୍ବ ଧାରଣା କରି ବିକଚ କମଳବିଶୋଭିତ ସରୋବରର ମାୟା ସୃଷ୍ଟି କରୁଛି ।

 

ଅଗୁରୁ, ଚନ୍ଦନ, କସ୍ତୂରୀ, କର୍ପୂର ଓ ଗୁଗ୍‌ଗୁଳର ମାଦକତାମୟ ସୁରଭିରେ ଚତୁର୍ଦ୍ଦିଗ ଆମୋଦିତ ହୋଇଉଠୁଛି । ବହୁମୂଲ୍ୟ ଆଭରଣ ବିମଣ୍ଡିତା ତନ୍ୱୀ ରାଜପୁରାଙ୍ଗନା ପୁରାଣବର୍ଣ୍ଣିତ ଅପ୍‌ସଗର ତନୁଲାବଣ୍ୟର ପ୍ରତିକରୂପେ ସ୍ୱର୍ଣ୍ଣପାତ୍ରରେ ଦୂର୍ବାକ୍ଷତ, ପୁଷ୍ପ–ଚନ୍ଦନ ଧାରଣ କରି ଶୁଭ୍ର ମର୍ମର–ପ୍ରସ୍ତରନିର୍ମିତ ମଣ୍ଡପସଂଲଗ୍ନ ସୋପାନଶ୍ରେଣୀର ଉଭୟ ପାର୍ଶ୍ୱରେ ତପସ୍ୱୀଙ୍କର ଅଭିନନ୍ଦନିମିତ୍ତ ପ୍ରତୀକ୍ଷା କରିଛନ୍ତି । ନାନାବିଧି ପତ୍ରପୁଷ୍ପମଣ୍ଡିତ ତୋରଣବିଶୋଭିତ ରାଜପୁରୀ ଆଜି ତପୋବନସମ ପ୍ରତୀତ ହେଉଛି ।

 

ଚାରୁ ବର୍ତ୍ତା ପ୍ରଦାନ କଲା–ଯାଗଲ୍‌ଭ ସଶିଷ୍ୟ ସମାଗତପ୍ରାୟ । ଶଂଖ-ହୁଳହୁଳୀ ତଥା ନାନାବିଧ ବାଦ୍ୟଧ୍ୱନିର ମଧୁର ମୂର୍ଚ୍ଛନାରେ ଚତୁର୍ଦ୍ଦିଗ ନିନାଦିତ ହୋଇଉଠିଲା । ମହାତପା ଯାଗଲ୍‌ଭଙ୍କ ରାଜକୀୟ ସମ୍ବର୍ଦ୍ଧନା ପ୍ରଦାନ କରିବାନିମିତ୍ତ ବ୍ୟଗ୍ର ହୋଇଉଠିଲେ କାର୍ତ୍ତବୀର୍ଯ୍ୟ ।

 

ବହୁ ଦିନର ପ୍ରତୀକ୍ଷା ତାଙ୍କର ସାର୍ଥକ ହେବ । ସଂସାରବିଭବ ବିରାଗୀପ୍ରାଣ ତାଙ୍କର କେତେ ଦିନ ଧରି ଏହି ଗୁରୁର ସନ୍ଧାନରେ ବ୍ୟାକୁଳ ହୋଇ ନ ଉଠିଛି ସତେ ! ପରିଶେଷରେ ସେହି ସୌଭାଗ୍ୟର ଦିବସ ଆଜି ସମାଗତ ।

 

ଆନନ୍ଦରେ ଅଧୀର ହୋଇଉଠିଲେ ସମ୍ରାଟ୍‌ କାର୍ତ୍ତବୀର୍ଯ୍ୟ । ଅଳ୍ପ କେତେକ ମୁହୂର୍ତ୍ତର ବ୍ୟବଧାନରେ ସୋତ୍କଣ୍ଠିତ ଜୀବନ ତାଙ୍କର ଏକ ନୂତନ ଦିଗ୍‌ଦର୍ଶନ ଲାଭ କରି ମହିମାନ୍ୱିତ ହୋଇଉଠିବ । ମୁନିପୁଙ୍ଗବ ଯାଗଲ୍‌ଭଙ୍କର ଶୁଭାଶୀର୍ବାଦରେ ଶାଶ୍ୱତ ସତ୍ୟଚେତନାର ଶୀର୍ଷ ସୋପାନରେ ସମାରୂଢ଼ ହୋଇ ଏକ ସ୍ୱର୍ଗୀୟ ଜୀବନକୁ ସେ ସ୍ୱାଗତ କରିବେ । ଦିବ୍ୟଜ୍ଞାନାଲୋକରେ ମାୟାମୟ ପାର୍ଥିବ ଜୀବନର କଳୁଷ–କାଳିମାକ୍ରାନ୍ତ ଜୀବନକୁ ସମୁଦ୍ଭାସିତ କରି ସେ ଜୀବନକୁ ସାର୍ଥକ କରିବେ । ଜନ୍ମଜନ୍ମାନ୍ତରର ସୁସଞ୍ଚିତ ପୁଣ୍ୟ ବିନିମୟରେ ଆର୍ଯ୍ୟଶ୍ରେଷ୍ଠ ଯାଗଲ୍‌ଭଙ୍କୁ ଗୁରୁରୂପେ ବରଣ କରିବାର ସୁଯୋଗ ଲାଭ କରିଥିବାରୁ ଏକ ଦିବ୍ୟାନନ୍ଦର ପ୍ରେରଣାରେ ଅଭିଭୂତ ହୋଇଉଠିଲେ ସେ ।

 

ସମ୍ମୁଖରେ ଯାଗଲ୍‌ଭ ।

 

ତାଙ୍କର ତପଃପୂତ ତନୁରୁ ବିନିର୍ଗତ ହେଉଛି ଏକ ଅପୂର୍ବ ଦୀପ୍ତି । ପ୍ରଶାନ୍ତ ମୁଖମଣ୍ଡଳରେ ଫୁଟିଉଠୁଛି ଏକ ନୈସର୍ଗିକ ନିର୍ଲିପ୍ତି । ରହସ୍ୟାତ୍ମକ ଚକ୍ଷୁର ମୁକ୍ତି ଲାଭ କରୁଛି ଏକ ଅସ୍ୱାଭାବିକ ଆତ୍ମବିସ୍ମୃତି । ସମଗ୍ର ଶରୀରମଧ୍ୟରୁ ସମୁଦ୍ଭାସିତ ହେଉଛି ଏକ ଅପୂର୍ବ ଜ୍ୟୋତି ।

 

ନିଜର ଅଜ୍ଞାତସାରରେ ରାଜକୀୟ ବିଧିକୁ ଉଲ୍ଲଙ୍ଘନ କରି ଭୂମିଷ୍ଠ ପ୍ରଣାମ କଲେ ସମ୍ରାଟ୍‌ କାର୍ତ୍ତବୀର୍ଯ୍ୟ । ଦକ୍ଷିଣ ହସ୍ତ ଉତ୍ତୋଳନ କରି ଆଶୀର୍ବାଦ କଲେ ଯାଗଲ୍‌ଭ–ତ୍ୟାଗ ତପସ୍ୟାର ଜୀବନ୍ତ ପ୍ରତୀକ ।

 

ଉତ୍‌ଫୁଲ୍ଲ ସମ୍ରାଟ ନିଜର ସମଗ୍ର ଶରୀରରେ ଏକ ଅପୂର୍ବ ପୁଲକ ଅନୁଭବ କରୁଥିଲେ । କେତୋଟି ମୁହୂର୍ତ୍ତପରେ ଏହି ମହାମନା ଯାଗଲ୍‌ଭଙ୍କଠୁଁ ଦୀକ୍ଷା ଗ୍ରହଣ କରି ସେ ଜୀବନର ମହାନ୍‌ ସତ୍ୟକୁ ଆବିଷ୍କାର କରିବାକୁ ସମର୍ଥ ହେବେ । ତାଙ୍କର ସତ୍ୟ–ସଚେତନ ସତ୍ତା କେତୋଟି ମୁହୂର୍ତ୍ତର ବ୍ୟବଧାନରେ ଊର୍ଦ୍ଧ୍ୱସ୍ଥ ମହାସେଚନତନାସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ଉଦ୍‌ବୁଦ୍ଧ ହୋଇଉଠିବ-

 

ରାଜସିଂହାସନସଂଲଗ୍ନ ଏକ ସ୍ୱର୍ଣ୍ଣସିଂହାସନକୁ ଅଳଂକୃତ କଲେ ଯାଗଲ୍‌ଭ । ମନ୍ତ୍ରୋପଦେଶନିମିତ୍ତ ମହର୍ଷିଙ୍କୁ ସବିନୟ ନିବେଦନ କଲେ ସମ୍ରାଟ୍‌ କାର୍ତ୍ତବୀର୍ଯ୍ୟ । ଏକ ରହସ୍ୟାବୃତ ସ୍ମିତହାସ୍ୟରେ ଯାଗଲ୍‌ଭଙ୍କର ମୁଖମଣ୍ଡଳ ଯେପରି ଅଧିକ ରହସ୍ୟମୟ ହୋଇଉଠୁଥିଲା । ମୁଦ୍ରିତଚକ୍ଷୁ ଯାଗଲ୍‌ଭ କିୟତ୍‌ କ୍ଷଣ ସମାଧିସ୍ଥ ହେଲାପରି ରହି ଉତ୍ତର ପ୍ରଦାନ କଲେ–‘‘ସମ୍ରାଟ୍‌ ! ଦକ୍ଷିଣା ପ୍ରଦାନ କରିବାନିମିତ୍ତ ଶପଥବଦ୍ଧ ହେଲେ ମନ୍ତ୍ରୋପଦେଶ ପ୍ରଦାନ କରାଯିବ ।’’

 

ଆନନ୍ଦରେ ଅଧୀର ହୋଇଉଠିଲେ କାର୍ତ୍ତବୀର୍ଯ୍ୟ । ଦକ୍ଷିଣା ଗ୍ରହଣ କରିବାନିମିତ୍ତ ଯାଗଲ୍‌ଭ ଯେ ନିବେଦନ କରିବେ ଏହା ତାଙ୍କର ସ୍ୱପ୍ନାତୀତ ଥିଲା । ଆନନ୍ଦ–ଉଚ୍ଛ୍ୱାସରେ ଉଦ୍ଦୀପିତ ହୋଇଉଠି କମ୍ପିତ କଣ୍ଠରେ କାର୍ତ୍ତବୀର୍ଯ୍ୟ ଉତ୍ତର ପ୍ରଦାନ କଲେ, ‘‘ମୁଁ ଶପଥ କରୁଛି ମୁନିପୁଙ୍ଗବ ! ଆପଣ କାମନା କଲେ ମୁଁ ମୋର ସକଳ ବିଭବ, ସିଂହାସନ ଓ ରାଜ୍ୟ ଆପଣଙ୍କୁ ପ୍ରଦାନ କରି ନିଜକୁ ଅନୁଗୃହୀତ ମନେ କରିବି ।’’

 

ଯାଗଲ୍‌ଭଙ୍କର କଣ୍ଠ ଗମ୍ଭୀର ହୋଇଉଠୁଥିଲା–‘‘ଆପଣ ଆଉ ଥରେ ଚିନ୍ତା କରି ଉତ୍ତର ପ୍ରଦାନ କରନ୍ତୁ ସମ୍ରାଟ୍‌ ! ମାତ୍ର ପରେ କୁଣ୍ଠା ପ୍ରକାଶ କଲେ ଆପଣ ଶପଥଭଙ୍ଗନିମିତ୍ତ ମହାପରାଧରେ ଭାଗୀ ହେବେ ।’’

 

ରାଜାଙ୍କର ଆନନ୍ଦୋଚ୍ଛ୍ୱାସ ସୀମା ମାନୁ ନଥିଲା–‘‘ମୁଁ ଶପଥ କରୁଛି ମୁନିଶ୍ରେଷ୍ଠ ! ଆପଣଙ୍କର କାମ୍ୟ ବସ୍ତୁକୁ ଦକ୍ଷିଣାରୂପେ ପ୍ରଦାନ କରିବାନିମିତ୍ତ ମୁଁ ବି କୁଣ୍ଠା ପ୍ରକାଶ କରିବି ନାହିଁ ।’’

 

କ୍ଷଣକନିମିତ୍ତ ଚତୁର୍ଦ୍ଦିଗ ଏକ ଅପରିକଳ୍ପିତ ନୀରବତାମଧ୍ୟରେ ଯେପରି ନିମଜ୍ଜିତ ହୋଇଗଲା । ସମସ୍ତେ ଅପଲକ ନେତ୍ରରେ ଯାଗଲ୍‌ଭଙ୍କର ମୁଖକୁ ଚାହିଁରହିଲେ ।

 

କିୟତ୍‌ କ୍ଷଣ ନୀରବ ରହିଲେ ଯାଗଲ୍‌ଭ । ପୁନର୍ବାର ଏକ ସ୍ମିତହାସ୍ୟ ତାଙ୍କର ମୁଖମଣ୍ଡଳକୁ ପ୍ରହେଳିକାମୟ କରିଦେଲା । ତାଙ୍କର ସ୍ଥିର ଶାନ୍ତ ଚକ୍ଷୁ ଅଧିକତର ରହସ୍ୟାବୃତ ହୋଇଉଠିଲା । ସେ ଧୀର ଗମ୍ଭୀର ସ୍ୱରରେ ପ୍ରକାଶ କଲେ–‘‘ସମ୍ରାଟ୍‌, ଦକ୍ଷିଣାସ୍ୱରୂପ ତୁମେ ତୁମର ମହିଷୀ ଓ କନ୍ୟାସମେତ ମୋତେ ତୁମର ରାଜ୍ୟ ପ୍ରଦାନ କର ।’’

 

ସମସ୍ତେ ବିସ୍ମୟବିମୂଢ଼ । ରାଜମହିଷୀ ଧାରଣ କରିଥିବା ସ୍ୱର୍ଣ୍ଣ ଅର୍ଘ୍ୟପାତ୍ର ମଣ୍ଡପ–ଚତ୍ୱରରେ ନିପତିତ ହୋଇ ନୀରବତା ଭଙ୍ଗ କଲା । ରାଜକନ୍ୟାଙ୍କର ମୁଖ ଲଜ୍ଜାରେ ଆରକ୍ତ ହୋଇଉଠିଲା । ପରିଚାରିକା ଓ ଅମାତ୍ୟଗଣ ଅଧୋବଦନରେ ସ୍ଥାଣୁସଦୃଶ ଦଣ୍ଡାୟମାନ ହୋଇରହିଲେ । ସାଗରର ବିଷୁବ୍‌ଧବକ୍ଷସଦୃଶ ସମ୍ରାଟ୍‌ କାର୍ତ୍ତବୀର୍ଯ୍ୟଙ୍କର ଚିତ୍ତ ଆନ୍ଦୋଳିତ ହୋଇଉଠିଲା ।

 

ବାରମ୍ବାର ଯାଗଲ୍‌ଭଙ୍କଉପରେ ସେ ଦୃଷ୍ଟିପାତ କରୁଥିଲେ । ଏହି ବ୍ୟକ୍ତି କି ନୀଚ ! ନାରୀପ୍ରତି ଯେ ସମାକୃଷ୍ଟ, ସେ କ’ଣ ମୁନିପଦବାଚ୍ୟ ? ପୁଣି ଅପରର ବିବାହିତ ନାରୀ ଓ ଅନୂଢ଼ା କନ୍ୟାପ୍ରତି ଯେ ପ୍ରଲୁବ୍‌ଧ ହୁଏ, ସେ ତ ନରକର କୀଟଠାରୁ ବି ହୀନ । ଏହି ବ୍ୟକ୍ତିଙ୍କଠାରୁ କି ମନ୍ତ୍ରୋପଦେଶ ସେ ଗ୍ରହଣ କରିବେ ? କି କୁତ୍ସିତ ପରିକଳ୍ପନା !

 

କାର୍ତ୍ତବୀର୍ଯ୍ୟ ଶକ୍ତି ସଂଚୟ କରି ଅତି କ୍ଷୀଣକଣ୍ଠରେ ଉତ୍ତର ପ୍ରଦାନ କଲେ–‘‘ମହାମନା, ଯାହା ଋଷି–ଜୀବନର ବହିର୍ଭୂତ, ତା’ ପ୍ରାର୍ଥନା କରୁଛନ୍ତି କାହିଁକି ? ଆଉ ଥରେ ଚିନ୍ତା କରି ବିବେକାନୁମୋଦିତ ଦକ୍ଷିଣା ପ୍ରାର୍ଥନା କରନ୍ତୁ ।’’

 

ଯାଗଲ୍‌ଭଙ୍କର ସ୍ୱର କିନ୍ତୁ ଗମ୍ଭୀର ହୋଇଉଠୁଥିଲା–‘‘ସମ୍ରାଟ୍‌ ! ତୁମେ ଭୁଲିଯାଉଛ ତୁମର ଶପଥ । ଋଷିଜୀବନର କ’ଣ ଅନ୍ତର୍ଗତ, କ’ଣ ବହିର୍ଭୂତ ତାହା ବିଶ୍ଳେଷଣ କରିବାପୂର୍ବରୁ ତୁମେ ତୁମର ଶପଥପାଳନନିମିତ୍ତ ଇଚ୍ଛୁକ କି ନାହିଁ, ତାହା ଅବଗତ ହେବାନିମିତ୍ତ ମୁଁ ଉଦ୍‌ବିଗ୍ନ ।’’

 

କାର୍ତ୍ତବୀର୍ଯ୍ୟଙ୍କର ମୁଖମଣ୍ଡଳରୁ ପ୍ରତିଭାତ ହେଉଥିଲା ସେ ଯେପରି କିଂକର୍ତ୍ତବ୍ୟବିମୂଢ଼ । ମ୍ଳାନ ବାସନ୍ତୀ ଗୋଧୂଳିର ବର୍ଣ୍ଣବିଭା କାର୍ତ୍ତବୀର୍ଯ୍ୟଙ୍କର ମୁଖମଣ୍ଡଳରେ କରୁଣତାର ପ୍ରଲେପ ବୋଳିଦେଉଥିଲା । ନିଜର ସମସ୍ତ ଧୈର୍ଯ୍ୟକୁ ଏକୀଭୂତପୂର୍ବକ ସମ୍ରାଟ୍‌ ଗାମ୍ଭୀର୍ଯ୍ୟ ରକ୍ଷା କରି ବ୍ୟକ୍ତ କଲେ, ‘‘ହେ ମହାତ୍ମନ୍‌, ସମ୍ରାଟ କାର୍ତ୍ତବୀର୍ଯ୍ୟ ଲୌକିକତା ଓ ମାନସମ୍ଭ୍ରମଦୃଷ୍ଟିରୁ ଆପଣଙ୍କର ଦକ୍ଷିଣା ପ୍ରଦାନ ନିମିତ୍ତ ଅସମର୍ଥ ।’’

 

ନିର୍ଲିପ୍ତଭାବେ ଯାଗଲ୍‌ଭ ମଧ୍ୟ ଉତ୍ତର ପ୍ରଦାନ କଲେ, ‘‘ମୋର କିଛି ଦୁଃଖ ନାହିଁ । ସମ୍ରାଟ କାର୍ତ୍ତବୀର୍ଯ୍ୟ ଯଦି ତାଙ୍କର ଶପଥ ଭଙ୍ଗ କରିବାନିମିତ୍ତ ପ୍ରସ୍ତୁତ, ମୁଁ ତେବେ ରାଜାଜ୍ଞା ପାଳନ କରି ମୋର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଛି ।’’

 

ଆଉ ଥରେ ସମ୍ରାଟ୍‌ ସତର୍କତାର ସହିତ ଯାଗଲ୍‌ଭଙ୍କର ମୁଖମଣ୍ଡଳକୁ ଲକ୍ଷ୍ୟ କରୁଥିଲା । ସେହି ମୁଖମଣ୍ଡଳରେ ସୁସ୍ପଷ୍ଟ ହୋଇଉଠୁଥିଲା ଏକ ଅନବଦ୍ୟ ପ୍ରଶାନ୍ତି । ତାଙ୍କ ଶାନ୍ତ ସମାଧିସ୍ଥ ଆତ୍ମା ତାଙ୍କର ଚକ୍ଷୁଯୁଗଳର ସମୁଜ୍ଜ୍ୱଳ ଦୀପ୍ତିରେ ଯେପରି ନିଜକୁ ଅଭିବ୍ୟକ୍ତ କରୁଥିଲା । ଅଭିମାନ, ପରାଜୟ, ଗ୍ଳାନି, କ୍ଳେଶ, କ୍ରୋଧ ବା ଅବମାନନାର ସାମାନ୍ୟ ପ୍ରତିଫଳନରେ ବି ସେହି ମୁଖର ସ୍ୱାଭାବିକ ଦୀପ୍ତି ମ୍ଳାନ ହୋଇ ନ ଥିଲା ।

 

ରାଜା ଭାବପ୍ରବଣ ହୋଇଉଠୁଥିଲେ–ଏହି କ’ଣ ସେହି ପୂର୍ବମୁହୂର୍ତ୍ତର ନାରୀସୌନ୍ଦର୍ଯ୍ୟପ୍ରଲୁବ୍‍‌ଧ ଇନ୍ଦ୍ରିୟସୁଖବିଳାସୀ କ୍ଷମତାଲିପ୍‌ସୁ ପ୍ରବଞ୍ଚକ ତପସ୍ୱୀ ? ତେବେ ମୁଖମଣ୍ଡଳରେ ଜ୍ୟୋତିର ଏ କି ଆଭାସ, ଯାହା ତାଙ୍କର ଚିତ୍ତର ଗଭୀରତମ ପ୍ରଦେଶରେ ଏକ ଆଲୋଡ଼ନ ସୃଷ୍ଟି କରୁଛି ? ତେବେ ସେ କ’ଣ ଭୁଲ କରୁଛନ୍ତି ?

 

ଦଣ୍ଡ-କମଣ୍ଡଳୁ ଧରି ଉଦାର–ଉଦାସୀନଭାବେ ପାବଚ୍ଛପରେ ପାବଚ୍ଛ ଅତିକ୍ରମ କରି ଅଗ୍ରସର ହେଉଥିଲେ ଯାଗଲ୍‌ଭ । ରାଜା ପୁଣି ଏକ ଅଜ୍ଞାତ ଆବେଗର ଉଚ୍ଛ୍ୱାସରେ ଧାଇଁଯାଇ ତାଙ୍କର ପାଦତଳେ ଲୋଟିପଡ଼ିଲେ । କଣ୍ଠରେ ତାଙ୍କର ଅନୁନୟ ପ୍ରକାଶ ପାଉଥିଲା–‘‘କ୍ଷମା କରନ୍ତୁ ମହାମନା ! ଅର୍ବାଚୀନ କାର୍ତ୍ତବୀର୍ଯ୍ୟ ତା’ର ଶପଥ ପାଳନ କରିବ ।’’ ସେ ଘୋଷଣା କଲେ, ‘‘ମୁଁ ସର୍ବସମକ୍ଷରେ ମୋର ସହଧର୍ମିଣୀ, କନ୍ୟା ଓ ରାଜ୍ୟ ମହାମନା ଯାଗଲ୍‌ଭଙ୍କୁ ପ୍ରଦାନ କରି ତାଙ୍କର ମନ୍ତ୍ରୋପଦେଶ କାମନା କରୁଛି ।’’

 

ସଭାସ୍ଥ ବ୍ୟକ୍ତିସମୂହ ଯୁଗପତ୍‌ ସ୍ୱପ୍ନାବିଷ୍ଟ ଓ ବିସ୍ମୟବିମୂଢ଼ । ଯାଗଲ୍‌ଭ ମଣ୍ଡପଉପରକୁ ଫେରିଆସୁଥିଲେ । ମର୍ମରପ୍ରସ୍ତରନିର୍ମିତ ପାବଚ୍ଛଉପରେ ତାଙ୍କର ପାଦୁକାର ଆଘାତ–ଶବ୍ଦରେ ବିଧ୍ୱନିତ ହୋଇଉଠୁଥିଲା ଶାନ୍ତ ବାତାବରଣ ।

 

ସହର୍ଷ ମୁଖରେ ରାଜସିଂହାସନ ଅଳଂକୃତ କଲେ ଯାଗଲ୍‌ଭ । ତାଙ୍କରି ନିର୍ଦ୍ଦେଶକ୍ରମେ ଦକ୍ଷିଣ ପାର୍ଶ୍ୱରେ ରାଜମହିଷୀ ଓ ବାମପାର୍ଶ୍ୱରେ ଆସନ ଗ୍ରହଣ କଲେ ରାଜକୁମାରୀ ।

 

ସେମାନଙ୍କ ସ୍ୱର୍ଣ୍ଣାଭାବିନିନ୍ଦିତ ତନୁଶ୍ରୀରେ ଯେପରି କିଏ ଅମାରଜନୀର କାଳିମା ଲେପିଦେଉଥିଲା । ଉଭୟଙ୍କର ଅସ୍ୱାଭାବିକ ବ୍ରୀଡ଼ାବନତ ମୁଖରେ ତୀବ୍ର ଅସ୍ୱସ୍ତି ସୁସ୍ପଷ୍ଟ ହୋଇଉଠୁଥିଲା । ଯନ୍ତ୍ରଚାଳିତ ପୁତ୍ତଳିକାସମ ସେମାନେ କେବଳ ରାଜାଦେଶ ପାଳନ କରୁଥିଲେ । ତ୍ରସ୍ତା ହରିଣୀସମ ସେମାନଙ୍କର ବିକଳ ଦୃଷ୍ଟିପାତ ସମ୍ରାଟ୍‌ଙ୍କୁ ବିବ୍ରତ କରୁଥିଲା ।

 

ହୃଦୟମଧ୍ୟରେ ଜୀବନ୍ତ ଆଗ୍ନେୟଗିରିର ବିସ୍ଫୋରଣର ପ୍ରତିକ୍ରିୟା ଅନୁଭବ କରୁଥିଲେ କାର୍ତ୍ତବୀର୍ଯ୍ୟ । ସେ ଭୁଲ କରୁ ନାହାନ୍ତି ତ ? କାମନାକ୍ରୀଡ଼ନକ ଏକ କୁତ୍ସିତ ବ୍ୟକ୍ତିର ପ୍ରବଞ୍ଚନାର ବ୍ୟୂହରେ ସେ ପଥଭ୍ରଷ୍ଟ ହୋଇ ନାହାନ୍ତି ତ ? ପ୍ରବଞ୍ଚକନିକଟରେ ଆତ୍ମସମର୍ପଣ କରି ସେ ଭ୍ରାନ୍ତିର ମାୟାଜାଲମଧ୍ୟରେ ନିଜକୁ ଆବଦ୍ଧ କରୁ ନାହାନ୍ତି ତ ?

 

ଆବେଗର ଆତିଶଯ୍ୟରେ ଚିତ୍କାର କରିଉଠିଲେ କାର୍ତ୍ତବୀର୍ଯ୍ୟ–‘‘ତୁମେ ସିଂହାସନ ପରିତ୍ୟାଗ କର ଯାଗଲ୍‌ଭ ! ମୁଁ ମୋର ବାକ୍ୟ ପ୍ରତ୍ୟାହାର କଲି ।’’

 

ଯାଗଲ୍‌ଭଙ୍କ ଅଟ୍ଟହାସ୍ୟଧ୍ୱନିରେ ରାଜାଙ୍କ ଚିତ୍କାର କେଉଁଆଡ଼େ ବିଲୀନ ହୋଇଗଲା । କଣ୍ଠରେ ଶାସକୋଚିତ ଗାମ୍ଭୀର୍ଯ୍ୟର ଆଭାସ ପ୍ରଦାନ କରି ଯାଗଲ୍‌ଭ ବ୍ୟକ୍ତ କଲେ–‘‘କାର୍ତ୍ତବୀର୍ଯ୍ୟ, ଥରେ ସ୍ଥିତପ୍ରଜ୍ଞ ବ୍ୟକ୍ତିଭାବରେ ତୁମେ ଯାହା ପ୍ରଦାନ କରିସାରିଛ, ସେଥିରେ ତୁମର କୌଣସି ଅଧିକାର ନାହିଁ । ନିଜର କର୍ତ୍ତବ୍ୟସମ୍ପର୍କରେ ସଚେତନ ହୋଇ ସଂଯମ ଆଚରଣ କରିବା ତୁମର ଏକାନ୍ତ ଆବଶ୍ୟକ । ତୁମେ ସଂପ୍ରତି ରାଜସିଂହାସନପ୍ରତି ଯେଉଁ ଅମର୍ଯ୍ୟାଦା ପ୍ରଦର୍ଶନ କରିଛ, ସେଥିପାଇଁ ରାଜଦ୍ରୋହ ଅପରାଧଯୋଗୁ ମୁଁ ତୁମକୁ ପ୍ରାଣଦଣ୍ଡାଜ୍ଞା ପ୍ରଦାନ କରିପାରେ ।’’

 

କ୍ଷଣକାଳେ ନୀରବ ରହି କାର୍ତ୍ତବୀର୍ଯ୍ୟଙ୍କୁ ବନ୍ଦକରି ସମସ୍ତଙ୍କଦ୍ୱାରା ତାଙ୍କୁ ପଦପ୍ରହାର କରାଇବାକୁ ଯାଗଲ୍‌ଭ ରାଜକର୍ମଚାରୀ ଓ ରକ୍ଷୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କଲେ । କାର୍ତ୍ତବୀର୍ଯ୍ୟ କୌଣସି ପ୍ରତିବାଦ କରିବାପୂର୍ବରୁ ରାଜାଦେଶ ପାଳିତ ହେଲା । କେତୋଟି ମୁହୂର୍ତ୍ତର ବ୍ୟବଧାନରେ ତାଙ୍କର ଜୀବନର ନାଟକୀୟ ପରିଣତିରେ ସେ ସ୍ତମ୍ଭୀଭୂତ ହୋଇଉଠିଲେ ।

 

ଏହି କ’ଣ ତେବେ ଜୀବନ ! ତାଙ୍କର ପତ୍ନୀ, କନ୍ୟା, ବିଭବଐଶ୍ୱର୍ଯ୍ୟ, ଖ୍ୟାତି–କ୍ଷମତା, ଶୌର୍ଯ୍ୟ–ବୀର୍ଯ୍ୟ ସବୁ କିଛି ନିଶ୍ଚିହ୍ନ ! ରାଜରକ୍ଷୀଅମାତ୍ୟବର୍ଗଙ୍କର ପଦପ୍ରହାରରେ ସେ ଧୂଳିଧୂସରିତ-। ଜୀବନର ଅପରିକଳ୍ପିତ ତଥା ଅବାଞ୍ଛିତ ପରିଣତକୁ ଉପଲବ୍‌ଧି କରିବାକୁ ଅସମର୍ଥ ହୋଇ ଅବଶ୍ୟ କାର୍ତ୍ତବୀର୍ଯ୍ୟ ଏକ ଆତ୍ମବିସ୍ମୃତିମଧ୍ୟରେ ଯେପରି ନିମଜ୍ଜିତ ହେଉଥିଲେ ।

 

ସର୍ବଶେଷରେ ଯାଗଲ୍‌ଭ ନିଜେ ଅଗ୍ରସର ହୋଇ ତାଙ୍କର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ରାଜାଙ୍କର ମସ୍ତକ ଉପରେ ଆଘାତ ପ୍ରଦାନ କଲେ । କ୍ଷଣକପାଇଁ ରାଜାଙ୍କର ଚକ୍ଷୁଯୁଗଳ ଉନ୍ମୀଳିତ ହୋଇ ପୁନଶ୍ଚ ମୁଦ୍ରିତ ହୋଇଗଲା ।

 

ସେ ଅନୁଭବ କଲେ ତାଙ୍କର ଶରୀର ମଧ୍ୟରେ ଯେପରି ତଡ଼ିତ୍‌ର ପ୍ରବାହ ଖେଳିଯାଉଛି-। ଦିବ୍ୟାନନ୍ଦର ଏକ ବେଗଗାମୀ ସରିତ୍‌ର ଉଦ୍ଦାମ ଉତ୍ତରଳ ପ୍ରବାହମଧ୍ୟରେ ସେ ଯେପରି ନିମଜ୍ଜିତ ହୋଇଯାଉଛନ୍ତି । ଅବଶ ଶରୀରର ପ୍ରତି ଅଣୁ-ପରମାଣୁ ଜୀବନର ଏକ ଅଭିନବ ସ୍ପନ୍ଦନରେ ଯେପରି ସୁସମୃଦ୍ଧ ହୋଇଉଠୁଛି । ତାଙ୍କର ମନେ ହେଲା, ମହାନନ୍ଦର ଉଦ୍‌ବେଳନରେ ଫେନଚୂଡ଼–ବେଗଗାମୀ ତରଙ୍ଗସଦୃଶ ଏକ ଶାଶ୍ୱତ ସଙ୍ଗୀତ ଗାନ କରି ତାଙ୍କର ପ୍ରାଣ ଦିଗ୍‌ବିହୀନ ଦିକ୍‌ଚକ୍ରରେ ବିଲୀନ ହେବାନିମିତ୍ତ ଯେପରି ଅସ୍ଥିର ହୋଇଉଠୁଛି ।

 

ଆଉ ଥରେ ସେ ଚକ୍ଷୁ ଖୋଲିଲେ । ସମ୍ମୁଖରେ ଯାଗଲ୍‌ଭ । ତାଙ୍କର ଭସ୍ମବିଲେପିତ ତନୁଶ୍ରୀମଧ୍ୟରେ ହିମାଦ୍ରିର ଉଦାରତା ଓ ଗାମ୍ଭୀର୍ଯ୍ୟ ଯେପରି ରୂପ ଲାଭ କରୁଛି । ଜାହ୍ନବୀସଦୃଶ ସେହି ଶରୀରମଧ୍ୟରୁ ଆଶୀର୍ବାଦର ଧାରା ଝରିପଡ଼ି ରାଜାଙ୍କର କଳୁଷ–କାଳିମାକୁ ଯେପରି ଧୋଇଦେଉଛି । ରାଜା ଋଷିପୁଙ୍ଗବଙ୍କର ଚରଣତଳେ ଲୋଟିପଡ଼ିଲେ । ସନ୍ନ୍ୟାସୀ ନୀରବତା ଭଙ୍ଗ କଲେ–‘‘ମୁଁ ଫେରିଯିବି ସମ୍ରାଟ୍‌ ! ଯାଗଲ୍‌ଭର କାର୍ଯ୍ୟ ପରିସମାପ୍ତି ଲଭିଛି ।’’

 

ରାଜାଙ୍କର ଚକ୍ଷୁର ଆନନ୍ଦାଶ୍ରୁର ଅବାରିତ ଧାରା ଝରିପଡ଼ୁଥିଲା । ସେ ନିବେଦନ କଲେ, ‘‘ହେ ମହାମନା, ଏ ସାମ୍ରାଜ୍ୟ ଯେ ମୁଁ ଦକ୍ଷିଣାସ୍ୱରୂପ ଆପଣଙ୍କୁ ପ୍ରଦାନ କରିସାରିଛି ।’’

 

ସନ୍ନ୍ୟାସୀ ଯାଗଲ୍‌ଭଙ୍କର ମୁଖମଣ୍ଡଳ ଏକ ଅପୂର୍ବ ଶ୍ରୀରେ ଉଦ୍ଭାସିତ ହୋଇଉଠିଲା–‘‘ସମ୍ରାଟ୍‌ ! ମନ୍ତ୍ରୋପଦେଶ ପ୍ରଦାନ କରିବା ଯାଗଲ୍‌ଭର ଧର୍ମ; ମାତ୍ର ରାଜ୍ୟ–ଶାସନ ନୁହେଁ । ଆଜନ୍ମ–ସଂସାରବିରାଗୀ ସନ୍ନ୍ୟାସୀର ରାଜ୍ୟ, ରାଜବଧୂ ଓ ରାଜକନ୍ୟାରେ କି ପ୍ରୟୋଜନ-?

 

ଆପଣଙ୍କର ସଂସ୍କାରପ୍ରାପ୍ତ ପ୍ରାଣର ପ୍ରକାଶକୁ ହିଁ ଦକ୍ଷିଣାରୂପେ ମୁଁ ଗ୍ରହଣ କରୁଛି । ଆପଣଙ୍କର ବିକାଶୋନ୍ମୁଖ ଆତ୍ମାର ଅଭିବ୍ୟକ୍ତିକୁ ଦ୍ରୁତତର କରିବା ଉଦ୍ଦେଶ୍ୟରେ, ବ୍ୟକ୍ତିର ଯଥାର୍ଥ ସ୍ଥିତିସମ୍ବନ୍ଧରେ ସମ୍ରାଟ୍‌ଙ୍କୁ ସଚେତନ କରିବାନିମିତ୍ତ ମୋତେ ଅଭିନୟର ଆଶ୍ରୟ ଗ୍ରହଣ କରିବାକୁ ପଡ଼ିଥିଲା; ମାତ୍ର ଜୀବନର ନିଗୂଢ଼ ସତ୍ୟକୁ ଅବଧାରଣ କରିବାନିମିତ୍ତ ଆପଣଙ୍କର ଅହଂକାର–ବିରହିତ ପ୍ରାଣ ଯେ ପ୍ରୟାସୀ–ଏହା ଉପଲବ୍‌ଧି କରି ମୁଁ ମନ୍ତ୍ରୋପଦେଶ ପ୍ରଦାନ କରିଛି । ସମ୍ରାଟ୍‌ ସମଧିକ ନିଷ୍ଠାର ସହିତ ତାଙ୍କର ଶାସନକାର୍ଯ୍ୟ ପାଳନ କରି ନିଜର ପ୍ରଜାବର୍ଗଙ୍କୁ ସତ୍ୟ-ସଚେତନ କରନ୍ତୁ ।’’

 

ଅପରିକଳ୍ପିତ ଘଟଣାବଳୀର ତୀବ୍ର ପ୍ରବାହର କ୍ଷିପ୍ରତାମଧ୍ୟରେ ସ୍ୱପ୍ନାବିଷ୍ଟ ହୋଇପଡ଼ୁଥିଲେ ସଭାସଦ୍‌ବର୍ଗ ।

 

ଧୀରେ-ଧୀରେ ସଶିଷ୍ୟ ଯାଗଲ୍‌ଭ ଅଗ୍ରସର ହେବାକୁ ଲାଗିଲେ । ଆକାଶରୁ ଶୁକ୍ଳ ଦଶମୀର ଚନ୍ଦ୍ରର ଶୁଭ୍ର ସୁନ୍ଦର ଜ୍ୟୋତ୍ସ୍ନା ଯୋଗୀ ଯାଗଲ୍‌ଭଙ୍କର ଭସ୍ମବିଲେପିତ ଶାନ୍ତ ସୌମ୍ୟ ତନୁକୁ ଅଧିକ ଧ୍ୟାନଗମ୍ଭୀର କରୁଥିଲା ।

 

ସହକାର ବନସ୍ପତିର ପଲ୍ଲବିତ ଶାଖା ଅନ୍ତରାଳରେ ଆତ୍ମଗୋପନ କରିଥିବା କୋକିଳର କୁହୁଧ୍ୱନି ଯେପରି ମହାନ୍‌ ମନ୍ତ୍ରୋପଦେଶପର୍ବର ଉଦ୍‌ଯାପନ ସଙ୍ଗୀତ ଗାନ କରୁଥିଲା ।

☆☆☆

 

Unknown

ନୂପୁର–ନିକ୍ୱଣ

 

ଫାଲ୍‌ଗୁନର ଚଳଚପଳ ମଳୟ ସମୀରଣକଣ୍ଠରେ ତାରୁଣ୍ୟର ଜୈତ୍ରଗୀତର ମୂର୍ଚ୍ଛନା ।

 

ଘନ ଘନ ତୂର୍ଯ୍ୟନାଦ ବିକ୍ରମଦେବଙ୍କର ସମାଗତ-ସମୟ ଉଦ୍‌ଘୋଷଣ କରୁଛି । ରାଜଦରବାର ଏକ ଅସ୍ୱାଭାବିକ ଗାମ୍ଭୀର୍ଯ୍ୟରେ ଗୁରୁଗମ୍ଭୀର ହୋଇଉଠିଛି । ଅପରାଧୀରୂପେ ଦଣ୍ଡାୟମାନ ହୋଇଛନ୍ତି ରାଜକୁମାର ଉଦୟଭାନୁ, ରାଜକୁମାରୀ ପ୍ରଳମ୍ବିକା ଓ ସମାଧିସ୍ଥ ସନ୍ନ୍ୟାସୀ ତ୍ରିକାଳଦର୍ଶୀ ।

 

ଉଦୟଭାନୁଙ୍କର ମୁଖମଣ୍ଡଳ ଆତ୍ମଗ୍ଳାନି ପରିବର୍ତ୍ତେ ଏକ ଅପୂର୍ବ ଦୀପ୍ତିରେ ଉଦ୍ଭାସିତ ହୋଇଉଠୁଛି ।

 

ମୂର୍ତ୍ତଯୌବନ ଅମ୍ଳାନ ପ୍ରତୀକ କନକଗାତ୍ରୀ ପ୍ରଳମ୍ବିକାଙ୍କର ଅର୍ଦ୍ଧନିମୀଳିତ ଚକ୍ଷୁ ଓ ଆରକ୍ତ ଅଧରରେ ମୁକ୍ତିଲାଭ କରୁଥିବା ସ୍ମିତହାସ୍ୟକୁ ଲକ୍ଷ୍ୟ କଲେ ମନେ ହୁଏ ସେ ଏବେ ବି ସ୍ୱପ୍ନାବିଷ୍ଟ ଓ ଆତ୍ମବିସ୍ମୃତା । ସକଳ ସ୍ଖଳନ ଓ ପତନଠାରୁ ସେ ଯେପରି ବହୁ ଦୂରରେ ।

 

ଆଉ ସନ୍ନ୍ୟାସୀ ତ୍ରିକାଳଦର୍ଶୀଙ୍କ ପ୍ରଶାନ୍ତ ଶ୍ମଶ୍ରୂଆଚ୍ଛାଦିତ ମୁଖମଣ୍ଡଳରେ ଅପୂର୍ବ ଭାବାବେଗରେ ସ୍ୱର୍ଗୀୟ ଉଲ୍ଲାସର ଏକ ଅନୁପମ ସ୍ୱାକ୍ଷର । ଏବେ ବି ସେ ସମାଧିସ୍ଥ । ସ୍ଥିର ନିମୀଳିତ ଚକ୍ଷୁରେ ପ୍ରଶାନ୍ତିର ଦ୍ୟୋତନା ।

 

ରାଜଦରବାରରେ ସମବେତ ସହସ୍ର ସହସ୍ର ଦର୍ଶକଙ୍କର ଆବେଗ ଉତ୍କଣ୍ଠାସମ୍ମିଶ୍ରିତ ଦୃଷ୍ଟି ବାରମ୍ବାର ସେମାନଙ୍କର ପ୍ରତିକ୍ରିୟାବିହୀନ ଚକ୍ଷୁର ଚତ୍ୱରକୁ ସ୍ପର୍ଶ କରି ଫେରିଆସୁଛି । ଜ୍ଞାତସାରରେ ରାଜାଦେଶ ଲଂଘନ କରି କାହିଁକି ଯେ ସେମାନେ ରାଜରୋଷର ଶିକାର ହୋଇଛନ୍ତି ତାହା ଚିନ୍ତା କରି ସେହି ନିରପରାଧ ବ୍ୟକ୍ତିମାନଙ୍କନିମିତ୍ତ ପ୍ରତ୍ୟେକଙ୍କ ପ୍ରାଣରେ ସମବେଦନାର ଝଡ଼ ସୃଷ୍ଟି ହେଉଛି–‘‘ଯଦି ବିକ୍ରମଦେବ ସେମାନଙ୍କୁ କୌଣସି ଅପ୍ରୀତିକର ଦଣ୍ଡ ପ୍ରଦାନ କରନ୍ତି ? ତାହା ହେଲେ ?’’

 

ପ୍ରତ୍ୟେକଙ୍କ ପ୍ରାଣରେ ଗୋଟିଏ ଚିନ୍ତାର ଉଦ୍‌ବେଳନ–‘‘ନା ନା, ନା; ହୋଇପାରେ ନା...

 

...ରାଜପାରିଷଦବର୍ଗଙ୍କର ଅନୁରୋଧକୁ ଉପେକ୍ଷା କରି ବିକ୍ରମଦେବ କେବେ ହେଲେ ନିଜ ଖିଆଲରେ ଭାସିଯାଇପାରିବେନି; ନୋଚେତ୍‌ ବିପ୍ଳବର ଝଡ଼ ଉଠିବ । ସେଥିରେ ସୁଦୃଢ଼ ରାଜସିଂହାସନର ନିର୍ଦ୍ଦେଶକୁ ବାସ୍ତବତାର ପରିଧାନ ଗ୍ରହଣ କରିବାକୁ କେବେ ବି ସୁଯୋଗ ପ୍ରଦାନ କରାଯିବ ନାହିଁ । ଶାସିତର ପ୍ରତିବାଦକୁ ଶାସକ କେବେ ବି ଉପେକ୍ଷା କରିପାରିବେନି ।’’

 

କିନ୍ତୁ କିଏ ଜାଣିଥିଲା ବସନ୍ତ–ମଦିରାସିକ୍ତ ଫାଲ୍‌ଗୁନ ଦଶମୀର ଜ୍ୟୋତ୍ସାବିଧୌତ ସାୟଂକାଳୀନ ଅନୁପମ ଆସରର ପରିସମାପ୍ତି ପରିଶେଷରେ ଅବଲୀଳାକ୍ରମେ ଘଟିବ ଏବଂବିଧ କରୁଣାତ୍ମକ ପରିଣତିରେ !

 

X X X

 

ସମସ୍ତଙ୍କ ଚକ୍ଷୁସମକ୍ଷରେ ଭାସିଉଠୁଛି କାଲିର ଦୃଶ୍ୟ । ରାଜ୍ୟସାରା ସଂବାଦ ପ୍ରଚାରିତ ହେଲା ନର୍ତ୍ତକୀ ବାସବଦତ୍ତା ବିନା ପାରିଶ୍ରମିକରେ ସମଗ୍ର ରାତି ରାଧାମାଧବଙ୍କ ମନ୍ଦିରସମ୍ମୁଖସ୍ଥ ବିଶାଳ ମର୍ମରପ୍ରସ୍ତର–ମଣ୍ଡପରେ ନୃତ୍ୟ ପ୍ରଦର୍ଶନ କରିବାକୁ ସଂକଳ୍ପନିବଦ୍ଧ ।

 

ତାହା ସହିତ ରାଜନିର୍ଦ୍ଦେଶ ପ୍ରଚାରିତ ହେଲା–ସମବେତ ଦର୍ଶକମାନଙ୍କମଧ୍ୟରୁ କେହି କେବେ ହେଲେ ଉପହାରମାଧ୍ୟମରେ ଯେପରି ବାସବଦତ୍ତାଙ୍କୁ କୌଣସି ପାରିଶ୍ରମିକ ପ୍ରଦାନ ନ କରନ୍ତି; ନୋଚେତ୍‌ ରାଜାଦେଶ–ଲଂଘନକାରୀକୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ।

 

ଅଜସ୍ର ଦର୍ଶକଙ୍କର ଉପସ୍ଥିତିରେ ବିଶାଳ ମର୍ମରପ୍ରସ୍ତରବେଦିକା ପରିପୂର୍ଣ୍ଣ ହୋଇଗଲା । ବହୁମୂଲ୍ୟ ମଣିମାଣିକ୍ୟ ବିଭୂଷିତ ଚାରୁଚନ୍ଦ୍ରାତପତଳେ ଆସନ ଗ୍ରହଣ କଲେ ପଟ୍ଟମହିଷୀସମେତ ରାଜା ବିକ୍ରମଦେବ । ତାଙ୍କର ଦକ୍ଷିଣପାର୍ଶ୍ୱରେ ରାଜକୁମାର ଉଦୟଭାନୁ ଓ ବାମପାର୍ଶ୍ୱରେ ରାଜକୁମାରୀ ପ୍ରଳମ୍ବିକା–ଦୁଇଟି ସଦ୍ୟପ୍ରସ୍ଫୁଟିତ ଶ୍ୱେତପଦ୍ମ । ସୌନ୍ଦର୍ଯ୍ୟ–ସୌରଭର ଜୁଆର-ଭଟ୍ଟାରେ ଯେପରି ଦୁଇଟି ଫଲ୍‌ଗୁ–ଗୋଟିଏ ଅଧୀର, ଉନ୍ମତ୍ତ, ଚପଳ, ଚଞ୍ଚଳ–ଅପରଟି ଶାନ୍ତ, ସୁନ୍ଦର, ସ୍ନିଗ୍‌ଧ ଓ ମନୋରମ ।

 

ଆକାଶରେ ଜ୍ୟୋତ୍ସ୍ନାର ଜୁଆର । ମୃଦୁ ମଳୟର ଯାଦୁକରୀ ସ୍ପର୍ଶ ଯେପରି ଶେଫାଳିମଞ୍ଜରୀରେ ଯୌବନର ଫଲ୍‌ଗୁ ସୃଷ୍ଟି କରୁଛି । ରାଧାମାଧବଙ୍କର ମନ୍ଦିରର ଶଙ୍ଖ-ଘଣ୍ଟା-ମୃଦଙ୍ଗର ଧ୍ୱନି ଧୀରେ-ଧୀରେ ଶାନ୍ତ ହୋଇଆସୁଛି । ଚତୁର୍ଦ୍ଦିଗରେ କେବଳ ଜୀବନ ଓ ଯୌବନର ଜୁଆର; ମାତ୍ର ସମସ୍ତଙ୍କ ପ୍ରାଣରେ ବାସବଦତ୍ତାଙ୍କନିମିତ୍ତ ପ୍ରତୀକ୍ଷା ।

 

ପରିଶେଷରେ ମଞ୍ଚଉପରେ ଆବିର୍ଭୂତା ହେଲେ ବାସବଦତ୍ତା । ବାସବପୁରୀର ଉର୍ବଶୀର ତନୁଲାବଣ୍ୟ ସତେ କି ମଦାଳସା ବାସବଦତ୍ତାଙ୍କର ଅଙ୍ଗେ ଅଙ୍ଗେ ମୁକ୍ତି ଲାଭ କରିଛି । ସ୍ଫୀତବକ୍ଷ, ସ୍ଫୁରିତଗଣ୍ଡଦେଶରେ ଯୌବନଦେବତା ଅନଙ୍ଗ ଅଙ୍ଗ ଲାଭ କରିବାନିମିତ୍ତ ଯେପରି ଉଦ୍‌ବିଗ୍ନ ହୋଇଉଠିଛି । ଆରକ୍ତ ଅଧରରୁ ଝରିପଡ଼ୁଛି ଯୌବନର ମଦିରା । ଆକର୍ଣ୍ଣବିସ୍ତୃତ ଚକ୍ଷୁଚତ୍ୱରରେ ଏହି ବିଶ୍ୱର ସକଳ ସ୍ୱପ୍ନ ଯେପରି ସ୍ତୂପୀକୃତ ହୋଇଉଠିଛି । ସ୍ୱୀୟ ରକ୍ତକୋକନଦବର୍ଣ୍ଣନିଭ ହସ୍ତ ଉତ୍ତୋଳନ କରି ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଣତି ନିବେଦନ କରିବା ସଙ୍ଗେ ସଙ୍ଗେ ନୃତ୍ୟଚଞ୍ଚଳ ହୋଇଉଠିଲା ବାସବଦତ୍ତାଙ୍କର ପଦଯୁଗଳ ।

ତାଙ୍କର ଚଳଚଞ୍ଚଳ ପଦର ନୂପୁରନିକ୍ୱଣ ସକଳ ବାଦ୍ୟଯନ୍ତ୍ରର ସମ୍ମିଳିତ ଧ୍ୱନି ଅପେକ୍ଷା ଯେପରି ଅଧିକ ମାଦକତାମୟ ହୋଇଉଠୁଥିଲା । ତାଙ୍କର କଜ୍ଜଳ–ଚର୍ଚ୍ଚିତ ଚକ୍ଷୁ–ଉପାନ୍ତର କଟାକ୍ଷରେ ଆତ୍ମବିସ୍ମୃତି ଲାଭ କରୁଥିଲେ ଦର୍ଶକବୃନ୍ଦ ।

ଅବାଧ୍ୟ ମଳୟର ବାରମ୍ବାର ସ୍ପର୍ଶରେ ତାଙ୍କର ଆଳୁଲାୟିତ କାଳକୃଷ୍ଣ ଅଳକର ସ୍ୱେଦବିନ୍ଦୁସଂଯୁକ୍ତ କପାଳ ତଥା କପୋଳ ଉପରେ ଅବାଧକ୍ରୀଡ଼ା ତାଙ୍କର ଅପ୍‌ସରାବିନିନ୍ଦିତ ମୁଖମଣ୍ଡଳକୁ ଯେପରି ଅଧିକତର ସୁନ୍ଦର କରୁଥିଲା ଓ ସାମୟିକ ତାଙ୍କର ଆରକ୍ତ ଅଧରର ଶାସନକୁ ଉଲ୍ଲଙ୍ଘନ କରି ଝରିପଡ଼ୁଥିଲା ସ୍ମିତହାସ୍ୟର ନିର୍ଝର । ତାଙ୍କର ଲାସ୍ୟମୟୀ ମୂର୍ତ୍ତି ଓ ମୁଦ୍ରାନିବଦ୍ଧ ହସ୍ତଦ୍ୱୟର ଅପୂର୍ବ ଶ୍ରୀରେ ରୂପ ଲାଭ କରୁଥିଲା ଅମର୍ତ୍ତ୍ୟ–ସୁଷମା ।

ପ୍ରହରପରେ ପ୍ରହର ଅତିକ୍ରାନ୍ତ ହୋଇଯାଉଛି; କିନ୍ତୁ ଦର୍ଶକମଣ୍ଡଳୀର ଧ୍ୟାନ ଭାଙ୍ଗୁନି । ଅପଲକଚକ୍ଷୁରେ ସୌନ୍ଦର୍ଯ୍ୟର ଅସମ୍ଭୃତ ଉତ୍ସରୁ ସାବଲୀଳ ଛନ୍ଦରେ ଆତ୍ମପ୍ରକାଶ କରୁଥିବା ଲାବଣ୍ୟର ପ୍ରବାହମଧ୍ୟରେ ସେମାନେ ଯେପରି ନିମଜ୍ଜିତ ହୋଇପଡ଼ିଛନ୍ତି । ବାସବଦତ୍ତାଙ୍କର ରାତ୍ରିକୃଷ୍ଣ ଭ୍ରୂଯୁଗଳର ଅପୂର୍ବ ଭଙ୍ଗିମା ଓ ମର୍ମରମୃଣାଳସଦୃଶ ସୁଗୋଲ ବାହୁଯୁଗଳର ଛନ୍ଦାୟିତ ଗତି, ଶ୍ୱେତଲୋହିତବର୍ଣ୍ଣାଭ କରକୋକନଦର ବିଭିନ୍ନ ମୁଦ୍ରା, ମନ୍ମଥର ମାନସରୋବରସଦୃଶ ସେହି ଅଙ୍ଗନାର ଲାସ୍ୟମୟୀ ଅଙ୍ଗଲତାର ଛନ୍ଦଚପଳ ଗତିର ଅପୂର୍ବ ଆକର୍ଷଣରେ ସମସ୍ତେ ଯେପରି ତନ୍ମୟ ।

 

ଫାଲ୍‌ଗୁନ ଶୁକ୍ଳଦଶମୀର ଶାନ୍ତ–ସମୁଜ୍ଜ୍ୱଳ–ଚନ୍ଦ୍ର ପରାଜୟର ଗ୍ଳାନି ନେଇ କେତେବେଳୁ ତାରକାବିଖଚିତ ଦିଗ୍‌ବଳୟର ଅନ୍ଧକାରମଧ୍ୟରେ ଆତ୍ମଗୋପନ କଲାଣି, ସେ ସଂବାଦ କେହି ବି ରଖି ନାହିଁ ।

 

ନୀରବ–ନିର୍ନିମେଷ–ନୟନରେ ନିର୍ବିକାର ନିଶ୍ଚଳ ତପଶ୍ଚାରୀସମ ଶାନ୍ତ–ଅବିଚଳିତଭାବେ ସମସ୍ତେ ଯେପରି ସ୍ୱପ୍ନ–ନିମଜ୍ଜିତ ।

 

ସହସା ପ୍ରତ୍ୟେକ ଦର୍ଶକର ପ୍ରାଣ ଏକ ଅବାଞ୍ଛିତ ଆକସ୍ମିକ ଆଘାତରେ ପ୍ରକମ୍ପିତ ହୋଇଉଠିଲା । ଦୁଗ୍‌ଧଫେନନିଭ ସ୍ୱଚ୍ଛ ଶୁଭ୍ର କୋମଳ ଗାଲିଚା ରକ୍ତାଭ ହୋଇଉଠିଛି ।

 

ବାସବଦତ୍ତାଙ୍କର ଅଲକ୍ତକରଞ୍ଜିତ କୋମଳଚରଣରୁ ପ୍ରହର ପ୍ରହର ଧରି ନୃତ୍ୟଜନିତ ଆଘାତରେ ରକ୍ତ ଝରୁଛି ।

 

ସମଗ୍ର ରାତ୍ରି ନୃତ୍ୟରତା ରହିବା ପ୍ରତିଶ୍ରୁତିଜନିତ ଆବେଗରେ ନିଜର କ୍ଷତଜନିତ ଯନ୍ତ୍ରଣାକୁ ବିସ୍ମୃତ ହୋଇ ସେ ନୃତ୍ୟରତା ରହିଛନ୍ତି । ବାସବଦତ୍ତାଙ୍କର ପୁଷ୍ପକୋମଳ ଅଙ୍ଗଲତା ତାଙ୍କର ପାଷାଣଦୃଢ଼ ପ୍ରତିଜ୍ଞାର ପରିପୂର୍ଣ୍ଣତାନିମିତ୍ତ ଯେପରି ସମ୍ମତି ପ୍ରଦାନ କରିଛି ।

 

ବାସବଦତ୍ତାଙ୍କର ମୁଖମଣ୍ଡଳ ସେହିପରି ପ୍ରଶାନ୍ତ ଉଜ୍ଜ୍ୱଳ । ଯୋଗିଜନୋଚିତ–ନିର୍ଲିପ୍ତ ନେଇ ଯେପରି ସେ ତନ୍ୱୀ ନିଜର ପ୍ରତିଜ୍ଞା ନିକଟରେ ନିଜକୁ ନିବେଦନ କରିଦେଇଛନ୍ତି ।

 

ଶ୍ୱେତ ଶୁଭ୍ର ଗାଲିଚାର ବକ୍ଷଦେଶ ଅଧିକରୁ ଅଧିକତର ରକ୍ତାଭ ହୋଇଉଠୁଛି । ଅତିଷ୍ଠ ହୋଇଉଠିଲେ ଦର୍ଶକମଣ୍ଡଳୀ । ପ୍ରତ୍ୟେକଙ୍କର ପ୍ରାଣରେ ସମବେଦନାର ଫଲ୍‌ଗୁ ଯେପରି ଫୁଲି ଫୁଲି ଉଠୁଛି । ନା, ନା, ଏ ନୃତ୍ୟର ପରିସମାପ୍ତ ଘଟୁ । ସକଳ–କଣ୍ଠର ସାନୁନୟ ନିବେଦନର ଗୁଞ୍ଜରଣ କ୍ରମଶଃ ସ୍ପଷ୍ଟରୁ ସ୍ପଷ୍ଟତର ହୋଇଉଠୁଛି–

 

‘‘ବାସବଦତ୍ତା ବିଶ୍ରାମ ଗ୍ରହଣ କରନ୍ତୁ ।’’

 

କ୍ଷଣକପାଇଁ ଶାନ୍ତ ହୋଇଉଠିଲା ସେହି ନୃତ୍ୟଚପଳା ମଦାଳସାର ଅଙ୍ଗଲତା । ବାଦ୍ୟଯନ୍ତ୍ରର ମୂର୍ଚ୍ଛନା ମଧ୍ୟ ନୀରବ ହୋଇଉଠିଲା । ପୁନର୍ବାର ନିଜର ନିବଦ୍ଧ କର–କୋକଦନ ତୋଳି ବାସବଦତ୍ତା ଯେପରି କ’ଣ ଭିକ୍ଷା କରୁଛନ୍ତି । ଦର୍ଶକମଣ୍ଡଳୀ ନୀରବ । ସମସ୍ତଙ୍କର ବେଦନାସିକ୍ତ ଚକ୍ଷୁରେ ଉଦ୍‌ବିଗ୍ନତା ।

 

‘‘ବହୁ ସମୟ ଅତିକାନ୍ତ ହୋଇଯାଇଛି; ମାତ୍ର ଅଳ୍ପ କେତୋଟି ମାତ୍ର ମୁହୂର୍ତ୍ତର ଯନ୍ତ୍ରଣାନିମିତ୍ତ ଭୟଭୀତ ହୋଇ ବାସବଦତ୍ତା ତା’ର ପ୍ରତିଜ୍ଞାପାଳନରୁ ଯେପରି ବିରତ ନ ହୁଏ ସେଥିପାଇଁ ଆପଣଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରୁଛି ।’’

 

ତା’ପରେ ପୁନର୍ବାର ତାଙ୍କର ପଦଯୁଗଳ ଚଞ୍ଚଳ ହୋଇଉଠିଲା–ମୁଖମଣ୍ଡଳରେ ପ୍ରତିଭାତ ହେଲା ଏକ ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ଅମ୍ଳାନ ଦୀପ୍ତି । ମରଣପୁରୀ ମର୍ତ୍ତ୍ୟର ସକଳ ନାରକୀୟତାକୁ ଉଲ୍ଲଂଘନ କରି ଯେପରି ସେ ଏକ ଦିବ୍ୟଜ୍ୟୋତିର ପୂଜାରିଣୀ । ସେଠି ପ୍ରବୃତ୍ତିର ପ୍ରେରଣା ପରାହତ, ମାୟାମୟ ସଂସାରର ସକଳ ମରୀଚିକା ଅନାକର୍ଷଣୀୟ । କେଉଁ ଅମ୍ଳାନ ଜ୍ଞାନ–ପ୍ରଦୀପର ପ୍ରୋଜ୍ଜ୍ୱଳ ଶିଖା ନିକଟରେ ସେ ଯେପରି ନିବେଦିତ ।

 

ସେହି ଲାସ୍ୟମୟୀ ତନ୍ୱୀ ତରୁଣୀର ଅର୍ଦ୍ଧନିମୀଳିତ ନୟନରୁ ଝରିପଡ଼ୁଛି ଦିବ୍ୟଶ୍ରୀର ଏକ ଶାଶ୍ୱତ ନିର୍ଝର । ଅଧିକ ନୃତ୍ୟଚଞ୍ଚଳ ହୋଇଉଠିଲା ତାଙ୍କ ପଦଯୁଗଳ । ମନେ ହେଲା ସେ ଯେପରି କାମନା–କ୍ରୀଡ଼ନକ ନର୍ତ୍ତକୀ ନୁହଁନ୍ତି । ଏକ ନିଷ୍ଠପରା ପୂଜାରିଣୀର ପୁଣ୍ୟବିଭବରେ ତାଙ୍କର ମୁଖମଣ୍ଡଳ ପ୍ରୋଜ୍ଜ୍ୱଳ ।

 

ସହସା ଦର୍ଶକଙ୍କର ଦୃଷ୍ଟି ନର୍ତ୍ତକୀ ବାସବଦତ୍ତାଙ୍କ ପରିବର୍ତ୍ତେ ଯୋଗୀ ତ୍ରିକାଳଦର୍ଶୀଙ୍କପ୍ରତି ସମାକୃଷ୍ଟ ହେବାକୁ ଲାଗିଲା । ସଂସାର–ଉଦାସୀ ବିକାର–ବର୍ଜ୍ଜିତ ଯୋଗୀ ତ୍ରିକାଳଦର୍ଶୀଙ୍କର ଚକ୍ଷୁରୁ ଅବାରିତ ଗତିରେ ଝରିପଡ଼ୁଛି ଅଶ୍ରୁର ଅବାରିତଧାରା । ବାରମ୍ବାର ବାସବଦତ୍ତାଙ୍କର ମୁଖମଣ୍ଡଳକୁ ଲକ୍ଷ୍ୟ କରି ତାଙ୍କ ହୃଦୟରେ ଉଜ୍ଜୀବିତ ହେଉଥିବା ଭାବାନ୍ତର ରୂପ ଲାଭ କରୁଛି ତାଙ୍କ ମୁଖମଣ୍ଡଳରେ ।

 

ନିର୍ବାର ଯୋଗୀ ଆସନ ପରିତ୍ୟାଗ କରି ଅଗ୍ରସର ହେବାକୁ ଲାଗିଲେ ବାସବଦତ୍ତାଙ୍କ ନିକଟକୁ । ବିସ୍ମିତ ହେଲେ ଦର୍ଶକମଣ୍ଡଳୀ । ସମସ୍ତେ ବିସ୍ମୟାଭିଭୂତ ଓ ସମସ୍ତଙ୍କ ନିଷ୍ପଲକଚକ୍ଷୁରେ ଏକ ଅପୂର୍ବ କୌତୂହଳ ।

 

ମଣ୍ଡପଉପରେ ଯୋଗୀ ତ୍ରିକାଳଦର୍ଶୀଙ୍କୁ ସନ୍ଦର୍ଶନ କରି ବାସବଦତ୍ତାଙ୍କର ନୃତ୍ୟଚପଳ–ପଦ କ୍ଷଣକନିମିତ୍ତ ଶିଥିଳ ହୋଇଉଠିଲା ।

 

ଯୋଗୀ ସ୍ୱୀୟ କମ୍ବଳଟିକୁ ବାସବଦତ୍ତାଙ୍କର ଚରଣତଳେ ଅର୍ପଣ କରି କହିଲେ–‘‘ଜଣେ ନିଃସମ୍ବଳ ବାସବଦତ୍ତାପ୍ରତି ଏହା ଏକ ହାର୍ଦ୍ଦିକ ଉପହାର ।’’

 

ଚମତ୍କୃତ ହୋଇଉଠିଲେ ଦର୍ଶକମଣ୍ଡଳୀ । କେଉଁ ଆବେଗର ଉଚ୍ଛ୍ୱାସରେ ରାଜାଦେଶକୁ ଲଂଘନ କରୁଛନ୍ତି ଯୋଗୀ ତ୍ରିକାଳଦର୍ଶୀ ! କିଏ ଜାଣେ କ’ଣ ହେବ ତା’ର ପରିଣତି ?

 

କିନ୍ତୁ ଦର୍ଶକମଣ୍ଡଳୀଙ୍କୁ ଅଧିକତର ବିସ୍ମୟାଭିଭୂତ କରି ଯୋଗୀଙ୍କର ଅନୁଗମନ କଲେ ଯୁବରାଜ ଉଦୟଭାନୁ । ନିଜର ମଣିମାଣିକ୍ୟବିଖଚିତ ବହୁମୂଲ୍ୟ କଣ୍ଠହାରକୁ ଲମ୍ବାଇଦେଲେ ସେ ବାସବଦତ୍ତାଙ୍କ ସ୍ଫୀତବକ୍ଷୋପରି ଗ୍ରୀବାଦେଶରେ ।

 

ଅପଲକଚକ୍ଷୁରେ ଅବଲୋକନ କରୁଥିଲେ ଦର୍ଶକମଣ୍ଡଳୀ ।

 

ତତ୍ପରେ ନିଜର ଆସନ ପରିତ୍ୟାଗ କରି ମଣ୍ଡପନିକଟକୁ ଅଗ୍ରସର ହେଲେ ରାଜକୁମାରୀ ପ୍ରଳମ୍ବିକା । ପ୍ରସ୍ଫୁଟନୋନ୍ମୁଖୀ ଚମ୍ପକକଳିର ସୁରଭିତ ସୌନ୍ଦର୍ଯ୍ୟର ସେ ଯେପରି ଏକ ଅଭ୍ରାନ୍ତ ପ୍ରତୀକ । ଧୀର ମନ୍ଥର ଗତି, ପ୍ରତିପଦକ୍ଷେପରେ ଲାବଣ୍ୟର ଫଲ୍‌ଗୁ ଛୁଟାଇ ବାସବଦତ୍ତାଙ୍କ ନିକଟରେ ଉପନୀତା ହେଲେ ରାଜକୁମାରୀ ।

 

ଯୁଗପତ୍‌ ବିସ୍ମୟାଭିଭୂତା ଓ ଉଲ୍ଲସିତା ବାସବଦତ୍ତା ସ୍ଥାଣୁସଦୃଶ ଦଣ୍ଡାୟମାନା ହୋଇ ରହିଲେ ।

 

ଏକ କଳକଲ୍ଲୋଳିନୀ ସ୍ରୋତସ୍ୱିନୀ ଏକ ଚଳଚଞ୍ଚଳ ନିର୍ଝରର କଳତାନକୁ ଯେପରି ଅଭିନନ୍ଦନ କରୁଛି ।

 

କେତୋଟି ମୁହୂର୍ତ୍ତର ବ୍ୟବଧାନମଧ୍ୟରେ ସ୍ୱୀୟ ଅଙ୍ଗୁଳିର ନିଜର ମହାର୍ହ ହୀରକ ଅଙ୍ଗୁରୀୟଟିକୁ କାଢ଼ି ବାସବଦତ୍ତାଙ୍କର ଅଙ୍ଗୁଳିରେ ନିଜେ ପିନ୍ଧାଇଦେଲେ ପ୍ରଳମ୍ବିକା । ଆନନ୍ଦ ଓ ବିସ୍ମୟରେ ଦର୍ଶକବର୍ଗ ଅଭିଭୂତ ।

 

କିନ୍ତୁ ସମଧିକ ବିସ୍ମିତ ହେଲେ ବିକ୍ରମଦେବ–ରାଜଗୁରୁ, ରାଜପୁତ୍ର ଓ ରାଜକନ୍ୟା ରାଜସିଂହାସନର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁଛନ୍ତି । ଯୁଗପତ୍‌ କ୍ରୋଧ ଓ ବିସ୍ମୟ ତାଙ୍କର ଚକ୍ଷୁରେ ପ୍ରତିଭାତ ହୋଇଉଠିଲା । ସଙ୍ଗେ ସଙ୍ଗେ ରାଜାଦେଶଲଂଘନକାରୀଙ୍କୁ କାରାଗାରରେ ନିକ୍ଷେପ କରିବାନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରି ରାଜା ବିକ୍ରମଦେବ କ୍ଷିପ୍ରପଦରେ ମଣ୍ଡପ ପରିତ୍ୟାଗ କଲେ ।

 

ହାସ୍ୟମୁଖରିତ ରାଜପୁରୀ କ୍ଷଣକର ବ୍ୟବଧାନରେ ନୀରବ, ନିସ୍ପନ୍ଦ ଓ ଜୀବନବିହୀନ ହୋଇଉଠିଲା ।

 

ଦଶମୀର ଚନ୍ଦ୍ର ବହୁ ପୂର୍ବରୁ ବିଦାୟ ଗ୍ରହଣ କରିସାରିଛି; କିନ୍ତୁ କୃଷ୍ଣଆକାଶର ତାରକାର ଦୀପ୍ତିର ନବୀନ ବ୍ୟଞ୍ଜନାରେ ଏକ ବଳିଷ୍ଠ ଆତ୍ମପ୍ରତ୍ୟୟର ସଙ୍କେତ ସୁପରିସ୍ଫୁଟ ହୋଇଉଠୁଥିଲା ।

 

ସିଂହାସନରେ ଉପବେଶନ କରିବା ସଙ୍ଗେ ସଙ୍ଗେ ପ୍ରଥମ ରାଜାଦେଶଲଂଘନକାରୀ ରାଜଗୁରୁଙ୍କୁ ରାଜସିଂହାସନ ନିକଟରେ ଉପସ୍ଥିତ କରିବା ନିମିତ୍ତ ନିର୍ଦ୍ଦେଶ କଲେ ସମ୍ରାଟ୍‌ ବିକ୍ରମଦେବ ।

 

ପ୍ରହରୀ–ପରିବେଷ୍ଟିତ ଶୃଙ୍ଖଳିତ–ହସ୍ତ ସନ୍ନ୍ୟାସୀ ତ୍ରିକାଳଦର୍ଶୀ ରାଜସିଂହାସନସମକ୍ଷରେ ଆବିର୍ଭୂତ ହେଲେ । ସନ୍ନ୍ୟାସୀଙ୍କର ସମୁଜ୍ଜ୍ୱଳ ମୁଖମଣ୍ଡଳର ଆଭା ଲକ୍ଷ୍ୟ କରି ବିସ୍ମିତ ହେଲେ ବିକ୍ରମଦେବ । ତଥାପି ସ୍ୱରରେ ତାଙ୍କର ଶାସକୋଚିତ ଗାମ୍ଭୀର୍ଯ୍ୟ ମୁକ୍ତି ଲାଭ କରୁଥିଲା–

 

‘‘କହନ୍ତୁ ସନ୍ନ୍ୟାସୀ ତ୍ରିକଳଦର୍ଶୀ ! କାହିଁକି ସେ ରାଜସିଂହାସନର ନିର୍ଦ୍ଦେଶପ୍ରତି ଅବମାନନା ପ୍ରକାଶ କରିଛନ୍ତି ?’’

 

ତ୍ରିକାଳଦର୍ଶୀଙ୍କର ସ୍ୱରରେ ବନବିହଙ୍ଗମର ଭୀତିହୀନ ଗୁଞ୍ଜନର ସୁସ୍ପଷ୍ଟ ସଙ୍କେତ–

 

‘‘ମୁଁ ସନ୍ନ୍ୟାସୀ, ସମ୍ରାଟ୍‌ ! ସଂସାରୀର ଲୋକାଚାରଠାରୁ ବହୁ ଦୂରରେ; କିନ୍ତୁ ସମ୍ରାଟ୍‌ଙ୍କର ଅନୁରୋଧରେ ମୁଁ ରାଜପୁରୀର ଅତିଥି; ତେଣୁ ରାଜାଦେଶର ଉଲ୍ଲଂଘନରେ ମୁଁ କିଛି ହେଲେ ବୈଚିତ୍ର୍ୟ ଅନୁଭବ କରୁ ନାହିଁ ।’’

 

ବିକ୍ରମଦେବଙ୍କର ସ୍ୱରରେ ଉଦ୍‌ବିଗ୍ନତାର ଆଭାସ–‘‘କିନ୍ତୁ ରାଜସିଂହାସନସମ୍ମୁଖରେ କାରଣ ପ୍ରଦର୍ଶନ କରିବାକୁ ହେବ ସନ୍ନ୍ୟାସୀ ! ନର୍ତ୍ତକୀର ନୂପୁରସହ ସନ୍ନ୍ୟାସୀ–ଜୀବନର କି ସମ୍ପର୍କ ବିଦ୍ୟମାନ ?’’

 

ବିଚାରକକ୍ଷର ସମବେତ ଦର୍ଶକମଣ୍ଡଳୀରେ ଏକ ଅସ୍ୱାଭାବିକ ଗୁଞ୍ଜରଣ ସୃଷ୍ଟି ହେଉଥିଲା ।

 

ମାତ୍ର ସନ୍ନ୍ୟାସୀଙ୍କର ମୁଖମଣ୍ଡଳରେ ଅପୂର୍ବ ପ୍ରଶାନ୍ତି ଓ ସ୍ୱରରେ ଦୃଢ଼ତାର ସୂଚନାରେ ପୁନଃ ପୁନଃ ଅଭିଭୂତ ହୋଇପଡ଼ୁଥିଲେ ଦର୍ଶକଗଣ–

 

‘‘ଶୁଣନ୍ତୁ ସମ୍ରାଟ୍‌, ସମଗ୍ର ଜୀବନରେ ସଂଯମକୁ ସମ୍ବଳ କରି ସାଧନାର ପିଚ୍ଛିଳ ପଥରେ ଅତି ଦୃଢ଼ତାର ସହିତ ମୁଁ ଅଗ୍ରସର ହୋଇଥିଲି; କିନ୍ତୁ ଈଶ୍ୱରାନୁଭୂତି ସୁଦୂରପରାହତ ଭାବି ଏହି ସାଧନା ପଥରୁ ବିଦାୟ ଗ୍ରହଣ କରିବାନିମିତ୍ତ ମୋର ପ୍ରାଣରେ ଏକ ଉଦ୍ଦାମ ପ୍ରବୃତ୍ତି ଜାଗ୍ରତ ହେଲା-। ମୁଁ ସ୍ଥିର କଲି–ଏହି ପଥରୁ ବିଦାୟ ଗ୍ରହଣ କରିବି ।

 

କିନ୍ତୁ ବାସବଦତ୍ତାଙ୍କ ସଂକଳ୍ପ ଓ ଭକ୍ତି ମୋର ସାଧନାର ନାଟକରେ ଆଉ ଏକ ଅଙ୍କ ସନ୍ନିବେଶ କଲା । ତାଙ୍କର କୋମଳ ପଦଯୁଗଳରୁ ରକ୍ତକ୍ଷରଣ ସତ୍ତ୍ୱେ ନିଜର ସଂକଳ୍ପର ପରିପୂର୍ଣ୍ଣତାନିମିତ୍ତ ଯୋଗିଜୀବନର ସମର୍ପଣାତ୍ମକ ଭାବୋଚ୍ଛ୍ୱାସରେ ଅନୁପ୍ରାଣିତ ହୋଇ ସେ ଯେପରି ଅଟଳ ରହିଲେ ମୁଁ ସେଥିରୁ ପ୍ରେରଣା ଲାଭ କଲି । ମୋର ସାଧନା–ଶିଥିଳ ଜୀବନ–ପ୍ରବାହରେ ତାଙ୍କର ଭକ୍ତି ଓ କାର୍ଯ୍ୟ ସୃଷ୍ଟି କଲା ବିଚିତ୍ର କଲ୍ଲୋଳ ଓ ବେପଥୁ । ଆତ୍ମବିସ୍ମୃତ ହୋଇ ମୁଁ ରାଜାଜ୍ଞ ଲଂଘନ କରିଛି । ସେଥିପାଇଁ ରାଜଦରବାରରେ ମୁଁ ଦଣ୍ଡପ୍ରାର୍ଥୀ ।’’

 

ସାକ୍ଷ୍ୟପ୍ରଦାନପାଇଁ ବିଚାରକକ୍ଷରେ ଉପବେଶନ କରିଥିବା ବାସବଦତ୍ତାଙ୍କ ଗମ୍ଭୀର ମୁଖମଣ୍ଡଳ ଲଜ୍ଜାରେ ଆରକ୍ତ ହୋଇଉଠୁଥିଲା ।

 

ଏଥର ସିଂହାସନସମକ୍ଷକୁ ଅଣାଗଲା ଉଦୟଭାନୁ । ସମ୍ରାଟ୍‌ ବିକ୍ରମଦେବଙ୍କର ମୁଖମଣ୍ଡଳରେ ପରିଦୃଷ୍ଟ ହେଉଥିଲା ଅପୂର୍ବ ଔତ୍ସୁକ୍ୟ ।

 

‘‘ଏବେ କହନ୍ତୁ ଉଦୟଭାନୁ, ନିଜର ଜ୍ଞାତସାରରେ ନର୍ତ୍ତକୀ ବାସବଦତ୍ତାଙ୍କ ଗଳାରେ ତାଙ୍କର ବହୁମୂଲ୍ୟ ରତ୍ନହାର ଲମ୍ବାଇଦେଇ ସେ କାହିଁକି ରାଜାଦେଶ ଲଂଘନ କରିଛନ୍ତି ?’’

 

ଉଦୟଭାନୁଙ୍କର ସ୍ୱର ଶାନ୍ତ ଓ ସୁସ୍ପଷ୍ଟ–

 

‘‘ଯୌବନର କେତେକ ଆବେଗଚଞ୍ଚଳ ମୁହୂର୍ତ୍ତର ଅସ୍ୱାଭାବିକ ପ୍ରତିକ୍ରିୟାରେ ଉନ୍ମତ୍ତ ହୋଇଉଠି ରାଜସିଂହାସନର ମୋହରେ ପିତୃହତ୍ୟା କରିବାର ଏକ ସଂକଳ୍ପ ମୋଭିତରେ ଦୃଢ଼ୀଭୂତ ହୋଇଉଠିବା ମୁହୂର୍ତ୍ତରେ ଓ ପାଶବିକ ଉନ୍ମତ୍ତତାରେ ମୁଁ ବୁଦ୍ଧିଭ୍ରଷ୍ଟ ହେଲାବେଳେ ରକ୍ତସ୍ରାବପ୍ରତି ଭ୍ରୂକ୍ଷେପ ନ କରି ଓ ନିଜର ସଂକଳ୍ପରେ ଅବିଚଳିତ ରହି ମୋତେ ପ୍ରତୀକ୍ଷା କରିବାନିମିତ୍ତ ଧୈର୍ଯ୍ୟ ଓ ପ୍ରେରଣା ପ୍ରଦାନ କଲେ ବାସବଦତ୍ତା । ମୋର ଆବେଗ-ଚଞ୍ଚଳ ପ୍ରାଣ ପ୍ରଶାନ୍ତିର ପୁଲକସ୍ପର୍ଶରେ ମହିମାନ୍ୱିତ ହୋଇଉଠିଲା । ପରିଣାମତଃ ମୋର ପ୍ରାଣର ଦେବତ୍ୱନିକଟରେ ପାଶବିକତା ଆତ୍ମସମର୍ପଣ କଲା । ଫଳତଃ ଏକ ଅନିର୍ବଚନୀୟ ଆନନ୍ଦରେ ଉଦ୍‌ବୁଦ୍ଧ ହେଇ ମୁଁ ବାସବଦତ୍ତାଙ୍କ ଗଳାରେ ମୋର କଣ୍ଠହାରଟିକୁ ଲମ୍ବାଇଦେଇଛି ।’’

 

ବାସବଦତ୍ତାଙ୍କର ଚକ୍ଷୁଚତ୍ୱରରେ ଏକ ବିଚିତ୍ର କୌତୂହଳର ସଂକେତ ଆତ୍ମପ୍ରକାଶ ଲାଭ କରୁଥିଲା ।

 

ଏ ଥର ସିଂହାସନର ସନ୍ନିକଟବର୍ତ୍ତିନୀ ହେଲେ ପ୍ରଳମ୍ବିକା । ତାଙ୍କର ରକ୍ତାଭ ସ୍ୱର୍ଣ୍ଣଗୌର ମୁଖଶ୍ରୀରେ ଏକ ବିଚିତ୍ର ସାଫଲ୍ୟର ସ୍ୱାକ୍ଷର; ମାତ୍ର ବିକ୍ରମଦେବଙ୍କର କଣ୍ଠସ୍ୱରରେ ପୂର୍ବ ଗାମ୍ଭୀର୍ଯ୍ୟ ପରିଲକ୍ଷିତ ହେଉ ନ ଥିଲା । ଅପରିକଳ୍ପିତ ଘଟଣାପ୍ରବାହର ଘାତ–ପ୍ରତିଘାତରେ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇଉଠୁଥିଲେ ।

 

‘‘ରାଜକୁମାରୀ ତାଙ୍କର ବକ୍ତବ୍ୟ ଉପସ୍ଥାପିତ କରନ୍ତୁ ।’’

 

ରାଜକୁମାରୀଙ୍କର ସ୍ୱରରେ ବନନିର୍ଝରିଣୀର ମାଦକତାମୟ ମର୍ମର–

 

‘‘ଶୁଣନ୍ତୁ ସମ୍ରାଟ୍‌, ପ୍ରଳମ୍ବିକା ପିତାଙ୍କଠାରୁ ପତିନିର୍ବାଚନନିମିତ୍ତ ଅନୁମତି ପ୍ରାପ୍ତ ହୋଇ ଯେଉଁ ପ୍ରସ୍ତାବ ବାରମ୍ବାର ପିତାଙ୍କନିକଟରେ ଉପସ୍ଥାପିତ କଲେ, ତାହା ହୃଦୟହୀନଭାବରେ ପ୍ରତ୍ୟାଖ୍ୟାତ ହେଲା; ଫଳରେ ସ୍ୱୀୟ ହୀରକ ଅଙ୍ଗୁରୀୟକୁ ଚୁମ୍ବନ କରି ମୃତ୍ୟୁ ବରଣ କରିବାକୁ ସେ ସ୍ଥିର କରୁଥିଲେ; ମାତ୍ର ବାସବଦତ୍ତାଙ୍କର ସମର୍ପିତ ପ୍ରାଣର ସଂକଳ୍ପନିବଦ୍ଧ ସ୍ୱରରେ ସେ ଯେଉଁ ବାର୍ତ୍ତା ଶ୍ରବଣ କଲେ ଓ ଜୀବନରେ ତା’ର ଯେଉଁ ଆଭ୍ରାନ୍ତ ପରିପ୍ରକାଶ ସେ ଲକ୍ଷ୍ୟ କଲେ, ତାହା ତାଙ୍କର ଜୀବନର ଦିଗ୍‌ଦର୍ଶନକୁ ଆଉ ଏକ ସମୁଜ୍ଜ୍ୱଳ ଆଭିମୁଖ୍ୟ ପ୍ରଦାନ କଲା । ତେଣୁ ତାଙ୍କର ହୀରକ ଅଙ୍ଗୁରୀୟଟିକୁ ସେ ତାଙ୍କର ପ୍ରାଣରକ୍ଷାକାରିଣୀ ବାସବଦତ୍ତାଙ୍କୁ ପ୍ରଦାନ କରିଛନ୍ତି ।’’

 

ବାସବଦତ୍ତାଙ୍କର ମୁଖମଣ୍ଡଳରେ ଉଦ୍ଭାସିତ ହୋଇଉଠିଲା ଏକ ଦିବ୍ୟଶ୍ରୀର ଦୀପ୍ତି ।

 

କିନ୍ତୁ ବିକ୍ରମଦେବଙ୍କର ଦୃଷ୍ଟିର ଶୂନ୍ୟ ପରିଧିରେ କେବଳ ପରିଦୃଷ୍ଟ ହେଉଥିଲା ପୂଜକର ସମୁଜ୍ଜ୍ୱଳ ଆରତୀଶିଖାରେ ଭାସ୍ୱର ହୋଇଉଠୁଥିବା ସମ୍ମୁଖସ୍ଥ ମନ୍ଦିରର ରାଧା–ମାଧବଙ୍କର ମୁଖମଣ୍ଡଳ । ସେହି ମନ୍ଦିରସଂଲଗ୍ନ ମଣ୍ଡପରେ ଗୋଟିଏ ନର୍ତ୍ତକୀର ନୂପୁର–ନିକ୍ୱଣ କେତୋଟି ଜୀବନଚକ୍ରରେ ଯେଉଁ ନାଟକୀୟ ପରିବର୍ତ୍ତନ ସୃଷ୍ଟି କରିଛି ତାକୁ ହୃଦୟଙ୍ଗମ କରିବାକୁ ଅସମର୍ଥ ହେଉଥିଲେ ବିକ୍ରମଦେବ । ତାଙ୍କର ପ୍ରୌଢ଼ଜନୋଚିତ ସୂକ୍ଷ୍ମାତିସୂକ୍ଷ୍ମ ଚିନ୍ତାଧାରା ମାଧ୍ୟମରେ ବି ଏହି ସମସ୍ୟାର ସମାଧାନପାଇଁ ସେ ପ୍ରୟାସୀ ହୋଇପାରୁ ନ ଥିଲେ ।

 

ରଜା ବିକ୍ରମଦେବ ଦଣ୍ଡାୟମାନ ହେଲେ । ସହସ୍ର ସହସ୍ର ଦର୍ଶକଙ୍କର ଚକ୍ଷୁରେ ଉଦ୍‌ବେଗ ଓ ଉତ୍କଣ୍ଠାର ସଙ୍କେତ ସୁସ୍ପଷ୍ଟ ହୋଇଉଠୁଥିଲା ।

 

କିନ୍ତୁ ବିକ୍ରମଦେବଙ୍କର ଗମ୍ଭୀର ମୁଖମଣ୍ଡଳରେ ସଞ୍ଚରିଯାଉଥିଲା ଏକ ପ୍ରହେଳିକାତ୍ମକ ସ୍ମିତହାସ୍ୟର ଝଲକ। ତାଙ୍କର କଣ୍ଠ ସୁସ୍ପଷ୍ଟ–

 

‘‘ରାଜଗୁରୁ, ରାଜପୁତ୍ର ଓ ରାଜକନ୍ୟା ଯେଉଁ ରାଜାଦେଶକୁ ଲଂଘନ କରି ବାସବଦତ୍ତାଙ୍କ ମହାନ୍‌ ବ୍ୟକ୍ତିତ୍ୱର ବନ୍ଦନା କରିଛନ୍ତି, ରାଜା ନିଜେ ସେହି ରାଜାଦେଶକୁ ଲଂଘନ କରି କାଲି ରାତ୍ରିର ସେହି ନୃତ୍ୟନିମିତ୍ତ ସେହି ସଫଳ ଶିଳ୍ପୀଙ୍କୁ ଅଭିନନ୍ଦନ ଜଣାଉଅଛନ୍ତି ।’’

 

ଏହା କହୁ କହୁ ରାଜା ବିକ୍ରମଦେବ ତାଙ୍କ କଣ୍ଠର ମଣିମାଣିକ୍ୟବିଜଡ଼ିତ ହୀରକବିଖଚିତ ହାରକୁ ବାସବଦତ୍ତାଙ୍କର ଗ୍ରୀବାଦେଶରେ ଝୁଲାଇଦେଲେ ।

 

ଘଣ୍ଟାର ଗୁରୁଗମ୍ଭୀର ଧ୍ୱନି ରାଜଦରବାରର ଉଦ୍‌ଯାପନପର୍ବ ଘୋଷଣା କରୁଥିଲା ।

☆☆☆

 

ସମ୍ରାଟ୍‌ ଓ ସଙ୍ଗୀତଜ୍ଞ

 

ମୋଗଲ ରାଜୋଦ୍ୟାନର ଶ୍ରୀସମୂହକୁ ଅପଲକଚକ୍ଷୁରେ ନିରୀକ୍ଷଣ କରୁଛି ଶାରଦୀୟ ଶୁକ୍ଳ ଦ୍ୱାଦଶୀର ଶୁଭ୍ର–ସୁନ୍ଦର ଚନ୍ଦ୍ର ।

 

ତାନ୍‌ସେନ୍‌ଙ୍କର ଉଦାତ୍ତ କଣ୍ଠସଙ୍ଗୀତରେ ମୋଗଲ ରାଜୋଦ୍ୟାନ ମାଦକତାମୟ ହୋଇଉଠିଛି ।

 

ସମ୍ରାଟ୍‌ ଆକବର ନୀରବତା ଭଙ୍ଗ କଲେ–‘‘ତାନ୍‌ସେନ୍‌, ଏହି ସ୍ୱର କ’ଣ ତୁମେ ତୁମର ସେହି ଗୁରୁ ହରିଦାସଙ୍କଠାରୁ ଶିକ୍ଷା କରିଥିଲ ?’’

 

ଅତି ସମର୍ପଣରେ ଉତ୍ତର ଦେଲେ ତାନ୍‌ସେନ୍‌–‘‘ହଁ ସମ୍ରାଟ, ସଙ୍ଗୀତଶାସ୍ତ୍ରରେ ମୋର ସମସ୍ତ ବ୍ୟୁତ୍ପତ୍ତିର ଅନ୍ତରାଳରେ ସେହି ଗୁରୁଙ୍କର ନିର୍ଦ୍ଦେଶ ଓ ଆଶୀର୍ବାଦ ହିଁ ନିହିତ । ଘନ ବନସ୍ପତିସମାକୀର୍ଣ୍ଣ ଯମୁନାର କାକକୃଷ୍ଣ ବାରିରାଶି ଯେତେବେଳେ ଏହିଭଳି ବହୁ ଶୁକ୍ଳରାତ୍ରିର ଜ୍ୟୋତ୍ସ୍ନାସମ୍ପାତରେ ସ୍ୱପ୍ନ-ସୁନ୍ଦର ହୋଇଉଠେ, ଗୁରୁଙ୍କର ପଦତଳେ ବସି ଏହି ସ୍ୱରଶିକ୍ଷାନିମିତ୍ତ ମୁଁ ବହୁ ବିନିଦ୍ର ରଜନୀ ଯାପନ କରିଛି ।

 

ସମ୍ରାଟ୍‌ ଆକବର ଏକ ଦୀର୍ଘଶ୍ୱାସ ତ୍ୟାଗ କଲେ । ତାନ୍‌ସେନ୍‌ଙ୍କର କଣ୍ଠ ମଧ୍ୟ ଅସ୍ୱାଭାବିକ ଗମ୍ଭୀର ହୋଇଉଠୁଥିଲା–‘‘ସମ୍ରାଟ୍‌ !’’

 

‘‘ମୋଗଲ ସାମ୍ରାଜ୍ୟର ଶ୍ରୀ, ଶକ୍ତି ଓ ଶୌର୍ଯ୍ୟ ତାହା ହେଲେ ଜଣେ ସାମାନ୍ୟ ସଙ୍ଗୀତଜ୍ଞଙ୍କୁ ମଧ୍ୟ ଆକର୍ଷଣ କରିପାରିଲା ନାହିଁ ?’’ –ଆକବର ଯେପରି ହତାଶରେ ଭାଙ୍ଗିପଡ଼ୁଥିଲେ ।

 

ଆଶ୍ଚର୍ଯ୍ୟ ହେଲେ ତାନ୍‌ସେନ୍‌ । ବିଳାସ–ବିଭୂତି–ଏଶ୍ୱର୍ଯ୍ୟ ତଥା ଶକ୍ତି–ସମ୍ପଦ–ସାଫଲ୍ୟର ଶୀର୍ଷ ସୋପାନରେ ସମାରୂଢ଼ ସମ୍ରାଟ୍‌ ଆକବର ଜଣେ ସଙ୍ଗୀତଜ୍ଞଙ୍କର ଉପସ୍ଥିତି ନିମିତ୍ତ ଏପରି ବ୍ୟାକୁଳ ଓ ବିକଳ ହୋଇଉଠୁଛନ୍ତି କାହିଁକି ? ଆକବରଙ୍କର ବୈଚିତ୍ର୍ୟମୟ ବ୍ୟକ୍ତିତ୍ୱ ତାନ୍‌ସେନ୍‌ଙ୍କ ନିକଟରେ ପ୍ରହେଳିକାମୟ ହୋଇଉଠୁଥିଲା ।

 

ଅତି ସମର୍ପଣରେ ପୁଣି ନୀରବତା ଭଙ୍ଗ କଲେ ତାନ୍‌ସେନ୍‌–‘‘ସମ୍ରାଟ୍‌, ଯେଉଁ ସଙ୍ଗୀତ ଶକ୍ତି–ସମ୍ପଦର ମୋହକୁ ଓ ମହାନୁଭାବ ସମ୍ରାଟ୍‌ଙ୍କର ନିମନ୍ତ୍ରଣକୁ ମଧ୍ୟ ବିନୟର ସହିତ ପ୍ରତ୍ୟାଖ୍ୟାନ କରନ୍ତି ସେ ସାଧାରଣ ସଙ୍ଗୀତଜ୍ଞ ହେଲେ କିପରି ?’’

 

ସମ୍ରାଟ୍‌ ଆକବରଙ୍କର କଣ୍ଠରେ ରୁକ୍ଷତା ସୁପରିସ୍ଫୁଟ ହୋଇ ଉଠୁଥିଲା–‘‘ତାହା ହେଲେ ସେହି ସଙ୍ଗୀତଜ୍ଞଙ୍କୁ ମୋଗଲ ରାଜଦରବାରରେ ଉପସ୍ଥିତ କରାଇବାନିମିତ୍ତ ମୋଗଲ ସେନାବାହିନୀକୁ ନିୟୋଜିତ କରାଯାଉ ।’’ ଏହା କହୁ କହୁ ଦ୍ରୁତଗତିରେ ପଦଚାରଣ କରିବାକୁ ଲାଗିଲେ ସମ୍ରାଟ୍‌ ଆକବର ।

 

ଏପର୍ଯ୍ୟନ୍ତ ନୀରବରେ ବସିଥିବା ବୀରବଲ କହିଲେ, ‘‘ମୋର ଏକ ନିବେଦନ ଅଛି ସମ୍ରାଟ୍‌ ! ଏଣିକି ରାଜୋଦ୍ୟାନର ଯେଉଁ ବଲ୍ଲରୀବନସ୍ପତିସମୂହ ପୁଷ୍ପିତ ହେବାନିମିତ୍ତ ବିଳମ୍ବ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ମଧ୍ୟ ମୋଗଲ ସେନାବାହିନୀକୁ ନିୟୋଜିତ କରାଯାଉ ।’’

 

‘‘ଏହା କ’ଣ ସମ୍ଭବ ହୋଇପାରେ ବୀରବଲ ? ମୋଗଲ ସେନାବାହିନୀର ତରବାରୀର ନିର୍ଦ୍ଦେଶ ମାନି ରାଜୋଦ୍ୟାନର ବୃକ୍ଷଲତା କ’ଣ ପୁଷ୍ପିତ ହେବେ ?’’ ଆକବରଙ୍କର କ୍ଷିପ୍ର ପଦଚାରଣରେ ଶିଥିଳତା ସୃଷ୍ଟି ହେଉଥିଲା । ସେ ନିଜର ତ୍ରୁଟି ଉପଲବ୍‌ଧି କରୁଥିଲେ ।

 

‘‘ଠିକ୍‌ ସେହିପରି ସମ୍ରାଟ, ଶିଳ୍ପୀର ତୂଳୀ, କବିର କଳ୍ପନା, ସଙ୍ଗୀତଜ୍ଞଙ୍କର ବୀଣାକୁ କ’ଣ ସାମରିକ ଶକ୍ତିଦ୍ୱାରା ଶାସନ କରାହୁଏ ? ନିମିତ୍ତ ବ୍ୟାକୁଳ, ତେବେ......’’ ଆକବରଙ୍କର କୁଞ୍ଚିତ କପାଳ ଏବଂ ଅପଲକଚକ୍ଷୁର ଶାଣିତ ଦୃଷ୍ଟିକୁ ଅବଲୋକନ କରି ବୀରବଲଙ୍କର କଣ୍ଠସ୍ୱର ଆପେ ଆପେ ନୀରବ ହୋଇଆସୁଥିଲା ।

 

ଆକବରଙ୍କର ସ୍ୱରରେ କିନ୍ତୁ ପରିସ୍ଫୁଟ ହେଉଥିଲା ଉଦ୍‌ବିଗ୍ନତା–‘‘ବୀରବଲ, ତୁମର ବାକ୍ୟ ଅସମ୍ପୂର୍ଣ୍ଣ କାହିଁକି ? ତାନ୍‌ସେନ୍‌ଙ୍କର ସଙ୍ଗୀତ ରଣକ୍ଳାନ୍ତ ଆକବରର ଜୀବନରେ ଅପୂର୍ବ ପ୍ରାଣସ୍ପନ୍ଦନ ସୃଷ୍ଟି କରେ । ଜୀବନର ସକଳ ଶ୍ରାନ୍ତି–କ୍ଳାନ୍ତିକୁ ସେହି ସଙ୍ଗୀତଶ୍ରବଣରେ ବିସ୍ମୃତ ହୋଇ ସେ ପୁଣି ତା’ର ଜୀବନପଥର ପାଥେୟ ସନ୍ଧାନ କରେ । ଚିତୋର–ବିଜୟ ଆକବରକୁ ଯେତିକି ବିଜୟ–ମଦମତ୍ତ କରେ, ତାନ୍‌ସେନ୍‌ଙ୍କର ସଙ୍ଗୀତ ତାହା ଅପେକ୍ଷା ତାକୁ କମ୍‌ ଅଭିଭୂତ କରେ ନାହିଁ-। ତେଣୁ ତାନ୍‌ସେନ୍‌ଙ୍କର ଗୁରୁଙ୍କର ସଙ୍ଗୀତଶ୍ରବଣନିମିତ୍ତ ତୁମର ଯେ କୌଣସି ପ୍ରସ୍ତାବ ଆକବରର ଅଭିନନ୍ଦନୀୟ ।’’

 

ପ୍ରଗଲ୍‌ଭ ବୀରବରଙ୍କ କଣ୍ଠରେ ସ୍ୱାଭାବିକତା ପରିଲକ୍ଷିତ ହେଉଥିଲା–‘‘ତେଣୁ ତାନ୍‌ସେନ୍‌ଙ୍କ ସହ ମୋଗଲସମ୍ରାଟ୍‌ ସ୍ୱୀୟ ଆଭିଜାତ୍ୟ ଆଡ଼ମ୍ବର ବିସ୍ମୃତ ହୋଇ ସେହି ସଙ୍ଗୀତ–ସମ୍ରାଟ୍‌ଙ୍କର କୁଟୀରରେ ଉପସ୍ଥିତ ହୁଅନ୍ତି।’’

 

‘‘ସାଧୁ, ସାଧୁ ତୁମର ପ୍ରସ୍ତାବ ବୀରବଲ ! ଆକବର ଲୌକିକତା ଅପେକ୍ଷା ତା’ର ପ୍ରାଣର ଆବେଗକୁ ଅଧିକତର ସମ୍ମାନ ପ୍ରଦାନ କରେ ।’’ –କହୁ କହୁ ଆକବର ରାଜୋଦ୍ୟାନରୁ ନିଷ୍କ୍ରାନ୍ତ ହୋଇଗଲେ ।

 

X X X

 

ସ୍ୱଚ୍ଛସଲୀଳା ଯମୁନା କିଶୋରୀସୁଲଭ ଆବେଗରେ ସ୍ପନ୍ଦିତ ହୋଇ ଅଭିନନ୍ଦନ କରୁଛି ପୂର୍ବାହ୍‌ଣର ସୂର୍ଯ୍ୟକୁ। ଅଶ୍ୱପୃଷ୍ଠରୁ ଅବତରଣ କରି ଧୀରମନ୍ଥର ଗତିରେ ଅଗ୍ରସର ହେବାକୁ ଲାଗିଲେ ଆକବର । ପରିଚ୍ଛଦ ପରିପାଟୀବିହୀନ । ତାଙ୍କର ମସ୍ତକସ୍ଥ ଚନ୍ଦନବିନ୍ଦୁ ଦେଖିଲେ ମନେ ହୁଏ ସେ ଯେପରି ଏକ ତୀର୍ଥଯାତ୍ରୀ । ପଶ୍ଚାଦ୍ଦେଶରେ ଅନୁଧାବନ କରୁଛନ୍ତି ତାନ୍‌ସେନ୍‌ ।

 

ଛାୟା–ସୁଶୀତଳ ବନମଲ୍ଲୀ–ସୁଗନ୍ଧିତ ବନବୀଥିମଧ୍ୟରେ ପ୍ରକୃତି ସୃଷ୍ଟି ଶ୍ୟାମ–ସବୁଜ–ତୋରଣ, ଲାସ୍ୟମୟୀ ହରିଣୀର ଛନ୍ଦଚପଳ ଅବାଧଗତି, ତା’ର ବିସ୍ମୟ–ବିଲେପିତ ଚକ୍ଷୁର ଚପଳକଟାକ୍ଷ, ମାଦକତାମୟ ବିହଙ୍ଗମ–କଣ୍ଠର ସାବଲୀଳ ଧ୍ୱନି ଆକବରଙ୍କର ମାନସରାଜ୍ୟରେ ଏକ ଚମକ ସୃଷ୍ଟି କରୁଥିଲା । ସେ ଉପଲବ୍‌ଧି କରୁଥିଲେ ରାଜକୀୟ ଜୀବନର ସକଳ ମାନ–ସଂଭ୍ରମ ଅଭିଯାନ–ଆଡ଼ମ୍ବରର ନିଷ୍ଫଳତା ।

 

ମସ୍ତକରେ ରାଜମୁକୁଟ ନାହିଁ । ଦେହରେ ବହୁମୂଲ୍ୟ ରାଜପରିଚ୍ଛଦ ନାହିଁ । ସଙ୍ଗରେ ଅନୁଚର ଦେହରକ୍ଷୀ ନାହାନ୍ତି । ସମୃଦ୍ଧ ରାଜଦରବାରର ଆଭିଜାତ୍ୟ ନାହିଁ । ଲାସ୍ୟମୟୀ ତରୁଣୀର ନୂପୁର–ଶିଞ୍ଜନ ନାହିଁ ବା ଚାଟୁକାରଦଳଙ୍କର ତୋଷାମଦପୂର୍ଣ୍ଣ ବାଣୀ ନାହିଁ । ତଥାପି ଏକ ଅପୂର୍ବ ଉଲ୍ଲାସରେ ପ୍ରାଣ ତାଙ୍କର ସ୍ପନ୍ଦିତ ହୋଇଉଠୁଥିଲା ।

 

ପକ୍ଷୀର ପକ୍ଷସଂଚାଳନଜନିତ ବାୟୁର ଆଘାତରେ ବନମାଳତୀର ପୁଷ୍ପସ୍ତବକରୁ ବୃନ୍ତଚ୍ୟୁତ କଳି ଯେପରି ମୋଗଲ ସମ୍ରାଟ୍‌ଙ୍କୁ ସାଦର ଅଭିନନ୍ଦନ କରୁଥିଲା ।

 

ସେମାନେ ଏକ କୁଟୀରର ସମୀପବର୍ତ୍ତୀ ହେଉଥିଲେ । ସମ୍ମୁଖରେ ପୁଷ୍ପିତ ବଲ୍ଲରୀ ତୋରଣ ନିର୍ମାଣ କରିଛି । ଏକ ବିଶାଳ ସୁଚିକ୍‌କଣ ପ୍ରସ୍ତରଖଣ୍ଡ ନିଜର କାୟା ବିସ୍ତାର କରି ଚତ୍ୱରର ଭ୍ରାନ୍ତି ସୃଷ୍ଟି କରୁଛି । କୁଟୀରର ଦ୍ୱାରଦେଶରେ ଏକ ଶୁଭ୍ରକାୟ ବୃଦ୍ଧ ସମୀସୀନ । କେଶଗୁଚ୍ଛ ଶୁକ୍ଳ । ମୁଖମଣ୍ଡଳରେ ଅପୂର୍ବ ପ୍ରଶାନ୍ତି । ଚକ୍ଷୁ ଯମୁନାର କାକକୃଷ୍ଣ ଜଳରାଶି ଉପରେ ନିବଦ୍ଧ । ଘାତପ୍ରତିଘାତମୟ ମାନବଜୀବନର ଝଡ଼ଝଞ୍ଜା ଯେପରି କି କେବେ ହେଲେ ସେ ପ୍ରାଣରେ ଗୋଟିଏ ମୁହୂର୍ତ୍ତନିମିତ୍ତ ଚାଞ୍ଚଲ୍ୟ ସୃଷ୍ଟି କରିନି । ସାଷ୍ଟାଙ୍ଗ ପ୍ରଣିପାତ କଲେ ତାନ୍‌ସେନ୍‌ । ବୃଦ୍ଧଙ୍କର ଧ୍ୟାନ ଭଙ୍ଗ ହେଲା ।

 

‘‘କିଏ ? ତାନ୍‌ସେନ୍‌ !’’ ସ୍ୱରରେ ଶିଶୁସୁଲଭ ମିଷ୍ଟତା । ବୃଦ୍ଧଙ୍କର ଧ୍ୟାନଗମ୍ଭୀର ମୁଖମଣ୍ଡଳ ଏକ ସ୍ୱର୍ଗୀୟ ସ୍ନେହରସାଣିତ ସ୍ମିତହାସ୍ୟର ସମୁଜ୍ଜ୍ୱଳ ଦୀପ୍ତିରେ ଭାସ୍ୱର ହୋଇଉଠୁଥିଲା-

 

ତାଙ୍କର ସମୁତ୍‌ଥିତ ଭ୍ରୂଯୁଗଳ ତାନ୍‌ସେନ୍‌ଙ୍କର ବନ୍ଧୁଙ୍କର ପରିଚୟ ଜିଜ୍ଞାସା କରୁଥିଲା ।

 

ତାନ୍‌ସେନ୍‌ ଗୁରୁଙ୍କର ପଦଧୂଳି ସ୍ୱୀୟ ମସ୍ତକରେ ଗ୍ରହଣ କରୁ କରୁ ଉତ୍ତର ଦେଲେ–‘‘ମହାମହିମ ମୋଗଲସମ୍ରାଟ୍‌ ଆକବର ଆପଣଙ୍କ କଣ୍ଠନିଃସୃତ ସଙ୍ଗୀତ ଶ୍ରବଣ କରିବାନିମିତ୍ତ ଆପଣଙ୍କର ଦ୍ୱାରସ୍ଥ ।’’

 

ବୃଦ୍ଧଙ୍କର ମୁଖମଣ୍ଡଳରେ ଏକ ସଲଜ୍ଜଭାବ ପ୍ରସରିଗଲା । ନିଜେ ଦଣ୍ଡାୟମାନ ହୋଇ ଏକ ଶିଳାସନରେ ଉପବେଶନ କରିବାନିମନ୍ତେ ସେ ଆକବରଙ୍କୁ ନିବେଦନ କଲେ ।

 

ଆକବରଙ୍କର କଣ୍ଠରେ ଆବେଗ ପରିଲକ୍ଷିତ ହେଉଥିଲା–‘‘ମହାଶୟ, ତାନ୍‌ସେନ୍‌ଙ୍କଠାରୁ ଆପଣଙ୍କର ପରିଚୟ ଲାଭ କରି ଥରେ ମାତ୍ର ଆପଣଙ୍କର ସଙ୍ଗୀତ ଶ୍ରବଣ କରିବାର ସୌଭାଗ୍ୟ ଲାଭପାଇଁ ମୁଁ ଆପଣଙ୍କର ଅତିଥି ।’’

 

ବୃଦ୍ଧ ସଙ୍ଗୀତଜ୍ଞଙ୍କର କଣ୍ଠତଟ ମଧ୍ୟ ଆବେଗର ଆତିଶଯ୍ୟରେ ଥରିଉଠୁଥିଲା–‘‘ଏହି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ–ସୃଷ୍ଟିର ଅନ୍ତରାଳରେ ଅଣୁ–ପରମାଣୁଠାରୁ ଆରମ୍ଭ କରି ଗ୍ରହ–ନକ୍ଷତ୍ରପୁଞ୍ଜପର୍ଯ୍ୟନ୍ତ ସମସ୍ତେ ହିଁ ଏକ ସଙ୍ଗୀତଗାନରେ ଆତ୍ମବିସ୍ମୃତ । ଥରେ ପ୍ରାଣ କେନ୍ଦ୍ରୀଭୂତ ହେଲେ ଓ ଚିତ୍ତବୃତ୍ତି ଥରେ ସେହି ସଙ୍ଗୀତର ବିମୋହନ ଝଂକାରରେ ଝଙ୍କୃତ ହୋଇଉଠିଲେ ପ୍ରାଣ ଯେଉଁ ଆନନ୍ଦରେ ଉଦ୍‌ବୁଦ୍ଧ ହୋଇଉଠେ, ତାହା ପୃଥିବୀର ସର୍ବଶ୍ରେଷ୍ଠ ବିଭବମୟ ରାଜପ୍ରସାଦର ସର୍ବୋତ୍ତମ ରତ୍ନଭଣ୍ଡାରଠାରୁ ଅଧିକ ମୂଲ୍ୟବାନ୍‌ ସମ୍ରାଟ୍‌ !’’

 

ସେହି ମହାମହିମ ସଙ୍ଗୀତବିଶାରଦଙ୍କ ପ୍ରତିଟି ଶବ୍ଦର ଆବେଗଉଦ୍ଦୀପିତ ତଥା ଗୁରୁଗମ୍ଭୀର ଉଚ୍ଚାରଣର ଅନ୍ତରାଳରେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱର ମହନୀୟତା ଓ କଣ୍ଠସ୍ୱରର ଅପୂର୍ବ ଲାଳିତ୍ୟ ଯେପରି ଆତ୍ମପ୍ରକାଶ ଲାଭ କରୁଥିଲା, ସେଥିରେ ସମ୍ରାଟ୍‌ଙ୍କ ପ୍ରାଣ କେଉଁ ଭାବାବେଗରେ ଆତିଶଯ୍ୟରେ ଯେପରି ଉତ୍‌ଥଳ ହୋଇଉଠୁଥିଲା ।

 

ସ୍ୱୀୟ ରାଜକୀୟ ଆତ୍ମସମ୍ମାନ ବିସ୍ମୃତ ହୋଇ ସେହି ବୃଦ୍ଧଙ୍କର ପାଦ ସ୍ପର୍ଶ କରି ପ୍ରଣାମ କଲେ ଆକବର ।

 

‘‘ଏ ବୃଦ୍ଧଠାରୁ ସମ୍ରାଟ୍‌ କ’ଣ ପ୍ରତ୍ୟାଶା କରନ୍ତି ତାନ୍‌ସେନ୍‌ ?’’ –ବୃଦ୍ଧଙ୍କର ସ୍ୱରରେ ବିନୟର ସଂକେତ ।

 

‘‘ବୀଣା–ନିକ୍ୱଣର ତାଳେ ତାଳେ ଆପଣଙ୍କର କଣ୍ଠର ରାଗିଣୀ ଶ୍ରବଣ କରି ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।’’

 

‘‘ଏ ବୃଦ୍ଧ କେବେ ହେଲେ ଆପଣଙ୍କୁ ନିରାଶ କରିବ ନାହିଁ ସମ୍ରାଟ୍‌ ! କେବଳ ବଣର କେତୋଟି ଫଳପୁଷ୍ପରେ ଆପଣଙ୍କୁ ପରିତୁଷ୍ଟ କରିସାରିଲେ ସେ ଆପଣଙ୍କୁ ତା’ର ସଙ୍ଗୀତ ଶୁଣାଇ ନିଜକୁ ଧନ୍ୟ ମନେ କରିବ ।’’

 

X X X

 

ବୃଦ୍ଧଙ୍କର ଶିଥିଳ ହସ୍ତର ଅଙ୍ଗୁଳିରେ ସଞ୍ଚରିଯାଉଥିଲା ଅପୂର୍ବ ଚାଞ୍ଚଲ୍ୟ । ଅର୍ଦ୍ଧନିମୀଳିତ ଚକ୍ଷୁଯୁଗଳ ସଂଧ୍ୟାକ୍ଳାନ୍ତ ଶତଦଳସଦୃଶ ପୂର୍ଣ୍ଣନିମୀଳିତ । ମୁଖମଣ୍ଡଳରେ ପ୍ରଶାନ୍ତ ଆକାଶର ପ୍ରଦୀପ୍ତି ଭାସ୍ୱର ହୋଇଉଠୁଥିଲା । ସେହି ଶିଥିଳ ଶରୀରର ଏକ ଯୌବନୋଚିତ ଆବେଗ ଉନ୍ମାଦନାରେ ଯେପରି ଉତ୍‌ଥଳ ହୋଇଉଠୁଥିଲା ।

 

ଧୀରେ-ଧୀରେ ଆବେଗଚଞ୍ଚଳ ଆକବରଙ୍କୁ ପ୍ରତୀତ ହେଉଥିଲା ବୃଦ୍ଧଙ୍କର ସେହି ବାଣୀ–ନିକ୍ୱଣରୁ ଯେଉଁ ବେଦଗାଥାର ସାମମନ୍ତ୍ରର ଉଦାତ୍ତ ଧ୍ୱନି ଝରିପଡ଼ୁଛି ତାହା ତାଙ୍କୁ ଯେପରି କେଉଁ ଏକ କଳ୍ପିତ ସ୍ୱପ୍ନପୁରୀର କଳ୍ପନାବିଳାସ ମଧ୍ୟରେ ନିମଜ୍ଜିତ କରିଦେଇଛି । ତାଙ୍କୁ ପ୍ରତୀତ ହେଲା, ସେ ଯେପରି କି ଦେହୀ ମନୁଷ୍ୟ ନୁହନ୍ତି–ସେ ଏକ ସ୍ୱପ୍ନପୁରୀର ବିଦ୍ରୋହୀ ଆତ୍ମା ।

 

ଧୀରେ-ଧୀରେ ବୀଣାର ସ୍ୱରମୂର୍ଚ୍ଛନାର ଚଞ୍ଚଳତା ବୃଦ୍ଧି ସଙ୍ଗେ ସଙ୍ଗେ ଆକବର ଆତ୍ମବିସ୍ମୃତ ହୋଇଉଠୁଥିଲେ । ମନେ ହେଉଥିଲା ସେ ଯେପରି ସମ୍ପୂର୍ଣ୍ଣ ସ୍ୱପ୍ନ-ନିମଗ୍ନ । ତାଙ୍କର ସ୍ଥୂଳେନ୍ଦ୍ରିୟସକଳ ନିଷ୍କ୍ରିୟ । ସେହି ବୀଣାର ସ୍ୱରମୂର୍ଚ୍ଛନା ଯେତିକି ଦ୍ରୁତତର ହୋଇଉଠୁଥିଲା, ଆକବର ଏକ ଇନ୍ଦ୍ରିୟାତୀତ ଭାବୋଚ୍ଛ୍ୱାସରେ ସେତିକି ଉଚ୍ଛ୍ୱସିତ ହୋଇଉଠୁଥିଲେ ।

 

ଯମୁନାର ତୀରଦେଶର ଲତାଗୁଳ୍ମ–ଆଚ୍ଛାଦିତ ରୁକ୍ଷ ବନ୍ଧୁର ପାର୍ବତ୍ୟଶଯ୍ୟା କେଉଁଆଡ଼େ ଅନ୍ତର୍ହିତ ହେଲା । ପରିଦୃଷ୍ଟ ହେଲା ଯେପରି ସମ୍ମୁଖରେ ଏକ ସ୍ୱଚ୍ଛ ଶୁଭ୍ର ମର୍ମ୍ମରମଣ୍ଡପ । ବୀଣାର ତାଳେ ତାଳେ କାହାର ନୂପୁର–ନିକ୍ୱଣରେ ଅନୁରଣିତ ହୋଇଉଠିଲା ସେହି ମଣ୍ଡପର ବାୟୁମଣ୍ଡଳ ।

 

ସେହି ଚଳଚଞ୍ଚଳ ପଦର ନୂପୁରଧ୍ୱନିକୁ ଲକ୍ଷ୍ୟ କରୁ କରୁ ଆକବରଙ୍କ ସମ୍ମୁଖରେ ଆବିର୍ଭୂତା ହେଲେ ଲାସ୍ୟମୟୀ କିଶୋରୀ । ତାଙ୍କର ସ୍ୱର୍ଣ୍ଣାଭା ତନୁଶ୍ରୀରେ ସ୍ଫୁଟନୋନ୍ମୁଖ ଯୌବନର ସୁସ୍ପଷ୍ଟ ସ୍ୱାକ୍ଷର । ଆଲୁଳାୟିତ ଚିକୁରର କୃଷ୍ଣିମା ସ୍ୱର୍ଣ୍ଣଗୌରତନୁର ପୃଷ୍ଠଭୂମିଉପରେ ଅଧିକତର କୃଷ୍ଣ ହୋଇଉଠୁଛି । ରକ୍ତାଭ ଓଷ୍ଠଦ୍ୱୟ ସ୍ମିତହାସ୍ୟାପ୍ଳୁତ । ସମୁଜ୍ଜ୍ୱଳ ଚକ୍ଷୁଦ୍ୱୟରେ ଅମରତ୍ୱର ଦୀପ୍ତି । ସେହି ବୀଣାର ରାଗିଣୀର ତାଳେ ତାଳେ ତାଙ୍କର ଅଲକ୍ତକବିରଞ୍ଜିତ ପଦଯୁଗଳ କ୍ଷିପ୍ର ହୋଇଉଠୁଥିଲା ଏବଂ ଶତଦଳବର୍ଣ୍ଣବିନିନ୍ଦିତ କରପଦ୍ମର ମୁଦ୍ରାରେ ରୂପ ଲାଭ କରୁଥିଲା ଅନିର୍ବଚନୀୟ ସୌନ୍ଦର୍ଯ୍ୟର ସଂକେତ ।

 

ଭାବାବେଗରେ ଅଧୀର ହୋଇଉଠୁଥିଲେ ସମ୍ରାଟ୍‌ ଆକବର ।

 

ବିଭବମୟୀ ମୋଗଲ–ରାଜପୁରୀ ବହୁ ତନୁଲାବଣ୍ୟସୁଷମିତା ଲାସ୍ୟମୟୀ ମାଗଧୀଙ୍କର ନୃତ୍ୟଚଞ୍ଚଳ ପଦସମୂହ ନୂପୁରନିକ୍ୱଣରେ ବହୁ ବାର ବିଧୂନିତ ହୋଇଛି; ମାତ୍ର ଏପରି ଦିବ୍ୟଶ୍ରୀସମ୍ପନ୍ନା କିଶୋରୀର ଅପୂର୍ବ ମୁଦ୍ରାସମନ୍ୱିତ ନୃତ୍ୟ ଥିଲା ତାଙ୍କର କଳ୍ପନାତୀତ । ସେ ସବୁ କିଛି ବିସ୍ମୃତ ହୋଇଉଠୁଥିଲେ ।

 

ସେହି ଭାବବିହ୍ୱଳ ଆତ୍ମବିସ୍ମୃତ ବୃଦ୍ଧଙ୍କର ପ୍ରଶାନ୍ତ ମୁଖମଣ୍ଡଳକୁ ଦେଖିଲେ ମନେ ହେଉଥିଲା ସେ ଯେପରି ଏକ ଯୋଗାସୀନ ତପସ୍ୱୀ, ଯେ କି ଯୁଗ–ଯୁଗ ଧରି ମଣିଷର ସକଳ ଅପୂର୍ଣ୍ଣତାକୁ ବିସ୍ମୃତ ହୋଇ କେଉଁ ଏକ ଦିବ୍ୟାନନ୍ଦର ରସାସ୍ୱାଦନରେ ମୁଗ୍‌ଧ ବିହ୍ୱଳ ।

 

ଧୀରେ–ଧୀରେ ବୃଦ୍ଧଙ୍କର କଣ୍ଠସ୍ୱରର ଅବାରିତ ବେଗଗାମୀ ପ୍ରବାହରେ ଶିଥିଳତା ସୃଷ୍ଟି ହେଲା । ସେହି ସଙ୍ଗୀତ-ଆସରର ପରିସମାପ୍ତି ଘୋଷିତ ହେବା ସଙ୍ଗେ ସଙ୍ଗେ ସବୁ କିଛି ଅନ୍ତର୍ହିତ ହେଲା । ଆକବର ଲକ୍ଷ୍ୟ କଲେ, ସେହି ମର୍ମରପ୍ରସ୍ତରମଣ୍ଡପ ତଥା ସେହି ଲାସ୍ୟରତା ରୂପକନ୍ୟା ସମସ୍ତେ ଅନ୍ତର୍ହିତ । ସେମାନଙ୍କ ପରିବର୍ତ୍ତେ ଯମୁନାର ତୀରସଂଲଗ୍ନ ପାର୍ବତ୍ୟ ବନଭୂମି ତା’ର ଅସ୍ତିତ୍ୱ ଘୋଷଣା କରୁଛି ।

 

‘‘କିଏ ସେହି ରୂପମୟୀ କିଶୋରୀ ?’’ –ଆକବରଙ୍କର କଣ୍ଠରେ ଅଦମନୀୟ କୌତୂହଳ-। ସଙ୍ଗୀତଜ୍ଞଙ୍କର ସ୍ୱର ଏବେ ବି ମାଦକତାମୟ–

‘‘ସେ ସେହି ରାଗିଣୀ–କନ୍ୟା ସମ୍ରାଟ୍‌ ! ରାଗିଣୀର ତାଳେ ତାଳେ ସେ ନୃତ୍ୟ କରେ ଓ ରାଗିଣୀର ପରିସମାପ୍ତିରେ ବିଦାୟ ନିଏ ।’’

ଆକବରଙ୍କର ମନେ ହେଉଥିଲା ସେ ଯେପରି ଏକ ମାୟାପୁରୀରେ ନିଜକୁ ନିଜେ ଆବିଷ୍କାର କରୁଛନ୍ତି ।

ଆକବର ଧୀରେ–ଧୀରେ ସଚେତନ ହୋଇଉଠୁଥିଲେ–‘‘କୁହନ୍ତୁ ଗୁରୁଦେବ ! ଦକ୍ଷିଣାସ୍ୱରୂପ ଆପଣଙ୍କର ପାଦତଳେ ମୁଁ କ’ଣ ଅର୍ପଣ କରି ନିଜକୁ ଧନ୍ୟ ମନେ କରିବି ?’’

ବୃଦ୍ଧଙ୍କର ମୁଖମଣ୍ଡଳରେ ଏକ ସ୍ମିତହାସ୍ୟର କ୍ଷୀଣରେଖା ସଞ୍ଚରିଗଲା—‘‘ଜନହୀନ ଯମୁନା–ତୀରର ଏ ସଂଗୀତ–ସାଧକର କି ଅଭାବ ଅଛି ସମ୍ରାଟ୍‌ ?’’ କିଛି ସମୟ ନୀରବ ରହି ବୃଦ୍ଧ ପୁଣି କହିଲେ–‘‘ଯଦି ଦକ୍ଷିଣା ପ୍ରଦାନ କରିବାନିମିତ୍ତ ସମ୍ରାଟ୍‌ଙ୍କର ଏକାନ୍ତ କାମନା, ତେବେ ସେ କାଲି ସୂର୍ଯ୍ୟୋଦୟ ପୂର୍ବରୁ ମୋର ଈପ୍‌ସିତ ଦକ୍ଷିଣା ପ୍ରଦାନ କରିବାକୁ ଉଦ୍ୟମ କରିବେ ।’’

X X X

ତିମିର–ଅବଗୁଣ୍ଠନବତୀ ସ୍ୱପ୍ନନିମଗ୍ନା ଯମୁନାର ନିଦ୍ରା ଭାଙ୍ଗିନି । ଉଷା–ରକ୍ତରାଗ–ରଂଜିତ ପ୍ରାଚୀଦିଗ୍‌ବଧୂର ପ୍ରଶାନ୍ତ ମୁଖଶ୍ରୀରେ ଆତ୍ମପ୍ରକାଶ କରୁଛି କେଉଁ ଅନନ୍ତଯୌବନା ଅପ୍‌ସରାର ରୂପବିଭୂତି ।

 

ଯମୁନାର ସ୍ୱଚ୍ଛ ନୀରରାଶିକୁ ସ୍ପର୍ଶ କରି ପଡ଼ିଥିବା ପ୍ରସ୍ତରଖଣ୍ଡଉପରେ ଉପବେଶନ କରିଛନ୍ତି ସମ୍ରାଟ୍‌ ଆକବର ଓ ସଙ୍ଗୀତଜ୍ଞ ତାନ୍‌ସେନ୍‌ । ଅପର ପ୍ରସ୍ତରଖଣ୍ଡଉପରେ ସେହି ବୃଦ୍ଧ ସଙ୍ଗୀତଜ୍ଞ ସମାସୀନ । ତାଙ୍କର ବୀଣା–ନିକ୍ୱଣ ଓ ଉଦାତ୍ତ କଣ୍ଠଧ୍ୱନି ନିଦ୍ରାଭିଭୂତା ଯମୁନାର ସ୍ୱପ୍ନରେ ରଙ୍ଗ ବୋଳିଛି ବୀଣାର ପ୍ରତ୍ୟେକ ତନ୍ତ୍ରୀର ସ୍ପନ୍ଦନ ଦ୍ରୁତତର ହୋଇଉଠୁଛି ।

 

ଆକବର ପୁଣି ଥରେ ଫେରିଯାଉଛନ୍ତି ସେହି ଅତୀନ୍ଦ୍ରିୟ ରାଜ୍ୟକୁ । ମନେ ହେଉଛି ସେ ବିଦେହୀ–ସାଂସାରିକ ବନ୍ଧନବିହୀନ ବିଶ୍ୱାତୀତ ଏକ ବିଦଗ୍ଧ ଆତ୍ମା ।

 

ସଙ୍ଗୀତଜ୍ଞଙ୍କର କଣ୍ଠସ୍ୱର ଉଦାତ୍ତରୁ ଉଦାତ୍ତତର ହୋଇଉଠୁଛି । ସମ୍ମୁଖରେ ତାଙ୍କର ଆତ୍ମପ୍ରକାଶ କରୁଛି ମଣିମୁକ୍ତାବିଖଚିତ ଶୁଭ୍ର ସୁନ୍ଦର ମର୍ମରପ୍ରସ୍ତରନିର୍ମିତ ଏକ ସେତୁ । ଯମୁନାର ସ୍ୱଚ୍ଛ ଜଳରାଶିପରେ ଭାସ୍ୱର ହୋଇଉଠୁଛି ତା’ର ପ୍ରତିବିମ୍ବ । ସହସ୍ର ରତ୍ନପ୍ରଦୀପର ସମୁଜ୍ଜ୍ୱଳ ଶିଖାରେ ପରିଦୃଷ୍ଟ ହେଉଛି ଦୁଇଟି କ୍ରୀଡ଼ାଚପଳ ହାସ୍ୟମୁଖର ଶିଶୁଙ୍କ ଅସ୍ପଷ୍ଟ ଛାୟାମୂର୍ତ୍ତି ।

 

ଯମୁନାର ସେହି ଶାନ୍ତ–ଶୀତଳ ନୀରବ–ନିର୍ଜ୍ଜନ ତଟଦେଶ, ରାତ୍ରିର ସେ ପ୍ରଶାନ୍ତ ଗମ୍ଭୀର ଆକାଶ ଏବଂ ବୀଣା–ନିକ୍ୱଣ–ମୂର୍ଚ୍ଛିତ ଯମୁନାର ବକ୍ଷ ଆବେଷ୍ଟନ କରି ରହିଥିବା ସଙ୍ଗୀତ–ସୃଷ୍ଟି ସେହି ବିଚିତ୍ର ସେତୁର ସନ୍ଦର୍ଶନରେ ସମଗ୍ର ଜଗତର ସ୍ଥିତିକୁ ବିସ୍ମୃତ ହେଉଥିଲେ ଆକବର ।

 

ସେ ଯେ ପ୍ରତିଷ୍ଠିତ ମୋଗଲବଂଶର ମହାମହିମା ସମ୍ରାଟ୍‌ ଆକବର–ଏହି ତାଙ୍କର କଳ୍ପନାରେ ମଧ୍ୟ ସ୍ଥାନ ଲାଭ କରିପାରୁ ନ ଥିଲା । ସେହି ବୃଦ୍ଧଙ୍କର କଣ୍ଠନିଃସୃତ ସ୍ୱରର ମାଦକତାମୟ ପରିବେଶରେ ପ୍ରାଣ ତାଙ୍କର ପ୍ରଶାନ୍ତ ହୋଇଉଠୁଥିଲା । ସେଠି ଖ୍ୟାତି–କ୍ଷମତା, ଜୟ–ପରାଜୟ, ଆଶା–ନିରାଶା, ଆଲୋକ–ଅନ୍ଧକାରର ପ୍ରଶ୍ନ ନ ଥିଲା । ତାଙ୍କର କେନ୍ଦ୍ରୀଭୂତ ପ୍ରାଣସତ୍ତା ଧୀରେ–ଧୀରେ ଯେପରି ରାତ୍ରିର ସେହି ଅନନ୍ତ ଆକାଶମଧ୍ୟରେ ବିଲୀନ ହୋଇଯାଉଥିଲେ ।

 

କେତେବେଳେ ଯେ ସେହି ଦିବ୍ୟ ସଙ୍ଗୀତର ସ୍ୱରନିର୍ଝରର ପ୍ରବାହ ମନ୍ଥର ହୋଇଆସି ବିଲୀନତା ଭଜିଛି ତାହା ସେ ଉପଲବ୍‌ଧି କରିପାରୁ ନ ଥିଲେ ।

 

‘‘ସମ୍ରାଟ୍‌’’, ପ୍ରଥମେ ନୀରବତା ଭଙ୍ଗ କଲେ ସେହି ବୃଦ୍ଧ ସଙ୍ଗୀତଜ୍ଞ, ‘‘ଆପଣ ଦକ୍ଷିଣା ପ୍ରଦାନ କରିବାନିମିତ୍ତ ଆଗ୍ରହ ପ୍ରକାଶ କରିଥିଲେ ନା ?’’

 

‘‘ହେ ମହାନ୍‌ ଶିଳ୍ପୀ, ମୋଗଲ ରାଜକୋଷ ଆପଣଙ୍କୁ ଦକ୍ଷିଣା ପ୍ରଦାନ କରିବାନିମିତ୍ତ ସମର୍ଥ ହେଲେ ନିଜକୁ ଗୌରବମଣ୍ଡିତ କରିପାରିବ ।’’–ଆକବରଙ୍କର କଣ୍ଠସ୍ୱର କ୍ଷୀଣ ଓ ବିନୟଭାବ–ସମନ୍ୱିତ ।

 

ଶିଳ୍ପୀ ପ୍ରଶ୍ନ କରୁଥିଲେ, ‘‘ଆପଣ ଦେଖିଛନ୍ତି ସମ୍ରାଟ୍‌, ସେହି ପୂର୍ବପାର୍ଶ୍ୱସ୍ଥ ସେତୁର ପଞ୍ଚମ ସୋପାନର କିୟଦଂଶ ଭଗ୍ନ ।’’

 

‘‘ହଁ ଶିଳ୍ପୀ, ସେହି ଭଗ୍ନାଂଶ ସୁସ୍ପଷ୍ଟ ହୋଇଉଠି ସେହି ସ୍ୱପ୍ନକଳ୍ପିତ ସେତୁର ବିରୁଦ୍ଧରେ ଯେପରି ବିଦ୍ରୋହ ଘୋଷଣା କରୁଛି ।’’ –ଆକବରଙ୍କର କଣ୍ଠ ଏ ଥର ସୁସ୍ପଷ୍ଟ ହୋଇଉଠୁଥିଲା ।

 

‘‘ହଁ ସମ୍ରାଟ୍‌ !’’ –ସଙ୍ଗୀତଜ୍ଞଙ୍କର କଣ୍ଠରେ ଅସ୍ୱାଭାବିକ ଆବେଗ ପରିଲକ୍ଷିତ ହେଉଥିଲା, ‘‘ସେହି ଚପଳ ଗୋପାଳ ବାଳକର ହସ୍ତଚ୍ୟୁତ ବଂଶୀର ଆଘାତରେ କେଜାଣି କାହିଁକି ସେଦିନ ସେହି ସୋପାନରେ ଯେଉଁ ଅଂଶ ଭଗ୍ନ ହୋଇଥିଲା ଏବେ ବି ତାହା ସେହିପରି ବିଦ୍ୟମାନ ରହିଛି । ମହାମହିମା ଭାରତସମ୍ରାଟ୍‌ ଦୟା କରି ସେ ଭଗ୍ନାଂଶକୁ ପୂରଣ କରନ୍ତୁ ।’’ ବୃଦ୍ଧ ସଙ୍ଗୀତଜ୍ଞ ଶିଶୁପରି ଅଳି କରୁଥିଲେ ।

 

‘‘କ୍ଷମା କରିବେ ଶିଳ୍ପୀ, ଯଦି ମୋଗଲ ରାଜକୋଷର ସର୍ବସ୍ୱ ବିନିମୟରେ ସେହି ଭଗ୍ନାଂଶକୁ ପୂର୍ଣ୍ଣ କରିହୁଅନ୍ତା, ତାହା ହେଲେ ଆକବର ନିଜକୁ ପୃଥିବୀର ସର୍ବଶ୍ରେଷ୍ଠ ସୌଭାଗ୍ୟବାନ୍‌ ବ୍ୟକ୍ତି ବୋଲି ମନେ କରନ୍ତା ।’’ ଆବେଗର ଆତିଶଯ୍ୟରେ ଆକବରଙ୍କର ହୃତ୍‌ସ୍ପନ୍ଦନ ବୃଦ୍ଧି ଲାଭ କରୁଥିଲା । ‘‘ପୃଥିବୀର ସର୍ବଶ୍ରେଷ୍ଠ ରାଜକୋଷର ଅଧିକାରୀ ଆଜି ତା’ର ଦୀନତା ଉପଲବ୍‌ଧି କରୁଛି ।

 

କିନ୍ତୁ ହେ ମହାନ୍‌ ଶିଳ୍ପୀ, ତୁମରି ଭକ୍ତିପୂତ ଭାବାବେଗରସାଣିତ ପ୍ରାଣସ୍ପନ୍ଦନର ପ୍ରତିଧ୍ୱନିରେ ସେହି ସୋପାନର ଭଗ୍ନାଂଶ ପୁନର୍ବାର ପୂର୍ଣ୍ଣତାର ସ୍ପର୍ଶ ଲାଭ କରିବ ।’’–ଏହା କହୁ କହୁ ବୃଦ୍ଧଙ୍କର ପାଦଧୂଳି ଗ୍ରହଣ କରୁଥିଲେ ଆକବର ।

 

ସ୍ନିଗ୍‌ଧ–ସୁନ୍ଦର–ଶିଶିର–ସ୍ନାତ ସବୁଜ ଧରିତ୍ରୀ ବାଳାର୍କର ଅଭିନନ୍ଦନନିମିତ୍ତ ସମୁଜ୍ଜ୍ୱଳ ହୋଇଉଠୁଥିଲା ।

☆☆☆

 

ସନ୍ନ୍ୟାସୀ ଓ ଶ୍ୟାମା

 

ବସନ୍ତର ଅପରାହ୍‌ଣର ସୂର୍ଯ୍ୟ ଆକାଶରେ ସ୍ୱର୍ଣ୍ଣରେଣୁ ବୁଣୁଛି ।

ଘନବନାନୀର ସଂକୀର୍ଣ୍ଣ ପଥରେ ଅଗ୍ରସର ହୋଇ ହୋଇ କ୍ଳାନ୍ତ ହୋଇପଡ଼ୁଛନ୍ତି ସନ୍ନ୍ୟାସୀ ଶଙ୍କର । ମୁକୁଳିତ ଆମ୍ରବୀଥିର ମାଦକତାମୟ ସୁରଭି, ଅଶୋକମଞ୍ଜରୀ ପ୍ରସ୍ଫୁଟିତ ଯୌବନଶ୍ରୀ, ନବପଲ୍ଲବିତ ବନସ୍ପତିର ପାଟଳିମା, ବନବିହଙ୍ଗମର କଳରବ ଓ କ୍ରୀଡ଼ାଚପଳ ଅବାଧଗତିର ଆକର୍ଷଣ କିଛି ହେଲେ ତାଙ୍କୁ ସ୍ପର୍ଶ କରୁନି ।

ନିର୍ଲିପ୍ତ ସନ୍ନ୍ୟାସୀ–ଚିତ୍ତ ଆଜି ସକଳ ସଂଯମକୁ ବିସ୍ମୃତ ହୋଇ କେଉଁ ଏକ ଆବେଗରେ ଯେପରି ଅଧୀର ହୋଇଉଠୁଛି । ବିସ୍ମିତ ହେଲେ ସନ୍ନ୍ୟାସୀ ।

ଆହୁରି ଦ୍ରୁତପଦରେ ସେ ଅଗ୍ରସର ହେବାକୁ ଲାଗିଲେ । ନିଜର ବିକ୍ଷିପ୍ତ ଚିତ୍ତକୁ ସୁସଂଯତ କରି ଶକ୍ତି ସଞ୍ଚୟ କରିବାକୁ ଉଦ୍ୟମ କରୁଥିଲେ ସେ; କିନ୍ତୁ କ୍ଳାନ୍ତ ପଦ ତାଙ୍କର ନିର୍ଦ୍ଦେଶ ମାନିବାକୁ ସଂପୂର୍ଣ୍ଣ ଅକ୍ଷମତା ପ୍ରକାଶ କରୁଥିଲା ।

ଏକ ପଲ୍ଲବିତ ବୃକ୍ଷତଳେ ବିଶ୍ରାମ ଗ୍ରହଣ କରିବାକୁ ଉଦ୍ୟମ କଲେ ଶଙ୍କର । ତାଙ୍କର ପ୍ରତି ଅଙ୍ଗରେ ସେ ଅନୁଭବ କରୁଥିଲେ ତୀବ୍ର ଶିଥିଳତା ।

ବୃକ୍ଷଶାଖାରେ କାୟା ବିସ୍ତାର କରିଥିବା ବଲ୍ଲରୀରୁ ଝରିପଡ଼ୁଛି ବୃନ୍ତଚ୍ୟୁତ ପୁଷ୍ପସମୂହର ସୁରଭିତ ଦଳାବରଣ । ବନନିର୍ଝରର ମର୍ମ୍ମରିତ ଧ୍ୱନି ସୁପ୍ତ ବନାନୀର ନିଦ୍ରା ଭଙ୍ଗ କରିବାକୁ ଉଦ୍ୟମ କରୁଛି ।

ସହସା ସୁଦୂରସ୍ଥ ବିହଙ୍ଗମର କଳକାକଳୀସହ ଭରସିଆସିଲା ବହୁ ତରୁଣୀ–କଣ୍ଠର ହାସ୍ୟାପ୍ଳୁତ କଣ୍ଠଧ୍ୱନି ।

ସନ୍ନ୍ୟାସୀଙ୍କର ବିସ୍ମୟ-ବିସ୍ଫାରିତ ଚକ୍ଷୁରେ ରୂପ ଲାଭ କରୁଥିଲା ଅଜସ୍ର କୌତୂହଳ । ନିବିଷ୍ଟଚିତ୍ତରେ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ସତତ ଉଦ୍ୟମ କରୁଥିଲେ ସେ ।

ସେ ଲକ୍ଷ୍ୟ କଲେ ଯେପରି ନିକଟସ୍ଥ କୌଣସି ସରୋବରରେ ବା ବନନିର୍ଝରରେ ସ୍ନାନ କରୁଛନ୍ତି ବହୁସଂଖ୍ୟାକ ତରୁଣୀ । ସନ୍ତରଣଶୀଳା ସେହି ତରୁଣୀମାନଙ୍କ କଣ୍ଠଧ୍ୱନିରେ ଉଛୁଳିଉଠୁଛି ବନଭୂମି ।

କୌତୂହଳର ଆତିଶଯ୍ୟ ଦମନ କରି ନ ପାରି ତଥା ରାତ୍ରିଉଦ୍‌ଯାପନନିମିତ୍ତ ଆଶ୍ରୟ ପାଇବା ଉଦ୍ଦେଶ୍ୟରେ ସନ୍ନ୍ୟାସୀ ଶଙ୍କର ଅଗ୍ରସର ହେବାକୁ ଲାଗିଲେ । ତାଙ୍କର ଶିଥିଳ ପ୍ରତିଟି ଅଙ୍ଗ–ପ୍ରତ୍ୟଙ୍ଗରେ ଜୀବନର ଅଭିନବ ସ୍ପନ୍ଦନ ଅନୁଭବ କରୁଥିଲେ ସେ ।

ବନାନ୍ତରାଳରୁ ପରିଦୃଷ୍ଟ ହେଉଥିଲା ମର୍ମରପ୍ରସ୍ତରସୋପାନଶ୍ରେଣୀ ଆବେଷ୍ଟିତ ସରୋବର । ସନ୍ନ୍ୟାସୀ ଶଙ୍କର ଲକ୍ଷ୍ୟ କଲେ ଜଳକ୍ରୀଡ଼ାରତା ତନ୍ୱୀସମୂହର ଚପଳ–ତାରୁଣ୍ୟ–ଶ୍ରୀର ମହିମାନ୍ୱିତସ୍ପର୍ଶରେ ସୁସମୃଦ୍ଧ ହୋଇଉଠିଛି ସରୋବର । ସେମାନଙ୍କର ହସ୍ତସ୍ଥିତ ମୃଣାଳସଂଲଗ୍ନ ବିକଚ ଶତଦଳର ଶୋଭା ସେମାନଙ୍କର ମୁଖଶ୍ରୀନିକଟରେ ମ୍ଳାନ ହୋଇପଡ଼ୁଛି ।

 

ବିସ୍ମିତ ସନ୍ନ୍ୟାସୀ ସ୍ଥାଣୁସଦୃଶ ଦଣ୍ଡାୟମାନ ହୋଇରହିଲେ ସେହି ପୁଷ୍କରିଣୀର ତଟଦେଶରେ ।

 

ସଂଧ୍ୟା ଆସନ୍ନ । ଫାଲ୍‌ଗୁନ ଦଶମୀର ବାସନ୍ତୀ ଚନ୍ଦ୍ର ତା’ର ରୂପ–ଗୌରବର ଆତ୍ମପ୍ରକାଶନିମିତ୍ତ ଯେପରି ଅଥୟ ହୋଇଉଠୁଛି । ରାତ୍ରି–ଉଦ୍‌ଯାପନ ଉଦ୍ଦେଶ୍ୟରେ ଆଶ୍ରୟ ଲାଭ କରିବାନିମିତ୍ତ ଉଦ୍‌ବିଗ୍ନ ହୋଇଉଠୁଥିଲେ ସନ୍ନ୍ୟାସୀ; କିନ୍ତୁ ତାଙ୍କର ନାରୀ–ବିଦ୍ୱେଷୀ ପ୍ରାଣ ଏହି ଅର୍ବାଚୀନା ତରୁଣୀମାନଙ୍କ ନିକଟରେ ଆଶ୍ରୟଗ୍ରହଣସମ୍ବନ୍ଧରେ ବିବରଣୀ ସଂଗ୍ରହ କରିବାନିମିତ୍ତ ଯେପରି ବିଦ୍ରୋହ କରିଉଠୁଥିଲା ।

 

କିନ୍ତୁ ଉପାୟାନ୍ତର ନ ପାଇ ଧୀରପଦକ୍ଷେପରେ ସେହି ସରୋବର ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ ସନ୍ନ୍ୟାସୀ । ସନ୍ନ୍ୟାସୀଙ୍କ ଆକସ୍ମିକ ଉପସ୍ଥିତିରେ ଲଜ୍ଜାରେ ଆରକ୍ତ ହୋଇଉଠିଲେ ତରୁଣୀସମୂହ । ଶଙ୍କରଙ୍କର ପଦତଳେ ପ୍ରଣତି ନିବେଦନ କରି ସେମାନେ ସନ୍ନ୍ୟାସୀଙ୍କର ଆଗମନର କାରଣ ଜାଣିବାନିମିତ୍ତ କୌତୂହଳ ପ୍ରକାଶ କଲେ ।

 

ଶଙ୍କର ବ୍ୟକ୍ତ କଲେ ଯେ ସମଗ୍ର ଭାରତ–ଭ୍ରମଣନିମିତ୍ତ ପଦଯାତ୍ରା କରି ଅଗ୍ରସର ହେଉ ହେଉ ନିବିଡ଼ ଅରଣ୍ୟାନୀମଧ୍ୟରେ ସେ ପଥଭ୍ରଷ୍ଟ ହୋଇଛନ୍ତି । ରାତ୍ରିଉଦ୍‌ଯାପନନିମିତ୍ତ ସେ କୌଣସି ଆଶ୍ରୟସ୍ଥାନ ଲାଭ କରିପାରିଲେ ଉପକୃତ ହେବେ ।

 

ତରୁଣୀଗଣ ସନିର୍ବନ୍ଧ ଅନୁରୋଧ ଜଣାଇ ସେମାନଙ୍କ ସହିତ ରାଜା ଶିଳାଦିତ୍ୟଙ୍କର ପ୍ରମାଦ ଉଦ୍ୟାନସ୍ଥ ପ୍ରାସାଦନିକଟକୁ ସନ୍ନ୍ୟାସୀଙ୍କୁ ଯାତ୍ରା କରିବାକୁ ନିମନ୍ତ୍ରଣ କଲେ ।

 

ସନ୍ନ୍ୟାସୀ ଶଙ୍କର ଅତି ସନ୍ତର୍ପଣରେ ଅଗ୍ରସର ହେବାକୁ ଲାଗିଲେ ।

 

ଘନବନସ୍ପତିସମାକୀର୍ଣ୍ଣ ବନପଥଦେଇ ବେଳେ ବେଳେ ସୁସ୍ପଷ୍ଟ ହୋଇଉଠୁଥିଲା ଦଶମୀର ଚନ୍ଦ୍ର । ଶାନ୍ତ ସ୍ନିଗ୍‌ଧ ଚନ୍ଦ୍ରକିରଣର ସୁଶୀତଳ ପ୍ରତିଫଳନରେ ଭାସ୍ୱର ହୋଇଉଠୁଥିଲା ତରୁଣୀଙ୍କର ଶୁଭ୍ର ସୁନ୍ଦର ମୁଖର ଲାବଣ୍ୟଶ୍ରୀ । ବସନ୍ତର ସ୍ନିଗ୍‌ଧ ମଧୁର ସୁରଭିତ ସ୍ପର୍ଶରେ ଆମୋଦିତ ହୋଇଉଠୁଥିଲା ବନଭୂମି । ସନ୍ନ୍ୟାସୀ ଏକ ଅପରିକଳ୍ପିତ ପୁଲକର ସ୍ପର୍ଶରେ ଉତ୍‌ଫୁଲ୍ଲ ହୋଇଉଠୁଥିଲେ । ନିଜ ନିକଟରେ ନିଜେ ରହସ୍ୟାବୃତ ହୋଇପଡ଼ୁଥିଲେ ସେ ।

 

ପ୍ରମୋଦ ଉଦ୍ୟାନନିକଟରେ ଉପସ୍ଥିତ ହେଲେ ସନ୍ନ୍ୟାସୀ । ଉପବେଶନ କରିବାକୁ ଏକ ଆସନ ନିର୍ଦ୍ଦେଶ କରି ସେହି ବିଶାଳ ପ୍ରାସାଦମଧ୍ୟରେ ଅନ୍ତର୍ହିତ ହେଲେ ତରୁଣୀଗଣ ।

 

ସମ୍ମୁଖରେ ମୁନିମନୋଲୋଭା ପ୍ରମୋଦ ଉଦ୍ୟାନ । ଚନ୍ଦ୍ରିକାବଧୂର ଜ୍ୟୋତ୍ସ୍ନାଞ୍ଚଳସ୍ପର୍ଶରେ ପୁଷ୍ପିତ ଉଦ୍ୟାନ ପରୀରାଜ୍ୟର କାହାଣୀ ପରିବେଷଣ କରିବାନିମିତ୍ତ ସତେ ଯେପରି ପ୍ରଗଳ୍‌ଭ ହୋଇଉଠିଛି । ସ୍ଫୁଟନୋନ୍ମୁଖ ଶେଫାଳିର ସୌରଭ, ମଲ୍ଲି–ମାଳତୀର ହାସ୍ୟାପ୍ଳୁତ କଟାକ୍ଷ, ବହୁ ବନସ୍ପତି ଓ ବଲ୍ଲରୀର ପୁଷ୍ପିତ ତନୁଶ୍ରୀ ପ୍ରମୋଦ ଉଦ୍ୟାନକୁ ପ୍ରହେଳିକାମୟ କରୁଛି ।

 

କାହାର ଲଘୁ ମନ୍ଦ ପଦପାତରେ ସଂସାରପରିତ୍ୟାଗୀ ସନ୍ନ୍ୟାସୀ ଶଙ୍କରଙ୍କର ତନ୍ଦ୍ରା ଭଙ୍ଗ ହେଉଥିଲା ।

 

ଫେରିଚାହିଁଲେ ସେ । ସମ୍ମୁଖରେ ତାଙ୍କର ଉଭା ଅନିର୍ବଚନୀୟ ରୂପୈଶ୍ୱର୍ଯ୍ୟବିମଣ୍ଡିତା ସୁଶୋଭନା ଷୋଡ଼ଶୀ ତରୁଣୀ । ରକ୍ତଦୁକୂଳପରିହିତା ଶୁଭ୍ରାଙ୍ଗୀର ଅଙ୍ଗେ ଅଙ୍ଗେ ଯୌବନର ଚଳଚଞ୍ଚଳ ଫଲ୍‌ଗୁ ଯେପରି ଉତ୍‌କୂଳ ହୋଇଉଠିଛି । ତାଙ୍କର ଚକ୍ଷୁର ପ୍ରତିଟି ପଲକରେ ସମ୍ମୋହନର ମନ୍ତ୍ର । ଓଷ୍ଠପ୍ରାନ୍ତରୁ ଝରିପଡ଼ୁଛି ରକ୍ତପଳାଶର ଦୀପ୍ତି । ରାତ୍ରିର କୃଷ୍ଣିମା ଯେପରି ତାଙ୍କର ଭ୍ରୂଲତା ଓ କୁଞ୍ଚିତ କେଶଗୁଚ୍ଛରେ ଆଶ୍ରୟ ଗ୍ରହଣ କରିଛି । ସ୍ଫୁରିତ ରକ୍ତାଭ ଗଣ୍ଡଦେଶରେ ତାରୁଣ୍ୟର ଶ୍ରୀ ଓ ସ୍ୱପ୍ନ ଯେପରି ବାସ୍ତବତାର ସ୍ୱରୂପ ପରିଧାନ କରିବାନିମିତ୍ତ ଉଦ୍‌ବିଗ୍ନ ।

 

ସେହି ରୂପମଦମତ୍ତା ରୂପସୀ ସକଳ ସମ୍ଭୋଗ–ସମୃଦ୍ଧିର ଯେପରି ଏକ ଅକ୍ଷତ ଅମ୍ଳାନ ମଞ୍ଜରୀ । ଏକ ସୁସଜ୍ଜିତ ସ୍ୱର୍ଣ୍ଣପାତ୍ରରେ ପୁଷ୍ପ–ଚନ୍ଦନ, ଧୂପ–ଦୀପସହ ସନ୍ନ୍ୟାସୀଙ୍କ ପଦତଳେ ପ୍ରଣାମ ନିବେଦନ କଲେ ସେ ।

 

‘‘ଆପଣ... ?’’ ସନ୍ନ୍ୟାସୀଙ୍କର କଣ୍ଠରେ ଗାମ୍ଭୀର୍ଯ୍ୟ ଓ କୌତୂହଳର ସୂଚନା ମୁକ୍ତି ଲାଭ କରୁଥିଲା ।

 

‘‘ମୁଁ ଶିଳାଦିତ୍ୟଙ୍କ କନ୍ୟା ଶ୍ୟାମା । ଆରଣ୍ୟ ପ୍ରକୃତିର ବାସନ୍ତୀ ଶ୍ରୀ ଉପଭୋଗ କରିବାନିମିତ୍ତ ପିତାଙ୍କଦ୍ୱାରା ଅନୁମତିପ୍ରାପ୍ତ ହୋଇ ଏହି ପ୍ରମୋଦ ଉଦ୍ୟାନରେ କିଛି ଦିନ ଅବସ୍ଥାନ କରୁଛି ।’’ ରାଜକୁମାରୀ ଶ୍ୟାମାଙ୍କର କଣ୍ଠରେ ବନବିହଙ୍ଗର ଉଦ୍ଦାମତା ରୂପ ଲାଭ କରୁଥିଲା ।

 

ପୁଷ୍ପ–ଚନ୍ଦନରେ ସନ୍ନ୍ୟାସୀଙ୍କର ଅର୍ଚ୍ଚନା କରିବାକୁ ଆରମ୍ଭ କଲେ ଶ୍ୟାମା । ଶ୍ୟାମାଙ୍କର ସ୍ୱର୍ଣ୍ଣାଭ କୋମଳ ଅଙ୍ଗୁଳିସ୍ପର୍ଶରେ ନାରୀ–ବିଦ୍ୱେଷୀ ଶଙ୍କରଙ୍କର ପ୍ରାଣରେ ଅଭିନବ ସ୍ପନ୍ଦନ ସୃଷ୍ଟି ହେଉଥିଲା ।

 

ସନ୍ନ୍ୟାସୀଜୀବନର ରୁକ୍ଷତାର ଆବରଣକୁ ଫିଙ୍ଗିଦେଇ ସଂସାରର କାମନା–ଉଦ୍‌ବେଳନମଧ୍ୟରେ କିୟତ୍‌ କ୍ଷଣ ନିମଜ୍ଜିତ ହୋଇଯିବାନିମିତ୍ତ ସହସା ପ୍ରାଣରେ ଯେପରି ସେ ଏକ ଅଦମନୀୟ ଆଲୋଡ଼ନ ଅନୁଭବ କରୁଥିଲେ । ସଂସାରସୁଖବିମୁଖ ଶାନ୍ତ-ଶୀତଳ ସନ୍ନ୍ୟାସୀର ପ୍ରାଣ ସହସା ଅପରିକଳ୍ପିତ ଉଷ୍ଣତାର ସ୍ପର୍ଶରେ ଯେପରି ଉନ୍ମାଦିତ ହୋଇଉଠୁଥିଲା । ଆତ୍ମବିସ୍ମୃତ ହେଉଥିଲେ ସନ୍ନ୍ୟାସୀ ଶଙ୍କର ।

 

ଅତି ସନ୍ତର୍ପଣରେ ସେ ପ୍ରଶ୍ନ କଲେ–‘‘ସମ୍ରାଟ ଶିଳାଦିତ୍ୟ କ’ଣ ନିକଟରେ କୁମାରୀ ଶ୍ୟାମାଙ୍କର ସ୍ୱୟମ୍ବରର ଆୟୋଜନ କରୁଛନ୍ତି ?’’

 

ଶ୍ୟାମାଙ୍କର ସଲଜ୍ଜ ମୁଖମଣ୍ଡଳରେ ନାରୀସୁଲଭ ବ୍ରୀଡ଼ା ସେହି ମୁଖର ଲାବଣ୍ୟକୁ ବିବର୍ଦ୍ଧନ କରୁଥିଲା । ସେ ଉତ୍ତର ପ୍ରଦାନ କଲେ–‘‘ନା ସନ୍ନ୍ୟାସୀ, ସ୍ୱଂୟମ୍ବରର ଆବଶ୍ୟକତା ନାହିଁ-।’’

 

‘‘ତେବେ ଶ୍ୟାମା କ’ଣ ବାଗ୍‌ଦତ୍ତା ?’’–ସନ୍ନ୍ୟାସୀ ଶଙ୍କର ପୁନର୍ବାର ପ୍ରଶ୍ନ କଲେ ।

 

‘‘ନା ମହାନ୍‌, ମୁଁ ମୋର ପତି–ନିର୍ବାଚନର ଭାର ନିଜେ ଗ୍ରହଣ କରିଛି । ଭାରତର ଜଣେ ସୁବିଦିତ ଶ୍ରେଷ୍ଠ ଦାର୍ଶନିକଙ୍କୁ ମୁଁ ମୋର ପତିପଦରେ ନିର୍ବାଚନ କରି ମୋର ଜନ୍ମଜନ୍ମାନ୍ତରର ଜ୍ଞାନପିପାସା ପ୍ରଶମିତ କରିବି ।’’

 

ସନ୍ନ୍ୟାସୀ ପ୍ରଶ୍ନ କଲେ–‘‘ରାଜକୁମାରୀଙ୍କର ଜୀବନରେ ଏପ୍ରକାର ଭ୍ରାନ୍ତି କାହିଁକି ?’’

 

‘‘ଏହା ମୋର ଭ୍ରାନ୍ତି ନୁହେଁ ସନ୍ନ୍ୟାସୀ ! ବରଂ ପରମ ବରଣୀୟ ସତ୍ୟ । ଉତ୍କୂଳ କାମନାର ଉଦ୍‌ବେଳନରେ ଉଦ୍ଭ୍ରାନ୍ତସମ ପଥଭ୍ରଷ୍ଟ ନ ହୋଇ ବରଂ କାମନାର ବିନାଶରେ ଏକ ବିମୁକ୍ତ ଆତ୍ମାର ବିମୋହନ ଝଙ୍କାରରେ ଆତ୍ମବିସ୍ମୃତି ଲାଭ କରିବାନିମିତ୍ତ ମୁଁ ଉଦ୍‌ବିଗ୍ନ ।’’

 

ବିସ୍ମିତ ହେଲେ ସନ୍ନ୍ୟାସୀ ଶଙ୍କର । ଯାହାର ଶରୀରର ପ୍ରତିଟି ଅଣୁ-ପରମାଣୁର କାମନାସାଗର-ତରଙ୍ଗ-ନିସ୍ୱନର ମନ୍ଦ୍ର ମୂର୍ଚ୍ଛନାରେ ଯେ କୌଣସି ସଂସାରୀର ପ୍ରାଣ ପ୍ରଲୁବ୍‌ଧ ହେବ, ସେ ବାସନାର ବିମୁକ୍ତିପାଇଁ ବ୍ୟାକୁଳ !

 

‘‘ଆପଣ ସେହିପରି କୌଣସି ବିଜ୍ଞ ବ୍ୟକ୍ତିର ସନ୍ଧାନ ପାଇଛନ୍ତି । ରାଜକୁମାରୀ ?’’ ସନ୍ନ୍ୟାସୀଙ୍କର ସ୍ୱରରେ କୌତୂହଳର ସୁସ୍ପଷ୍ଟ ଆଭାସ ।

 

‘‘ନା ମହାମନା ! ଭାରତର ବହୁ ନଗର ଜନପଦ ମୁଁ ଭ୍ରମଣ କରିଛି; ମାତ୍ର ସବୁଠାରେ ମୁଁ ଲକ୍ଷ୍ୟ କରିଛି ଦୁର୍ବାର କାମନାରେ ଲେଲିହାନ ଶିଖା । ତ୍ୟାଗ–ତିତିକ୍ଷାର ଘନ ଆବରଣର ଅନ୍ତରାଳରେ ମୁଁ ଆବିଷ୍କାର କରିଛି ସେମାନଙ୍କର ପ୍ରାଣରେ ତୀବ୍ର ଭୋଗ-ପିପାସାର ଉଷ୍ଣପ୍ରସ୍ରବଣ-।’’ ସେହି ତନ୍ୱୀଙ୍କର ସୁଠାମ ମୁଖମଣ୍ଡଳରେ ଉଜ୍ଜ୍ୱଳତାର ଏକ ସଂକେତ ସୁପରିସ୍ଫୁଟ ହୋଇଉଠୁଥିଲା ।

 

ସନ୍ନ୍ୟାସୀ କିନ୍ତୁ ତାଙ୍କର ପ୍ରାଣରେ ଅନୁଭବ କରୁଥିଲେ ଏକ ବିପରୀତ ଆଲୋଡ଼ନ । ଏହି ରୂପମୟ ତନ୍ୱୀ ଲଳନାର ସାମୀପ୍ୟ ସେ ଯଦି ଚିରକାଳ ଲାଭ କରିପାରନ୍ତେ, ତାହା ହେଲେ ଜୀବନ କ’ଣ ତାଙ୍କର ସାର୍ଥକ ହୁଅନ୍ତା ନାହିଁ ?

 

ନିଜର ପ୍ରତିକୂଳ ଭାବୋଚ୍ଛ୍ୱାସର ଗତିରେ ନିଜେ ହିଁ ବିସ୍ମିତ ହେଉଥିଲେ ଶଙ୍କର ।

 

ସନ୍ନିକଟବର୍ତ୍ତୀ ଦେବୀମନ୍ଦିରରୁ ଭାସିଆସୁଥିଲା ଶଙ୍ଖ–ଘଣ୍ଟାଧ୍ୱନିର ସମ୍ମିଳିତ ସ୍ୱର । ଅତୀତର ଆଉ ଏକ ସ୍ମୃତି ଯେପରି ସନ୍ନ୍ୟାସୀଙ୍କୁ ବିଦ୍ରୂପ କରୁଥିଲା ।

 

X X X

 

ସେଦିନ ବିଜୟା ସପ୍ତମୀର ସୂର୍ଯ୍ୟର ମାଙ୍ଗଳିକ ଗୀତିଗାନରେ ଆକାଶର ବିହଙ୍ଗମର ସ୍ୱରରେ ଶିହରଣ ସୃଷ୍ଟି ହେଉଥିଲା ।

 

ସବୁଜ–ସୁନ୍ଦର ଶରତ୍‌ର ଶ୍ୟାମା–ସ୍ନିଗ୍‌ଧ ସ୍ପର୍ଶରେ ସୃଷ୍ଟିର ସୃଜନ–ସଙ୍ଗୀତର ମୂର୍ଚ୍ଛନାସହ ସମତାଳ ରଖି ଦେବୀମଣ୍ଡପରୁ ଭାସିଆସୁଥାଏ ବ୍ରାହ୍ମଣର ଉଦାତ୍ତ କଣ୍ଠନିଃସୃତ ଦେବୀ–ବନ୍ଦନା :

 

‘‘ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।’’

 

ଗୋଦାବରୀର ସ୍ୱଚ୍ଛଜଳରାଶିରେ ପ୍ରତିବିମ୍ବିତ ହେଉଥାଏ ପ୍ରଦୀପ–ପରିଶୋଭିତ ମନ୍ଦିରରେ ଚୂଡ଼ାଦେଶ । ବହୁ ଯାତ୍ରୀ ସ୍ରୋତସ୍ୱିନୀର ପୂତ ଜଳଧାରରେ ଅବଗାହନ କରି ଦେବୀ ମହାମାୟାଙ୍କ ଉଦ୍ଦେଶ୍ୟରେ ପ୍ରଣତି ନିବେଦନ କରୁଥାଆନ୍ତି ।

 

କ୍ରମଶଃ ଦେବୀମଣ୍ଡପ–ଚତ୍ୱରରେ ବୃଦ୍ଧି ଲାଭ କରୁଥାଏ ଜନସମାବେଶ । ସମସ୍ତେ ଆତ୍ମବିସ୍ମୃତ । ସମସ୍ତଙ୍କର ମୁଖମଣ୍ଡଳରେ ବୃଦ୍ଧି ଲାଭ କରୁଥାଏ ପ୍ରାଣର ଅଫୁରନ୍ତ ଉଚ୍ଛ୍ୱାସର ସ୍ୱାକ୍ଷର-। ଜୀବନର ସହସ୍ର ଦଂଶନ–କ୍ଷତ–ତିକ୍ତତା–ବିସ୍ମୃତ ମାନବଶିଶୁ ଜଗଜ୍ଜନନୀଙ୍କର ଚରଣତଳେ ଭିକ୍ଷା କରୁଥାଏ ଆଶୀର୍ବାଦ ।

 

ଜନସମାବେଶବୃଦ୍ଧି ସଙ୍ଗେ ସଙ୍ଗେ ତତ୍ରତ୍ୟ ବ୍ରାହ୍ମଣଙ୍କର କଣ୍ଠ କ୍ରମଶଃ ଉଦାତ୍ତରୁ ଉଦାତ୍ତତର ହୋଇଉଠୁଥାଏ । ଦେବୀସ୍ତୋତ୍ରର ବ୍ୟାଖ୍ୟାନ ସଙ୍ଗେ ସଙ୍ଗେ ବେଦ–ବେଦାନ୍ତ–ଉପନିଷଦ୍‌ର ବହୁ ଦୃଷ୍ଟାନ୍ତ ପ୍ରଦାନ କରି ସେ ଦେବୀ ମହାମାୟାଙ୍କର ଶକ୍ତିର ବୈଶିଷ୍ଟ୍ୟପ୍ରତିପାଦନନିମିତ୍ତ ଆତ୍ମବିହ୍ୱଳ ହୋଇଉଠୁଥାଆନ୍ତି ।

 

‘‘...ଏ ଜଗତ୍‌ ଅନିତ୍ୟ । ଦେବୀଙ୍କର ମାୟାରେ ସମଗ୍ର ଜଗତ୍‌ ବଶୀଭୂତ । ଦେବୀଙ୍କର ମାୟାପଟଳକୁ ଭେଦ କରିବା ଯେ କୌଣସି ମଣିଷର ସାଧ୍ୟାତୀତ.... ।’’

 

ମନ୍ଦିରର ଗୋଟିଏ କୋଣରେ ଶାନ୍ତ ଓ ଅବିଚଳିତଭାବେ ଧ୍ୟାନନିମଗ୍ନ ହୋଇଉଠୁଥିବା ମୁଦ୍ରିତଚକ୍ଷୁ ଶଙ୍କର ସେଦିନ ସହସା ବିଚଳିତ ହୋଇଉଠିଲେ । ସଂସାର–ଅନାସକ୍ତ ମାୟାବିବର୍ଜିତ ବିକାରବିହୀନ ପ୍ରାଣ ତାଙ୍କର ଦେବୀଙ୍କର ମାୟାଧୀନ ବୋଲି ଦୃପ୍ତକଣ୍ଠରେ ଘୋଷଣା କରୁଛନ୍ତି ଦେବୀଉପାସକ ବ୍ରାହ୍ମଣ ।

 

ମୁଦ୍ରିତଚକ୍ଷୁ ସନ୍ନ୍ୟାସୀ ଦଣ୍ଡାୟମାନ ହେଲେ । ତାଙ୍କ ନିଜ ଶରୀର ଉପରେ ଦୃକ୍‌ପାତ କଲେ ସେ ନିଜେ । ଉଦ୍ଦାମ ଉତ୍ତରଳ ଯୌବନର ଦୀପ୍ତି ତାଙ୍କର ଭସ୍ମବିଲେପିତ ତନୁର ରୁକ୍ଷତାକୁ ବିଦୀର୍ଣ୍ଣ କରି ଯେପରି ସଗୌରବ ସ୍ୱୀୟ ତପଃପୂତ ବ୍ରହ୍ମଚର୍ଯ୍ୟର ମହାଗୀତି ଗାନ କରୁଛି ।

 

ଆରତୀ–ପ୍ରଦୀପର ଜ୍ୟୋତିରେ ଦେବୀ ମହାମାୟାଙ୍କ ମୁଖମଣ୍ଡଳର ସ୍ମିତହାସ୍ୟମଧ୍ୟରେ ଏକ ରହସ୍ୟର ବାର୍ତ୍ତା ଅଧ୍ୟୟନ କରୁଥିଲେ ଶଙ୍କର ।

 

ମହାପରୀକ୍ଷାର ସମ୍ମୁଖୀନ ହେବାନିମିତ୍ତ ପ୍ରାଣ ତାଙ୍କର ଅଥୟ ହୋଇଉଠିଥିଲା । ତାହା ହିଁ ପ୍ରାର୍ଥନା କରି ଧୀର–ମନ୍ଥର ପଦପାତରେ ସେ ମନ୍ଦିର–ଚତ୍ୱର ପରିତ୍ୟାଗ କରିଥିଲେ ।

 

X X X

 

ତେବେ ସେ କ’ଣ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି ? ପ୍ରାଣର ଆବେଗ କିନ୍ତୁ ତାଙ୍କର ଦ୍ୱନ୍ଦ୍ୱ-ଦ୍ୱିଧା-ସନ୍ଦେହକୁ ଅତିକ୍ରମ କରିଯାଉଥିଲା ।

 

ସ୍ୱର୍ଗୀୟ ରୂପବିଭୂତି ସମନ୍ୱିତା ଶ୍ୟାମାଙ୍କର ଅଙ୍ଗେ ଅଙ୍ଗେ ଉଦ୍ଦୀପିତ ଯୌବନର ମହାଗୀତି । ସେହି ତନ୍ୱୀର ରୂପାନଳରେ ନିଜକୁ ଆହୁତି ଦେବାକୁ ଉଦ୍‌ବିଗ୍ନ ହୋଇଉଠୁଥିଲେ ସନ୍ନ୍ୟାସୀ । ସେ ଅନୁଭବ କରୁଥିଲେ ଯେପରି କାମନା–କଲ୍ଲୋଳିନୀର ଆବର୍ତ୍ତମଧ୍ୟରେ ତାଙ୍କର ପ୍ରବୃତ୍ତି–ପ୍ରଲୁବ୍‌ଧ ପ୍ରାଣ ନିମଜ୍ଜିତ ହୋଇପଡ଼ୁଛି ।

 

‘‘ଆପଣ ଶଙ୍କରଙ୍କ ସମ୍ବନ୍ଧରେ କ’ଣ କିଛି ସଂବାଦ ରଖିଛନ୍ତି ରାଜକୁମାରୀ ?’’

 

ନିଜର ପରିଚୟ ପ୍ରଦାନ କରିବାକୁ ଅସ୍ଥିର ହୋଇଉଠୁଥିଲେ ସନ୍ନ୍ୟାସୀ ଶଙ୍କର ।

 

‘‘ହଁ ସନ୍ନ୍ୟାସୀ, ଭାରତବିଶ୍ରୁତ ସନାତନ ହିନ୍ଦୁଧର୍ମର ସଂରକ୍ଷକ ବ୍ରହ୍ମଚାରୀ ଶଙ୍କରଙ୍କ ସମ୍ବନ୍ଧରେ ମୁଁ ଅବିଦିତ ନୁହେଁ ।’’

 

ରାଜକୁମାରୀଙ୍କ କଣ୍ଠରେ ବିନୟର ସୂଚନା ପରିଲକ୍ଷିତ ହେଉଥିଲା ।

 

‘‘ସେହି ଶଙ୍କର ଯଦି ଆପଣଙ୍କର ପ୍ରଣୟପ୍ରାର୍ଥୀ ହୁଅନ୍ତି, ତେବେ ଆପଣ ତାଙ୍କର ପ୍ରସ୍ତାବରେ ସମ୍ମତ ହେବେ କି ?’’ —ଅତି ସନ୍ତର୍ପଣଭାବେ ପ୍ରଶ୍ନ କଲେ ଶଙ୍କର ।

 

‘‘ସେ ସୌଭାଗ୍ୟ ଶ୍ୟାମାର ସ୍ୱପ୍ନାତୀତ ସନ୍ନ୍ୟାସୀ !’’ —ଶ୍ୟାମାଙ୍କର ଲଜ୍ଜାରୁଣ କପୋଳ କ୍ରମେ ଅଧିକରୁ ଅଧିକତର ଆରକ୍ତ ହୋଇଉଠୁଥିଲା ।

 

ଉପକ୍ରମଣିକାକୁ ଆଉ ଦୀର୍ଘତର ନ କରି ଉପସଂହାରରେ ଉପନୀତ ହେବାକୁ ଉଦ୍‌ବିଗ୍ନ ହୋଇଉଠୁଥିଲେ ସନ୍ନ୍ୟାସୀପ୍ରବର–‘‘ମୁଁ ଶଙ୍କରାଚାର୍ଯ୍ୟ ଶ୍ୟାମା–ତୁମର ପ୍ରଣୟପ୍ରାର୍ଥୀ ।’’

 

ଶ୍ୟାମାଙ୍କର ଅଙ୍ଗଭଙ୍ଗୀ ଶଙ୍କରଙ୍କୁ ପ୍ରତୀତ ହେଉଥିଲା–‘‘ଚଚାଳବାଳା ସ୍ତନଭିନ୍ନବଳ୍‌କଳା.... ନ ଯଯୌ ନ ତସ୍ଥୌ’’ର ଯେପରି ପୁନରାବୃତ୍ତି ହେଉଛି ।

 

‘‘ମୁଁ ପରମ ସୌଭାଗ୍ୟବତୀ, ସନ୍ନ୍ୟାସୀ ! ଏହି ଜନବିହୀନ ନିର୍ଜ୍ଜନ ବନାନୀରେ ଶ୍ୟାମାର ତପସ୍ୟା ଆଜି ସାର୍ଥକ ହୋଇଛି । ଆପଣ କିଛି ସମୟ ପ୍ରତୀକ୍ଷା କରନ୍ତୁ ସନ୍ନ୍ୟାସୀ ! ଅଳ୍ପ ସମୟମଧ୍ୟରେ ସଖିଗଣସହ ପ୍ରତ୍ୟାବର୍ତ୍ତନ କରି ବାସନାବିରାଗୀ ସନ୍ନ୍ୟାସୀଙ୍କୁ ସଂସାରର ଆଶ୍ଳେଷପ୍ରଦାନପୂର୍ବକ ମୁଁ ଧନ୍ୟା ହେବି ।’’

 

ଶ୍ୟାମାଙ୍କର ମୁଖମଣ୍ଡଳରେ ଏକ ବିଚିତ୍ର ସ୍ମିତହାସ୍ୟର ଝଲକ ମୁହୂର୍ତ୍ତକପାଇଁ ଖେଳିଗଲା-। ବିଜୟିନୀର ଦୃପ୍ତଠାଣିରେ ସେ ନିଷ୍କ୍ରାନ୍ତ ହୋଇଗଲେ ।

 

X X X

 

ଫାଲ୍‌ଗୁନ ଦଶମୀର ଚନ୍ଦ୍ର ଅସ୍ତୋନ୍ମୁଖପ୍ରାୟ ।

 

ପ୍ରହରପରେ ପ୍ରହର ଅତିକ୍ରାନ୍ତ ହେବାକୁ ଲାଗିଛି ।

 

ମାତ୍ର ଶ୍ୟାମାଙ୍କର ପ୍ରତୀକ୍ଷାରେ ଅସ୍ଥିର ହୋଇଉଠୁଛନ୍ତି ଶଙ୍କର । ଆଜନ୍ମ ବ୍ରହ୍ମଚାରୀ ପୃଥିବୀ-ପ୍ରଖ୍ୟାତ ଆଚାର୍ଯ୍ୟ ଶଙ୍କରଙ୍କର ମାନସଚକ୍ଷୁରେ ବାରମ୍ବାର ବାରଣ ସତ୍ତ୍ୱେ ନୃତ୍ୟ କରିଉଠୁଛି ସେହି ଭୁବନବିମୋହିନୀ ସ୍ୱର୍ଣ୍ଣଗୌରୀ ଅଙ୍ଗନାର ସ୍ପର୍ଦ୍ଧିତ ବକ୍ଷୋଜ, ପ୍ରସ୍ଫୁରିତ ପୁଷ୍ପ–ମସୃଣ କପୋଳ, ଆରକ୍ତ ଓଷ୍ଠାଧର ଓ ଅନୁପମ ଅଙ୍ଗଲାବଣ୍ୟର ଅପୂର୍ବ ପ୍ରତିଚ୍ଛବି । ଆଜନ୍ମ ସଂସାର–ବିରାଗୀ ବ୍ରହ୍ମଚାରୀର ବାସନା–ବିରକ୍ତ ପ୍ରାଣରେ ତାହା ସୃଷ୍ଟି କରୁଛି ବିଚ୍ଛେଦ–ବିଧୂର ବେପଥୁ ।

 

ସକଳ ମାନ-ମର୍ଯ୍ୟାଦା, ଶୃଙ୍ଖଳା-ସଂଯମର ବାଧା-ବନ୍ଧନ ବିସ୍ମୃତ ହୋଇ ସେ ଧୀରପଦକ୍ଷେପରେ ଭିତରକୁ ପ୍ରବେଶ କରିବାକୁ ଲାଗିଲେ ।

 

ପ୍ରାସାଦର ଅଭ୍ୟନ୍ତରରେ ଅପରିକଳ୍ପିତ ନୀରବତାର ରାଜତ୍ୱ । ଧୂପ-ଦୀପ ପୁଷ୍ପ-ଚନ୍ଦନର ସମନ୍ୱିତ ସୁରଭିରେ ସମଗ୍ର ବାୟୁମଣ୍ଡଳ ଆମୋଦିତ । ସନ୍ନ୍ୟାସୀଙ୍କର ଗତି ଦ୍ରୁତତର ହେବାକୁ ଲାଗିଲା । ଜନହୀନ ଶୂନ୍ୟ ବିଶାଳପୁରୀର ଶୂନ୍ୟତାର ଦଂଶନରେ ପ୍ରାଣ ତାଙ୍କର ଆର୍ତ୍ତନାଦ କରିଉଠିଲା । ସେ ଚିତ୍କାର କରିବାକୁ ଲାଗିଲେ ‘‘ଶ୍ୟାମା...ଶ୍ୟାମା....ଶ୍ୟାମା...’’

 

କେବଳ ତାଙ୍କରି କଣ୍ଠସ୍ୱରର ପ୍ରତିଧ୍ୱନି ପ୍ରାସାଦର ପ୍ରତିଟି କୋଣଅନୁକୋଣରୁ ପ୍ରତିଧ୍ୱନିତ ହେବାକୁ ଲାଗିଲା–ଶ୍ୟାମା...ଶ୍ୟାମା...ଶ୍ୟାମା...

 

ସନ୍ନ୍ୟାସୀ ସମସ୍ତ ଶକ୍ତି ସଂଚୟ କରି ଦ୍ରୁତପଦରେ ଧାଇଁବାକୁ ଲାଗିଲେ । କିନ୍ତୁ କାହାନ୍ତି ଶ୍ୟାମା ? କକ୍ଷପରେ କକ୍ଷ, ଅଙ୍ଗନପରେ ଅଙ୍ଗନ ଅତିକ୍ରମ କରି ସର୍ବଶେଷରେ ସେ ଏକ ସମୁଜ୍ଜ୍ୱଳ ଅଙ୍ଗନରେ ଉପସ୍ଥିତ ହେଲେ। ସେ ଲକ୍ଷ୍ୟ କଲେ ଅଙ୍ଗନକୁ ଲାଗିରହିଥିବା ଏକ ସୁସଜ୍ଜିତ ମଣ୍ଡପର ଶେଷଭାଗରେ ପୁଷ୍ପ–ଅଳଙ୍କାର–ବିଶୋଭିତା, ଚନ୍ଦନ–ଅଗୁରୁ–କୁଙ୍କୁମ–ଚର୍ଚ୍ଚିତା ଶ୍ୟାମା ଅଭିସାରିକାର ବେଶରେ ତାଙ୍କୁ ହିଁ ପ୍ରତୀକ୍ଷା କରିଛି । ପ୍ରାଣ ତାଙ୍କର ଯୁଗପତ୍‌ ଭୟ–ବିସ୍ମୟ–ଆନନ୍ଦରେ ଅଧୀର ହୋଇଉଠିଲା । ସମ୍ମୁଖଭାଗରୁ କ୍ଷୀଣ ପ୍ରଦୀପଶିଖାରେ ଅର୍ଦ୍ଧାଲୋକିତ ଶ୍ୟାମାର ଅଙ୍ଗସୌଷ୍ଠବରେ ଅନୁପମ ସୌନ୍ଦର୍ଯ୍ୟର ଆଭାସ ବିଶେଷ ଆକର୍ଷଣୀୟ ହୋଇଉଠୁଥିଲା ।

 

ସନ୍ନ୍ୟାସୀ ଆହୁରି ଆହୁରି ନିକଟକୁ ଅଗ୍ରସର ହେବାକୁ ଲାଗିଲେ; ଶ୍ୟାମା କିନ୍ତୁ ସ୍ଥାଣୁ ଓ ନିଶ୍ଚଳ ।

 

ତାଙ୍କୁ ପ୍ରତୀତ ହେଲା ନାରୀସୁଲଭ ବ୍ରୀଡ଼ାଯୋଗୁ ଅବଗୁଣ୍ଠନବତୀ ଶ୍ୟାମା ଯେପରି ନିଶ୍ଚଳ ଓ ବାକ୍‌ହୀନ ହୋଇଉଠିଛି ।

 

ଧୀରେ-ଧୀରେ ଅଙ୍ଗନ ଅତିକ୍ରମ କରି ସନ୍ନ୍ୟାସୀ ଶଙ୍କର ମଣ୍ଡପଉପରେ ଉପସ୍ଥିତ ହେଲେ । ତଥାପି ଶ୍ୟାମା ନିଶ୍ଚଳ ।

 

ଆହୁରି ନିକଟବର୍ତ୍ତୀ ହେଲେ ସନ୍ନ୍ୟାସୀ । ନିରୀକ୍ଷଣ କଲେ ସେ—ସେହି କାନ୍ତ କମନୀୟ ମୁଖ, ସେହି ଲାବଣ୍ୟଭରା ଆରକ୍ତ ଅଧର, ସେହି ସୁଷମିତ ତନୁଶ୍ରୀର ଯୌବନର ଛନ୍ଦଚପଳ ସଙ୍ଗୀତର ସାବଲୀଳ ଝଙ୍କାର, ବିଧିର ବରେଣ୍ୟ ସୃଷ୍ଟିର ଓଷ୍ଠଧାରରେ ଅନୁପମ ସୌନ୍ଦର୍ଯ୍ୟ ।

 

ତେବେ ନୀରବ କାହିଁକି ? ରହସ୍ୟମୟୀ ଶ୍ୟାମାର ଏ କ’ଣ ଛଳନା ? ଆବେଗୋନ୍ମତ୍ତ ସନ୍ନ୍ୟାସୀ ଶଙ୍କର ଅଙ୍ଗ ସ୍ପର୍ଶ କଲେ ।

 

......‘‘ଏ କ’ଣ ! ଶ୍ୟାମାର ନବନୀତ–କୋମଳ ଅଙ୍ଗରେ ପ୍ରସ୍ତରର କାଠିନ୍ୟ ?’’ ‘ଶ୍ୟାମା’ ବୋଲି ଚିତ୍କାର କରି ଭୂତଳଶାୟୀ ହେଲେ ସନ୍ନ୍ୟାସୀ ।

 

ମାର୍ବଲ୍‌ ମୂର୍ତ୍ତିର ଓଷ୍ଠରେ ହସର ବନ୍ୟା ମାୟାବିନୀ ରାତ୍ରିର ଅନ୍ଧକାରକୁ ରୋମାଞ୍ଚକାରୀ ସ୍ପର୍ଶ ପ୍ରଦାନ କରୁଥିଲା ।

 

ପ୍ରଣୟ–ପ୍ରଦୀପ

 

ଶ୍ୟାମା ଧରିତ୍ରୀର ଯୌବନଦୀପ୍ତ ଶ୍ରୀସନ୍ଦର୍ଶନରେ ଶରତ୍‌ର ପୂର୍ବାହ୍‌ଣ ସୂର୍ଯ୍ୟ ଆତ୍ମବିସ୍ମୃତି ଲାଭ କରିଛି ।

 

ରାଜକୁମାରୀ ଶର୍ବରୀଙ୍କର ଅଶ୍ୱ ଛୁଟି ଚାଲିଛି । ଲୀଳାୟିତ ଭଙ୍ଗୀରେ ଦ୍ରୁତପଦକ୍ଷେପରେ ଦିଗ୍‌ବଳୟ ଅଭିମୁଖରେ ତାଙ୍କର ଅଶ୍ୱ ଅଗ୍ରସର ହେବାରେ ଲାଗିଛି ।

 

ନୀଳ ଦୁକୂଳପରିହତା ଶର୍ବରୀଙ୍କର ସ୍ୱେଦସିକ୍ତ ଆରକ୍ତ ଗଣ୍ଡଦେଶ ଆହୁରି ରକ୍ତିମ ହୋଇଉଠୁଛି । ତାଙ୍କର ନୀଳାଭ ଚକ୍ଷୁଯୁଗଳରେ ଅପୂର୍ବ ଦୀପ୍ତି ପ୍ରକାଶ ପାଉଛି ।

 

ଦ୍ରୁତଗାମୀ ଅଶ୍ୱର ଗତିକୁ ନିୟନ୍ତ୍ରଣ କରୁ କରୁ ଥରେ ଥରେ ସିଂହାସନଲୋକ କରୁଛନ୍ତି ରାଜକୁମାରୀ । ଧୂସର ସବୁଜ ଦିଗ୍‌ବଳୟର ଶୂନ୍ୟତା ତାଙ୍କର ପ୍ରାଣରେ ପୁଲକର ସ୍ପନ୍ଦନ ଭରିଦେଉଛି ।

 

କିନ୍ତୁ କାହାନ୍ତି ? କାହାନ୍ତି ସେହି ଗର୍ବୋନ୍ମତ୍ତ ଆସ୍ଫାଳନ–ସ୍ଫୀତ ପ୍ରତିଯୋଗୀ ରାଜକୁମାରମାନେ ?

 

କାହିଁ ତାଙ୍କର ବିଜିଗୀଷାବ୍ୟଞ୍ଜିତ ମୁଖମଣ୍ଡଳର ଔଦ୍ଧତ୍ୟ ?

 

ଜଣେ ତରୁଣୀସହିତ ଅଶ୍ୱଚାଳନା–ପ୍ରତିଯୋଗିତାରେ ଯୋଗ ଦେଇ ସେମାନେ ଯେଉଁ ତାଚ୍ଛଲ୍ୟ ପ୍ରକାଶ କରୁଥିଲେ ତାହାର ସେମାନେ ହିଁ ଶିକାର ହୋଇଛନ୍ତି ।

 

ଶର୍ବରୀ ଆଜି ବିଜୟିନୀ । ସମ୍ମୁଖସ୍ଥ ବିଜୟସ୍ତମ୍ଭର ରକ୍ତଚିରାଳ ତାଙ୍କୁ ସ୍ୱାଗତ କରୁଛି । ଅଳ୍ପ କେତେକ ମୁହୂର୍ତ୍ତପରେ ଅଶ୍ୱ ସଦର୍ପରେ ବିଜୟସ୍ତମ୍ଭ ଅତିକ୍ରମ କରିଯିବ । ସମବେତ ରାଜକର୍ମଚାରିବୃନ୍ଦ ସହର୍ଷଚିତ୍ତରେ ରାଜକୁମାରୀ ଶର୍ବରୀଙ୍କର ଅଭିନନ୍ଦନ କରିବେ । ରାଜପୁରୋହିତଙ୍କଠୁଁ ବିଜୟତିଳକ ଲାଭ କରି ପରାଜିତ ରାଜପୁତ୍ରମାନଙ୍କୁ ସେ ଆଶା–ଆଶ୍ୱାସନାର ବାଣୀ ଶୁଣାଇବେ ।

 

କିନ୍ତୁ କାହିଁକି ଏ ପ୍ରତିଯୋଗିତା ?

 

କାହିଁକି ଏ ଉତ୍ସବ–ଅନୁଷ୍ଠାନ ?

 

କାହିଁକି ଏ ଗର୍ବୋନ୍ମତ୍ତ ରାଜକୁମାରଙ୍କର ବାରମ୍ବାର ବଞ୍ଚନା ?

 

ସେ ତ ବାରମ୍ବାର ବ୍ୟକ୍ତ କରିଛନ୍ତି ରାଜପୁରୀ, ରାଜୈଶ୍ୱର୍ଯ୍ୟ, ରାଜକୁମାର ତାଙ୍କର କାମ୍ୟ ନୁହନ୍ତି । ଗଭୀର ବନାନୀ–ଅଭ୍ୟନ୍ତରରେ ଗିରିଗହ୍ୱର–ଅନ୍ତରାଳରେ ତପସ୍ୟାନିମଗ୍ନ ଥିବା ସନ୍ନ୍ୟାସୀଙ୍କୁ ହିଁ ସେ ବରଣ କରିବେ । ତଥାପି ଏ ରାଜକୁମାରମାନେ ଧାଇଁଆସନ୍ତି କାହିଁକି ? କୃଷ୍ଣଗଡ଼ର ରାଜକୁମାର ଶତଦଳ ହିଁ ଏହି ସକଳ ଉତ୍ସବ–ଅନୁଷ୍ଠାନ ଅନ୍ତରାଳରେ ବିଦ୍ୟମାନ ।

 

ଶର୍ବରୀ ଲକ୍ଷ୍ୟ କଲେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ତାଙ୍କର ଅଶ୍ୱକୁ ଦ୍ରୁତତର କରିବାକୁ ଉଦ୍ୟମ କରୁଛନ୍ତି ରାଜକୁମାର ଶତଦଳ ।

 

ସ୍ମିତହାସ୍ୟର ଏକ ସାବଲୀଳ ପରିପ୍ରକାଶରେ ଶର୍ବରୀଙ୍କର ଆରକ୍ତ ଓଷ୍ଠାଧର ଅପୂର୍ବ ଶ୍ରୀ ଧାରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ଚକ୍ଷୁର ଚତ୍ୱରରେ ବିଦ୍ରୂପର ସଙ୍କେତ ସୁସ୍ପଷ୍ଟ ହୋଇଉଠୁଥିଲା-

 

ଶତଦଳଙ୍କର ଏ ଉଦ୍ୟମ ସମ୍ପୂର୍ଣ୍ଣ ବୃଥା । ବେଳେ ବେଳେ ତାଙ୍କର ଗୌର-ମସୃଣ କପାଳଉପରୁ ଭ୍ରୂଲତା ଅତିକ୍ରମ କରି ଝରିପଡ଼ୁଥିବା ସ୍ୱେଦବିନ୍ଦୁକୁ ଦକ୍ଷିଣହସ୍ତର ତର୍ଜ୍ଜନୀରେ ଶାସନ କରି ସେ ତାଙ୍କର ଅଶ୍ୱକୁ ଉତ୍ତେଜିତ କରୁଛନ୍ତି ।

 

ସମ୍ମୁଖରେ ତାଙ୍କର ଯୁଗ-ଯୁଗର ଯୌବନର ତୃଷ୍ଣା ପ୍ରଶମିତ କରିବାର ଶାନ୍ତ ସୁଶୀତଳ ସଙ୍ଗୀତମୁଖର ନିର୍ଝର । ତା’ର ଉଦ୍ଦାମ ଉତ୍ତରଳ ପ୍ରବାହରେ ଅପୂର୍ବ ମୂର୍ଚ୍ଛନା—ଅନୁପମ ଆକର୍ଷଣ । ଶତଦଳଙ୍କର ଅଶ୍ୱ ଶର୍ବରୀଙ୍କର ନିକଟବର୍ତ୍ତୀ ହେଉଛି ।

 

ଶତଦଳଙ୍କର ହୃଦୟର ସ୍ପନ୍ଦନ ବୃଦ୍ଧି ଲାଭ କରୁଥିଲା ।

 

ବେଳେବେଳେ ସେହି ଲାସ୍ୟମୟୀ ତନ୍ୱୀର ସୁରଭିତ ତନୁର ମାଦକତାମୟ ସୌରଭରେ ଆମୋଦିତ ହୋଇଉଠୁଛି ଚତୁର୍ଦ୍ଦିଗ । ଶତଦଳଙ୍କର ଶାନ୍ତ ଶରୀରରେ ତାହା ସୃଷ୍ଟି କରୁଛି ନବୀନ ଉନ୍ମାଦନା ।

 

ଆଃ, ଥରେ ହେଲେ ଯଦି ତାଙ୍କର ଅଶ୍ୱ ଶର୍ବରୀଙ୍କର ଅଶ୍ୱକୁ ଅତିକ୍ରମ କରିଯାଆନ୍ତା ! ତାହା ହେଲେ ସେହି ରୂପମୟୀ ଯୌବନ–ଚଞ୍ଚଳା ବାଳାକୁ ସହଧର୍ମିଣୀଭାବେ ଲାଭ କରି ଶତଦଳ ସାର୍ଥକ କରନ୍ତେ ତାଙ୍କର ଜନ୍ମଜନ୍ମାନ୍ତରର ତୃଷ୍ଣା । ସେହି ପ୍ରମଦାର ପ୍ରୀତିପୂର୍ଣ୍ଣ ପ୍ରଣୟ–ସଂଳାପରେ ସେ ଶ୍ରବଣ କରନ୍ତେ ତାଙ୍କର ଜୀବନର ମହା-ମହୋତ୍ସବର ଉଦ୍‌ବୋଧନ–ସଙ୍ଗୀତର ପ୍ରଥମ ମୂର୍ଚ୍ଛନା-

 

ଶତଦଳ ଉତ୍ତେଜିତ ହୋଇପଡ଼ୁଥିଲେ ।

 

ମାତ୍ର ଶର୍ବରୀ ସର୍ବଦା ରାତ୍ରିପରି ରହସ୍ୟମୟୀ ।

 

ଶତଦଳଙ୍କର ସହସ୍ର ଆକୁଳ ଅନୁରୋଧ ତାଙ୍କର ତନୁମନରେ କେବେ କି ପ୍ରତିଧ୍ୱନି ସୃଷ୍ଟି କରେନା । ତାହାହିଁ ଶତଦଳଙ୍କୁ ବିସ୍ମିତ କରିଛି ।

 

ରକ୍ତଚିରାଳବହନକାରୀ ବିଜୟସ୍ତମ୍ଭର ସନ୍ନିକଟବର୍ତ୍ତୀ ହେଉଛି ଶର୍ବରୀଙ୍କର ଅଶ୍ୱ । ଶତଦଳ ଭାବୁଥିଲେ ସହାନୁଭୂତିସମ୍ପନ୍ନା ହୋଇ ଥରେ ଯଦି ସେ ତାଙ୍କ ଗତିରେ ପୂର୍ବପରି ଶିଥିଳତା ସୃଷ୍ଟି କରନ୍ତେ ତାହା ହେଲେ ତାଙ୍କର ସ୍ୱପ୍ନ କେତେକ ମୁହୂର୍ତ୍ତପରେ ସାର୍ଥକ ହୁଅନ୍ତା ।

 

କିନ୍ତୁ କାହିଁ ? ଶର୍ବରୀଙ୍କର ଅଶ୍ୱର ଗତି କ୍ରମଶଃ କ୍ଷିପ୍ରରୁ କ୍ଷିପ୍ରତର ହୋଇଉଠୁଛି । ତାଙ୍କ ଉନ୍ମୁକ୍ତ କବରୀର କୁଞ୍ଚିତ କେଶଗୁଚ୍ଛ ତାଙ୍କର ନୀଳ ପରିଧାନର ଅଞ୍ଚଳସହ ପ୍ରତିଦ୍ୱନ୍ଦ୍ୱିତା କରି ତା’ର ଦୀର୍ଘତା ପ୍ରତିପାଦନ କରୁଛି । ତୀବ୍ରଗତିରେ ଛୁଟିଚାଲିଛି ଅଶ୍ୱ । ବିଜୟସ୍ତମ୍ଭର ରକ୍ତଚିରାଳର ବିଜୟଶ୍ରୀ ଯେପରି ତାଙ୍କୁ ହିଁ ଅଭିନନ୍ଦନ କରୁଛି ।

 

ଚମକିପଡ଼ିଲେ ଶତଦଳ । ତାହା ହେଲେ ପରାଜୟର ଗ୍ଳାନି ନେଇ ତାଙ୍କୁ କ’ଣ କୃଷ୍ଣଗଡ଼ ପ୍ରତ୍ୟାବର୍ତ୍ତନ କରିବାକୁ ହେବ ?

 

ରାଜକୁମାର ଶତଦଳଙ୍କର ଭ୍ରୂଲତାସଂଲଗ୍ନ ମସୃଣ କପାଳ କୁଞ୍ଚିତ ହୋଇଉଠୁଥିଲା ।

 

ତାଙ୍କର ଜୀବନର ଦିଗ୍‌ଦର୍ଶନ ବଦଳିଯାଉଥିଲା । କ’ଣ ତାଙ୍କର କାମ୍ୟ–କୃଷ୍ଣଗଡ଼ର ବିଭବଭରା ରାଜପୁରୀ ନା ରୂପଗରବିଣୀ କୋଶଳତନୟା ଶର୍ବରୀ ?

 

କ୍ଷଣକପାଇଁ ମସ୍ତିଷ୍କର ସ୍ନାୟୁସକଳ ଭାରାକ୍ରାନ୍ତ ହୋଇଉଠିଲେ ତାଙ୍କର । ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ ଉଦ୍ୟମ କରୁଥିଲେ ଶତଦଳ । କୃଷ୍ଣଗଡ଼ର ରାଜସିଂହାସନ ଓ ରାଜପ୍ରାସାଦର ବୈଭବବିଭୂତିର ଆକର୍ଷଣ ଯେବେ ରାଜକୁମାରୀ ଶର୍ବରୀଙ୍କ ନିକଟରେ ମୂଲ୍ୟହୀନ, ତେବେ ଶତଦଳଙ୍କ ନିକଟରେ ଆଉ ତା’ର ଆକର୍ଷଣ କାହିଁକି ? ଶର୍ବରୀ ହିଁ ତାଙ୍କ ଜୀବନର ସକଳ ଆଶା, ସକଳ ସ୍ୱପ୍ନ ଓ ସକଳ ସଫଳତାର ଉତ୍ସ ।

 

ସନ୍ନ୍ୟାସୀ-ଜୀବନର ରିକ୍ତତା ଓ ରୁକ୍ଷତା ଯେବେ ଶର୍ବରୀ-ଜୀବନର ସ୍ୱପ୍ନ, ତେବେ ତାହା ହିଁ ସେ ବରଣ କରିନେବେ । ରାଜକୁମାରର ଆଳସ୍ୟବିଳାସଭରା ଜୀବନକୁ ପରିତ୍ୟାଗ କରି ସେ ସନ୍ନ୍ୟାସୀ–ଜୀବନର କୃଚ୍ଛ୍ର ସାଧନାକୁ ତାଙ୍କର ପାଥେୟ କରିନେବେ । ଦ୍ରୁତଗତିରେ ଏହି ମାନସିକ ସଂକଳ୍ପକୁ ବାସ୍ତବତାର ସ୍ପର୍ଶ ପ୍ରଦାନ କରିବାନିମିତ୍ତ ସେ ଯେପରି ଉଦବିଗ୍ନ ହୋଇଉଠୁଥିଲେ ।

 

ପ୍ରତିଯୋଗିତାରେ ବିଜୟ–ଗୌରବ–ବିମଣ୍ଡିତା ଶର୍ବରୀଙ୍କର ସ୍ମିତହାସ୍ୟାପ୍ଳୁତ ମୁଖମଣ୍ଡଳରେ ତାଙ୍କ ଜୀବନର ବିଫଳତାର ପ୍ରତିବିମ୍ବ ଦର୍ଶନ କରିବାକୁ ଶତଦଳଙ୍କର ପ୍ରାଣ ବିଦ୍ରୋହ କରିଉଠୁଥିଲା ।

 

ଘନ-ଘନ ଶଙ୍ଖଧ୍ୱନି ରାଜକୁମାରୀ ଶର୍ବରୀଙ୍କର ବିଜୟ ଉଦ୍‌ଘୋଷଣ କରୁଛି । ଶତଦଳ ଶେଷ ଥରପାଇଁ ରୂପେଶ୍ୱରୀ ଶର୍ବରୀଙ୍କ ମୁଖମଣ୍ଡଳ ଉପରେ ଆଖି ବୁଲାଇଆଣିଲେ ।

 

ତା’ପରେ ଅଶ୍ୱର ଗତିକୁ ତ୍ୱରାନ୍ୱିତ କରିଦେଇ କ୍ଷିପ୍ରଗତିରେ ପ୍ରତ୍ୟାବର୍ତ୍ତନ କରିବାକୁ ଲାଗିଲେ ଶତଦଳ ।

 

ତାଙ୍କର ଅଶ୍ୱ କିନ୍ତୁ କୃଷ୍ଣଗଡ଼–ରାଜପ୍ରାସାଦ ଅଭିମୁଖରେ ଗତି କରୁ ନ ଥିଲା । କୃଷ୍ଣଗଡ଼ସୀମାନ୍ତରେ ଥିବା ବନଭୂମି ହିଁ ତା’ର ଲକ୍ଷ୍ୟସ୍ଥଳରୂପେ ନିର୍ଦ୍ଧାରିତ ହୋଇଥିଲା ।

 

କୃଷ୍ଣଗଡ଼–ରାଜ୍ୟସୀମା ଅତିକ୍ରମ କଲାବେଳେ ଶତଦଳଙ୍କର ଚକ୍ଷୁରୁ ଦୁଇ ଧାର ଲୁହ ଝରିପଡ଼ିଲା; କିନ୍ତୁ ତାଙ୍କର ପ୍ରାଣର ଆବେଗର ବାତ୍ୟାରେ ପ୍ରିୟ ଜନ୍ମଭୂମିପାଇଁ ତାଙ୍କର ମମତା ନିଶ୍ଚିହ୍ନ ହୋଇଗଲା ।

 

ରାଜକୁମାରଙ୍କର ନିରୁଦ୍ଦିଷ୍ଟ–ସଂବାଦ କୃଷ୍ଣଗଡ଼ର ଅଧିବାସୀଙ୍କୁ ଶୋକାଭିଭୂତ କଲା ।

 

X X X

 

ସେ ଏକ ଜ୍ୟୋତ୍ସ୍ନାଲୋକିତ ଶାରଦୀୟ ସନ୍ଧ୍ୟା ।

 

ହିମାଦ୍ରିର ଘନ ବନସ୍ପତି–ସମାକୀର୍ଣ୍ଣ ଶୁଭ୍ର ତୁଷାରାଚ୍ଛାଦିତ ବନଭୂମି ଜ୍ୟୋତ୍ସ୍ନାବୈଭବ ଲଭି ଯେପରି ସ୍ୱପ୍ନାବିଷ୍ଟ ହୋଇଉଠୁଛି । ସଦ୍ୟପ୍ରସ୍ଫୁଟିତ ବନଶେଫାଳିର ସୁରଭିତ ସ୍ପର୍ଶରେ ସବୁ କିଛି ଉତ୍ତଳା ।

 

କୋଶଳ-ସମ୍ରାଟ ଅତି ସନ୍ତର୍ପଣରେ ନିଜର କନ୍ୟା ଶର୍ବରୀଙ୍କସହିତ ପଦବ୍ରଜରେ ଗୁମ୍ଫାପରେ ଗୁମ୍ଫା ଅତିକ୍ରମ କରି ଅଗ୍ରସର ହେଉଥିଲେ ।

 

ଶତ ଶତ ସ୍ୱପ୍ନସୁନ୍ଦର ରାଜକୁମାରଙ୍କ ଆକୁଳ ନିବେଦନକୁ ଯେ ପ୍ରତ୍ୟାଖ୍ୟାନ କଲେ ଆଜି ସେହି ରାଜକୁମାରୀ ଜନହୀନ ହିମାଦ୍ରିର ବିଜନ ବକ୍ଷରେ ରୁକ୍ଷ କର୍କଶ ଜୀବନନିର୍ବାହକାରୀ ସନ୍ନ୍ୟାସୀର ପ୍ରଣୟପ୍ରାର୍ଥିନୀ ।

 

ବହୁ ସନ୍ନ୍ୟାସୀଙ୍କର କୁଟୀରସମ୍ମୁଖରେ ଉପସ୍ଥିତ ହୋଇ ଆତ୍ମପରିଚୟପ୍ରଦାନପୂର୍ବକ ସ୍ୱୀୟ କନ୍ୟାର ପ୍ରଣୟ-ନିବେଦନ ପ୍ରକାଶ କରି ସମ୍ମତିନିମିତ୍ତ ପ୍ରତୀକ୍ଷା କଲେ କୋଶଳ-ସମ୍ରାଟ୍‌ ।

 

ମାତ୍ର ଏପରି ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାନିମିତ୍ତ କେହି ହେଲେ ସମ୍ମତି ପ୍ରକାଶ କଲେ ନାହିଁ । ଯଦିବା କାହାର ମୁଖମଣ୍ଡଳରେ ସମ୍ମତିର ସାମାନ୍ୟ ସୂଚନାର କ୍ଷୀଣ ଆଭାସ ରୂପ ଲାଭ କଲା ତେବେ ସଙ୍ଗେ ସଙ୍ଗେ ଶର୍ବରୀ ସେ ସ୍ଥାନ ପରିତ୍ୟାଗ କରୁଥିଲେ ।

 

କୋଶଳ–ସମ୍ରାଟଙ୍କ ନିକଟରେ ଅପରିଚିତ ସେହି ସନ୍ନ୍ୟାସୀମାନଙ୍କ ଅପେକ୍ଷା ତାଙ୍କର କନ୍ୟା ହିଁ ଅଧିକତର ପ୍ରହେଳିକାମୟ ହୋଇଉଠୁଥିଲେ ।

 

ପରିଶେଷରେ ସେମାନେ ଲକ୍ଷ୍ୟ କଲେ ଏକ ପ୍ରକୃତିନିର୍ମିତ ପ୍ରସ୍ତରମଣ୍ଡପଉପରେ ଉପବେଶନ କରିଛନ୍ତି ଜଣେ ତରୁଣ ତାପସ । ଐଶ୍ୱର୍ଯ୍ୟ–ବିଳାସ–ବିବର୍ଦ୍ଧିତ ଜଣେ ରାଜପୁତ୍ର–ଜୀବନର ସକଳ ବିଭୂତିରେ ସେ ସନ୍ନ୍ୟାସୀଙ୍କ ଶରୀର ସୁସମୃଦ୍ଧ ।

 

ମନେ ହେଉଥିଲା, ସତେ ଯେପରି କି କେଉଁ ଯଶୋଧାରାଙ୍କର ପ୍ରୀତିନିବେଦନକୁ ପ୍ରତ୍ୟାଖ୍ୟାନ କରି ଆଉ ଏକ ଶୁଦ୍ଧୋଦନତନୟ ସତ୍ୟସନ୍ଧାନ–ଉଦ୍ଦେଶ୍ୟରେ ସଂଯମର ଅନୁଶୀଳନନିମିତ୍ତ ଆଜି ଶୈଳରାଜ ହିମାଳୟରଅତିଥି ।

 

ସନ୍ନିକଟବର୍ତ୍ତୀ ହେଉଥିଲେ ରାଜକୁମାରୀ ଓ ତାଙ୍କର ପିତା । ସନ୍ନ୍ୟାସୀଙ୍କର ଚକ୍ଷୁ କିନ୍ତୁ ମୁଦ୍ରିତ, ସତେ କି ସେ ସ୍ଥାଣୁ ଓ ଅଚଳ । ତାଙ୍କର ଉଦାର–ଉଦାସୀନ ମୁଖମଣ୍ଡଳରେ ଏକ ଅପୂର୍ବ ଦୀପ୍ତି ।

 

କୋଶଳ–ସମ୍ରାଟ୍‌ଙ୍କର ନୈରାଶ୍ୟ–ତିମିରିତ ମୁଖମଣ୍ଡଳରେ ଆଶାର ଏକ କ୍ଷୀଣ ଝଲକ ଖେଳିଗଲା ।

 

ମାତ୍ର ଶର୍ବରୀଙ୍କର ଗତିରେ ଶିଥିଳତା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ତାଙ୍କର ସମୁଜ୍ଜ୍ୱଳ ଚକ୍ଷୁରେ ଅନ୍ତର୍ନିହିତ ମାନସିକ ଦ୍ୱନ୍ଦ୍ୱ ରୂପ ଲାଭ କରୁଥିଲା । ସେହି ତରୁଣ ତାପସଙ୍କ ଉପରେ ନିର୍ନିମେଷ ଦୃଷ୍ଟି ତାଙ୍କର ନିବଦ୍ଧ ହୋଇଉଠୁଥିଲା ।

 

କିଏ, କିଏ ଏହି ଧ୍ୟାନସୀନ ତରୁଣ ?

 

ତାଙ୍କର ପ୍ରଣୟଭିକ୍ଷୁ ଶତଦଳ ନୁହନ୍ତି ତ ?

 

ମୃଦୁପଦପାତରେ ଅବତନମୁଖରେ ରାଜକୁମାରୀ ଶର୍ବରୀ ଧୀରେ–ଧୀରେ ଅଗ୍ରସର ହେଉଥିଲେ । ଯେତିକି ସେ ଅଗ୍ରସର ହେଉଥିଲେ ତାଙ୍କର ହୃଦ୍‌ସ୍ପନ୍ଦନ ସେତିକି ବୃଦ୍ଧି ଲାଭ କରୁଥିଲା ଏବଂ ସେହି ତରୁଣ ଯେ ଶତଦଳ ଏହି ବିଶ୍ୱାସ ତାଙ୍କର ଦୃଢ଼ୀଭୂତ ହେଉଥିଲା ।

 

ଗର୍ବୋତ୍‌ଫୁଲ୍ଲା ଶର୍ବରୀ ଚିନ୍ତା କରିବାକୁ ଲାଗୁଥିଲେ–ତାହା ହେଲେ ତାଙ୍କରିନିମିତ୍ତ ସର୍ବଶେଷରେ ଶତଦଳ ସନ୍ନ୍ୟାସୀ-ଜୀବନର ସଂଯମକୁ ବରଣ କରିଛନ୍ତି ? ବର୍ଷପରେ ବର୍ଷ ତାଙ୍କରି ପ୍ରତୀକ୍ଷାରେ ହିଁ ସେ ଧ୍ୟାନସ୍ଥ ହୋଇଛନ୍ତି !

 

ଶର୍ବରୀଙ୍କ ପ୍ରାଣ ଶତଦଳଙ୍କନିମିତ୍ତ ଦୟାବିଗଳିତ ହୋଇଉଠିଲା ।

 

ଅଧିକତର ନିକଟବର୍ତ୍ତୀ ହେଲେ ଶର୍ବରୀ । ତରୁଣ ସନ୍ନ୍ୟାସୀ ସେ ଶତଦଳ ଏଥିରେ ଆଉ ତାଙ୍କର ଦ୍ୱିଧା ରହିଲା ନାହିଁ ।

 

ଶର୍ବରୀଙ୍କର ପ୍ରାଣର ଆବେଗ ତାଙ୍କର ଆରକ୍ତ ଅଧରର କମ୍ପନରେ ସ୍ପଷ୍ଟରୂପେ ସୂଚିତ ହେଉଥିଲା । ଶତଦଳଙ୍କର ପାଦତଳେ ନିଜକୁ ସମର୍ପଣ କରିଦେବାନିମିତ୍ତ ଉଦ୍‌ବିଗ୍ନା ହୋଇଉଠୁଥିଲେ ରାଜକୁମାରୀ । ସେଦିନର ଯାଚକ ଶତଦଳଙ୍କର ନିବଦ୍ଧ ଅଞ୍ଜଳି ଉନ୍ମୋଚନ କରି ଯୁଗ-ଯୁଗ ଧରି ସେଥିରେ ରୂପର-ମଦିରା ଢାଳିଦେଇ ତାଙ୍କର ଯୌବନତୃଷ୍ଣାକୁ ପ୍ରଶମିତ କରିବାନିମିତ୍ତ ସେ ବ୍ୟଗ୍ର ହୋଇଉଠୁଥିଲେ ।

 

ସେହି ତରୁଣ ସନ୍ନ୍ୟାସୀ ଶତଦଳଙ୍କ ନିକଟରେ ନିଜ କନ୍ୟାସହିତ ଉପସ୍ଥିତ ହୋଇ ପ୍ରଣାମ ନିବେଦନ କଲେ କୋଶଳ-ସମ୍ରାଟ୍‌ ।

 

‘‘ମୋର ପ୍ରଣାମ ଗ୍ରହଣ କରନ୍ତୁ ସନ୍ନ୍ୟାସୀ !’’

 

ସନ୍ନ୍ୟାସୀଙ୍କର ଚକ୍ଷୁ ଉନ୍ମୀଳିତ ହେଲା । ଏକ ନିର୍ଲିପ୍ତିର ଗୁରୁଗମ୍ଭୀର ଛାୟା ସେ ସମୁଜ୍ଜ୍ୱଳ ଚକ୍ଷୁରେ ତା’ର ରାଜତ୍ୱକୁ ଯେପରି ସୁପ୍ରତିଷ୍ଠିତ କରିସାରିଥିଲା ।

 

କୋଶଳ-ସମ୍ରାଟ୍‌ ଆତ୍ମପରିଚୟ ପ୍ରଦାନ କରି ନିଜର କନ୍ୟାର ଅଭୀପ୍‌ସା ଓ ସଙ୍କଳ୍ପ ସନ୍ନ୍ୟାସୀଙ୍କନିକଟରେ ପ୍ରକାଶ କଲେ ।

 

ସନ୍ନ୍ୟାସୀଙ୍କର ମୁଖମଣ୍ଡଳ ଏକ ବିଚିତ୍ର ହାସ୍ୟରେଖାରେ ସମୁଦ୍ଭାସିତ ହୋଇଉଠୁଥିଲା ଓ ଚକ୍ଷୁଯୁଗଳ ଧୀରେ-ଧୀରେ ନିମୀଳିତ ହୋଇଆସୁଥିଲା । ଶତଦଳଙ୍କର ମୁଖର ଭାବକୁ ଅନୁଧ୍ୟାନ କରିବାକୁ ଉଦ୍ୟମ କରୁଥିଲେ ଶର୍ବରୀ । ଏହି ସେହି ଶତଦଳ, ଯେ କି ବର୍ଷ ବର୍ଷ ଧରି ତାଙ୍କରି ରୂପପୂଜାକୁ ଜୀବନର ପରମ ସମ୍ବଳରୂପେ ଗ୍ରହଣ କରିଆସିଛନ୍ତି ।

 

ତେବେ ଆଜି ଏ ଛଳନା କାହିଁକି ?

 

ତେବେ ଏ ଆତ୍ମ–ପ୍ରବଞ୍ଚନା ?

 

ନିଜର ଅଲକ୍ଷିତରେ କ୍ଷୀଣକଣ୍ଠରେ ତାଙ୍କୁ ଆହ୍ୱାନ କଲେ ସେ ‘‘ଶତଦଳ !’’ ତରୁଣୀର ପ୍ରେମନିବେଦନର ସକଳ ଆର୍ତ୍ତ-ଆକୂତି ଯେପରି ସେହି କ୍ଷୀଣ ଆହ୍ୱାନମଧ୍ୟରେ ପୂର୍ଣ୍ଣରୂପେ ଅଭିବ୍ୟକ୍ତି ଲାଭ କରୁଥିଲା ।

 

ସନ୍ନ୍ୟାସୀ-ହୃଦୟରେ ସତେ କି ତା’ର ପ୍ରତିଧ୍ୱନି ସୃଷ୍ଟି ହେଲା । ତାଙ୍କର ଅର୍ଦ୍ଧନିମୀଳିତ ଚକ୍ଷୁ ପୁଣି ଥରେ ବିସ୍ଫାରିତ ହୋଇଉଠିଲା । ପ୍ରଦୀପର ଜ୍ୟୋତିର୍ମୟ ଦୀପ୍ତିପରି ଶର୍ବରୀଙ୍କର ଶରୀରରେ ସମୁଜ୍ଜ୍ୱଳ ହୋଇଉଠିଥିବା ରୂପର ଲେଲିହାନ ଶିଖା ଉପରେ ସେ ଥରେ ଦୃକ୍‌ପାତ କରିନେଲେ ।

 

ଶର୍ବରୀଙ୍କର ବ୍ରୀଡ଼ାବ୍ୟଞ୍ଜିତ ଚକ୍ଷୁର ଚତ୍ୱରରେ ଆଶାର ଏକ କ୍ଷୀଣରେଖା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସେ ପୁଣି ଥରେ ଉଚ୍ଚାରଣ କଲେ ‘‘ଶତଦଳ !’’

 

ଶତଦଳଙ୍କର ପାଦତଳେ ନିଜକୁ ପୂର୍ଣ୍ଣରୂପେ ନିବେଦନ କରିବା ନିମିତ୍ତ ସେ ଯେପରି ଚଞ୍ଚଳ ହୋଇଉଠୁଥିଲେ ।

 

‘‘ଶୁଣ ଶର୍ବରୀ !’’ ସନ୍ନ୍ୟାସୀଙ୍କ କଣ୍ଠରେ ଆବେଗର ସ୍ୱାକ୍ଷର ସୁସ୍ପଷ୍ଟ ହୋଇଉଠିଲା–‘‘ତୁମର ପ୍ରାପ୍ତିନିମିତ୍ତ ଜୀବନରେ ବାରମ୍ବାର ବିଫଳ ହୋଇ ସନ୍ନ୍ୟାସୀର ଧର୍ମ ବରଣ କରି ତୁମକୁ ଲାଭ କରିବାର ପରିକଳ୍ପନାରେ ମୁଁ ଏହି ଗିରି-ଗହ୍ୱରର ଅତିଥି ହୋଇଥିଲି । ତୁମର ସଶରୀରୀ ରୂପ ଅପେକ୍ଷା ମୋର ଧ୍ୟାନଚକ୍ଷୁରେ ତୁମ ଅଶରୀରୀ ସୌନ୍ଦର୍ଯ୍ୟ ମୋତେ ବିଶେଷ ଆନନ୍ଦ ଦେବାକୁ ଲାଗିଲା । ମୁଁ ଅଧିକରୁ ଅଧିକତର ଧ୍ୟାନରେ ମନୋନିବେଶ କଲି । ଏକ ଆତ୍ମତୃପ୍ତିର ଯାଦୁକରୀ ସ୍ପର୍ଶ ମୋର ଶରୀର ଓ ମନରେ ଚମକ ସୃଷ୍ଟି କଲା ।’’

 

‘‘ମୁଁ ଧୀରେ ଧୀରେ ଆତ୍ମବିସ୍ମୃତି ଲାଭ କଲି ।’’

 

‘‘ବର୍ଷପରେ ବର୍ଷ ଅତିକ୍ରାନ୍ତ ହେବାକୁ ଲାଗିଲା ।’’

 

‘‘ମୁଁ ଅତୀତ ଓ ବର୍ତ୍ତମାନକୁ ସଂପୂର୍ଣ୍ଣରୂପେ ବିସ୍ମୃତ ହେଲି ।’’

 

‘‘ଧୀରେ-ଧୀରେ ବୈଚିତ୍ର୍ୟମୟୀ ଶର୍ବରୀର ଜ୍ୟୋତ୍ସ୍ନାସ୍ନାତ ଅନ୍ଧକାରର ରୂପୋପାସନାରୁ ମୁକ୍ତି ଲାଭ କରି ଶତଦଳର ଜୀବନ ସତ୍ୟସବିତାର କିରଣସଂପାତରେ ବିକଶିତ ହେବାକୁ ଲାଗିଲା-। ରହସ୍ୟମୟୀ ଶର୍ବରୀର ନକ୍ଷତ୍ର–ଉଜ୍ଜ୍ୱଳ–ଚକ୍ଷୁ ଓ ତିମିରକୁନ୍ତଳର ଆକର୍ଷଣ ତା ନିକଟରେ ଅର୍ଥହୀନ ପ୍ରତୀତ ହେଲା ।’’

 

‘‘ଶତଦଳ ଆଜି ଉଷାର ଅର୍ଚ୍ଚନାରେ ଆତ୍ମବିସ୍ମୃତ । ତେଣୁ ଶତ ଶର୍ବରୀର ନିବିଡ଼ ଆଶ୍ଳେଷ ଆଜି ତାହାନିକଟରେ ନିରର୍ଥକ ।’’

 

ଶର୍ବରୀଙ୍କର ମୁଖମଣ୍ଡଳରେ ଏକ ଦାର୍ଶନିକସୁଲଭ ଗାମ୍ଭୀର୍ଯ୍ୟ ରୂପ ଲାଭ କରୁଥିଲା । ସେ ବ୍ୟକ୍ତ କଲେ–

 

‘‘କିନ୍ତୁ ଶର୍ବରୀର ଅନ୍ତିମ ରୂପାନ୍ତର ହିଁ ଉଷା ।’’

 

ସନ୍ନ୍ୟାସୀଙ୍କର ଭ୍ରୂଲତାସଂଲଗ୍ନ କପାଳ କୁଞ୍ଚିତ ହେଇଉଠିଲା । ସେ ଶର୍ବରୀଙ୍କର ଉକ୍ତିକୁ ହୃଦୟଙ୍ଗମ କରିବାକୁ ଉଦ୍ୟମ କରୁକରୁ ଅସ୍ପଷ୍ଟଭାବେ ଅତି ଧୀରେ ଧୀରେ ତା’ର ପୁନରାବୃତ୍ତି କରୁଥିଲେ–

 

‘‘ଶର୍ବରୀର...ଅନ୍ତିମ...ରୂପାନ୍ତର ହିଁ...ଉଷା !’’

 

ନିଜର ମନ୍ତବ୍ୟଉପରେ ଶର୍ବରୀ ପୁନର୍ବାର ଗୁରୁତ୍ୱ ଆରୋପ କଲେ, ‘‘ହଁ ସନ୍ନ୍ୟାସୀ ! ସନ୍ଧ୍ୟା, ଶର୍ବରୀ ଓ ଉଷା ଏକ ଓ ଅଭିନ୍ନ । ଗୋଟିଏ ଶାଶ୍ୱତ ଚେତନାର କ୍ରମ ଅଭ୍ୟୁଦୟର ଏକ ଅବିଚ୍ଛିନ୍ନ ପରିପ୍ରକାଶ ।

 

ସନ୍ନ୍ୟାସୀଙ୍କର ଚକ୍ଷୁ ବିସ୍ଫାରିତ ହୋଇଉଠିଲା । ଶର୍ବରୀଙ୍କର ଅପୂର୍ବ ଶ୍ରୀସମନ୍ୱିତ ଶରୀରଉପରେ ନିଜର ଦୃଷ୍ଟିକୁ ନିବଦ୍ଧ ରଖି ତାଙ୍କର ବ୍ୟକ୍ତିତ୍ୱର ସ୍ୱରୂପକୁ ଆବିଷ୍କାର କରିବାନିମିତ୍ତ ସେ ଉଦ୍ୟମ କରୁଥିଲେ । କିଛି କ୍ଷଣ ନୀରବ ରହି ଗୁରୁଗମ୍ଭୀର କଣ୍ଠରେ ସେ ପ୍ରକାଶ କଲେ–

 

‘‘କିନ୍ତୁ ଶର୍ବରୀ–ରୂପୋପଜୀବୀ ଶତଦଳର ମୃତ୍ୟୁ ଘଟିଛି ରାଜ କୁମାରୀ ! କୃଷ୍ଣଗଡ଼ର ଅଲିଅଳ ସ୍ୱପ୍ନଜୀବୀ ରାଜକୁମାର ହିମାଳୟର ସତ୍ୟସନ୍ଧାନୀ ସଂଯମୀ ସନ୍ନ୍ୟାସୀରୂପେ ନବଜନ୍ମ ଲାଭ କରିଛି ।’’

 

ସହସା ତରୁଣୀସୁଲଭ ଲଜ୍ଜାରେ ଶର୍ବରୀଙ୍କର ମୁଖଶ୍ରୀ ଆରକ୍ତ ହୋଇଉଠିଲା । ଆନନ୍ଦାତିଶ୍ୟରେ ତାଙ୍କର ଆରକ୍ତ ଅଧରରେ କମ୍ପନ ସୃଷ୍ଟି ହେଲା ।

 

‘‘ଶତଦଳ ମୋର କାମ୍ୟ ନ ଥିଲେ ମହାମନା ! ଏହି ସତ୍ୟାନ୍ୱେଷୀ ସନ୍ନ୍ୟାସୀ ହିଁ ମୋର ବରେଣ୍ୟ ।’’

 

ଏହା ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ରାଜକୁମାରୀଙ୍କର ବରଣମାଳା ସନ୍ନ୍ୟାସୀଙ୍କର ବକ୍ଷ ମଣ୍ଡନ କଲା । ଧୀରେ-ଧୀରେ ଶର୍ବରୀଙ୍କର ମସ୍ତକ ଅବନତ ହୋଇଆସି ସନ୍ନ୍ୟାସୀଙ୍କର ପଦ ସ୍ପର୍ଶ କଲା ।

 

ନିର୍ବାକ୍‌ ନିସ୍ପନ୍ଦ କୋଶଳ ସମ୍ରାଟ୍‌ ବିସ୍ମୟବିସ୍ଫାରିତ ଚକ୍ଷୁରେ ନିଜ କନ୍ୟାର ଭବିଷ୍ୟତକୁ ଅନୁଧ୍ୟାନ କରିବାକୁ ଉଦ୍ୟମ କରୁଥିଲେ ।

 

ସନ୍ନ୍ୟାସୀଙ୍କର ଚକ୍ଷୁଯୁଗଳ କିନ୍ତୁ ଅଧିକରୁ ଅଧିକତର ନିମୀଳିତ ହୋଇଆସୁଥିଲା । ମନେ ହେଉଥିଲା କୈଳାସର ଶୁଭ୍ର–ସୁନ୍ଦର ତୁଷାରଶିଖରରେ ସର୍ବତ୍ୟାଗୀ ଶଙ୍କର ଯୋଗନିମଗ୍ନା, ନଗାଧିରାଜତନୟା, ପ୍ରୀତି-ପ୍ରବଣା ପାର୍ବତୀଙ୍କର ତ୍ୟାଗ-ତିତିକ୍ଷାର ତପସ୍ୟାପ୍ରତି ଏବେ ବି ଅବଚେତନ ।

 

ପ୍ରସ୍ତରମଣ୍ଡପସଂଲଗ୍ନ ପ୍ରବହମାନ ଉଷ୍ଣପ୍ରସ୍ରବଣ ତୁଷାରଶଯ୍ୟାର ବାଧା-ବନ୍ଧନକୁ ଦୁର୍ବାର ଗତିରେ ଲଂଘନ କରି ତା’ର ଗତିକୁ ଅପ୍ରତିହତ ରଖିବାନିମିତ୍ତ ଯେପରି ନିରନ୍ତର ଉଦ୍ୟମ କରୁଥିଲା-

☆☆☆

 

ପ୍ରଣୟ–ସଂଳାପ

 

‘‘ପରିଚାରିକାର ସଂବାଦ ଯଦି ସତ୍ୟ ହୋଇଥାଏ... ?’’

 

–ରାଜକୁମାରୀଙ୍କର କୁଞ୍ଚିତ କପାଳ ତାଙ୍କର ଅସ୍ଥିରଚିତ୍ତତା ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିଲା ।

 

ସେଦିନର ସ୍ମୃତି ତାଙ୍କର ମାନସପଟରେ ଭାସ୍ୱର ହୋଇଉଠିଲା ।

 

ବିବାହ–ରାତ୍ରିର ଅବସାନପୂର୍ବରୁ ସ୍ୱାମୀ ତାଙ୍କର ନିରୁଦ୍ଦେଶ ହେବାର ବାର୍ତ୍ତ ପ୍ରଚାରିତ ହେଲା । ସୁସଜ୍ଜିତ ରାଜପ୍ରାସାଦର ଶ୍ରୀ ଝାଉଁଳିପଡ଼ିଲା । ତାଙ୍କର ବହୁ ସ୍ୱପ୍ନ ହଜିଗଲା ।

 

ଶ୍ରୀ–ସୌନ୍ଦର୍ଯ୍ୟ–ମ୍ଳାନ ମଞ୍ଜରୀସମ ସେ କେବଳ ପ୍ରତୀକ୍ଷା କରିବାକୁ ଲାଗିଲେ । ସ୍ୱାମୀ ତାଙ୍କର ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କର ଦାମ୍ପତ୍ୟଜୀବନର ବହୁ କଳ୍ପନାକୁ ସେ ବାସ୍ତବତାର ସ୍ପର୍ଶ ପ୍ରଦାନ କରିବେ । ସାମୀସ୍ନେହ–ସୋହାଗକୁ ସମ୍ବଳ କରି ସେ ଜୀବନର ଖଇଫୁଟା ଧୁ–ଧୁ ବାଲୁକା ଶଯ୍ୟାରେ ମୃଗତୃଷ୍ଣାର ସ୍ୱପ୍ନରେ ମୁଗ୍‌ଧ-ବିହ୍ୱଳ ହେବେ । ଇମିତି କେତେ କ’ଣ....

 

–କିନ୍ତୁ...କାହିଁ ? କେଉଁ ମୟଦାନବର କଳ୍ପନାର ମାୟାପୁରୀରେ ତାଙ୍କର ସବୁ ସ୍ୱପ୍ନ ଏବେ ବି କାରାରୁଦ୍ଧ । ବର୍ଷପରେ ବର୍ଷ ସେମାନଙ୍କର କାରାମୁକ୍ତିକୁ ସେ ପ୍ରତୀକ୍ଷା କରିଛନ୍ତି; କିନ୍ତୁ ରିକ୍ତତାର ଦଂଶନ ତାଙ୍କୁ ବିଚଳିତ କରିଛି । ଜୀବନ-ଯୌବନର ବିସ୍ୱାଦ–ଅନୁଭୂତିରେ ସେ କେବଳ ବ୍ୟଥିତ ହୋଇଛନ୍ତି । ତାଙ୍କରି ଜୀବନର ଶୂନ୍ୟତାକୁ ଲକ୍ଷ୍ୟ କରି ସେ ଶିହରି ଉଠିଛନ୍ତି ।

 

ଆଉ ଥରେ ମନକୁ ମନ ସେ ଗୁଞ୍ଜରିଉଠୁଥିଲେ–ପରିଚାରିକାର ସଂବାଦ ଯଦି ସତ୍ୟ ହୋଇଥାଏ ?

 

ତାହା ହେଲେ ?

 

ତାହା ହେଲେ ଆଉ ଥରେ ତାଙ୍କର ସକଳ ସାହସ-ସଂଯମ ନିଷ୍ଠା-ସାଧନାକୁ ପାଥେୟ କରି ତାଙ୍କର ଭାଗ୍ୟର ଅନୁଶାସନର ଶିଳାଲିପିକୁ ପରିବର୍ତ୍ତନ କରିବାକୁ ସେ ଉଦ୍ୟମ କରିବେ ।

 

ଏହି ସଂକଳ୍ପ ହିଁ ତାଙ୍କର ମୁଖମଣ୍ଡଳକୁ ସମୁଦ୍ଭାସିତ କଲା । ସେ ରାଜୋଦ୍ୟାନରେ କ୍ଷିପ୍ରଗତିରେ ପଦଚାରଣ କରୁ କରୁ ତାଙ୍କର ଅଶ୍ୱକୁ ସୁସଜ୍ଜିତ କରିବାନିମିତ୍ତ ପରିଚାରିକାକୁ ଆଦେଶ ପ୍ରଦାନକଲେ ।

 

X X X

 

ବସନ୍ତ ସପ୍ତମୀର ଚାନ୍ଦ ବଉଳଗଛରେ ପଲ୍ଲବିତ ପତ୍ରଗହଳ ଦେଇ ଛପି ଛପି ଚାହୁଁଛି ।

 

ଚକମିପଡ଼ିଲେ ବୌଦ୍ଧଭିକ୍ଷୁ ମୁଗ୍‌ଧକାମ ।

 

କିଏ, କିଏ ଏହି ନାରୀ ?

 

ବୌଦ୍ଧଭିକ୍ଷୁର ଗୁମ୍ଫାସମ୍ମୁଖକୁ ରାତ୍ରିର ଏପରି ଏକ ଲଗ୍ନରେ କି ଉଦ୍ଦେଶ୍ୟ ନେଇ ସେ ଧାଇଁଆସିଛି ? ଅତି ସନ୍ତର୍ପଣରେ ତାଙ୍କର କଂପିତ କଣ୍ଠସ୍ୱର ନିଜ ପ୍ରାଣର ଆବେଗକୁ ରୂପ ଦେଉଥିଲା :

 

‘‘ମୁଁ ବୌଦ୍ଧଭିକ୍ଷୁ ମୁଗ୍‌ଧକାମ ।

ତୁମେ କିଏ ତରୁଣୀ... ?’’

 

‘‘ମୁଁ ଦେବଦାସୀ ପ୍ରିୟଦର୍ଶିନୀ’’–ତରୁଣୀଜଣକ ତାଙ୍କର ବ୍ରୀଡ଼ାବ୍ୟଞ୍ଜିତ ମୁଖକୁ ସାମାନ୍ୟ ଅବନତ କରି ଉତ୍ତର ପ୍ରଦାନ କଲେ । ତାଙ୍କର କଣ୍ଠରେ କିଛି ହେଲେ ଅସ୍ୱାଭାବିକତା ପରିଲକ୍ଷିତ ହେଉ ନ ଥିଲା ।

 

ବୌଦ୍ଧଭିକ୍ଷୁ ମୁଗ୍‌ଧକାମ ଆଉ ଖରେ ତରୁଣୀଙ୍କଉପରେ ଦୃଷ୍ଟି ନିବଦ୍ଧ କଲେ । ସତରେ ସେ ପ୍ରିୟଦର୍ଶିନୀ–ଶୋଭନା, ଷୋଡ଼ଶୀ, ତରୁଣୀ । ତାଙ୍କର ମୁଖଶ୍ରୀରେ ଆଦ୍ୟ ଅଭିସାରର ସ୍ୱାଗତିକା, ଅଙ୍ଗେ ଅଙ୍ଗେ ରୂପର ଜୁଆର, ସଲଜ୍ଜ ନୟନକଟାକ୍ଷରେ ଯୁଗ ଯୁଗର ସେହି ଅନିବାର୍ଯ୍ୟ ଆଦିମ ତୃଷ୍ଣା ।

 

କିନ୍ତୁ ଅଧିକରୁ ଅଧିକତର ବିସ୍ମିତ ହେଉଥିଲେ ମୁଗ୍‌ଧକାମ । ସଂସାରତ୍ୟାଗୀ ସର୍ବହରା ବୌଦ୍ଧଭିକ୍ଷୁନିକଟରେ ହିନ୍ଦୁ–ମନ୍ଦିରର ଦେବତା–ପ୍ରୀତି-ପ୍ରଦାୟିନୀ, ଲାସ୍ୟମୟୀ, ବିକଶିତ ଯୌବନା, ଦେବଦାସୀର କି କାର୍ଯ୍ୟ ଥାଇପାରେ ?

 

ତରୁଣୀ ଲଳିତ ମଧୁର କଣ୍ଠସ୍ୱର ଜନହୀନ ଗୁମ୍ଫାର ନୀରବତା ଭଙ୍ଗ କରୁଥିଲା ।

 

‘‘ମୁଁ ତଥାଗତଙ୍କର ଜୀବନ ସମ୍ବନ୍ଧରେ ଏକ ବିବରଣୀ ସଂଗ୍ରହ କରିବାନିମିତ୍ତ ଆପଣଙ୍କର ଦ୍ୱାରସ୍ଥ ହୋଇଛି, ଭିକ୍ଷୁ !’’

 

ମୁଗ୍‌ଧକାମଙ୍କର କୌତୂହଳ ହ୍ରାସ ଲାଭ କରୁଥିଲା । ତରୁଣୀ ଅନ୍ତରର କୌତୂହଳର ପରିପ୍ରଶମନନିମିତ୍ତ ଉତ୍‌କଣ୍ଠା ପ୍ରକାଶ କରି ସେ ବ୍ୟକ୍ତ କଲା ।

 

‘‘ହିନ୍ଦୁ–ଦେବଦାସୀ ତଥାଗତଙ୍କର ଜୀବନୀସମ୍ବନ୍ଧରେ ଆଗ୍ରହାନ୍ୱିତା ହୋଇଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ସେ ଦୟା କରି ତାଙ୍କର ପ୍ରଶ୍ନସମୂହ ପ୍ରକାଶ କରନ୍ତୁ ।’’

 

‘‘ଆପଣ ଜାଣନ୍ତି ପ୍ରଭୁ ତଥାଗତ ହଠଯୋଗକୁ ପରିତ୍ୟାଗ କରି ଅନାପାନ ସ୍ମୃତି-ସମାଧି ସାଧନ କରୁଥିଲେ ଏବଂ ଏହିସମୟରେ ଦୀର୍ଘ ଛଅ ବର୍ଷକାଳ ପଦ୍ମାସନରେ ବସି ଅତି କଠୋର ତପସ୍ୟା କରୁଥିବାସମୟରେ ସପ୍ତଚତ୍ୱାରିଂଶ ଦିବସ ଧରି ସମ୍ପୂର୍ଣ୍ଣରୂପେ ଅନଶନ କରିଥିଲେ ?’’

 

ମୁଗ୍‌ଧକାମ ସମ୍ମତି ଜ୍ଞାପନ କଲେ ।

 

ପୁନର୍ବାର ତରୁଣୀ ପ୍ରଶ୍ନ କଲେ, ‘‘ଅସାମାନ୍ୟ ରୂପଲାବଣ୍ୟସମ୍ପନ୍ନା ତରୁଣୀ ସୁଜାତା ଯେତେବେଳେ ସ୍ୱହସ୍ତରେ ସ୍ୱର୍ଣ୍ଣପାତ୍ରରେ ପାୟସାନ୍ନ ଧରି ବୃକ୍ଷମୂଳେ ଧ୍ୟାନାସୀନ ତଥାଗତଙ୍କନିକଟରେ ଉପସ୍ଥିତା ହେଲେ, ସେତେବେଳେ ତଥାଗତଙ୍କର ଧ୍ୟାନ ଭଙ୍ଗ ହେଲା କାହିଁକି-?

 

କାହିଁକି ସେ କେତୋଟି ମୁହୂର୍ତ୍ତମଧ୍ୟରେ ସୁଜାତାର ପାୟସାନ୍ନକୁ ନିଃଶେଷ କରିଦେଲେ-?’’

 

ସେ ରହି ରହି କହି ଚାଲିଥାନ୍ତି–

 

‘‘ସହଧର୍ମିଣୀ ଯଶୋଧାରାର ପ୍ରେମ–ପ୍ରୀତିର ଅଯାଚିତ ନିବେଦନ ଯେଉଁ ତଥାଗତଙ୍କ–ନିକଟରେ ନିଷ୍ଫଳ ହୋଇଗଲା, ଅରଣ୍ୟ–ଅଭ୍ୟନ୍ତରରେ ଜଣେ ଏକାକିନୀ ତନ୍ୱୀ ତରୁଣୀର କେଉଁ ଗୁଣରେ ମୁଗ୍‌ଧ ହୋଇ ସେଦିନ ସେହି ସ୍ୱାଦିଷ୍ଟ ଓ ସୁମିଷ୍ଟ ପାୟସାନ୍ନ-ଭକ୍ଷଣ ନିମିତ୍ତ ସେ ଆଗ୍ରହାତିଶଯ୍ୟ ପ୍ରକାଶ କଲେ ?’’

 

ସେ ସେହିପରି ପ୍ରଶ୍ନପରେ ପ୍ରଶ୍ନ କରିଚାଲିଥାନ୍ତି ।

 

‘‘ନାରୀର ରୂପଯୌବନର ସମ୍ମୋହନକାରୀ ଆକର୍ଷଣ ଦୁର୍ବାର; ନୁହେଁ ?’’

 

ମୁଗ୍‌ଧକାମଙ୍କର ମୁଖମଣ୍ଡଳରେ ରୂପ ଲାଭ କରୁଥିଲା ଏକ ରହସ୍ୟାତ୍ମକ ସ୍ମିତହାସ୍ୟ । ଏକ ଅର୍ବାଚୀନା ତରୁଣୀର ମହାମହିମ ତଥାଗତଙ୍କ ବ୍ୟକ୍ତିତ୍ୱ ବିରୁଦ୍ଧରେ ଅଭିଯୋଗକୁ ଶ୍ରବଣ କରି ସେ ବିସ୍ମିତ ହେଉଥିଲେ ।

 

ଯୁଗ–ଯୁଗଧରି ମାନବଶିଶୁ ତା’ର ସଂକୀର୍ଣ୍ଣ ଦୃଷ୍ଟିକୋଣଯୋଗୁ ସ୍ୱୀୟ ସସୀମତାସମ୍ବନ୍ଧରେ ସଚେତନ ନ ହୋଇ ବହୁ ଅସାଧାରଣ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ତା’ର ଯେଉଁ ଅଭିଯୋଗ ଉପସ୍ଥାପନ କରିଆସିଛି ତାହାର କାରଣ ସେହି ତରୁଣୀଙ୍କର ଆବେଗ–ଚଞ୍ଚଳ ମୁଖମଣ୍ଡଳରେ ଅନୁଧ୍ୟାନ କରିବାକୁ ଭିକ୍ଷୁ ଉଦ୍ୟମ କରୁଥିଲେ ।

 

ତରୁଣୀ ତାଙ୍କର ନୀରବତା ଲକ୍ଷ୍ୟ କରି ପୁନଃ ପ୍ରଶ୍ନ କଲେ, ‘‘ଭିକ୍ଷୁ କ’ଣ ଦେବଦାସୀ–ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ଅସମର୍ଥ ?’’

 

ମୁଗ୍‌ଧକାମଙ୍କର ଧ୍ୟାନ ଭଙ୍ଗ ହେଲା–‘‘ନା ପ୍ରିୟଦର୍ଶିନୀ, ଏହା ତୁମର ତଥାଗତଙ୍କ ବିରୁଦ୍ଧରେ ଅଳୀକ ତଥା ଅପ୍ରିୟ ଅଭିଯୋଗ । ଲଳିତବିସ୍ତାରରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ନିଜେ ତଥାଗତଙ୍କର ଜନନୀ ମାୟାଦେବୀ ସୁଜାତାରୂପେ ସ୍ୱର୍ଗରୁ ଆସି କ୍ଷୁଧାର୍ତ୍ତ ପୁତ୍ରଙ୍କର କ୍ଷୁଧା ନିବାରଣ କରିଥିଲେ ।’’

 

‘‘ନା ଭିକ୍ଷୁ ! ମୁଁ ମଧ୍ୟ ରାମାୟଣ ଓ ମହାଭାରତ ଅଧ୍ୟୟନ କରିଛି । ବହୁ କଥା–ଉପକଥାମାଧ୍ୟମରେ ବ୍ୟକ୍ତିବିଶେଷଙ୍କର ଦୁର୍ବଳତାକୁ ଆବରଣ ଦେବାନିମିତ୍ତ ସର୍ବଦା ଉଦ୍ୟମ କରାଯାଇଛି ।’’

 

ବୌଦ୍ଧଭିକ୍ଷୁଙ୍କର କଣ୍ଠରେ ଉତ୍ତେଜନା ପରିଲକ୍ଷିତ ହେଉଥିଲା ।

 

‘‘ନା ପ୍ରିୟଦର୍ଶିନୀ, ସାଧାରଣ ମାନବ ତା’ର ସୀମିତ ଚେତନାସ୍ତରରେ ଅସାଧାରଣ ବ୍ୟକ୍ତିବିଶେଷଙ୍କର କାର୍ଯ୍ୟସମୂହର ସମୀକ୍ଷା କରିବାନିମିତ୍ତ ଚିରନ୍ତନ ଅସର୍ମଥ ।’’

 

ପ୍ରିୟଦର୍ଶିନୀଙ୍କ ସ୍ୱର କିନ୍ତୁ ଗମ୍ଭୀର ହୋଇଉଠୁଥିଲା–

 

‘‘ତେବେ କୁହନ୍ତୁ ଭିକ୍ଷୁ, ପ୍ରତିଦିନ ଯଦି ପ୍ରିୟଦର୍ଶିନୀ ପାୟସାନ୍ନ ଧରି ଆପଣଙ୍କ ଗୁମ୍ଫାସମକ୍ଷରେ ଆବିର୍ଭୂତା ହୁଏ ଆପଣ ତାହା ଗ୍ରହଣ କରିବେ ତ ?’’

 

ଭିକ୍ଷୁଙ୍କର ମୁଖମଣ୍ଡଳ ଆରକ୍ତ ହୋଇଉଠୁଥିଲା ।

 

ଅଦ୍ଭୁତ ଏ ନାରୀର ପ୍ରଶ୍ନ ଓ ପ୍ରସ୍ତାବ ।

 

ନାରୀ–ହୃଦୟର ଘନ ଅରଣ୍ୟ–ଅଭ୍ୟନ୍ତରସ୍ଥ ବାସନାର ବ୍ୟୂହମଧ୍ୟରେ ସେ ଯେପରି ପଥଭ୍ରଷ୍ଟ ହେଉଥିଲେ ।

 

ପ୍ରିୟଦର୍ଶିନୀ ପୁନର୍ବାର ପ୍ରଶ୍ନ କଲେ–

 

‘‘ଆପଣ ନୀରବ ରହୁଛନ୍ତି କାହିଁକି ଭିକ୍ଷୁ ? ବୌଦ୍ଧଧର୍ମ ତ ଜାତିଭେଦ ସ୍ୱୀକାର କରେ ନାହିଁ, ତେବେ ଦେବଦାସୀ–ପ୍ରସ୍ତୁତ ପାୟସାନ୍ନ ଭକ୍ଷଣ କରିବାନିମିତ୍ତ ବାଧା ରହିଲା କେଉଁଠି ?’’

 

ଆଉ ଥରେ ମୁଗ୍‌ଧକାମଙ୍କର ଦୃଷ୍ଟି ପ୍ରିୟଦର୍ଶିନୀଙ୍କର ଶରୀରଉପରେ ନିବଦ୍ଧ ହେଲା । ସେହି ନିରାଭରଣା ଶୁଭ୍ରବସ୍ତ୍ରପରିହିତା ଶୁଭ୍ରାଙ୍ଗୀର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ଦାର୍ଶନିକର ଚକ୍ଷୁ ନେଇ ସେ ବିଶ୍ଳେଷଣ କରିବାକୁ ଲାଗିଲେ ।

 

ଭ୍ରୂଲତାରେ ଅସଂଖ୍ୟ ପ୍ରଶ୍ନବାଚୀ ।

 

ଚକ୍ଷୁରେ ଅଭିସାରିକାର ନିବେଦନ ।

 

ଆବେଗର ଆତିଶଯ୍ୟରେ ଈଷତ୍‌ ସ୍ଫୀତ ନାସିକାରେ ତରୁଣୀ ସୁଲଭ ଅଭିମାନର ବନ୍ୟା-

 

ଆରକ୍ତ ଅଧରରେ ଯୌବନର ଅପ୍ରଶମିତ ତୃଷ୍ଣା ।

 

କାନ୍ତକମନୀୟ ସମଗ୍ର ମୁଖମଣ୍ଡଳରେ ଏକ ଚିତ୍ରଶିଳ୍ପୀର ସକଳ ଶିଳ୍ପନୈପୁଣ୍ୟର ସମୃଦ୍ଧିର ଅନୁପମ ସ୍ୱାକ୍ଷର ।

 

ତେବେ ସେ ଭିକ୍ଷୁର ଦ୍ୱାରସ୍ଥ କାହିଁକି ? ଏକ ଗୃହତ୍ୟାଗୀ ମୁଣ୍ଡିତମସ୍ତକ ସଂସାରତ୍ୟାଗୀ ବୌଦ୍ଧଭିକ୍ଷୁଠାରେ ତାଙ୍କର କି ପ୍ରୟୋଜନ ?

 

କିନ୍ତୁ ପ୍ରିୟଦର୍ଶିନୀଙ୍କର ଆବେଗ-ଚଞ୍ଚଳ ପ୍ରାଣର ପ୍ରତିକ୍ରିୟା ଧୀରେ-ଧୀରେ ବାସନା–ବିରାଗୀ–ବୌଦ୍ଧଭିକ୍ଷୁର ପ୍ରାଣକୁ ଯେ ସଂକ୍ରମିତ ହେଉଥିଲା ତାହା ମୁଗ୍‌ଧକାମ ନିଜେ ମଧ୍ୟ ଅନୁଭବ କରିପାରୁଥିଲେ ।

 

ସେ କ୍ଷୀଣକଣ୍ଠରେ ବ୍ୟକ୍ତ କଲେ, ‘‘ହଁ ପ୍ରିୟଦର୍ଶିନୀ, ଶୁଦ୍ଧପୂତଭାବେ ଯଦି ତୁମେ ପାୟସାନ୍ନ ପ୍ରସ୍ତୁତ କରି ବୌଦ୍ଧଭିକ୍ଷୁକୁ ପ୍ରଦାନ କରିବାକୁ ଇଚ୍ଛୁକ, ସେ ମଧ୍ୟ ତାହା ଗ୍ରହଣ କରିବାକୁ ସମ୍ମତ !’’

 

ପ୍ରିୟଦର୍ଶିନୀଙ୍କ ରକ୍ତାଧରରେ ଏକ ସ୍ମିତହାସ୍ୟ ସଞ୍ଚରିଗଲା । ତାଙ୍କର ଗଣ୍ଡଦେଶ ଅଧିକ ଆରକ୍ତ ହୋଇଉଠିଲା । ବୌଦ୍ଧଭିକ୍ଷୁଙ୍କ ପାଦତଳେ ପ୍ରଣାମ କରି ସେ ପ୍ରତ୍ୟାବର୍ତ୍ତନ କଲେ ।

 

ପ୍ରତିପ୍ରଦୋଷରେ ପ୍ରିୟଦର୍ଶିନୀ ପାୟସାନ୍ନ ଧରି ବୌଦ୍ଧଭିକ୍ଷୁଙ୍କର ଗୁମ୍ଫାନିକଟରେ ଉପସ୍ଥିତ ହୁଅନ୍ତି ଓ ବୌଦ୍ଧଭିକ୍ଷୁଙ୍କୁ ତାହା ଅର୍ପଣ କରି ଫେରିଯାଆନ୍ତି ।

 

କିନ୍ତୁ ଧୀରେ–ଧୀରେ ମୁଗ୍‌ଧକାମଙ୍କ ଜୀବନଧାରାରେ ପରିବର୍ତ୍ତନ ସୃଷ୍ଟହୁଏ ।

 

‘‘ବୁଦ୍ଧଂ ଶରଣଂ ଗଚ୍ଛାମି’’ର ମୁଗ୍‌ଧ ମନ୍ଦ୍ର ମୂର୍ଚ୍ଛନା ଅପେକ୍ଷା ମୁଗ୍‌ଧକାମ ପ୍ରିୟଦର୍ଶିନୀଙ୍କର ନୂପୁର-ନିକ୍ୱଣ ପ୍ରତି ଅଧିକତର ଆକର୍ଷିତ ହୁଅନ୍ତି ।

 

ପ୍ରିୟଦର୍ଶିନୀଙ୍କ ସମକ୍ଷରେ ମୁଗ୍‌ଧକାମ ବୁଦ୍ଧଙ୍କର ବ୍ୟକ୍ତିତ୍ୱବନ୍ଦନାରେ ଶତମୁଖ ହୋଇଉଠିଲାବେଳେ ତାଙ୍କର ଦୃଷ୍ଟି ସେହି ଅନୂଢ଼ା ତରୁଣୀର ତାରୁଣ୍ୟଶ୍ରୀ ଅବଲୋକନରେ ବିମୁଗ୍‌ଧ ହୋଇଉଠେ ।

 

ନିଜକୁ ଶାସନ କରିବାକୁ ସେ ଉଦ୍ୟମ କରନ୍ତି ।

 

ଭିକ୍ଷୁ–ଜୀବନର ସଂଯମକୁ ସେ ସ୍ମରଣ କରନ୍ତି ।

 

ମାତ୍ର ସଂଧ୍ୟାଗମରେ ସେ ଲକ୍ଷ୍ୟ କରନ୍ତି ପ୍ରାଣ ତାଙ୍କର ସକଳ ଉଦ୍‌ବିଗ୍ନତା ନେଇ ସେହି ପ୍ରିୟଦର୍ଶିନୀଙ୍କୁ ହିଁ ପ୍ରତୀକ୍ଷା କରେ ।

 

ଗୋଧୂଳିଲଗ୍ନର କରୁଣତା ତାଙ୍କପାଇଁ ମିଳନର ମଧୁ–ବାର୍ତ୍ତା ବହିଆଣେ । ଆଶା–ଆଶଙ୍କାର ଉଦ୍‌ବେଗ ନେଇ ପ୍ରିୟଦର୍ଶିନୀଙ୍କର ପଥକୁ ସେ ଚାହିଁବସନ୍ତି ।

 

X X X

 

ସେଦିନ ଆକାଶର ବୈଶାଖ ପୂର୍ଣ୍ଣିମାର ଚନ୍ଦ୍ର ଆତ୍ମପରିଚୟ ପ୍ରଦାନ କରିବାନିମିତ୍ତ ଯେପରି ବ୍ୟାକୁଳ ହୋଇଉଠୁଥାଏ ।

 

ମାତ୍ର ସେହି ବୁଦ୍ଧଜୀବନ–ବ୍ୟାଖ୍ୟାନକାରୀ ବୌଦ୍ଧଭିକ୍ଷୁଙ୍କର କଣ୍ଠସ୍ୱରରେ କିଛି ହେଲେ ଜୀବନର ସ୍ପନ୍ଦନ ପରିଲକ୍ଷିତ ହେଉ ନ ଥାଏ । ଯନ୍ତ୍ରବତ୍‌ ସେ ଯେପରି କିଛି ଆବୃତ୍ତି କଲାପରି ମନେ ହେଉଥାଏ ।

 

ପରିଶେଷରେ ନିଜର ପ୍ରାଣର ଆବେଗକୁ ଅବରୁଦ୍ଧ କରି ନ ପାରି ପ୍ରିୟଦର୍ଶିନୀ ପ୍ରଶ୍ନ କଲେ–

 

‘‘ଆଜି ପବିତ୍ର ବୈଶାଖ ପୂର୍ଣ୍ଣିମାର ଏହି ମହାନ୍‌ ଲଗ୍ନରେ ଭିକ୍ଷୁଙ୍କର କଣ୍ଠସ୍ୱର ଏପରି ନିଷ୍ପ୍ରାଣ ଓ ସ୍ପନ୍ଦନହୀନ କାହିଁକି ?’’

 

‘‘ମୁଁ କ୍ଳାନ୍ତ ପ୍ରିୟଦର୍ଶିନୀ !’’ –ଭିକ୍ଷୁଙ୍କର କଣ୍ଠସ୍ୱରରେ ଏକ ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ଓ ନିଃସହାୟତା ମୁକ୍ତି ଲାଭ କରୁଥିଲା ।

 

ମାତ୍ର ପ୍ରିୟଦର୍ଶିନୀଙ୍କ କଣ୍ଠସ୍ୱରରେ ପ୍ରତିବାଦର ବନ୍ୟା–‘‘ସତ୍ୟାନ୍ୱେଷୀ ଭିକ୍ଷୁର ଭୟ–ବିକାରହୀନ ଯାତ୍ରାପଥରେ କ୍ଳାନ୍ତି–କାଳିମାର ପ୍ରଶ୍ନ କାହିଁ ଭିକ୍ଷୁ ? ନିର୍ବାଣର ସମ୍ମୋହନକାରୀ ମହାମନ୍ତ୍ରର ଅନୁରଣନରେ ଭିକ୍ଷୁ କ’ଣ ବିମୁଗ୍‌ଧ ନୁହନ୍ତି ?’’

 

‘‘ନା ପ୍ରିୟଦର୍ଶିନୀ, ଏକ ଅସ୍ୱାଭାବିକ ରିକ୍ତତାର ଦଂଶନରେ ମୁଁ ଜର୍ଜ୍ଜରିତ ହୋଇଉଠୁଛି । ଜୀବନ–ପରିଧିର ଶୂନ୍ୟତାମଧ୍ୟରେ ମୁଁ ଆର୍ତ୍ତନାଦ କରୁଛି ।’’ —ଭିକ୍ଷୁଙ୍କର ଚକ୍ଷୁଯୁଗଳରେ ସେହି ଶୂନ୍ୟତାର ପ୍ରତିଫଳନ ସୁସ୍ପଷ୍ଟ ହୋଇଉଠୁଥିଲା ।

 

ତୀରର କ୍ଷିପ୍ରତା ନେଇ ପ୍ରିୟଦର୍ଶିନୀଙ୍କର ଦୃଷ୍ଟି ଯେପରି ଭିକ୍ଷୁଙ୍କର ହୃଦୟର ନିଭୃତ ଫଳକରେ ସହସା ରୂପ ଲାଭ କରିଥିବା ଶିଳାଲିପିକୁ ଅନୁଧ୍ୟାନ କରିବାକୁ ଉଦ୍ୟମ କରୁଛି ।

 

ତାଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣର ଯଥାର୍ଥତା ଅବଗତ ହେବାନିମିତ୍ତ ସ୍ମିତ ସଲଜ୍ଜ ମୁଖରେ ସେ ପ୍ରଶ୍ନ କଲେ–

 

‘‘ଭିକ୍ଷୁଙ୍କର ଅଙ୍ଗେ ଅଙ୍ଗେ ଯୌବନ–ଫଲ୍‌ଗୁରେ ଏବେ-ବି ବହୁ କଲ୍ଲୋଳ ! ତେବେ ସଂସାରମଧ୍ୟକୁ ଭିକ୍ଷୁ ପ୍ରତ୍ୟାବର୍ତ୍ତନ କରୁ ନାହାନ୍ତି କାହିଁକି ?’’

 

ଭିକ୍ଷୁଙ୍କର ଚପଳ ଚକ୍ଷୁର ଚତ୍ୱରରେ ଥରେ ଭାସ୍ୱର ହୋଇଉଠିଲା ସେହି ପ୍ରଗଳ୍‌ଭା ଦେବଦାସୀର ମୁଖମଣ୍ଡଳୁ; ଆଉ ଥରେ ବୈଶାଖ ପୂର୍ଣ୍ଣିମାର ଚନ୍ଦ୍ର–ଯୁଗ ଯୁଗ ଧରି ବହୁ ପ୍ରଣୟୀ–ପ୍ରଣୟିନୀର ପ୍ରୀତିପୂର୍ଣ୍ଣ ସଂଳାପର ସ୍ୱାକ୍ଷରରେ ଯାହାର ବକ୍ଷ ସମୃଦ୍ଧ ଓ ସମୁଜ୍ଜ୍ୱଳ ।

 

ସେ ଅତି ସନ୍ତର୍ପଣରେ ନିଜ ଅନ୍ତରର ବ୍ୟଥା ଉପସ୍ଥାପନ କଲେ–

 

‘‘ସଂସାରର ଆଶ୍ଳେଷ ମୋତେ କିଏ ପ୍ରଦାନ କରିବ ପ୍ରିୟଦର୍ଶିନୀ ?’’

 

ପ୍ରିୟଦର୍ଶିନୀଙ୍କ ମୁଖମଣ୍ଡଳରେ ଆସ୍ୱସ୍ତିର ଛାୟା ସଞ୍ଚରିଯାଉଥିଲା । ନିଜର ପ୍ରାଣର ଆବେଗକୁ ଅବରୁଦ୍ଧ କରିବାମିନିତ୍ତ ସେ ଯେପରି ସତତ ଉଦ୍ୟମ କରୁଥିଲା ।

 

‘‘କାହିଁକି ? ଭିକ୍ଷୁ କ’ଣ ବିବାହ କରି ନ ଥିଲେ ?’’

 

ଏକ ଶୁଭ୍ର ବଳାହକଖଣ୍ଡର ଅନ୍ତରାଳରେ ବୈଶାଖର ଚନ୍ଦ୍ର ଆତ୍ମଗୋପନ କରୁଥିଲା । ଏକ ବ୍ୟର୍ଥ ଦୀର୍ଘଶ୍ୱାସ ଭିକ୍ଷୁଙ୍କର ବେଦନାହତ ପ୍ରାଣର ବିଭୀଷିକାକୁ ଯେପରି ଲାଘବ କରିବାନିମିତ୍ତ ତାଙ୍କର ବକ୍ଷ ଥରାଇ ଆତ୍ମପ୍ରକାଶ ଲାଭ କଲା ।

 

ଭିକ୍ଷୁଙ୍କର ଅସ୍ଥିରତା ଲକ୍ଷ୍ୟ କରି ପ୍ରିୟଦର୍ଶିନୀ ବିନୀତଭାବେ ପ୍ରକାଶ କଲେ–‘‘ଅର୍ଥହୀନ ଅତୀତକୁ ଆପଣଙ୍କ ସ୍ମୃତିପଥରେ ଉଜ୍ଜୀବିତ କରି ମୁଁ ଯଦି ଆପଣଙ୍କୁ ବ୍ୟଥା ପ୍ରଦାନ କରିଥାଏ, ମୋତେ କ୍ଷମା କରିବେ ଭିକ୍ଷୁ !’’

 

ନାରୀକଣ୍ଠର ଅଭିମାନ–ଆର୍ଦ୍ର ସ୍ୱରର ମୃଦୁ ମନ୍ଥର ଆଘାତରେ ସବୁ କିଛି ଟଳିପଡ଼ିଛି ।

 

ଭିକ୍ଷୁ ଉତ୍ତର ପ୍ରଦାନ କଲେ—‘‘ମୁଁ ବିବାହ କରିଥିଲି ଏହି କୌଶାମ୍ବୀ ରାଜ୍ୟର ରାଜକନ୍ୟାଙ୍କୁ ପ୍ରିୟଦର୍ଶିନୀ ! ମାତ୍ର ସେ ବିଗତ ଅତୀତର ରୋମନ୍ଥନ ଅନାବଶ୍ୟକ ।’’

 

‘‘କିନ୍ତୁ ରାଜକନ୍ୟାଙ୍କସହ ଆପଣଙ୍କର କେବେ ମିଳନ ସଂଘଟିତ ହୋଇଥିଲା ?’’ ଅନୁଚ୍ଚ ସ୍ୱରରେ ପ୍ରଶ୍ନ କଲେ ପ୍ରିୟଦର୍ଶିନୀ ।

 

କିନ୍ତୁ ଭିକ୍ଷୁଙ୍କର ସ୍ୱରରେ ଆତ୍ମଗ୍ଳାନି ରୂପ ଲାଭ କରୁଥିଲା ।

 

‘‘ନା ପ୍ରିୟଦର୍ଶିନୀ, ବୁଦ୍ଧଙ୍କର ବ୍ୟକ୍ତିତ୍ୱର ମହାନ୍‌ ଆକର୍ଷଣରେ ବିବାହର ପରିଦିବସରେ ମୁଁ ସଂସାରର ବ୍ୟର୍ଥତା ଉପଲବ୍‌ଧି କରି ଭିକ୍ଷୁର ପରିଧାନ ଗ୍ରହଣ କରିଥିଲି ।’’

 

ଦେବଦାସୀଙ୍କର ତରୁଣୀସୁଲଭ ହସରେ ବିଦ୍ରୂପର ଇଙ୍ଗିତ ମୁକ୍ତି ଲାଭ କରୁଥିଲା–

 

‘‘କ’ଣ ନିର୍ବାଣ–ନୀତିରେ ଉଦ୍‌ବୁଦ୍ଧ ହୋଇ ନା ରୂପରମ୍ୟା ସୁଜାତାର ସ୍ୱାଦିଷ୍ଟ ପାୟସାନ୍ନର ଆବିଷ୍କାରରେ ?’’

 

‘‘ପାୟସାନ୍ନ ମିଳିଛି’’–ଭିକ୍ଷୁ ହସି ହସି ଉତ୍ତର ଦେଲେ ।

 

‘‘ଏବେ ତେବେ ବୁଦ୍ଧତ୍ୱପ୍ରାପ୍ତିପାଇଁ ଉଦ୍ୟମ କରନ୍ତୁ ।’’

 

‘‘ନା ପ୍ରିୟଦର୍ଶିନୀ, ବୈଶାଖର ଚନ୍ଦ୍ର ଯେପରି କହୁଛି ଫେରିଯାଅ ଭିକ୍ଷୁ, ଫେରିଯାଅ । ମାୟା–ମମତା–ସିକ୍ତ, ପ୍ରେମ–ପ୍ରୀତି–ଚର୍ଚ୍ଚିତ ସଂସାରର ପଥଧାରରେ ତୁମେ ଜୀବନର ସତ୍ୟ ସନ୍ଧାନ କରିବ । ତେଣୁ ପାୟସାନ୍ନ ବା ବୁଦ୍ଧତ୍ୱ ଆଜି ମୋର କେହି କାମ୍ୟ ନୁହନ୍ତି ।’’

 

‘‘ତେବେ ଆପଣ କ’ଣ କାମନା କରନ୍ତି ?’’ –ପ୍ରିୟଦର୍ଶିନୀଙ୍କ କଣ୍ଠରେ ଉଦ୍‌ବିଗ୍ନତାର ସୂଚନା ମୁକ୍ତି ଲାଭ କରୁଥିଲା ।

 

କିୟତ୍‌କ୍ଷଣ ନୀରବ ରହି ଭିକ୍ଷୁ ଅନୁଚ୍ଚକଣ୍ଠରେ କହିଲେ, ‘‘ପାୟସାନ୍ନ ଅପେକ୍ଷା ପାୟସାନ୍ନ–ପ୍ରଦାନକାରିଣୀଙ୍କର ସାନ୍ନିଧ୍ୟ ହିଁ ମୋର କାମ୍ୟ ।’’

 

‘‘ଭିକ୍ଷୁ !’’ –ଚମକିପଡ଼ିବାର ସାର୍ଥକ ଅଭିନୟ କଲେ ପ୍ରିୟଦର୍ଶିନୀ ।

 

ହଁ ପ୍ରିୟଦର୍ଶିନୀ, ତୁମରି ଚିରନ୍ତନ ସାନ୍ନିଧ୍ୟ ହିଁ ମୋର କାମ୍ୟ ।’’

 

ହୃଦୟର ସକଳ ଆତୁରତା ପ୍ରକାଶ କରି ବୌଦ୍ଧଭିକ୍ଷୁ ନିବେଦନ କରୁଥିଲେ, ‘‘ମୁଁ ମଧ୍ୟ ରାଜକୁମାର ଆଉ ମୋର ପିତା–ମାତା ଆତ୍ମୀୟସ୍ୱଜନ ସମସ୍ତେ ମୋପାଇଁ ବ୍ୟାକୁଳ । ମୋର ସାଂସାରିକ ଜୀବନରେ ପୁନଃପ୍ରବେଶ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବ ।’’

 

‘‘ଆଉ କୌଶାମ୍ବୀର ରାଜକୁମାରୀ, ଆପଣଙ୍କର ପରିଣୀତା ପ୍ରିୟା ରାଜବଧୂ ?’’ —ପ୍ରିୟଦର୍ଶିନୀ ପ୍ରଶ୍ନ କଲେ ।

 

‘‘ସେହି ବିଗତ ଅତୀତସହିତ ବର୍ତ୍ତମାନ ସଂପର୍କବିହୀନ । ତୁମେ ହିଁ ମୋର ଏକାନ୍ତ କାମ୍ୟ ।’’

 

‘‘ଅତୀତର ଭିତ୍ତିଉପରେ ବର୍ତ୍ତମାନ ଆତ୍ମପ୍ରକାଶ କରେ ଭିକ୍ଷୁ, ଅତୀତବିହୀନ ବର୍ତ୍ତମାନର ପରିକଳ୍ପନା ଚିରନ୍ତନ ଅସମ୍ଭବ !’’ —କହୁ କହୁ ପ୍ରିୟଦର୍ଶିନୀଙ୍କର ଚକ୍ଷୁରୁ ଦୁଇ ବିନ୍ଦୁ ଉଷ୍ଣ ଅଶ୍ରୁଧାର ତାଙ୍କର ଗଣ୍ଡଦେଶ ସ୍ପର୍ଶ କରି ଧୂଳିଶଯ୍ୟାରେ ଆତ୍ମଗୋପନ କରିନେଲା ।

 

ପୁରୁଷର ପ୍ରକ୍ଷିପ୍ତ ମନର ଚପଳତାକୁ ଅନୁଧ୍ୟାନ କରିବାନିମିତ୍ତ ପ୍ରୟାସ କରୁଥିଲେ ପ୍ରିୟଦର୍ଶିନୀ ।

 

ଏହି କ’ଣ ତେବେ ପ୍ରେମ-ପ୍ରଣୟ, ପ୍ରୀତି-ପ୍ରତ୍ୟୟର ପରିଣତି ?

 

କିଛି କ୍ଷଣ ନୀରବ ରହି ପ୍ରିୟଦର୍ଶିନୀ ପୁନର୍ବାର ବ୍ୟକ୍ତ କଲେ—

 

‘‘କିନ୍ତୁ ମୁଁ ଦେବଦାସୀ ଓ ରାଜକୁମାରୀଙ୍କର ପରିଚାରିକା ଭିକ୍ଷୁ ! ରାଜକୁମାରୀଙ୍କର ଅନୁମତି ବ୍ୟତୀତ ମନ୍ଦିରର ଦେବଦାସୀପଦରୁ ନିଷ୍କୃତି ଲାଭ କରିବା ମୋ ପକ୍ଷରେ କେବେ ବି ସମ୍ଭବ ହେବ ନାହିଁ ।’’

 

‘‘ସେ ଭାର ମୁଁ ବହନ କରୁଛି ପ୍ରିୟଦର୍ଶିନୀ ! ତୁମେ ବୌଦ୍ଧ ଭିକ୍ଷୁଣୀଭାବେ ସଂଘରେ ଯୋଗ ଦେବାନିମିତ୍ତ ମୁଁ ଜଣେ ଅପରିଚିତ ବୌଦ୍ଧଭିକ୍ଷୁଭାବରେ ତୁମ ରାଜକୁମାରୀଙ୍କଠାରୁ ଅନୁମତି ଭିକ୍ଷା କରିନେବି ।’’

 

‘‘ଏହା ସତ୍ୟର ଅପଳାପ ହେବ ଭିକ୍ଷୁ ! ସତ୍ୟାନ୍ୱେଷୀ ଶାନ୍ତ ଶୁଦ୍ଧୋଦନତନୟ ତଥାଗତଙ୍କପ୍ରତି ଏହା ହେବ ଅକ୍ଷମଣୀୟ ଅବମାନନା ।’’

 

ଭିକ୍ଷୁ ଭାଙ୍ଗିପଡ଼ୁଥିଲେ–‘‘ମୁଁ କିନ୍ତୁ ନିରୁପାୟ ପ୍ରିୟଦର୍ଶିନୀ ! ଯୌବନ–ଯମୁନାର ଉତ୍କୂଳ ପ୍ରବାହନିକଟରେ ଭିକ୍ଷୁଜୀବନର ସଂଯମ–ଶୃଙ୍ଖଳାର ସକଳ ବାଧା-ବନ୍ଧନ ସ୍ଥିତିହୀନ ।’’

 

‘ମୁଁ ତେବେ ଆସୁଛି ଭିକ୍ଷୁ ! କାଲି ରାଜପ୍ରସାଦରେ ହୁଏତ ଆପଣଙ୍କ ସହିତ ସାକ୍ଷାତ୍କାର ହୋଇପାରେ ।’’

 

ବିଜୟିନୀ–ଜୀବନର ଏକ ଦୃପ୍ତ ଭଙ୍ଗି ପ୍ରିୟଦର୍ଶିନୀଙ୍କର ଅଙ୍ଗଲତାକୁ ଅନୁପମ ସୌଷ୍ଠବ ପ୍ରଦାନ କରୁଥିଲା ।

 

X X X

 

ବିଳାସ–ବିଭବମୟୀ କୌଶାମ୍ବୀର ରାଜପ୍ରସାଦ ଗୋଧୂଳିର ଆରକ୍ତ ବର୍ଣ୍ଣବିଭାରେ ସ୍ୱପ୍ନନିମଗ୍ନ ହୋଇଉଠିଛି ।

 

ବୌଦ୍ଧଭିକ୍ଷୁ–କଣ୍ଠନିଃସୃତ ‘ବୁଦ୍ଧଂ ଶରଣଂ ଗଚ୍ଛାମି’ର ଗୁରୁଗମ୍ଭୀର ଧ୍ୱନି ତା’ର ସ୍ୱପ୍ନ ଭଙ୍ଗ କରିବାନିମିତ୍ତ ଯେପରି ବ୍ୟର୍ଥ ପ୍ରୟାସ କରୁଥିଲା ।

 

ଭିକ୍ଷାପ୍ରଦାନକାରିଣୀ ଜଣେ ପରିଚାରିକାନିକଟରେ ବୌଦ୍ଧଭିକ୍ଷୁ ମୁଗ୍‌ଧକାମ ପ୍ରକାଶ କଲେ ଯେ ସେ ରାଜକୁମାରୀଙ୍କସହିତ ସାକ୍ଷାତ ଲିପ୍‌ସୁ ।

 

ଭିକ୍ଷୁଙ୍କୁ ଆସନ ପ୍ରଦାନ କରି ସାକ୍ଷାତ୍କାରନିମିତ୍ତ ରାଜକୁମାରୀଙ୍କଠାରୁ ସମ୍ମତି ଆଣିବା ଉଦ୍ଦେଶ୍ୟରେ ପରିଚାରିକା ବିଦାୟ ନେବା ସଙ୍ଗେ ସଙ୍ଗେ ଭିକ୍ଷୁଙ୍କର ହୃତ୍‌ସ୍ପନ୍ଦନ ବୃଦ୍ଧି ଲାଭ କଲା ।

 

ସେ ଅସ୍ୱସ୍ତି ଅନୁଭବ କରିବାକୁ ଲାଗିଲେ ।

 

ବୁଦ୍ଧଙ୍କର ସୌମ୍ୟ ମୁଖମଣ୍ଡଳର ଚକ୍ଷୁର ପ୍ରଶାନ୍ତି ତାଙ୍କ ନିକଟରେ ଭାସ୍ୱର ହୋଇଉଠିଲା-

 

ସତ୍ୟର ଅପଳାପ କରି ନିଜର ପରିଣୀତା ସହର୍ଧମିଣୀକୁ ପ୍ରବଞ୍ଚିତା କରିବାନିମିତ୍ତ ପ୍ରାଣ ତାଙ୍କର ବିଦ୍ରୋହ କରିଉଠିଲା ।

 

କିନ୍ତୁ ଠିକ୍‌ ସମତାଳ ରଖି ପ୍ରିୟଦର୍ଶିନୀଙ୍କର ଚଳଚଞ୍ଚଳ ନୟନର ମାଦକତାମୟ କଟାକ୍ଷ ତାଙ୍କନିକଟରେ ରୂପ ଲାଭ କରୁଥିଲା । ତାଙ୍କର ମୁନିମନୋଲୋଭା ଆରକ୍ତ ଅଧରର ଅନବଦ୍ୟ ଶ୍ରୀ ତାଙ୍କର ମନଶ୍ଚକ୍ଷୁରେ ବାରମ୍ବାର ପ୍ରତିଭାତ ହୋଇଉଠୁଥିଲା ।

 

ଏକ ବିଚିତ୍ର ଦ୍ୱନ୍ଦ୍ୱାତ୍ମକ ସମସ୍ୟାର ଆବର୍ତ୍ତରେ ଭିକ୍ଷୁ ପଥଭ୍ରଷ୍ଟ ହେବାବେଳେ ପରିଚାରିକାଗଣ ଭିକ୍ଷୁଙ୍କର ପଦ ପ୍ରକ୍ଷାଳନ କରି ଓ ଧୂପ–ଦୀପ–ଅଗୁରୁ–ପୁଷ୍ପ–ଚନ୍ଦନରେ ତାଙ୍କର ଯଥୋଚିତ ଅର୍ଚ୍ଚନା କରି ତାଙ୍କୁ ରାଜକୁମାରୀଙ୍କ ନିକଟକୁ ଯିବାନିମିତ୍ତ ସାଦର ଅଭିନନ୍ଦନ ଜଣାଇଲେ ।

 

ପରିଚାରିକା–ପରିବେଷ୍ଟିତ ଭିକ୍ଷୁ ଅଳିନ୍ଦପରେ ଅଳିନ୍ଦ, ଅଙ୍ଗନପରେ ଅଙ୍ଗନ ଦେଇ ଅଗ୍ରସର ହେବାକୁ ଲାଗିଲେ । ସେ ଯେତିକି ଅଗ୍ରସର ହେଉଥାଆନ୍ତି ତାଙ୍କର ଶରୀର ସେତିକି ଅବସାଦଗ୍ରସ୍ତ ହୋଇଉଠୁଥାଏ ।

 

ସେ ଦୂରରୁ ଲକ୍ଷ୍ୟ କଲେ ଏକ ମର୍ମ୍ମରମଣ୍ଡପଉପରେ ହୀରାନୀଳା–ମଣିମାଣିକ୍ୟବିଖଚିତ ସ୍ୱର୍ଣ୍ଣାଚ୍ଛାଦିତ ଗଜଦନ୍ତର ଆସନଉପରେ ଉପବେଶନ କରିଛନ୍ତି ରାଜକୁମାରୀ-। ରକ୍ତଦୁକୂଳପରିହିତା ନାନାବିଧ ଆଭରଣଯୁକ୍ତା କୌଶାମ୍ବୀର ମୁକୁଟବିମଣ୍ଡିତା ରାଜତନୟା ଦୂରରୁ ସ୍ୱର୍ଗସମ୍ଭୂତା ଉର୍ବଶୀର ଆତ୍ମଜାସଦୃଶ ପ୍ରତୀତ ହେଉଥିଲେ ।

 

ସେହି ତରୁଣୀଙ୍କର ରୂପଶ୍ରୀନିକଟରେ ମୁଗ୍‌ଧକାମଙ୍କର ଶରୀର ମ୍ଳାନ ହୋଇଆସିଥିଲା-

 

ଅସ୍ୱସ୍ତିଗ୍ରସ୍ତ ଭିକ୍ଷୁ କେବଳ ଯନ୍ତ୍ରଚାଳିତ ହେଲାପରି ଅଗ୍ରସର ହେଉଥିଲେ ଓ ତାଙ୍କର ଶଙ୍କିତ ଚକ୍ଷୁରେ ସେ ବେଳେବେଳେ ସେଠାରେ ପ୍ରିୟଦର୍ଶିନୀଙ୍କର ସ୍ଥିତି ସନ୍ଧାନ କରିବାନିମିତ୍ତ ଉଦ୍‌ବିଗ୍ନ ହୋଇଉଠୁଥିଲେ ।

 

କିନ୍ତୁ ପ୍ରିୟଦର୍ଶିନୀ କାହାନ୍ତି !

 

କ’ଣ କହି ସେ ରାଜକୁମାରୀଙ୍କର ପରିତୃପ୍ତି ସାଧନ କରିବେ ! ଧୀରେ–ଧୀରେ ରାଜକୁମାରୀଙ୍କର ମୁଖମଣ୍ଡଳଉପରେ ଭିକ୍ଷୁଙ୍କର ଦୃଷ୍ଟି ନିବଦ୍ଧ ହୋଇଉଠୁଥିଲା ।

 

ସେହି ପ୍ରୀତି–ପ୍ରବଣା ପ୍ରିୟଦର୍ଶିନୀ ମୁଖମଣ୍ଡଳର ଅଭ୍ରାନ୍ତ ପ୍ରତିବିମ୍ବ ରାଜକୁମାରୀଙ୍କର ମୁଖମଣ୍ଡଳରେ ମୁକ୍ତି ଲାଭ କରୁଛି ।

 

ଭିକ୍ଷୁଙ୍କର ଚକ୍ଷୁରେ ଆତଙ୍କ ଓ ବିସ୍ମୟ ଯୁଗପତ୍‌ ଆତ୍ମପ୍ରକାଶ ଲାଭ କରୁଥିଲା ।

 

ତାଙ୍କର ହସ୍ତସ୍ଥିତ ଭିକ୍ଷାପାତ୍ର ହିଁ ତାଙ୍କର କମ୍ପିତ କଳେବରର ସୂଚନା ପ୍ରଦାନ କରୁଥିଲା ।

 

ମନେ ହେଉଥିଲା ସେ ଯେପରି ସଂଜ୍ଞାହୀନ ହୋଇଯିବେ ।

 

‘‘ପାୟାସାନ୍ନ–ପ୍ରଦାନକାରିଣୀ ପ୍ରିୟଦର୍ଶିନୀ ତେବେ କୌଶାମ୍ବୀର ଅଲିଅଳୀ ରାଜକନ୍ୟା-!’’

 

ଭିକ୍ଷୁ ସନ୍ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ରାଜକୁମାରୀ ତାଙ୍କର ଆସନ ପରିତ୍ୟାଗ କରି ତାଙ୍କୁ ଅଭିବାଦନ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପ୍ରଶ୍ନ କଲେ–

 

‘‘ଶୁଦ୍ଧୋଦନତନୟ ତେବେ କ’ଣ ସୁଜାତାର ପ୍ରଣୟ–ପାଶରେ ଆବଦ୍ଧ ହେବାନିମିତ୍ତ ସହଧର୍ମିଣୀ ଯଶୋଧାରାଙ୍କ ଅନୁମତି ପ୍ରାର୍ଥନା କରିଥିବା ଘଟଣା ତ୍ରିପିଟକରେ କେଉଁଠାରେ ଉଲ୍ଲେଖ ଅଛି, ଭିକ୍ଷୁ ?’’

 

ଭିକ୍ଷୁ ମନେ କରୁଥିଲେ ସେ ସ୍ଥାଣୁ, ସେ ଅଚଳ, ସେ ଏକ ପାଷାଣମୂର୍ତ୍ତି ।

 

ଅପରିକଳ୍ପିତ ଘଟଣାପ୍ରବାହର କ୍ଷିପ୍ରତାମଧ୍ୟରେ କିଂକର୍ତ୍ତବ୍ୟ ବିମୂଢ଼ ହୋଇଉଠୁଥିଲେ ମୁଗ୍‌ଧକାମ । ତାଙ୍କରି ପରିଣୀତା କୌଶାମ୍ବୀର ରାଜକୁମାରୀ ଦେବଦାସୀର ଛଦ୍ମବେଶରେ, ତା’ର ଶାନ୍ତ ସଜଳ ନୟନକଟାକ୍ଷରେ ଓ ତା’ର ରୂପଲାବଣ୍ୟର ମାଦକତାରେ ତାଙ୍କୁ ପ୍ରଲୁବ୍‌ଧ ଓ ପ୍ରତାରିତ କରିଛି ।

‘‘କାହିଁକି ?’’

କୌଶାମ୍ବୀର ରାଜଦରବାରରେ କ’ଣ ତାଙ୍କର ଶାସ୍ତି ବିଧାନ କରାଯିବ ? ନିର୍ବାକ୍‌ ଭିକ୍ଷୁ ଅବଲୋକନ କରୁଥିଲେ–

ରାଜକୁମାରୀଙ୍କର ଆରକ୍ତ ଓଷ୍ଠଧାରର ସ୍ମିତହାସ୍ୟ ଯେପରି ସଦର୍ପରେ ବ୍ୟକ୍ତ କରୁଥିଲା ଜୀବନ-ସଂଗ୍ରାମରେ ସେ ଆଜି ବିଜୟିନୀ ।

ତାଙ୍କର ଉତ୍‌ଥିତ ଭ୍ରୂଲତା ସଦର୍ପରେ ଘୋଷଣା କରୁଥିଲା ଜୀବନ–ସଂଗ୍ରାମ–ବିଜୟତିଳକ ତାଙ୍କର ଜନ୍ମଗତ ଅଧିକାର ।

ସଦ୍ୟପ୍ରସ୍ଫୁଟିତ ଶେଫାଳିର ସୌନ୍ଦର୍ଯ୍ୟ ଓ ସୌରଭ ବିତରଣ କରି ତାଙ୍କର ଶୀର୍ଣ୍ଣ ଅପ୍‌ସରା-ସୁନ୍ଦର ତନୁଲତାରେ ଗୋଟିଏ ସତ୍ୟ ରୂପ ଲାଭ କରୁଥିଲା–ସେ ଅଜେୟ ।

ଆତଙ୍କିତ ଭିକ୍ଷୁ ମୁଗ୍‌ଧକାମ ବହୁମୂଲ୍ୟ ଆଭରଣବିମଣ୍ଡିତା ରାଜକୁମାରୀଙ୍କର ଅଭିସାରିକାର ପରିଧାନକୁ ଲକ୍ଷ୍ୟ କରି ତନ୍ମୟ ହୋଇଉଠୁଥିଲେ । ସେ ବିସ୍ମିତ ହେଉଥିଲେ–ଏତେ ରୂପ, ଏତେ ସୌନ୍ଦର୍ଯ୍ୟର ପୁଣି ଜଣେ ଅଧିକାରୀ ହୋଇପାରେ !

ନିବିଷ୍ଟ ଚିତ୍ତରେ କୌଶାମ୍ବରୀ ରୂପବତୀ ରାଜକୁମାରୀ ବି ତାଙ୍କର ରୂପୈଶ୍ୱର୍ଯ୍ୟର ଆଡ଼ମ୍ବର ପ୍ରଦର୍ଶନ କରି ମୁଗ୍‌ଧକାମଙ୍କର ଉଜ୍ଜ୍ୱଳ କୃଷ୍ଣଚକ୍ଷୁରେ ରୂପ ଲାଭ କରୁଥିବା ତାଙ୍କର ସକଳ ଆବେଗର ପ୍ରତିଲିପିକୁ ଅତି ନିବିଷ୍ଟ ଚିତ୍ତରେ ଅଧ୍ୟୟନ କରୁଥିଲେ ।

ଭିକ୍ଷୁଙ୍କର ଅଲକ୍ଷିତରେ ତାଙ୍କା ଭିକ୍ଷାପାତ୍ର ହସ୍ତଚ୍ୟୁତ ହୋଇ ମର୍ମରପ୍ରସ୍ତରମଣ୍ଡପର ଚତ୍ୱରଉପରେ ଶତଧା ବିଦୀର୍ଣ୍ଣ ହୋଇଗଲା ।

ସେହି ଶବ୍ଦରେ ଆତ୍ମସ୍ଥା ହେଲେ ରାଜକୁମାରୀ ।

ରାଜକୁମାରୀଙ୍କର ମମତାର୍ଦ୍ର କଣ୍ଠସ୍ୱର ଅଙ୍ଗନର ଚତୁର୍ଦ୍ଦିଗକୁ ମାଦକତାମୟ କରୁଥିଲା ।

‘‘ଆସନ୍ତୁ ଭିକ୍ଷୁ, କପିଳବାସ୍ତୁ-ରାଜବଧୂ ଯଶୋଧାରା ସିନା ତାଙ୍କ ଚକ୍ଷୁର ଅମାନିଆଁ ଅଶ୍ରୁଧାରନିକଟରେ ଆତ୍ମସମର୍ପଣ କଲେ; କିନ୍ତୁ କୌଶାମ୍ବୀର ରାଜକୁମାରୀ ଭିକ୍ଷୁ ମୁଗ୍‌ଧକାମଙ୍କୁ ପୁନର୍ବାର କାମନା–ବିକ୍ଷୁବ୍‌ଧ ରାଜକୁମାରରେ ପରିଣତ କରିଛନ୍ତି ।’’ –ଏହା କହୁ କହୁ ସ୍ୱର୍ଣ୍ଣକୁମ୍ଭସ୍ଥ ସୁରଭିତ ଜଳରାଶିରେ ରାଜକୁମାରୀ ଭିକ୍ଷୁଙ୍କର ପଦ ଧୌତ କରିବା ସଙ୍ଗେ ସଙ୍ଗେ ପରିଚାରିକାମାନେ ମୁଗ୍‌ଧକାମଙ୍କୁ ରାଜପରିଚ୍ଛଦରେ ବିଭୂଷିତ କଲେ ।

ଉଦ୍ୟାନସ ତମାଳଶାଖାରୁ କୋଇଲିର ସଙ୍ଗୀତମୁଖର କଣ୍ଠ ଯେପରି ଭିକ୍ଷୁଙ୍କର ବେଦନାବିଦଗ୍‌ଧ ପ୍ରାଣକୁ ସାନ୍ତ୍ୱନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଙ୍କର ଜୀବନ-ନାଟକର ନାଟକୀୟ ପରିବର୍ତ୍ତନକୁ ସ୍ୱାଗତ କରୁଥିଲା ।

☆☆☆

 

ପ୍ରଣୟ–ପ୍ରରୋହ

 

ଉନ୍ମନା ଧରିତ୍ରୀବକ୍ଷରେ ଅପରାହ୍‌ଣ ସୂର୍ଯ୍ୟର ସ୍ୱର୍ଣ୍ଣାଭ ରଶ୍ମିରୁ ଯୌବନର ମଦିରା ଝରିପଡ଼ୁଛି ।

 

ପ୍ରସାଧନ–କକ୍ଷର ମଣି–ମାଣିକ୍ୟବିଖଚିତ ସ୍ୱଚ୍ଛ ମସୃଣ ଦର୍ପଣ ଆମ୍ରପଲ୍ଲୀଙ୍କର ଆବକ୍ଷ ପ୍ରତିବିମ୍ବକୁ ଧାରଣା କରି ଯେପରି ଉତ୍‌ଫୁଲ୍ଲ ହୋଇଉଠୁଛି । ମୁହୂର୍ତ୍ତପରେ ମୁହୂର୍ତ୍ତ, ଦଣ୍ଡପରେ ଦଣ୍ଡ ଅତିକ୍ରାନ୍ତ ହେବାକୁ ଲାଗିଚାଲିଛି ।

 

ମାତ୍ର ଆମ୍ରପଲ୍ଲୀ ଏକାଗ୍ରଚିତ୍ତରେ ଦର୍ପଣସମ୍ମୁଖରେ ପ୍ରସାଧନନିମଗ୍ନା ରହିଛନ୍ତି । ସ୍ୱୀୟ ଭୁବନବିମୋହିନୀ ରୂପର ଐଶ୍ୱର୍ଯ୍ୟକୁ ଲକ୍ଷ୍ୟ କରି ନିଜେ ଆତ୍ମବିସ୍ମୃତା ହେଉଛନ୍ତି ।

 

ସାଗରତଟର ଊର୍ମି ବେଳାଭୂମିରେ ଥରକୁ ଥର ଲୋଟିପଡ଼ୁଥିବା ସଦୃଶ ମନକୁ ତାଙ୍କର ଗୋଟିଏ କଥା ବାରମ୍ବାର ସ୍ପର୍ଶ କରୁଛି–

 

‘‘ଅତିଥି ତ ସାଧାରଣ ବ୍ୟକ୍ତିବିଶେଷ ନୁହନ୍ତି; ତେଣୁ ବିଶେଷ ପ୍ରସ୍ତୁତ ଆବଶ୍ୟକ ।’’ ସେଇଥିପାଇଁ ଆମ୍ରପଲ୍ଲୀ ପ୍ରସାଧନରେ ଅଧିକରୁ ଅଧିକତର ମନୋନିବେଶ କରୁଛନ୍ତି ।

 

ପରିଚାରିକା ରତ୍ନା ସମୟ ସୂଚାଇଦେବାନିମିତ୍ତ ଆସି ଦ୍ୱାରଦେଶରୁ ବାରମ୍ବାର ପ୍ରତ୍ୟାବର୍ତ୍ତନ କରୁଛନ୍ତି । ପ୍ରସାଧନ–ଅଭିନିବିଷ୍ଟା ଆମ୍ରପଲ୍ଲୀଙ୍କର ଧ୍ୟାନ ଭଙ୍ଗ କରିବାନିମିତ୍ତ ତାଙ୍କର ସାହସ ହେଉନି ।

 

ଆମ୍ରପଲ୍ଲୀ ତାଙ୍କର ରକ୍ତପଦ୍ମବର୍ଣ୍ଣନିଭ ଅଙ୍ଗୁଳିରେ ହସ୍ତଦନ୍ତ–କଙ୍କତିକା ଧରି ତାଙ୍କର କୁଞ୍ଚିତ କୃଷ୍ଣକୁନ୍ତଳର ବିଚିତ୍ର ବିନ୍ୟାସନିମିତ୍ତ ଉଦ୍‌ବିଗ୍ନା ହୋଇଉଠୁଛନ୍ତି ତ କେତେବେଳେ ତାଙ୍କର ମୁନିମନୋଲୋଭା ଭ୍ରୂଯୁଗଳକୁ ଅଧିକତର କୃଷ୍ଣାଭ ଓ ଆକର୍ଷଣୀୟ କରିବାନିମିତ୍ତ ବ୍ୟାକୁଳତା ହୋଇଉଠୁଛନ୍ତି । ତାଙ୍କର ଆରକ୍ତ ଅଧରକୁ ଅଧିକତର ରକ୍ତିମ କରିବାନିମିତ୍ତ କେତେବେଳେ ଚିତ୍ରକର–ପ୍ରାଣର ଚାଞ୍ଚଲ୍ୟ ନେଇ ସେ ତୂଳି ଧାରଣ କରୁଛନ୍ତି ତ କେତେବେଳେ ପୁଣି ତାଙ୍କର ଇନ୍ଦ୍ରନୀଳମଣିବିଖଚିତ ସ୍ୱର୍ଣ୍ଣକର୍ଣ୍ଣକୋରକରେ ପଦ୍ମରାଗମଣିର ଝରା ସଂଯୋଗ କରି ତାଙ୍କର ପୁଷ୍ପକୋମଳ ରକ୍ତାଭ କପୋଳଉପରେ ତା’ର ଅନୁରୂପତାକୁ ବାରମ୍ବାର ପରୀକ୍ଷା କରିବାରେ ଲାଗିପଡ଼ିଛନ୍ତି ।

 

ପୁଣି ବେଳେବେଳେ ତାଙ୍କର ଲାସ୍ୟମୟୀ ସୁଠାମ ଅଙ୍ଗଲତାରେ ପ୍ରସ୍ତରମୂର୍ତ୍ତିର ସ୍ଥାଣୁତ୍ୱ ବରଣ କରି ଉତ୍ପଷ୍ମ ଚକ୍ଷୁରେ ତାଙ୍କର ସୁରତନୁଜା–ସୌନ୍ଦର୍ଯ୍ୟବିନିନ୍ଦିତ ଆନନଶ୍ରୀକୁ ନିଜେ ହିଁ ଅବଲୋକନ କରୁଛନ୍ତି ।

 

ରତ୍ନା ଧୈର୍ଯ୍ୟଚ୍ୟୁତା ହୋଇ ନିଜକୁ ନିଜେ ପ୍ରଶ୍ନ କରୁଥିଲେ–‘‘ଆମ୍ରପଲ୍ଲୀଙ୍କର ଜୀବନରେ ଏ କି ନୂତନତ୍ୱ ?’’

 

ଯେଉଁ ସ୍ୱପ୍ନସୁନ୍ଦରୀ ତା’ର ଆଲୁଳାୟିତ କେଶ ଓ ବିପର୍ଯ୍ୟସ୍ତ ବେଶ–ବିନ୍ୟାସରେ ମଧ୍ୟ ବହୁ ବାସନା–ବିରାଗୀଙ୍କ ପାଷାଣ–ବକ୍ଷରେ ବି ମୁହୂର୍ତ୍ତକର ମାତ୍ର ବ୍ୟବଧାନରେ ଯୌବନ–ଯମୁନାର କଳକଲ୍ଲୋଳ ସୃଷ୍ଟି କରିପାରେ ସେ ଆଜି ତା’ର ପରିଧାନ, ପ୍ରସାଧନ ଓ ଆଭରଣନିମିତ୍ତ ଏତେ ସଚେତନା କାହିଁକି ?

ପରିଶେଷରେ ଅସହିଷ୍ଣୁ ହୋଇଉଠି ଓ ଧୈର୍ଯ୍ୟ ହରାଇ ସେ ଆମ୍ରପଲ୍ଲୀଙ୍କର ଧ୍ୟାନ ଭଙ୍ଗ କରିବାକୁ ଅନୁଚ୍ଚ ସ୍ୱରରେ ଆହ୍ୱାନ କଲେ–

‘‘ଦେବୀ !’’

ପ୍ରସାଧନ–କକ୍ଷର ସତେ କି ତନ୍ଦା ତୁଟିଯାଉଥିଲା । ଫେରିଚାହିଁଲେ ଆମ୍ରପଲ୍ଲୀ–

‘‘କିଏ ? ରତ୍ନା ! ...ଅଭ୍ୟର୍ଥନାଗାର ସୁସଜ୍ଜିତ ତ ?’’

ରତ୍ନା ଆସ୍ତିସୂଚକ ଉତ୍ତର ପ୍ରଦାନ କଲେ ।

କିନ୍ତୁ ରତ୍ନାଙ୍କର ମୁଖମଣ୍ଡଳର ବିସ୍ମୟଭାବକୁ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଏକ ବ୍ରୀଡ଼ାବ୍ୟଞ୍ଜିତ ରକ୍ତିମା ଆମ୍ରପଲ୍ଲୀଙ୍କର ମୁଖମଣ୍ଡଳରେ ଆତ୍ମପ୍ରକାଶ କଲା । ନିଜର ଭାବକୁ ଲୁକ୍‌କାୟିତ କରିରଖିବାନିମିତ୍ତ ସେ ପ୍ରଶ୍ନ କଲେ–

‘‘ତୋ’ର ମଗଧର ରାଜକୁମାର ପଦ୍ମପଳାଶଲୋଚନଙ୍କ କଥା ମନେ ଅଛି, ରତ୍ନା ?’’

ରତ୍ନା ଆବେଗାତ୍ମକ କଣ୍ଠରେ ଉତ୍ତର ପ୍ରଦାନ କଲେ–

‘‘ହଁ ଦେବୀ, ବୈଶାଳୀର ଗଣବଧୂଙ୍କର ପ୍ରଥମ ଦର୍ଶନରେ ସେ ସମ୍ମୋହିତ ହୋଇଥିଲେ-। ନାରୀବିଦ୍ୱେଷୀ ପ୍ରାଣ ତାଙ୍କର ନାରୀଜୀବନର ସଫଳତା ଉପଲବ୍‌ଧି କରି ପ୍ରଣୟ-ତୃଷାତୁର ହୋଇଉଠିଥିଲା-।’’

 

ରତ୍ନା ପୁନର୍ବାର ପ୍ରଶ୍ନ କଲେ, ‘‘କିନ୍ତୁ ଏବେ ବି ମୋତେ ଏହା ଅଗୋଚର ଯେ କି ଉଦ୍ଦେଶ୍ୟ ନେଇ ଦେବୀ ମଗଧ–ରାଜକୁମାରଙ୍କୁ ଏପରି ପ୍ରଲୁବ୍‌ଧ କରିଥିଲେ ?’’

 

ଆମ୍ରପଲ୍ଲୀଙ୍କର ମୁଖମଣ୍ଡଳରେ ଏକ ଅର୍ଥହୀନ ଉଦାସୀନତା ସୁସ୍ପଷ୍ଟ ହୋଇଉଠୁଥିଲା ।

 

‘‘ନା ରତ୍ନା, କାହାକୁ ପ୍ରଲୁବ୍‌ଧ କରିବା ଆମ୍ରପଲ୍ଲୀ–ଜୀବନର ଉଦ୍ଦେଶ୍ୟ ନୁହେଁ । କେବଳ ପଦ୍ମପଳାଶଲୋଚନ ବୈଶାଳୀର ରାଜକୁମାରୀ ପ୍ରୀତିପଦ୍ମାଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ଯଦି ସେ କାହା ନିକଟରେ କେବେ ପ୍ରଣୟାତୁର ହେବା ପ୍ରମାଣିତ ହୁଏ, ତେବେ ସେ ତାଙ୍କୁ ସହଧର୍ମିଣୀରୂପେ ଗ୍ରହଣ କରିବେ । ତେଣୁ ପ୍ରୀତିପଦ୍ମାଙ୍କର ପ୍ରଣୟ–ସ୍ୱପ୍ନକୁ ବାସ୍ତବତାର ସ୍ପର୍ଶ ପ୍ରଦାନ କରିବାନିମିତ୍ତ ଆମ୍ରପଲ୍ଲୀକୁ ଅଭିନୟ କରିବାକୁ ପଡ଼ିଥିଲା ।’’

 

କିନ୍ତୁ ଏହା ପ୍ରକାଶ କରୁ କରୁ ଆମ୍ରପଲ୍ଲୀଙ୍କର କଣ୍ଠ ଅଭିମାନଭାରାକ୍ରାନ୍ତ ହୋଇଉଠୁଥିଲା-

 

ପ୍ରସାଧନକକ୍ଷରେ କିଛି କାଳ ନୀରବତାର ରାଜତ୍ୱ ପ୍ରତିଷ୍ଠିତ ହେଲା ।

 

ସ୍ୱର୍ଣ୍ଣଶଳାକା ଧରି ନିଜର ଭ୍ରୂଲତାସଂଲଗ୍ନ କପାଳ-ପ୍ରଦେଶକୁ କସ୍ତୂରୀ–ସମ୍ମିଶ୍ରିତ ଚନ୍ଦନବିନ୍ଦୁ–ସୁଶୋଭିତ କରିବାନିମିତ୍ତ ଉଦ୍ୟମ କରୁଥିଲେ ଆମ୍ରପଲ୍ଲୀ ।

 

ମାତ୍ର ପ୍ରଗଳ୍‌ଭା ରତ୍ନା ନୀରବତାକୁ ଭଙ୍ଗ କରିବାଉଦ୍ଦେଶ୍ୟରେ ପୁନର୍ବାର ପ୍ରଶ୍ନ କଲେ–

 

‘‘ଦେବୀ ଆଜି କିନ୍ତୁ ଏତେ ଗମ୍ଭୀର କାହିଁକି ?’’

 

ସତେ କି ଏକ ଆଗ୍ନେୟଗିରି ବିସ୍ଫୋରଣନିମିତ୍ତ ପ୍ରତୀକ୍ଷା କରିଥିଲା ।

 

‘‘ଆମ୍ରପଲ୍ଲୀ କାହିଁକି ଗମ୍ଭୀର ତୁ ଜାଣୁ ନା ରତ୍ନା ? ଅଙ୍ଗେ ଅଙ୍ଗେ ରୂପଲାବଣ୍ୟର ଜୁଆର ଧରି ଯେଉଁ ଶିଶୁ ଏହି ବିଶ୍ୱ–ଅଙ୍ଗନକୁ ଧାଇଁଆସିଥିଲା, ଯେଉଁ ପ୍ରୀତିପ୍ରବଣା କିଶୋରୀର ପ୍ରତିପଦକ୍ଷେପରେ ସହସ୍ର ରକ୍ତପଦ୍ମ ପ୍ରସ୍ଫୁଟିତ ହେଉଥିଲା, ଯେଉଁ ତରୁଣୀର ଭ୍ରୂଭଙ୍ଗିମା ଲକ୍ଷଚକ୍ଷୁକୁ ବିସ୍ମୟ–ବିସ୍ଫାରିତ କରୁଥିଲା, ତା’ର ପାନପାତ୍ରରେ ଏହି ବିଶ୍ୱ ଯେଉଁ ଗରଳଧାରା ଢାଳିଦେଇ ତାକୁ ତିଳେ ତିଳେ ହତ୍ୟା କରୁଛି ସେ କାହିଁକି ଗମ୍ଭୀର ତୁ କ’ଣ ତାହା ଅବିଦିତ ?’’

 

ରତ୍ନାଙ୍କର ସ୍ୱରରେ ସମବେଦନାର ଉଚ୍ଛ୍ୱାସର ସ୍ପର୍ଶ ।

 

‘‘କିନ୍ତୁ ସେ ପ୍ରଶ୍ନ ଆଜି କାହିଁକି ଦେବୀ ? ଗଣରାଜ୍ୟ ବୈଶାଳୀର ସେ ନିଷ୍ପତ୍ତିକୁ ଆପଣ ତ ଅବନତ ମସ୍ତକରେ ସ୍ୱୀକାର କରିନେଇଛନ୍ତି...’’

 

କ୍ରୁଦ୍ଧା ସିଂହୀସଦୃଶ ଗର୍ଜ୍ଜନ କରିଉଠିଲେ ଆମ୍ରପଲ୍ଲୀ ।

 

‘‘ମୁଁ ସ୍ୱୀକାର କରିନେଇଥିଲି ରତ୍ନା ? ସ୍ନେହ–ଶ୍ରଦ୍ଧାରସାଣିତ, ପ୍ରେମ–ପ୍ରୀତି–ପ୍ରତ୍ୟୟଚର୍ଚ୍ଚିତ, କୁଳବଧୂର ଶାନ୍ତ ସମାହିତ ଜୀବନ–ନିର୍ଝରର କଳତାନକୁ ଉପେକ୍ଷା କରି ବହୁ ରୂପାତୁରର ଇନ୍ଦ୍ରିୟବିଦଗ୍‌ଧ ଉଦ୍ଦାମତାର ଅର୍ଥହୀନ ପରିତୃପ୍ତିନିମିତ୍ତ ମୁଁ ଗଣବଧୂର ଲଜ୍ଜାହୀନ, ପୂତିଗନ୍ଧମୟ ପତିତ ପଙ୍କିଳ ଜୀବନକୁ ମସ୍ତକ ଅବନତ କରି ବରଣ କରିନେଇଥିଲି ନା ବୈଶାଳୀର ସ୍ୱାର୍ଥପ୍ରଣୋଦିତ ପ୍ରବୃତ୍ତିପରିଚାଳିତ ପୁରବାସିଗଣ ଇନ୍ଦ୍ରିୟର ପୂର୍ଣ୍ଣ ଉପଭୋଗନିମିତ୍ତ ଏକ ପୁରଙ୍ଗନା–ଜୀବନପ୍ରୟାସୀ ବାଳିକାକୁ ବାରାଙ୍ଗନାର ଜୀବନ ଯାପନ କରିବାକୁ ବାଧ୍ୟ କରିଥିଲେ ?’’

 

ଆମ୍ରପଲ୍ଲୀଙ୍କର ଚକ୍ଷୁର ଉଦ୍‌ଗତ ଅଶ୍ରୁ ସହିତ ତାଙ୍କ କଣ୍ଠର ଆବେଗ ସମତାଳ ରକ୍ଷା କରୁଥିଲା ।

 

‘‘ଗୋଟିଏ ବାଳିକାର ଜୀବନକୁ ବୈଶାଳୀର ଆବାଳବୃଦ୍ଧବନିତା ଯେପରି ବିକଳ–ବ୍ୟଥିତ କରିଛନ୍ତି ଆମ୍ରପଲ୍ଲୀ ତାପାଇଁ ପ୍ରତିଶୋଧ ନେବ ରତ୍ନା ! ଆଉ ସେ ସମୟ ଆସନ୍ନପ୍ରାୟ ।’’

 

ରତ୍ନାଙ୍କର ଶୀର୍ଣ୍ଣ ଅଧିରର ସ୍ମିତହାସ୍ୟ ତାଙ୍କର ମୁଖମଣ୍ଡଳରେ କରୁଣତାର ଏକ ବହଳ ପୁଟ ବୋଳିଦେଉଥିଲା ।

 

ସେ ଲକ୍ଷ୍ୟ କରୁଥିଲେ ଶତ ଅପ୍‌ସରାର ଶରୀରଶ୍ରୀକୁ ତୁଚ୍ଛ କରି ବିଧିର ସୌନ୍ଦର୍ଯ୍ୟ–ପରିକଳ୍ପନାର ସାର୍ଥକ ସୃଷ୍ଟି ଆମ୍ରପଲ୍ଲୀଙ୍କର ମୁଖମଣ୍ଡଳ ଆବେଗର ଆତିଶଯ୍ୟରେ ରକ୍ତାଭ ହୋଇଉଠିବା ସଙ୍ଗେ ସଙ୍ଗେ କିପରି ଏକ ଅତିମାନବିକ ସୌନ୍ଦର୍ଯ୍ୟରେ ସମୁଦ୍ଭାସିତ ହୋଇଉଠୁଛି ।

 

ଆମ୍ରପଲ୍ଲୀଙ୍କ ଆହତ–ପ୍ରାଣର ବେଦନାକୁ ଲାଘବ କରିବାନିମିତ୍ତ ନାଟକୀୟଭାବରେ ଆଉ ଏକ ଘଟଣାକୁ ଉପସ୍ଥାପିତ କଲେ ରତ୍ନା ।

 

‘‘ଗତ ପୂର୍ଣ୍ଣିମାରେ ଯେଉଁ ଗଣକ ଆପଣଙ୍କ ଦ୍ୱାରସ୍ଥ ହୋଇଥିଲେ ସେ କ’ଣ କହୁଥିଲେ ଆପଣ ଜାଣନ୍ତି ଦେବୀ ?’’

 

ଆମ୍ରପଲ୍ଲୀଙ୍କର ଚକ୍ଷୁରେ କୌତୂହଳ ସୃଷ୍ଟି ହେଉଥିଲା ।

 

‘‘ସେ କ’ଣ କହୁଥିଲେ ରତ୍ନା ?’’

 

‘‘ପୂର୍ବଜନ୍ମରେ ଆପଣ ଥିଲେ ଗୋଟିଏ କପୋତୀ ।’’

 

ଆମ୍ରପଲ୍ଲୀଙ୍କର ଚକ୍ଷୁରେ ସ୍ୱାଭାବିକତାର ଆଭାସ ସୁସ୍ପଷ୍ଟ ହୋଇଉଠୁଥିଲା । ତାଙ୍କର ସ୍ୱର୍ଣ୍ଣାର ଗୌର କପାଳସ୍ଥ ସ୍ୱେଦସିକ୍ତ ଚୂର୍ଣ୍ଣଅଳକରେ ଅଙ୍ଗୁଳି ଚାଳନା କରୁ କରୁ ସେ ପ୍ରଶ୍ନ କଲେ, ‘‘କପୋତୀ ?’’

 

‘‘ହଁ ଦେବୀ, କପୋତୀ ।’’

 

ପ୍ରଗଳ୍‌ଭା ରତ୍ନାଙ୍କର କଣ୍ଠସ୍ୱରରେ ଉଦ୍ଦାମତା ପରିଲକ୍ଷିତ ହେଉଥିଲା । ଏକ ନିଘଞ୍ଚ ଶାଳ–ଅରଣ୍ୟର ଉପାନ୍ତରେ ଥିବା ଗୋଟିଏ ପଲ୍ଲବିତ ବନସ୍ପତିର ଶୀର୍ଷଦେଶରେ ଆପଣ ଆପଣଙ୍କର ନୀଡ଼ ନିର୍ମାଣ କରିଥିଲେ ।

 

‘‘ମୁଁ ରତ୍ନା ?’’

 

‘‘ନା ଦେବୀ, ଆପଣଙ୍କର ପୂର୍ବଜନ୍ମର ସେ କପୋତୀ । ତା’ପରେ ଶୁଣନ୍ତୁ ଦେବୀ ।’’

 

ଗଳ୍ପଟି ଶେଷ କରିବାନିମିତ୍ତ ରତ୍ନାଙ୍କର ସ୍ୱରରେ ଯେପରି ଉତ୍କଣ୍ଠା ପ୍ରକାଶ ପାଉଥିଲା–

 

‘‘ସେହି ନିଘଞ୍ଚ ଅରଣ୍ୟରେ ଦିନେ ବନାଗ୍ନି ସନ୍ଦୀପିତ ହେଲା । ଅଗ୍ନି ତା’ର ଲେଲିହାନ ଶିଖା ତୋଳି ବନଭୂମିକୁ ଗ୍ରାସ କରିବାକୁ ଲାଗିଲା । ବହୁ ପଶୁ-ପକ୍ଷୀଙ୍କ ବିକଳ କ୍ରନ୍ଦନରେ ଚତୁର୍ଦ୍ଦିଗ ବିଳାପମୁଖର ହୋଇଉଠିଲା । ଫଳରେ କପୋତୀଟି ସେ ଦୃଶ୍ୟ ଦର୍ଶନ କରି ବ୍ୟଥିତା ହେଲା । ଅନନ୍ୟୋପାୟା ହୋଇ ସେହି ପକ୍ଷିଣୀ ନିକଟବର୍ତ୍ତୀ ଝରଣାରେ ତା’ର କ୍ଷୁଦ୍ର କ୍ଷୁଦ୍ର ପକ୍ଷକୁ ସିକ୍ତ କରି ଅଗ୍ନିଉପରେ ଜଳକଣା ନିକ୍ଷେପ କଲା ।

 

‘‘ମୁଁ କେବେ ହେଲେ ଏପରି ନିର୍ବୋଧା କପୋତୀ ନ ଥିଲି ରତ୍ନା !’’—ଶିଶୁସୁଲଭ କଣ୍ଠରେ ପ୍ରତିବାଦ କରୁଥିଲେ ଆମ୍ରପଲ୍ଲୀ ।

 

‘‘ଶୁଣନ୍ତୁ ଦେବୀ !’’ ରତ୍ନାଙ୍କର କଣ୍ଠ ଭାବଗମ୍ଭୀର ହୋଇଉଠୁଥିଲା । ‘‘ସେହି କପୋତୀଟି ଯେତେବେଳେ ଦେଖିଲା ତା’ର ପକ୍ଷର ଜଳକଣା ଅଗ୍ନି ନିର୍ବପିତ କରିବାକୁ ଅସମର୍ଥ, ସେତେବେଳେ ନିଜର ମାଂସ ଓ ରୁଧିରରେ ସିକ୍ତ କରି ଅଗ୍ନିଶିଖାକୁ ନିର୍ବାପିତ କରିବାନିମିତ୍ତ ବନାଗ୍ନିରେ ନିଜର ଶରୀରକୁ ନିକ୍ଷେପ କଲା । ସାମୂହିତ କଲ୍ୟାଣ–କଳ୍ପନାରେ ନିଜ ଶରୀରକୁ ଉତ୍ସର୍ଗ କରିଥିବାହେତୁ ଆପଣ ଆଜି କୋଟିଜନକାମ୍ୟ ଅପ୍‌ସରାଦୁର୍ଲ୍ଲଭ ଶରୀର ଲାଭ କରିଛନ୍ତି ଦେବୀ !’’

 

ଆମ୍ରପଲ୍ଲୀଙ୍କର ଭାବାବେଗ ପୁଣି ଫେରିଆସୁଥିଲା–‘‘ଆଉ ସେହି ଶରୀର ହିଁ ମୋର ଇହକାଳ ଓ ପରକାଳକୁ ବିନଷ୍ଟ କରିଛି ରତ୍ନା ?’’

 

ରତ୍ନା କିନ୍ତୁ ଚଞ୍ଚଳ ହୋଇଉଠୁଥିଲେ ।

 

‘‘ନା ଦେବୀ, ଗଣକଙ୍କର ସିଦ୍ଧାନ୍ତ କିନ୍ତୁ ଭିନ୍ନ । ତାଙ୍କର ଭବିଷ୍ୟବାଣୀ ହେଲା, ଏହି ଜନ୍ମରେ ହିଁ ଆପଣ ମୁକ୍ତି ଲାଭ କରିବେ ।’’

 

ରତ୍ନାର ମୁଖମଣ୍ଡଳକୁ କିୟତ୍‌କ୍ଷଣ ନିରୀକ୍ଷଣ କରି ଭାବଗମ୍ଭୀର ହୋଇଉଠୁଥିଲେ ଆମ୍ରପଲ୍ଲୀ । ତାଙ୍କର ସମୁଜ୍ଜ୍ୱଳ ଚକ୍ଷୁର ଚତ୍ୱରରେ ସନ୍ଦେହର ଏକ ବହଳ ଛାୟା ପ୍ରସାରିଯାଉଥିଲା । ସେ ଆହୁରି ନିବିଡ଼ଭାବେ ରତ୍ନାର ଚକ୍ଷୁଉପରେ ଦୃଷ୍ଟି ନିବଦ୍ଧ କଲେ ।

 

ତାଙ୍କର ସ୍ୱରରେ ରୁକ୍ଷତା ପ୍ରକାଶ ପାଉଥିଲା ।

 

‘‘ନା, ନା ରତ୍ନା ! ତୁ ବୋଧ ହୁଏ ମୋର ଉଦ୍ଦେଶ୍ୟ ଅବଗତ ହୋଇଛୁ; କିନ୍ତୁ କାହାରି ଉପଦେଶ, ପରାମର୍ଶ ଓ ନିର୍ଦ୍ଦେଶକୁ ଅବନତ ମସ୍ତକରେ ସ୍ୱୀକାର କରିନେଇ ଆମ୍ରପଲ୍ଲୀ ଆଉ ତା’ର ପଥରୁ ସ୍ଖଳିତ ହେବ ନାହିଁ । ଏହି ବୁଭୁକ୍ଷୁ ବିଶ୍ୱ ଆମ୍ରପଲ୍ଲୀର ମାଂସ ଆସ୍ୱାଦନ କରିବାନିମିତ୍ତ ଯେପରି ତା’ର ସର୍ବସ୍ୱ ଅପହରଣ କରିଛି, ସେ ମଧ୍ୟ ଠିକ୍‌ ସେହିପରି ମାୟାବିନୀ ରାକ୍ଷସୀର କାୟା ବିସ୍ତାର କରି ଏ ସଂସାରକୁ ଗ୍ରାସ କରିବ ।’’

 

‘‘ଦେବୀ !’’ ରତ୍ନାଙ୍କର କଣ୍ଠସ୍ୱରରେ ଆତଙ୍କର ପ୍ରତିଧ୍ୱନି ରୂପ ଲାଭ କରୁଥିଲା; ମାତ୍ର ରତ୍ନାଙ୍କର ଚିତ୍କାର ଆମ୍ରପଲ୍ଲୀଙ୍କର ହୃଦୟ ସ୍ପର୍ଶ ନ କଲେ ମଧ୍ୟ ଭାବାନ୍ତର ସୃଷ୍ଟି କରୁଥିଲା ।

 

ତାଙ୍କର ସ୍ୱଭାବସୁଲଭ ମାଦକତାମୟ ମୃଦୁଳ କଣ୍ଠସ୍ୱର ରତ୍ନାଙ୍କୁ ଆସ୍ୱସ୍ତି ପ୍ରଦାନ କଲା ।

 

‘‘ତୁ ଧର୍ମପ୍ରଚାରକ ଗୌତମଙ୍କୁ ଦେଖିଛୁ ରତ୍ନା ?’’

 

ଆମ୍ରପଲ୍ଲୀଙ୍କର ମୁଖମଣ୍ଡଳରେ କବିସୁଲଭ ଆବେଗ ପରିଲକ୍ଷିତ ହେଉଥିଲା ।

 

‘‘ତାଙ୍କର ସୌମ୍ୟ ସୁନ୍ଦର ଯୌବନୋଲ୍ଲୋଳ ଶୁଭ୍ର ତନୁରେ ଆଶ୍ୱିନଚନ୍ଦ୍ରର ଲାବଣ୍ୟ, ଆକର୍ଣ୍ଣବିସ୍ତୃତ ଅର୍ଦ୍ଧନିମୀଳିତ ନୟନୋପାନ୍ତରେ ତାରୁଣ୍ୟର ଜ୍ୟୋତିର୍ମୟ ସ୍ୱାକ୍ଷର, ସମୁତ୍‌ଥିତ ଭ୍ରୂଯୁଗଳରେ ଅଙ୍ଗହୀନ ଅନଙ୍ଗର ଅଙ୍ଗନା–ସମ୍ମୋହକ ପୁଷ୍ପଧନୁ, ଆରକ୍ତ ଅଧରରେ ରକ୍ତଅବଗୁଣ୍ଠନା ଉଷାର ଉପାଂଶୁ, ସମଗ୍ର ମୁଖମଣ୍ଡଳରେ ସ୍ୱର୍ଭ୍ରଷ୍ଟ ଦେବତାର ଅସଂପୂର୍ଣ୍ଣ ଅମରାବତୀ–ଅଭିସାରର ଆତ୍ମବିସ୍ମୃତି......’’

 

ଆମ୍ରପଲ୍ଲୀଙ୍କର ଚକ୍ଷୁକୁ ଲକ୍ଷ୍ୟ କଲେ ମନେ ହେଉଥିଲା ଦିଗନ୍ତ–କବି–କଳ୍ପନା–ମାନସରୋବରର ତୀରଦେଶରେ ସେ ଭାବନିମଗ୍ନା; କିନ୍ତୁ ରତ୍ନା ଅଧୈର୍ଯ୍ୟ ହୋଇଉଠୁଥିଲେ ।

 

‘‘ଗୌତମଙ୍କ ରୂପଲାବଣ୍ୟ–ବର୍ଣ୍ଣନାରେ ଦେବୀ କାହିଁକି ପ୍ରଗଳ୍‌ଭା ହୋଇଉଠୁଛନ୍ତି ?’’

 

‘‘ମୁଁ ତାଙ୍କୁ ଆଜି ମୋର ପୁରକୁ ନିମନ୍ତ୍ରଣ କରିଛି ରତ୍ନା !’’

 

ଏଇ ଅସ୍ୱାଭାବିକ ଅହଂକାରରେ ଆମ୍ରପଲ୍ଲୀଙ୍କ ମୁଖମଣ୍ଡଳ ସ୍ଫୀତ ହୋଇଉଠୁଥିଲା; ମାତ୍ର ପରିଚାରିକା ରତ୍ନାଙ୍କର ବିସ୍ମୟର ସୀମା ରହୁ ନ ଥିଲା ।

 

‘‘ଗୌତମ ବୁଦ୍ଧଙ୍କୁ ?’’

 

‘‘ହଁ ରତ୍ନା, ଗୌତମ ବୁଦ୍ଧଙ୍କୁ । ପ୍ରଶାନ୍ତ ଆକାଶର ଶାନ୍ତ ନୀଳିମାକୁ ଛିନ୍ନ ବିଦୀର୍ଣ୍ଣ କରି ଇନ୍ଦ୍ରଧନୁ ତା’ର ବର୍ଣ୍ଣବୈଭବର ଇନ୍ଦ୍ରଜାଲରେ ଶୂନ୍ୟ ଦିଗନ୍ତକୁ ମନ୍ତ୍ରମୁଗ୍‌ଧ କଲାପରି ସେହି ତରୁଣ ତାପସଙ୍କର ବୌଦ୍ଧିକ ସିଦ୍ଧିର ସୋପାନକୁ ଚୂର୍ଣ୍ଣ-ବିଚୂର୍ଣ୍ଣ କରି ଆଜି ସନ୍ଧ୍ୟାରେ ରକ୍ତ–ରାଗରଞ୍ଜିତ ଲଗ୍ନରେ ଆମ୍ରପଲ୍ଲୀ ତା’ର ରୂପଲାବଣ୍ୟର ମାୟାଜାଲରେ ତାଙ୍କୁ ବିମୁଗ୍‌ଧ କରିବ ।’’

 

ଆମ୍ରପଲ୍ଲୀଙ୍କର ଏପରି ପ୍ରସ୍ତାବ ଶ୍ରବଣ କରି ଅତିଷ୍ଠ ହୋଇଉଠୁଥିଲେ ରତ୍ନା ।

 

‘‘ନା, ନା ଦେବୀ, ଏହି ଅମାର୍ଜନୀୟ ଅପରାଧର ପ୍ରାୟଶ୍ଚିତ୍ତ ଆଉ କେବେ ବି ଏହି ଜୀବନରେ ସମ୍ଭବ ହୋଇପାରିବ ନାହିଁ ।’’

 

ଆବେଗର ଆତିଶଯ୍ୟରେ ଆମ୍ରପଲ୍ଲୀଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଉଠୁଥିଲା ।

 

‘‘ତଥାପି ଆମ୍ରପଲ୍ଲୀ ତା’ର ସିଦ୍ଧାନ୍ତରେ ଅଟଳ ରହିବ ରତ୍ନା ! ପରିଚାରିକାମାନଙ୍କୁ ଯାଇ ନିର୍ଦ୍ଦେଶ ଦିଅ, ସେମାନେ ମୋର ଅତିଥିଅଭ୍ୟର୍ଥନାଗାରକୁ ସୁସଜ୍ଜିତ କରି ରଖିବେ ।’’

 

ବୈଶାଳୀର ଆମ୍ରବନ ସାଂଧ୍ୟ ଲଗ୍ନର ଉପକ୍ରମଣିକା–ଅଧୟନରେ ଆତ୍ମନିମଗ୍ନ ।

 

ନବପଲ୍ଲବିତ ବନସ୍ପତିର ସବୁଜ ପତ୍ରରାଜିରେ ମାୟାବିନୀ ରାତ୍ରିର ଆଗମନୀ–ଗୀତିର ଝଙ୍କାର ।

 

ଧ୍ୟାନମଗ୍ନ ତଥାଗତଙ୍କର ଚକ୍ଷୁରୁନ୍ମୀଳିତ ହେଲା ।

 

‘‘ସାରୀପୁତ୍ତ ! ମୁଁ ଆଜି ଆମ୍ରପଲ୍ଲୀଙ୍କର ପୁରୀରେ ଅତିଥି ହେବାନିମିତ୍ତ ପ୍ରତିଶ୍ରୁତି ପ୍ରଦାନ କରିଥିଲି । ସମୟ ସମାଗତପ୍ରାୟ ।’’

 

ଅର୍ପୂବ ମହିମାର ସ୍ପର୍ଶରେ ବୁଦ୍ଧଙ୍କର ପ୍ରଶାନ୍ତ ଆନନ ସମୁଦ୍ଭାସିତ ହୋଇଉଠୁଥିଲା । ସାରୀପୁତ୍ତଙ୍କର ମୁଖମଣ୍ଡଳରେ କିନ୍ତୁ ପ୍ରତିବାଦର ସ୍ତର ସ୍ତୂପୀକୃତ ହେଉଥିଲା ।

 

‘‘ଆମ୍ରପଲ୍ଲୀ ବୈଶାଳୀର ଗଣବଧୂ ବୋଲି ପ୍ରଭୁ ତଥାଗତ କ’ଣ ଅବିଦିତ ?’’

 

ତଥାଗତଙ୍କର ମୁଖମଣ୍ଡଳରେ ଏକ ସ୍ମିତହାସ୍ୟର ଝଲକ ଫୁଟିଉଠିଲା । ତା’ର ଅନବଦ୍ୟ ଶ୍ରୀର ଦିବ୍ୟତା ସାରୀପୁତ୍ତଙ୍କୁ ଯେପରି ଦ୍ୱନ୍ଦ୍ୱର ସମ୍ମୁଖୀନ କଲା ।

 

ସାରୀପୁତ୍ତ କମ୍ପିତକଣ୍ଠରେ କହିଲେ, ‘‘ଭଗବାନ୍‌ ତଥାଗତଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥନା କରୁଛି ।’’

 

‘‘କାହିଁକି ସାରୀପୁତ୍ତ ?’’

 

ତଥାଗତଙ୍କର ଉତ୍‌ଥିତ ଭ୍ରୂଲତା ତାଙ୍କର ପ୍ରାଣର ବିସ୍ମୟଭାବର ସୂଚନା ପ୍ରଦାନ କରୁଥିଲା ।

 

‘‘ଭଗବାନ୍‌ ତଥାଗତ ଆମ୍ରପଲ୍ଲୀଙ୍କର ପୁରରେ ଅତିଥି ହେଲେ ଲୋକଚକ୍ଷୁରେ ତାହା...’’

 

ସାରୀପୁତ୍ତଙ୍କର କଣ୍ଠ ରୁଦ୍ଧ ହୋଇଆସିଲା ।

 

ମାତ୍ର ତଥାଗତ ବୁଦ୍ଧଙ୍କର ମୁଖମଣ୍ଡଳରେ ରୂପ ଲାଭ କରୁଥିଲା ଏକ ଅନିର୍ବଚନୀୟ ସୁଷମା ।

 

‘‘ଜନ୍ମଜନ୍ମାନ୍ତରର ନିଷ୍ଠା–ସାଧନା–ସଙ୍କଳ୍ପମାଧ୍ୟମରେ ଜଣେ ମାନବ ତା’ର ସୂକ୍ଷ୍ମବିଚାରଧାରାଦ୍ୱାରା ତା’ର ଚେତନାକୁ କ’ଣ ଏପରି ଊର୍ଦ୍ଧ୍ୱାଭିମୁଖୀ କରିପାରିବ ନାହିଁ, ଯଦ୍ଦ୍ୱାରା ସେ ଇନ୍ଦ୍ରିୟଜନିତ ଅଥର୍ବତାରୁ ମୁକ୍ତି ଲାଭ କରିବ ସାରୀପୁତ୍ତ ?’’

 

ସାରୀପୁତ୍ତଙ୍କର ଅସ୍ୱସ୍ତି ତୁଟିଆସୁଥିଲା ।

 

‘‘ହଁ ପ୍ରଭୋ ! ସେ ସତ୍ୟ ତ ଭଗବାନ୍‌ ତଥାଗତଙ୍କ ଜୀବନରେ ପୂର୍ଣ୍ଣରୂପେ ପ୍ରତିଫଳିତ ହୋଇଛି । ପ୍ରଭୁଙ୍କର ମହାନ୍‌ ବ୍ୟକ୍ତିତ୍ୱର ସ୍ପର୍ଶରେ ଉନ୍ମତ୍ତ ହସ୍ତୀ ତା’ର ହିଂସ୍ରତା ବିସ୍ମୃତ ହୋଇ ମେଷଶିଶୁସମ ଶାନ୍ତ ହୋଇଉଠିଛି ।’’

 

‘‘ତେବେ ମୋତେ ସାରୀପୁତ୍ତ ବାରଣ କରୁଛନ୍ତି କାହିଁକି ? ଯାହା ସତ୍ୟ, ତାହା ପ୍ରତିଭାତ ହୁଏ । ଯାହା ମିଥ୍ୟା, ତାହା ମୃତ୍ୟୁର ଗହ୍ୱରମଧ୍ୟରେ ଆତ୍ମଗୋପନ କରେ । ମନଶ୍ଚେତନାର ଅନ୍ତରାଳରେ ମିଥ୍ୟାର ଅବଚ୍ଛାୟା ନିହିତ ଥିଲେ ଅନୁରୂପ ପରିସ୍ଥିତିରେ ତା’ର ପ୍ରତିକ୍ରିୟା ପ୍ରକାଶିତ ହୁଏ; କିନ୍ତୁ ଥରେ ଇନ୍ଦ୍ରିୟାତୀତ ଓ ବିମୁକ୍ତଚିତ୍ତ ହେଲେ ପ୍ରଲୁବ୍‌ଧକ ଇନ୍ଦ୍ରିୟସକଳର ସମ୍ମୋହନକାରୀ ଯାଦୁବିଦ୍ୟା ସେଠାରେ ନିଷ୍କ୍ରିୟ ହୁଏ ।’’

 

ତଥାଗତ ବୁଦ୍ଧଙ୍କର ଗୁରୁଗମ୍ଭୀର ବାଣୀ ସାରୀପୁତ୍ତଙ୍କୁ ଭାବାବିଷ୍ଟ କରୁଥିଲା; ମାତ୍ର ତଥାଗତ ଧୀରପଦକ୍ଷେପରେ ଅଗ୍ରସର ହେବାକୁ ଆରମ୍ଭ କରୁଥିଲେ ।

 

‘‘ଆସ ସାରୀପୁତ୍ତ, ନିମନ୍ତ୍ରଣକାରିଣୀଙ୍କୁ ଦୀର୍ଘ ପ୍ରତୀକ୍ଷାରତା ରଖିବା ଅବିଧେୟ ।’’

 

ଭାସମାନ ମେଘଖଣ୍ଡରୁ ଝରିପଡ଼ୁଥିବା ବାରିବିନ୍ଦୁ ବୈଶାଳୀର ଆମ୍ରବନର ଛାୟାପଥର ଧୂଳିକୁ ସିକ୍ତ କରୁଥିଲା ।

 

X X X

 

ଶ୍ରାବଣ-ପୂର୍ଣ୍ଣିମାକାଶର ଚନ୍ଦ୍ର ତା’ର ବଳାହକ–ଅବଗୁଣ୍ଠନ ଖୋଲି ଅଭ୍ୟର୍ଥନାଗାରର ଅଭ୍ୟନ୍ତରରେ ଘଟୁଥିବା ଅଭୂତପୂର୍ବ ଦୃଶ୍ୟକୁ ଦର୍ଶନ କରିବାନିମିତ୍ତ ସତେ କି ଅନୁସନ୍ଧିତ୍ସୁ ହୋଇଉଠୁଛି ।

 

ସହସା ଭିକ୍ଷୁକଣ୍ଠର ଗୁରୁଗମ୍ଭୀର ଧ୍ୱନି ଭାସିଆସିଲା :

 

ବୁଦ୍ଧଂ ଶରଣଂ ଗଚ୍ଛାମି

ଧମ୍ମଂ ଶରଣଂ ଗଚ୍ଛାମି

ସଂଘଂ ଶରଣଂ ଗଚ୍ଛାମି

 

ପରିଚାରିକାଗଣ ସୁଶୀତଳ ସୁରଭିତ ଜଳରେ ପ୍ରଭୁ ତଥାଗତ ଓ ଭିକ୍ଷୁମାନଙ୍କର ପଦଧୌତ କରିବା ସଙ୍ଗେ ସଙ୍ଗେ ରତ୍ନ-ସ୍ୱର୍ଣ୍ଣପାତ୍ରରେ ପୁଷ୍ପ-ଚନ୍ଦନ, ଧୂପ-ଦୀପ, କସ୍ତୁରୀ-ଗୋରୋଚନାରେ ଭଗବାନ୍‌ ବୁଦ୍ଧଙ୍କର ଅର୍ଚ୍ଚନା କରି ତାଙ୍କୁ ଅଭ୍ୟର୍ଥନାଗାରରେ ଆସନ ପ୍ରଦାନ କଲେ ।

 

ମନେ ହେଲା, ଆମ୍ରପଲ୍ଲୀଙ୍କର ବିଶାଳ ଭବନ ଯେପରି ତା’ର ସକଳ ତନ୍ଦ୍ରା ଓ ସ୍ୱପ୍ନକୁ ବିସ୍ମୃତ ହୋଇ କେଉଁ ଏକ ଅପୌରୁଷେୟ ସ୍ପର୍ଶରେ ସମାଧିସ୍ଥ ହୋଇଉଠୁଛି ।

 

ଏକ ଅବାଙ୍ମାନସଗୋଚର ଇନ୍ଦ୍ରିୟାତୀତ ଅନୁଭୂତିର ସୂକ୍ଷ୍ମସ୍ପର୍ଶରେ ସମସ୍ତଙ୍କର ଶରୀର ଯେପରି ରୋମାଞ୍ଚିତ ହୋଇଉଠୁଛି ।

 

ଚନ୍ଦ୍ରଶାଳାପୁରରୁ ସୋପାନପରେ ସୋପାନ ଅତିକ୍ରମ କରି ଅତିଥିଙ୍କର ସଂବର୍ଦ୍ଧନାର ଉଦ୍ଦେଶ୍ୟରେ ଅଗ୍ରସର ହେଉଥିଲେ ଆମ୍ରପଲ୍ଲୀ ।

 

ଜନ୍ମଜନ୍ମାନ୍ତରର ଅଭିସାରତୃଷ୍ଣାକୁ ସାର୍ଥକ କରିବାନିମିତ୍ତ ପ୍ରାଣ ତାଙ୍କର ଉଦ୍‌ବିଗ୍ନ ହୋଇଉଠୁଥିଲା ।

 

ରାଜବଧୂ ଯଶୋଧାରାଙ୍କ ଯେଉଁ ସଦା ସଂହତ ଜୀବନ–ଯାତ୍ରା ଗୌତମଙ୍କର ଜୀବନପ୍ରବାହକୁ ସଂସାରପ୍ରତି ସମାକୃଷ୍ଟ କରିପାରିଲା ନାହିଁ, ଗଣବଧୂ–ଜୀବନର ବ୍ୟାପକ ଅନୁଭୂତିକୁ ପାଥେୟ କରି ସ୍ୱୀୟ ବିମୋହନକାରୀ ଅନୁପମ ରୂପୈଶ୍ୱର୍ଯ୍ୟରେ ସମ୍ମୋହିତ କରି ସେହି ସଂସାରସୁଖ ବିମୁଖ ପଳାତକ ଗୌତମଙ୍କୁ ପୁଣି ଜୀବନର ଉଷ୍ଣ ଆଶ୍ଳେଷ ପ୍ରଦାନ କରିବାକୁ ସେ ବ୍ୟଗ୍ର ହୋଇଉଠୁଥିଲେ ।

 

ଆମ୍ରପଲ୍ଲୀଙ୍କର ଯୌବନଜାହ୍ନବୀ ଉଚ୍ଛଳା ମନ୍ମଥଚର୍ଚ୍ଚିତା ଶୀର୍ଣ୍ଣ ସୁନ୍ଦର ଶୁଭ୍ର ତନୁରେ ସୃଷ୍ଟି ହେଉଥିଲା ବିଚିତ୍ର କମ୍ପନ ।

 

ଶ୍ରାବଣ–ପୂର୍ଣ୍ଣିମାର ଆଦ୍ୟଲଗ୍ନରେ ସେ ଉପଲବ୍‌ଧି କରୁଥିଲେ ତାଙ୍କର ଜୀବନର ପ୍ରଥମ ଫାଲ୍‌ଗୁନୀ ପ୍ରଦୋଷର ସୁରଭିତ ସ୍ପର୍ଶ ।

 

ବହୁବାଞ୍ଛିତ ଅତିଥିଙ୍କର ତାରୁଣ୍ୟବନ୍ଦିତ କାନ୍ତ କମନୀୟ ଶରୀରର ଯଥୋଚିତ ଉପଚାରନିମିତ୍ତ ତାଙ୍କର ପ୍ରାଣରେ ସୃଷ୍ଟି ହେଉଥିଲା ନବୀନ ସ୍ପନ୍ଦନ । ନବୀନା କିଶୋରୀର ଆଦ୍ୟ ଅଭିସାରର ଚପଳତା ତାଙ୍କର ନୟନୋପାନ୍ତରେ ଅଭିବ୍ୟକ୍ତି ଲାଭ କରୁଥିଲା ।

 

ଆଶ୍ୱିନର ଭାସମାନ ମେଘଖଣ୍ଡର କ୍ଷିପ୍ରଗତି ଦିକ୍‌ଚକ୍ର ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ମନ୍ଥର ହୋଇଆସିଲାପରି ତଥାଗତଙ୍କର ସମୀପବର୍ତ୍ତିନୀ ହେବା ସଙ୍ଗେ ସଙ୍ଗେ ତାଙ୍କର ପ୍ରାଣର ବ୍ୟଗ୍ରତା ଶାନ୍ତ ହୋଇଆସୁଥିଲା । ତ୍ରସ୍ତା ଶଙ୍କିତା ସଲଜ୍ଜା ନବବଧୂସଦୃଶ ଦ୍ୱାରଦେଶରେ କେତୋଟି ମୁହୂର୍ତ୍ତ ପ୍ରତୀକ୍ଷା କରି ମୃଦୁ ପଦକ୍ଷେପରେ ସେ କକ୍ଷାଭ୍ୟନ୍ତରକୁ ପ୍ରବେଶ କଲେ ।

 

ସୁରଭିତ ସୁସଜ୍ଜିତ କକ୍ଷ ସ୍ୱର୍ଣ୍ଣପ୍ରଦୀପର ସମୂଜ୍ଜ୍ୱଳ ଶିଖାରେ ସମୁଦ୍ଭାସିତ ହୋଇ ଏକ ସ୍ୱପ୍ନପୁରୀର ପରିଣତ ହୋଇଛି ।

 

ସମ୍ମୁଖରେ ତଥାଗତ ଗୌତମ ବୁଦ୍ଧ ।

 

ନିମୀଳିତ ନୟନୋପାନ୍ତରୁ ଝରିପଡ଼ୁଛି ପ୍ରବୃତ୍ତି–ପଥଭ୍ରଷ୍ଟ ଶୋକାତୁର ମାନବଶିଶୁ ଉଦ୍ଦେଶ୍ୟରେ ଶ୍ରାବଣର ଆଶିଷନିର୍ଝର ।

 

ଆରକ୍ତ ଓଷ୍ଠାଧରରୁ ମୁକ୍ତି ଲାଭ କରୁଛି ଏକ ବିମୁକ୍ତଚିତ୍ତ ଦେହାତୀତ ଆତ୍ମାର ଜିତେନ୍ଦ୍ରିୟତାର ଗୀତି ।

 

ଆମ୍ରପଲ୍ଲୀଙ୍କର ସମଗ୍ର ଶରୀର ରୋମାଞ୍ଚିତ ହୋଇଉଠୁଥିଲା । ଆଉ ଏକ ଅଭୂତପୂର୍ବ ଅନୁଭୂତିର ଉନ୍ମାଦନାରେ ଆମ୍ରପଲ୍ଲୀଙ୍କର ଆବେଗ ଚଞ୍ଚଳ ପ୍ରାଣ ନିର୍ବାତ ନିସ୍ପନ୍ଦ ଦୀପଶିଖାସଦୃଶ ଶାନ୍ତ ହୋଇଆସୁଥିଲା ।

 

ତଥାଗତ ପରିଚୟ ଜିଜ୍ଞାସା କଲେ–

 

‘‘କିଏ, ଭଗ୍ନୀ ଆମ୍ରପଲ୍ଲୀ ?’’

 

ପ୍ରଭୁ ତଥାଗତଙ୍କର ପ୍ରଶ୍ନ ଆମ୍ରପଲ୍ଲୀଙ୍କର ଆତ୍ମାସହିତ ଯେପରି ଏକ ଘନିଷ୍ଠ ସମ୍ପର୍କ ସ୍ଥାପନ କରୁଥିଲା ।

 

ଆମ୍ରପଲ୍ଲୀଙ୍କର ନାରୀସୁଲଭ ଉନ୍ମାଦନା କେଉଁଆଡ଼େ ବିଲୀନ ହୋଇଯାଉଥିଲା ।

 

ସେ ଉପଲବ୍‌ଧି କରୁଥିଲେ ଯେ ସେ ଏକ ପାର୍ବତ୍ୟ ନିର୍ଝରର ଚଳଚଞ୍ଚଳ ପ୍ରବହମାନ ସ୍ରୋସ୍ୱତୀ ନୁହନ୍ତି; ସେ ସତେ କି ଏକ ସୀମାହୀନ ସାଗରର ଅନନ୍ତ ପରିବ୍ୟାପ୍ତି, ଯାହା ଯୁଗଯୁଗାନ୍ତ ଧରି ତା’ର ପ୍ରଶାନ୍ତି ଓ ଗଭୀରତାମଧ୍ୟରେ ଆତ୍ମବିସ୍ତୃତି ଲାଭ କରିଆସିଛି ।

 

ବାରମ୍ବାର ଆମ୍ରପଲ୍ଲୀଙ୍କର କର୍ଣ୍ଣଗହ୍ୱରରେ ପ୍ରତିଧ୍ୱନିତ ହୋଇଉଠୁଥିଲା ଭଗବାନ୍‌ ତଥାଗତଙ୍କର ସେହି ମନ୍ଦ୍ରଗମ୍ଭୀର ଓଜସ୍ୱିନୀ ପ୍ରାଣସ୍ପର୍ଶୀ ବାଣୀ ‘‘–କିଏ, ଭଗ୍ନୀ ଆମ୍ରପଲ୍ଲୀ !’’

 

ଆମ୍ରପଲ୍ଲୀ ବିସ୍ମୃତ ହେଉଥିଲେ ସେ ଦେହୀ, ସେ ଶରୀରୀ, ସେ ଇନ୍ଦ୍ରିୟପରିଚାଳିତ, ପ୍ରବୃତ୍ତିପ୍ରଲୁବ୍‌ଧା, ପ୍ରପଞ୍ଚପଥଚାରିଣୀ, ବହୁଜନଆକାଂକ୍ଷିତା ବୈଶାଳୀର ରୂପେଶ୍ୱରୀ ଗଣବଧୂ ।

 

‘‘ହଁ ପ୍ରଭୋ ! ମୁଁ ଆମ୍ରପଲ୍ଲୀ ।’’ —କହୁ କହୁ ସେ ଗୌତମଙ୍କର ଚରଣତଳେ ଲୋଟିପଡ଼ିଲେ ।

 

ଆମ୍ରପଲ୍ଲୀଙ୍କର ଶରୀରସଂଘାତଜନିତ ବାୟୁର ଆଲୋଡ଼ନରେ ସ୍ୱର୍ଣ୍ଣପ୍ରଦୀପର ସମୁଜ୍ଜ୍ୱଳ ଶିଖା ତା’ର ମୂଳଭୂତରେ ବିଲୀନ ହୋଇ ଯେପରି ପ୍ରଭୁ ବୁଦ୍ଧଙ୍କର ନିର୍ବାଣର ମହାମନ୍ତ୍ରଗାନରେ ଉଦ୍‌ବୁଦ୍ଧ ହୋଇଉଠୁଥିଲା ।

 

ଭଗବାନ୍‌ ତଥାଗତ ବୁଦ୍ଧଙ୍କର ଅର୍ଦ୍ଧନିମୀଳିତ ଚକ୍ଷୁରୁନ୍ମୀଳିତ ହେଉଥିଲା–ତାଙ୍କର କଣ୍ଠର ମମତାର୍ଦ୍ର, ବାଣୀ ଆମ୍ରପଲ୍ଲୀଙ୍କର ଆତ୍ମାକୁ ସ୍ପର୍ଶ କରୁଥିଲା ।

 

‘‘ଆମ୍ରପଲ୍ଲୀ !’’

 

‘‘ପ୍ରଭୋ !’’

ତଥାଗତଙ୍କର ଶାନ୍ତ ମୁଖମଣ୍ଡଳଉପରେ ଆମ୍ରପଲ୍ଲୀଙ୍କର ଚକ୍ଷୁ ନିବଦ୍ଧ ହୋଇଉଠୁଥିଲା ।

‘‘ତୁମେ କ’ଣ ଚାହଁ ଆମ୍ରପଲ୍ଲୀ ?’’

‘‘ମୋର ଏକ ଭିକ୍ଷା ପୂର୍ଣ୍ଣ କରିପାରିବେ ଭିକ୍ଷୁ ?’’

ଆମ୍ରପଲ୍ଲୀଙ୍କର ବ୍ରୀଡ଼ାବ୍ୟଞ୍ଜିତ ନୟନୋପାନ୍ତରୁ ଝରିପଡ଼ୁଥିଲା ଆନନ୍ଦାଶ୍ରୁର ପ୍ରବାହ । ଭଗବାନ୍‌ ତଥାଗତଙ୍କର ମୁଖମଣ୍ଡଳ ସ୍ୱଭାବସୁଲଭ ସ୍ମିତହାସ୍ୟରେ ସମୁଜ୍ଜ୍ୱଳ ହୋଇଉଠୁଥିଲା ।

‘‘ଆମ୍ରପଲ୍ଲୀ ଭୁଲିଯାଉଛନ୍ତି ବୁଦ୍ଧ ମଧ୍ୟ ଏକ ଚକ୍ଷୁ । ତେଣୁ ଭିକ୍ଷୁ ନିକଟରୁ ଭିକ୍ଷା ପ୍ରାର୍ଥନା କରିବା କ’ଣ ବିଧେୟ ?’’

ଆମ୍ରପଲ୍ଲୀଙ୍କର ମୁଖମଣ୍ଡଳ ଏକ ସ୍ୱର୍ଗୀୟ ଉଲ୍ଲାସର ଅନବଦ୍ୟ ସ୍ପର୍ଶରେ ଦିବ୍ୟ ଶ୍ରୀସମ୍ପନ୍ନ ହୋଇଉଠୁଥିଲା । ମନେ ହେଉଥିଲା, ସେ ଏହି ମର୍ତ୍ତ୍ୟର ରକ୍ତ–ମାଂସଗଢ଼ା ନାରୀ ନୁହନ୍ତି–ସେ ସ୍ୱର୍ଗସମ୍ଭୂତା ବିକାରବର୍ଜ୍ଜିତା ଦେବକନ୍ୟା । ତାଙ୍କର କଣ୍ଠସ୍ୱରରେ ତାଙ୍କ ନିଜ ପ୍ରାଣର ପ୍ରଶାନ୍ତି ରୂପାୟିତ ହୋଇଉଠୁଥିଲେ ।

‘‘ତେବେ ମୋର ଏହି ବୈଶାଳୀସ୍ଥ ବିଶାଳ ଆମ୍ରବନକୁ ତଥାଗତ ଭଗବାନ୍‌ ବୁଦ୍ଧଙ୍କର ଭିକ୍ଷୁମାନଙ୍କନିମିତ୍ତ ସମର୍ପଣ କରିବା ସଙ୍ଗେ ସଙ୍ଗେ ମୋର ସକଳ ସମ୍ପଦ, ସମୃଦ୍ଧି, ଯୌବନ ଓ ଜୀବନକୁ ମୁଁ ସେହି ମହିମାମୟ ପୁରୁଷଙ୍କର ଚରଣତଳେ ନିବେଦନ କରୁଛି ।’’

ଆମ୍ରପଲ୍ଲୀ ତଥାଗତଙ୍କ ଚରଣତଳେ ଲୋଟିପଡ଼ିବା ସଙ୍ଗେ ସଙ୍ଗେ ବୁଦ୍ଧଙ୍କର କରପଲ୍ଲବରୁ ଝରିପଡ଼ୁଥିଲା ଶାନ୍ତିର ସ୍ୱସ୍ତ୍ୟୟନ ।

କେବଳ ଶ୍ରାବଣ–ଆକାଶର ଦିଗନ୍ତଶୋଭିତ ଚନ୍ଦ୍ର ତା’ର ସକଳ ଉଜ୍ଜ୍ୱଳତା ନେଇ ସେଦିନ ସେହି ରୂପଗରବିଣୀ ମଦାଳସା ଆମ୍ରପଲ୍ଲୀଙ୍କର ଆତ୍ମନିବେଦନକୁ ଲକ୍ଷ୍ୟ କରି ଉତ୍‌ଫୁଲ୍ଲ ହୋଇଉଠୁଥିଲା ।

Image